Astrospeak
  • Live TV
  • Read In English

ସକାଳୁ ସଞ୍ଜ ଯାଏଁ ଟିକାକରଣ କେନ୍ଦ୍ରରେ ଧାଡ଼ି ବାନ୍ଧି ଠିଆ ହେଉଛନ୍ତି, ତଥାପି ନିରାଶ

ଗୋଟିଏ ପଟେ ସରକାର ଦ୍ରୁତ ଗତିରେ ଟିକାକରଣ ଚାଲିଥିବା ନେଇ ଡିଣ୍ଡିମ ପିଟୁଥିବା ବେଳେ ବାସ୍ତବ ଚିତ୍ର କିନ୍ତୁ ଭିନ୍ନ କଥା କହୁଛି । ଏବେ ବି ରାଜ୍ୟର ଅନେକ ଟିକା କରଣ କେନ୍ଦ୍ରରେ ଲୋକେ ସକାଳୁ ସଞ୍ଜ ଯାଏଁ ଧାଡ଼ି ବନ୍ଦି ଟିକା ନେବାକୁ ଅପେକ୍ଷା କରି ରହୁଛନ୍ତି ।

Vaccination Centre
Vaccination Centre

କେନ୍ଦୁଝର: ଗୋଟିଏ ପଟେ ସରକାର ଦ୍ରୁତ ଗତିରେ ଟିକାକରଣ ଚାଲିଥିବା ନେଇ ଡିଣ୍ଡିମ ପିଟୁଥିବା ବେଳେ ବାସ୍ତବ ଚିତ୍ର କିନ୍ତୁ ଭିନ୍ନ କଥା କହୁଛି । ଏବେ ବି ରାଜ୍ୟର ଅନେକ ଟିକା କରଣ କେନ୍ଦ୍ରରେ ଲୋକେ ସକାଳୁ ସଞ୍ଜ ଯାଏଁ ଧାଡ଼ି ବନ୍ଦି ଟିକା ନେବାକୁ ଅପେକ୍ଷା କରି ରହୁଛନ୍ତି । ଖାଲି ସେତିକି ନୁହେଁ ଟିକା ପାଇଁ ଦିନ ସାରା ଅପେକ୍ଷା କରିବା ପରେ ମଧ୍ୟ ଲୋକ ସେଠାରୁ ନିରାଶ ହୋଇ ଫେରୁଛନ୍ତି ।

ତେବେ ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦୁଝର ବଂଶପାଳ ବ୍ଲକ୍‌ ଫୁଲଝର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ । ଏଠାରେ କରୋନା ଟିକା ପାଇଁ ସାଂଘାତିକ ଭିଡ଼ ଜମୁଛି ା ତଥାପି ଲୋକେ ନିରାଶ ହେଉଛନ୍ତି । କର୍ତ୍ତୃପକ୍ଷ ଏଥିପ୍ରତି ବିଲ୍‌କୁଲ ଦୃଷ୍ଟି ଦେଉନଥିବା ଲୋକେ ଅଭିଯୋଗ କରିଛନ୍ତି ।ଲୋକଙ୍କ ଅଭିଯୋଗ ଅନୁଯାୟୀ ୧୩ ଘଣ୍ଟା ଧରି ଠିଆ ହେବା ପରେ ବି ଲୋକଙ୍କୁ ଟିକା ମିଳି ନଥିଲା । ପ୍ରାୟ ସବୁଦିନ ସକାଳ ୬ଟାରୁ ରାତି ୭ଟା ଯାଏଁ ଲୋକ ଧାଡ଼ି ବନ୍ଧି ଠିଆ ହେଉଛନ୍ତି । ତଥାପି ତାଙ୍କୁ ନିରାଶ ହେବାକୁ ପଡ଼ୁଛି ।

