• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

News Highlights

  • ଓଡ଼ିଶାରେ ବି ଓମିକ୍ରନ ପାଇଁ ବଢିଲା ସତର୍କତା

  • ବିଦେଶ ଫେରନ୍ତାଙ୍କ ତଥ୍ୟ ସଂଗ୍ରହ ଲାଗି ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: କର୍ଣ୍ଣାଟକରେ ଓମିକ୍ରନ୍ ଆକ୍ରାନ୍ତ ପରେ ଏବେ ଦେଶର ଅନ୍ୟ ରାଜ୍ୟକୁ ଘାରିଛି ଓମିକ୍ରନର ଭୟ । ଓମିକ୍ରନ ଚିହ୍ନଟ ଦକ୍ଷିଣ ଆଫ୍ରିକୀୟ ନାଗରିକ ଜଣକ ସ୍ୱଦେଶ ଫେରିଥିଲେ ବି ୭ ଦିନର ରହଣି ଭିତରେ ସେ କେଉଁଠି ଯାଇଥିଲେ, କାହା ସହ ମିଶିଥିଲେ ସେ ନେଇ ତନାଘନା ଚାଲିଛି। ଅନ୍ୟ ଜଣେ ଚିହ୍ନଟ ଭାରତୀୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ ମଧ୍ୟରୁ ୫ କୋଭିଡ ପଜିଟିଭ ଥିବା ଜଣାପଡିଛି । ଏପଟେ ରାଜ୍ୟ ସରକାର ବି ତତ୍ପରତା ଦେଖାଇ ଆକ୍ରାନ୍ତ ରାଷ୍ଟ୍ରରୁ ଆସିଥିବା ଲୋକଙ୍କ ତଥ୍ୟ ସଂଗ୍ରହ ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ।

କର୍ଣ୍ଣାଟକରେ ଦୁଇଜଣ ବ୍ୟକ୍ତିଙ୍କ ଠାରେ କରୋନାର ନୂଆ ଭାରିଆଣ୍ଟ ଚିହ୍ନଟ ହେବା ପରେ ପ୍ରଶାସନର ଚିନ୍ତା ବଢିବାରେ ଲାଗିଛି। ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ଦକ୍ଷିଣ ଆଫ୍ରିକାର ନାଗରିକ ହୋଇଥିବା ବେଳେ ଆଉ ଜଣେ ଏକ ସରକାରୀ ହସ୍ପିଟାଲରେ କାର୍ଯ୍ୟରତ ଡାକ୍ତର । ବଡକଥା ହେଉଛି ଡାକ୍ତର ଜଣଙ୍କ ଦୁଇଟି ଟିକା ନେଇ ମଧ୍ୟ ପଜିଟିଭ୍ ଚିହ୍ନଟ ହୋଇଥିଲେ । କଣ୍ଟାକ୍ଟ ଟ୍ରେସିଂରେ ତାଙ୍କ ପରିବାର ୩ ଜଣ ସଦସ୍ୟ ଓ ଅନ୍ୟ ୧୬୦ ଜଣଙ୍କ କୋଭିଡ ଟେଷ୍ଟିଂ କରାଯାଇଛି। ଯେଉଁମାନଙ୍କ ମଧ୍ୟରୁ ୫ ଜଣ କୋଭିଡ ପଜିଟିଭ ଥିବା ଜଣାପଡିଛି । ସେମାନଙ୍କ ଜିନୋମ ସିକ୍ୱେନସିଂ ଚାଲିଥିବା ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ୍ ମାଣ୍ଡଭ୍ୟ ସୂଚନା ଦେଇଛନ୍ତି ।

