ଓମିକ୍ରନ୍‌ ଭୟ ! ମହାରାଷ୍ଟ୍ରରେ ବଢ଼ିଲା ଆକ୍ରାନ୍ତଙ୍କ ସଂଖ୍ୟା, ମଧ୍ୟପ୍ରଦେଶରେ ନାଇଟ୍‌ କର୍ଫ୍ୟୁ

୭୭ ଦିନ ପରେ ଏତେ ସଂଖ୍ୟାରେ ଆକ୍ରାନ୍ତ ଦିନକରେ ଚିହ୍ନଟ ହୋଇଛନ୍ତି । ଯାହା ପରେ ଏବେ ଟେଷ୍ଟିଂ ଓ ଟ୍ରାକିଂକୁ ଜୋରଦାର କରାଯାଇଛି ।

File Pic

ଭୁବନେଶ୍ୱର: ପୁଣି ଥରେ ଚିନ୍ତା ବଢ଼ାଇଲା ମହାରାଷ୍ଟ୍ରରେ କରୋନା ସ୍ଥିତି । ଗୋଟିଏ ଦିନରେ ମହାରାଷ୍ଟ୍ରରୁ ଚିହ୍ନଟ ହୋଇଛନ୍ତି ୧, ୧୭୯ କରୋନା ଆକ୍ରାନ୍ତ । ସେଥିରୁ କେବଳ ମୁମ୍ବାଇରୁ ୬୧୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏଥିରେ ୨୩ ଜଣ ଓମିକ୍ରନ୍ ଆକ୍ରାନ୍ତ ବି ରହିଛନ୍ତି । ୭୭ ଦିନ ପରେ ଏତେ ସଂଖ୍ୟାରେ ଆକ୍ରାନ୍ତ ଦିନକରେ ଚିହ୍ନଟ ହୋଇଛନ୍ତି । ଯାହା ପରେ ଏବେ ଟେଷ୍ଟ୍ରିଂ ଓ ଟ୍ରାକିଂକୁ ଜୋରଦାର କରାଯାଇଛି ।

ମହାରାଷ୍ଟ୍ରରେ ଏଯାଏଁ ୬୫ ଓମିକ୍ରନ୍ ଭାରିଏଣ୍ଟ ଚିହ୍ନଟ ହୋଇଥିବା ବେଳେ ଦିଲ୍ଲୀରେ ୬୪ ଜଣ ଆକ୍ରାନ୍ତ ରହିଛନ୍ତି । ସେହିଭଳି କର୍ଣ୍ଣାଟକ ଓ କେରଳରେ ଏହି ସଂଖ୍ୟା ୩୧ରେ ପହଞ୍ଚିଛି । ଏହାପରେ ମୋଟ୍ ଦେଶରେ ଏହି ଟ୍ୟାଲି ୩୦୦କୁ ବୃଦ୍ଧି ପାଇଛି । ସେପଟେ ବଢ଼ୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ମଧ୍ୟପ୍ରଦେଶ ସରକାର ରାତ୍ରିକାଳୀନ କର୍ଫ୍ୟୁ ଜାରି କରିଛନ୍ତି । ରାତି ୧୧ରୁ ସକାଳ ୫ଟା ଯାଏ ନାଇଟ୍ କର୍ଫ୍ୟୁ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ ।

ସେହିପରି କ୍ରିସମସ୍ କି ନୂଆ ବର୍ଷରେ କୌଣସି ପ୍ରକାର ଜନ ସମାବେଶକୁ ଦିଲ୍ଲୀ ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଥରିଟି ବାରଣ କରିଛି । କୌଣସିି ବି ସାମାଜିକ, ରାଜନୈତିକ, ଧାର୍ମିକ, ସାଂସ୍କୃୃତିକ, କ୍ରୀଡ଼ା କି ମନୋରଂଜନ ଧର୍ମୀ ସମାବେଶ କରାଯାଇ ପାରିବ ନାହିଁ ବୋଲି ନିର୍ଦ୍ଦେଶ ଦେଇଛି DDMA ।