ଏହି କେନ୍ଦ୍ରରେ ଫୁଲଝର, କେନ୍ଦୁଘାଟି, କାସିଆ, ଇଟାପୋଖରୀ, ଦୁଧପଶି, ଧଳାଡିହି ଆଦି ବିଶେଷ ନିର୍ଭର କରନ୍ତି । ୧୮ରୁ ୪୪ ବର୍ଷ ବୟସ୍କଙ୍କ ପାଇଁ ୫୦ ଏବଂ ୪୫ ରୁ ୬୦ ବୟସ୍କଙ୍କ ପାଇଁ ୨୫୦ଟି ଡୋଜ୍‌କୁ ମିଶାଇ ମୋଟ ୩ ଶହ ଟିକା ଦିଆଯାଇଥିଲା । ଏହାପରେ ପୁଣି ଆବଶ୍ୟକତାକୁ ଦେଖି ୩୨୫ ଡୋଜ ଟିକା ସେହି କେନ୍ଦ୍ରକୁ ପଠାଯାଇଥିଲା । ଏହାବଦ୍‌ ମଧ୍ୟ ୧୩ ଘଣ୍ଟା ଧରି ଅପେକ୍ଷା କରିବା ପରେ ଲୋକଙ୍କୁ ଟିକା ମିଳିନଥିଲା । ଫଳରେ ଲୋକେ ନିରାଶ ହୋଇଥିବା ଅଭିଯୋଗ କରିଛନ୍ତି । ଅନ୍ୟପଟେ NHMର ଡିଷ୍ଟ୍ରିକ୍ ପ୍ରୋଗ୍ରାମ୍ ମ୍ୟାନେଜର ସମସ୍ତେ ଟିକା ପାଇଥିବା କହିଛନ୍ତି । ତେବେ ଟିକା ଗଲା କୁଆଡ଼େ ବୋଲି ଏବେ ଲୋକଙ୍କ ମନରେ ବଡ଼ ପ୍ରଶ୍ନ ।

ପୂର୍ବରୁ NTPC ମେଡିକାଲ କଲେଜ ଟିକାକରଣ କେନ୍ଦ୍ରରେ ମଧ୍ୟ ଅସମ୍ଭାଳ ଭିଡ ଦେଖାଯାଇଥିଲା । ବିଶେଷ କରି ସୁନ୍ଦରଗଡ ସହର ଓ ଆଖପାଖ ଅଞ୍ଚଳର ଲୋକଙ୍କ ପାଇଁ ଏଠାରେ ଟିକାକରଣର ବ୍ୟବସ୍ଥା କରାଯାଇଥିଲା । ହେଲେ ଦୂରଦୂରାନ୍ତରୁ ଲୋକେ ଟିକା ନେବା ପାଇଁ ଆସିଥିବା ଦେଖିବାକୁ ମିଳିଥିଲା । ଲୋକେ ଭୋରରୁ ଆସି ଟିକା ନେବା ପାଇଁ ଲମ୍ବା ଲାଇନ୍‌ରେ ଛିଡା ହେଇଥିଲେ । ତଥାପି ଲୋକେ ଟିକା ପାଇବାରୁ ବଞ୍ଚିତ ହୋଇଥିଲେ ।

ଅନ୍ୟପଟେ ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା ଗଞ୍ଜାମ ଜିଲ୍ଲାରେ । ଟିକାକରଣ କେନ୍ଦ୍ରରେ ରହିଛି ଅସମ୍ଭାଳ ଭିଡ଼ । ଲୋକେ କରୋନାରୁ ବର୍ତ୍ତିବା ପାଇଁ ଟିକା କେନ୍ଦ୍ର ଆଗରେ ଜମା ହେଉଥିବା ବେଳେ ପ୍ରଶାସନର ଟିକା କେନ୍ଦ୍ର ଆଗରେ କୌଣସି ବ୍ୟବସ୍ଥା ନଥିଲା । ଫଳରେ ସେଠାରେ ନାହିଁ ନଥିବା ଗହଳି ହୋଇଥିଲା ।