ଡରାଇଲାଣି କରୋନା, ରାଜ୍ୟରେ ଆଉ ଜଣେ କୋଭିଡ ଆକ୍ରାନ୍ତ ଚିହ୍ନଟ

ପୁଣି ଡରାଇଲାଣି କରୋନା । ରାଜ୍ୟରେ ଚିହ୍ନଟ ହେଲେ ଆଉ ଜଣେ କୋଭିଡ ଆକ୍ରାନ୍ତ । ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ଜଣେ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Covid

ପୁଣି ଡରାଇଲାଣି କରୋନା । ରାଜ୍ୟରେ ଚିହ୍ନଟ ହେଲେ ଆଉ ଜଣେ କୋଭିଡ ଆକ୍ରାନ୍ତ । ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ଜଣେ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଡିସେମ୍ବରରେ ମୋଟ ୧୪ ଜଣ ରୋଗୀ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ତେବେ ବର୍ତ୍ତମାନ ରାଜ୍ୟରେ ସମୁଦାୟ ୧୩ ଆକ୍ଟିଭ କେସ୍ ରହିଥିବା ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି ।

ଏଥିସହିତ ମାସ୍କ ପିନ୍ଧିବା ସହ ନୂଆବର୍ଷ ଘରେ ପାଳନ କରିବାକୁ ପରାମର୍ଶ ଦେଇଛନ୍ତି । ଯେଉଁମାନଙ୍କ ଥଣ୍ଡା, ଜ୍ୱର, କାଶ ରହୁଛି, ବାହାରକୁ ନ ଯାଇ ଘରେ ଜିରୋ ନାଇଟ ପାଳନ କରନ୍ତୁ ବୋଲି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି । ଅନ୍ୟପଟେ କରୋନା ଆକ୍ରାନ୍ତ ସଂଖ୍ୟା ବଢୁଥିବାରୁ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ ।

ସେହିପରି ରାଜ୍ୟର ସମସ୍ତ ମେଡିକାଲ କଲେଜ ଓ ହସ୍ପିଟାଲକୁ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ ପକ୍ଷରୁ ଜରୁରୀ ଚିଠି କରଯାଇଛି । ସର୍ଭେଲାନ୍ସ, ଟେଷ୍ଟିଂ ଓ ପ୍ରସ୍ତୁତି ବଢାଇବାକୁ ଚିଠିରେ ନିର୍ଦ୍ଦେଶ ଦିଆଯାଇଛି । ଅକ୍ସିଜେନଯୁକ୍ତ ବେଡ୍ ପ୍ରସ୍ତୁତ ରଖିବାକୁ ଏବଂ ଆକ୍ରାନ୍ତଙ୍କ ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଏଥିସହ କୋଭିଡ୍ ପଜିଟିଭ ଚିହ୍ନଟ ହେଲେ ଘରୋଇ ସଙ୍ଗରୋଧରେ ରହିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି । ଜନସାଧାରଣଙ୍କ ମଧ୍ୟରେ ସଚେତନତା ବୃଦ୍ଧି କରିବାକୁ କୁହାଯାଇଛି । କୋଭିଡ୍ ଲକ୍ଷଣଯୁକ୍ତ, ବରିଷ୍ଠ ନାଗରିକ ଓ ସଂକ୍ରମଣ ପ୍ରବଣଙ୍କୁ ବିଶେଷ ଗୁରୁତ୍ୱ ଦିଆଯିବାକୁ ଏହି ଚିଠିରେ ଉଲ୍ଲେଖ କରାଯାଇଛି ।

ତେବେ କୋଭିଡ ନୂଆ ଭାରିଆଣ୍ଟ JN.1 ପ୍ରଭାବରେ କର୍ଣ୍ଣାଟକରେ ବଢ଼ିବାରେ ଲାଗିଛି ଆକ୍ରାନ୍ତଙ୍କ ସଂଖ୍ୟା । କୋଭିଡ୍ ସଂକ୍ରମଣ ବଢ଼ୁଥିବା ଦେଖି କର୍ଣ୍ଣାଟକରେ କଟକଣା ଆରମ୍ଭ ହୋଇଛି । ପଜିଟିଭ ଚିହ୍ନଟ ହେଲେ ୭ ଦିନ ହୋମ୍‌ ଆଇସୋଲେସନ ବାଧ୍ୟତାମୂଳକ କରିଛନ୍ତି ରାଜ୍ୟ ସରକାର । ଏହା ସହ ସଂପୃକ୍ତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କ ଟେଷ୍ଟ କରାଯିବ । କୋଭିଡ୍‌କୁ ନେଇ ବସିଥିବା କ୍ୟାବିନେଟ ସବକମିଟିରେ ଏହି ନିଷ୍ପତ୍ତି ହୋଇଛି ।