ଅନ୍ୟପଟେ ଓଡ଼ିଶାରେ ମଧ୍ୟ ଓମିକ୍ରନ୍‌ ଚିନ୍ତା ବଢ଼ିବାରେ ଲାଗିଛି । ବଡ଼ଦିନ ଓ ନୂଆବର୍ଷ ପାଇଁ କଟକଣା କଡ଼ା କରିଛନ୍ତି ରାଜ୍ୟ ସରକାର । ଡିସେମ୍ବର ୨୫ରୁ ଜାନୁଆରୀ ୨ ତାରିଖ ପର୍ଯ୍ୟନ୍ତ କଟକଣା ଲଗାଇଲେ । ବଡ଼ଦିନ ପାଳନ କେବଳ ଚର୍ଚ୍ଚ ଭିତରେ ସୀମିତ ରଖିବାକୁ ନିର୍ଦ୍ଦେଶ । କୋଭିଡ କଟକଣାରେ ଚର୍ଚ୍ଚାରେ ସର୍ବାଧିକ ୫୦ ଜଣଙ୍କୁ ନେଇ ବଡ଼ଦିନ ପାଳନ କରିବାକୁ କଡ଼ା ନିର୍ଦେଶ । ଜିଲ୍ଲା ପ୍ରଶାସନ ତଥା ସ୍ଥାନୀୟ ପ୍ରଶାସନର ଅନୁମତିରେ ହିଁ ବଡ଼ଦିନ ପାଳନ କରାଯିବ । ନୂଆବର୍ଷ ଜିରୋ ନାଇଟ୍ ସେଲିବ୍ରେସନକୁ ସମ୍ପୂର୍ଣ୍ଣ ବାରଣ କଲେ ସରକାର । ହୋଟେଲ, କ୍ଲବ, ରେଷ୍ଟୁରାଣ୍ଟ ଆଦିରେ ନୂଆ ବର୍ଷ ପାର୍ଟିକୁ ମଧ୍ୟ ବାରଣ କରାଯାଇଛି ।

ଖାଲି ସେତିକି ନୁହେଁ ବାହାଘର ବ୍ୟତୀତ ସମସ୍ତ ପ୍ରକାର ଉତ୍ସବ ଉପରେ ଲାଗିଲା ରୋକ୍ ଲଗାଯାଇଛି । ଏମିତିକି ବାହାଘରେ ରିସେପ୍‌ସନ୍‌ ଭଳି କୌଣସି ପ୍ରକାର ଭୋଜି କରିବାକୁ ସରକାରଙ୍କ ପକ୍ଷରୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି ।

ଅନ୍ୟପଟେ କୋଭିଡ୍-୧୯ କଟକଣା ମଧ୍ୟରେ ଶେଷକୃତ୍ୟ ପାଇଁ ଅନୁମତି ଦିଆଯାଇଛି । ସମସ୍ତ ପ୍ରକାର ମିଳିତ ଭୋଜି ଉପରେ ମଧ୍ୟ ଲାଗିଲା ରୋକ୍ । ରାଲି, ନାଚ, ସାଂସ୍କୃତିକ କାର୍ଯ୍ୟକ୍ରମ କରିବା ସମ୍ପୂର୍ଣ୍ଣ ମନା । ଜିଲ୍ଲାପାଳ ଓ କମିଶନରେଟ୍ ପୋଲିସ/ MCକୁ ନିୟମ ଲାଗୁ ପାଇଁ ନିର୍ଦ୍ଦେଶ । ଦରକାର ପଡ଼ିଲେ ଅଧିକ କଟକଣା ପାଇଁ ମଧ୍ୟ ଅନୁମତି ପ୍ରଦାନ କରାଯାଇଛି । ଏହି ସବୁ କଟକଣା ଡିସେମ୍ବର ୨୫ଳରୁ ଜାନୁଆରୀ ୨ ତାରିଖ ପର୍ଯ୍ୟନ୍ତ ଲାଗୁ ।