• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ହାଇଦ୍ରାବାଦରେ ନୂଆ ଉପାୟରେ ଲାଞ୍ଚ କାରବର । ତରିକା ଜାଣିଲେ ମୁଣ୍ଡରେ ହାତ ଦେବେ ଆପଣ । ଜଣେ ଥାନା ଅଧିକାରୀ ବା ଏସ୍‌ଆଇଙ୍କ ଏଭଳି ବିଚକ୍ଷଣତା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଆପଣ ଶୁଣିଥିବେ ଭଗବାନଙ୍କ ପାଖରେ ବା ମନ୍ଦିରରେ ରଖାଯାଇଥାଏ ଦାନ ବାକ୍ସ । ହେଲେ କେବେ ଶୁଣି ନଥିବେ ଲାଞ୍ଚ ବାକ୍ସ କଥା । ଲାଞ୍ଚ ନେଇ ଧରା ନପଡ଼ିବା ପାଇଁ ଥାନା ଏସ୍‌ଆଇ ଆପଣାଇଛନ୍ତି ଏଭଳି ନୂଆ ଉପାୟ । ଲାଞ୍ଚ ବାକ୍ସ କଥା ଯିଏ ବି ଶୁଣୁଛି ସିଏ ଆଶ୍ଚର୍ଯ୍ୟ ହେଉଛି ।

ଥାନା ପଛପାଖେ ଏକ ଅଟୋ ରଖାଯାଇଛି । ସେଥିରେ ରଖାଯାଇଛି ଏହି ବାକ୍ସ । ଆଉ ସେହି ବାକ୍ସରେ ଏସ୍‌ଆଇ ନେଇଥାନ୍ତି ଲାଞ୍ଚ । ତାହା ପୁଣି ସେ ନିଜେ ନେଇନଥାନ୍ତି । ଜଣେ ହେଡ୍‌ କନ୍‌ଷ୍ଟେବଲ୍‌ଙ୍କ ଜରିଆରେ ସେ ଅଭିଯୁକ୍ତଙ୍କଠାରୁ ଲାଞ୍ଚ ନେଇଥାନ୍ତି । ଏମିତି ଢ଼ଙ୍ଗରେ ସେ ରିତିମତ ଲାଞ୍ଚ ନେଇ ଚାଲିଥିଲେ । ହେଲେ କଥାରେ ଅଛି ନା, ଚୋର ଘର ସବୁବେଳେ ଅନ୍ଧାର ନୁହେଁ । ଦିନେ ନା ଦିନେ ଧରାପଡ଼ିବ । ଠିକ୍‌ ସେହିଭଳି, କୌଣସି ଏକ ମାମଲାରେ ଜଣେ ଅଭିଯୁକ୍ତଠାରୁ ହେଡ୍‌କନ୍‌ଷ୍ଟେବଲଙ୍କ ଜରିଆରେ ଏସ୍‌ଆଇ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ସେହି ସମାନ ଢ଼ଙ୍ଗରେ ଅଭିଯୁକ୍ତଠାରୁ ଲାଞ୍ଚ ନେଇ ବାକ୍ସରେ ପକାଉଥିଲେ ହେଡ୍‌ କନ୍‌ଷ୍ଟେବଲ । ହେଲେ ଦୁର୍ଭାଗ୍ୟବସତଃ ଏକ ସିସିଟିଭିରେ ଏହି ଲାଞ୍ଚ ନେବାର ପୁରା ଘଟଣା କଏଦ୍ ହୋଇଯାଇଛି ।

ତେଣୁ ଲାଞ୍ଚ ନେବା ଅଭିଯୋଗରେ ତୁରନ୍ତ ହେଡ୍‌ କନ୍‌ଷ୍ଟେବଲ୍‌ଙ୍କୁ ଗିରଫ କରାଯାଇଛି । ତେବେ ସବୁଠାରୁ ବଡ଼ କଥା ହେଲା, ଏହି ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ନାହିଁ । ଏହି ପୁରା କାରବାରର ମାଷ୍ଟରମାଇଣ୍ଡ ଥାନା ଏସ୍‌ଆଇ ହୋଇଥିଲେ ମଧ୍ୟ ତାଙ୍କ ବିରୋଧରେ କୌଣସି ପ୍ରମାଣ ନଥିବାରୁ ତାଙ୍କୁ ଗିରଫ କରଯାଇ ନାହିଁ । ତାଙ୍କୁ କେବଳ ଏକ ନୋଟିସ ଜାରି କରି ଛାଡ଼ି ଦିଆଯାଇଥିବା ଜଣାପଡ଼ିଛି ।

ତେବେ ପୂର୍ବରୁ ଏଭଳି ଘଟଣା କେବେ ବି ସାମ୍ନାକୁ ଆସିନଥିଲା । ଲାଞ୍ଚ କାରବାରରେ ସମ୍ପୃକ୍ତି ନେଇ ଯାହାର ବି ନାଁ ସାମ୍ନାକୁ ଆସେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ । ହେଲେ ଏଠି କିନ୍ତୁ ସ୍ଥିତି ଭିନ୍ନ ଦେଖାଯାଇଛି । ପ୍ରମାଣ ନଥିବାରୁ ଥାନା ଏସ୍ଆଇଙ୍କୁ ଗିରଫ କରାଯାଇ ନାହିଁ । 

ଏହି ଲାଞ୍ଚକାରବାରକୁ ଧରିବା ପାଇଁ ACB ବା ଆଣ୍ଟି କରପ୍‌ସନ୍‌ ବ୍ୟୁରୋ ପକ୍ଷରୁ ଜାଲ ବିଛାଯାଇଥିବା କୁହାଯାଉଛି । ହେଲେ ଦୁଃଖର ବିଷୟରେ ବଡ଼ ମାଛକୁ ନଧରି ସାମାନ୍ୟ କନଷ୍ଟେବଲଙ୍କୁ ଧରିଛି ACB । ଗତ ୨୫ ତାରିଖରେ ACB ଦ୍ୱାରା ଗିରଫ ହୋଇଥିବା ହେଡ୍‌ କନ୍‌ଷ୍ଟେବଲ ହେଉଛନ୍ତି ଭେଙ୍କଟ ରେଡ୍ଡି । ଆଉ ଖସିଯାଇଥିବା ମାଷ୍ଟର ମାଇଣ୍ଡ ଏସ୍‌ଆଇ ହେଉଛନ୍ତି ପି ୟାଦାଗିରି ରାଓ ।