କିନ୍ତୁ ଆଶ୍ୱସ୍ତିର କଥା ଯେ ଆକ୍ରାନ୍ତ ଡାକ୍ତରଙ୍କ ସହ ଅନ୍ୟ ୬ଜଣଙ୍କର ସେମିତି କିଛି ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ନାହିଁ । ଅନ୍ୟପକ୍ଷରେ ଓମିକ୍ରନ ଚିହ୍ନଟ ହୋଇଥିବା ଦକ୍ଷିଣ ଆଫ୍ରିକୀୟ ନାଗରିକ ଜଣକ ସ୍ୱଦେଶକୁ ପ୍ରତ୍ୟାବର୍ତ୍ତନ କରିଥିଲେ ମଧ୍ୟ ସାତ ଦିନର ରହଣି ଭିତରେ ସେ କେଉଁ କେଉଁ ଅଂଚଳକୁ ଯାଇଥିଲେ, କାହା ସଂସ୍ପର୍ଶରେ ଆସିଥିଲେ ସେ ନେଇ ମଧ୍ୟ ତନାଘନା କରାଯାଉଛି । କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ ଉଚ୍ଚସ୍ତରୀୟ ବୈଠକ ଡାକି ସ୍ଥିତିର ସମୀକ୍ଷା କରିଛନ୍ତି ।

 

କର୍ଣ୍ଣାଟକ ପରେ ଏବେ ଦେଶର ଅନ୍ୟ ରାଜ୍ୟକୁ ମଧ୍ୟ ଘାରିଛି ଓମିକ୍ରନ ଭୟ । ନଭେମ୍ବର ୧୦ରୁ ଡିସେମ୍ବର ୨ ମଧ୍ୟରେ ମୁମ୍ବାଇ ବିମାନ ବନ୍ଦରରେ ୯ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟଙ୍କ ମଧ୍ୟରୁ ଜଣେ ଦକ୍ଷିଣ ଆଫ୍ରିକାରୁ ଆସିଥିବା ଜଣାପଡିଛି । ଆକ୍ରାନ୍ତମାନେ ଓମିକ୍ରନ୍ ଭାରିଆଣ୍ଟ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି କି ନାହିଁ ସେ ସମ୍ପର୍କରେ ଜାଣିବା ପାଇଁ ସେମାନଙ୍କ ନମୁନା ଜିନମ ସିକ୍ୱେନସିଂ ପାଇଁ ପଠାଯାଇଛି । ଏପଟେ ଓଡିଶାରେ ଆକ୍ରାନ୍ତ ରାଷ୍ଟ୍ରରୁ ଆସିଥିବା ୩୮୦ ଲୋକଙ୍କ ତଥ୍ୟ ସଂଗ୍ରହ ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି । ବିଦେଶରୁ ଆସୁଥିବ ବ୍ୟକ୍ତିଙ୍କ ଟେଷ୍ଟ କରାଯାଉଛି । ପଜିଟିଭି ଆସିଲେ ଜିନୋମ ସିକ୍ୱେନସିଂ ପାଇଁ ପଠାଯିବ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି ।

ଓମିକ୍ରନ୍ ଭାରିଆଣ୍ଟ ଦ୍ୱାରା ସଂକ୍ରମିତ ମାନେ କରୋନାରୁ ସୁସ୍ଥ ହୋଇଥିଲେ ବି, ପୁଣି ସଂକ୍ରମିତ ହେବାର ଆଶଙ୍କା ରହିଛି । କୋଭିଡ୍ ସଂକ୍ରମଣର ୯୦ ଦିନ ଭିତରେ ଯଦି ପୁଣି ଥରେ ସଂକ୍ରମଣ ହୁଏ ତେବେ ସେଗୁଡିକ ପୁନଃ ସଂକ୍ରମଣ ତାଲିକାରେ ଗଣାଯାଇଥାଏ । ଉଦବେଗଜନକ କଥା ହେଉଛି ଡେଲ୍ଟା ଓ ବିଟା ଭ୍ୟାରିଆଣ୍ଟ ଠାରୁ ଓମିକ୍ରନ୍ର ପୁନଃ ସଂକ୍ରମଣ କ୍ଷମତା ୩ ଗୁଣ ଅଧିକ ରହିଛି

ରିପୋର୍ଟର- କପିଳେନ୍ଦ୍ର ପ୍ରଧାନ