Advertisment

ପ୍ରତି ୩ ସଂକ୍ରମିତଙ୍କ ମଧ୍ୟରୁ ଜଣେ ଲଙ୍ଗ୍ କୋଭିଡ୍‌ର ଶିକାର

ଚିନ୍ତାର ବିଷୟ ହେଉଛି, ଉଭୟ ଡୋଜ୍ ଟିକା ନେଇଥିବା ପ୍ରାୟ ୩୪ ପ୍ରତିଶତ ରୋଗୀଙ୍କଠାରେ ମଧ୍ୟ ଦେଖିବାକୁ ମିଳୁଛି ଲଙ୍ଗ୍ କୋଭିଡ୍ ସମସ୍ୟା।

Covid 19

Covid 19

Advertisment

ଭୁବନେଶ୍ୱର: ଭୁବନେଶ୍ୱରର ଲକ୍ଷ୍ମୀଧର ବେହେରା। ପ୍ରଥମ ଲହରରେ କରୋନାରେ ଆକ୍ରାନ୍ତ ହୋଇଥିଲେ। ପୂର୍ବରୁ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଲକ୍ଷ୍ମୀଧରଙ୍କୁ କିନ୍ତୁ କରୋନା ପରେ ମାଡ଼ି ବସିଛି ପୁଳାଏ ରୋଗ। ଦୁର୍ବଳ ତ ହୋଇଛନ୍ତି, ଆଖି ଖରାପ ହେବା ସହ ସ୍ନାୟୁ ରୋଗ ବି ଦେଖାଦେଇଛି। ଯଦିଓ ଏବେ ଏସବୁ ରୋଗ ସାମାନ୍ୟ କମିଲାଣି, ତଥାପି ପ୍ରଭାବ ରହିଛି। କେବଳ ଲକ୍ଷ୍ମୀଧର ନୁହନ୍ତି, ଏମ୍ସ ଭୁବନେଶ୍ୱରର ଷ୍ଟଡି କହୁଛି, ରାଜ୍ୟର ପ୍ରତି ତିନି ଜଣରୁ ଜଣେ କରୋନା ରୋଗୀ ଲଙ୍ଗ୍ କୋଡିଭ୍ ବା କୋଭିଡ୍ ପରବର୍ତ୍ତୀ ଜଟିଳତା ଦେଇ ଗତି କରୁଛନ୍ତି। ୨୦୨୧ ଏପ୍ରିଲରୁ ସେମ୍ବେର ମଧ୍ୟରେ କୋଭିଡ୍ ପଜିଟିଭ ହୋଇଥିବା ପ୍ରାୟ ୫୦୦ ରୋଗୀଙ୍କୁ ନେଇ କରାଯାଇଥିବା ଏ ସର୍ଭେ ରିପୋର୍ଟ କହୁଛି, ୨୯.୨ ପ୍ରତିଶତ କୋଭିଡ୍ ଆକ୍ରାନ୍ତ ସୁସ୍ଥ ହେବା ପରେ ଲଙ୍ଗ୍ କୋଭିଡ୍‌ ଶିକାର ହେଉଛନ୍ତି।

Advertisment

ଅର୍ଥାତ୍ ସେମାନଙ୍କୁ ହାଲିଆ ଲାଗିବା, କାଶ ହେବା, ଶ୍ୱାସ ସମସ୍ୟା, ଛାତି ଯନ୍ତ୍ରଣା, ସ୍ୱାଦ ବା ଗନ୍ଧ ବାରି ନ ପାରିବା, ଚିଡ଼ିଚିଡ଼ା ଓ ବ୍ରେନ୍ ଫଗ୍ ଭଳି ରୋଗ ହେଉଛି। କିନ୍ତୁ କୋଭିଡ୍‌ରେ ଗୁରୁତର ହେଉଥିବା ୬୨.୫ ପ୍ରତିଶତ ସୁସ୍ଥ ହୋଇ ଫେରିବା ପରେ ଲଙ୍ଗ୍ କୋଭିଡର ସମ୍ମୁଖୀନ ହେଉଛନ୍ତି। ଲଙ୍ଗ୍ କୋଭିଡ୍‌ରେ ସର୍ବାଧିକ ୬୪.୮ ପ୍ରତିଶତଙ୍କୁ କ୍ଳାନ୍ତଜନିତ ସମସ୍ୟା ଦେଇ ଗତି କରିବାକୁ ପଡ଼ୁଥିବା ବେଳେ ୩୨.୪ ପ୍ରତିଶତଙ୍କୁ କାଶ ହେଉଛି। ଚିନ୍ତାର ବିଷୟ ହେଉଛି, ଉଭୟ ଡୋଜ୍ ଟିକା ନେଇଥିବା ପ୍ରାୟ ୩୪ ପ୍ରତିଶତ ରୋଗୀଙ୍କଠାରେ ମଧ୍ୟ ଦେଖିବାକୁ ମିଳୁଛି ଲଙ୍ଗ୍ କୋଭିଡ୍ ସମସ୍ୟା।

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା କଥା, କୋଭିଡ୍‌ର ଡେଲ୍‌ଟା ଭାରିଆଣ୍ଟ ବେଳେ ଅନେକଙ୍କଠାରେ ଲଙ୍ଗ୍ କୋଭିଡ୍ ଲକ୍ଷଣ ଦେଖିବାକୁ ମିଳୁଥିଲା। କୋଭିଡ୍‌ରୁ ଆରୋଗ୍ୟ ପରେ ଅନେକଙ୍କୁ ମୁଖ୍ୟତଃ ହାଲିଆ ଲାଗିବା ସହ କାଶ ଲାଗି ରହୁଥିଲା। ତେବେ ଓମିକ୍ରନ୍ ଭାରିଆଣ୍ଟରେ ଆକ୍ରାନ୍ତ ହେଉଥିବା ରୋଗୀଙ୍କଠାରେ ଏଯାଏଁ ଲଙ୍ଗ୍ କୋଭିଡ୍ ଲକ୍ଷଣ ଦେଖାଦେଇନି ତେଣୁ ବର୍ତ୍ତମାନ ସ୍ଥିତିରେ ଲଙ୍ଗ୍ କୋଭିଡ୍‌କୁ ନେଇ ଆତଙ୍କିତ ହେବାର କାରଣ ନାହିଁ।  

Advertisment

କୋଭିଡ୍‌ର ଆତଙ୍କ ନ ଯାଉଣୁ ଚିନ୍ତା ବଢ଼ାଇଲାଣି ଏମ୍ସର ଲଙ୍ଗ୍ କୋଭିଡ୍ ଷ୍ଟଡି ରିପୋର୍ଟ। ଏବେ ରାଜ୍ୟରେ ଓମିକ୍ରନ୍ ସଂକ୍ରମଣକୁ ମାତ୍ର ମାସେ ହୋଇଛି, ତୃତୀୟ ଲହରରେ ଲଙ୍ଗ୍ କୋଭିଡ୍ ସ୍ଥିତି କିଭଳି ରହିବ, ତାହା ଆଗକୁ ଜଣାପଡ଼ିବ।

ରିପୋର୍ଟ: କପିଳେନ୍ଦ୍ର ପ୍ରଧାନ

Cocid19 Post Covid Compliance
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