କରୋନାକୁ ନେଇ ଏବେ ସମସ୍ତେ କନ୍‌ଫ୍ୟୁଜ୍‌ ! ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଲେ କିଛି କହିହେବନି

ଏବେ ଦୈନିକ ସଂକ୍ରମଣ ୧୦ରୁ ୧୧ ହଜାର ଭିତରେ ରହୁଛି । ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା କମ୍ ରହିଛି । ଜେନେରାଲ୍ ବେଡ୍ ୯ ପ୍ରତିଶତ, ଆଇସିୟୁ ୧୫ ପ୍ରତିଶତ ଓ ଭେଣ୍ଟିଲେଟରରେ ୫ରୁ ୬ ପ୍ରତିଶତ ରୋଗୀ ଅଛନ୍ତି ।

Corona Doctor

ଏବେ କରୋନାକୁ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବି କନ୍‌ଫ୍ୟୁଜ୍‌ । କେତେବେଳେ କ’ଣ ହେବ କିଛି କହିହେବନି କହିଲେ ସ୍ୱାସ୍ଥ୍ୟ ନିର୍ଦେଶକ । ଦୈନିକ ସଂକ୍ରମଣ ଆଗକୁ ବଢ଼ିବ କି ନ ବଢ଼ିବ ସେନେଇ କୌଣସି ପୂର୍ବାନୁମାନ କରିହେବ ନାହିଁ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି । ଏବେ ଦୈନିକ ସଂକ୍ରମଣ ୧୦ରୁ ୧୧ ହଜାର ଭିତରେ ରହୁଛି । ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା କମ୍ ରହିଛି । ଜେନେରାଲ୍ ବେଡ୍ ୯ ପ୍ରତିଶତ, ଆଇସିୟୁ ୧୫ ପ୍ରତିଶତ ଓ ଭେଣ୍ଟିଲେଟରରେ ୫ରୁ ୬ ପ୍ରତିଶତ ରୋଗୀ ଅଛନ୍ତି । ଏ ଲହରରେ ଆଡମିସନ ଓ ଅକ୍ସିଜେନ୍ ଆବଶ୍ୟକତା କମ୍ ରହିଥିବା ସେ କହିଛନ୍ତି ।

ଅନ୍ୟପଟେ ଗତକାଲି କିନ୍ତୁ କୋଭିଡ୍‌ ସଚେତନତା ନେଇ ବିଶେଷଜ୍ଞ ଡାକ୍ତର କ୍ଷୀରୋଦ ରାଉତ ଅନେକ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି, ଡରିବାର କିଛି ନାହିଁ, ଓମିକ୍ରନ୍ ହେଉଛି ଏକ କ୍ଷୁଦ୍ର ଭୂତାଣୁ, ଯାହା ବଡ଼ ଆକାରରେ ମାଡୁଛି । ଡେଲଟା ହେଉ କି ଗାମା ହେଉ, କୌଣସି ଭୂତାଣୁ ଏଯାଏଁ ସମାପ୍ତ ହୋଇନି । ଡେଲଟା ସମାପ୍ତ ହୋଇନି, ଡେଲଟା ସ୍ଥାନ ଧିରେ ଧିରେ ଓମିକ୍ରନ ନେଉଛି । ଡେଲଟା ଭୟାବହତା ଆମେ ସମସ୍ତେ ଜାଣିଛୁ, ଡେଲଟା ଏବେ ବି ଅଛି ଏହାକୁ ଆମେ ଭୁଲିବା ନାହିଁ ବୋଲି କହିଛନ୍ତି ଡ. ରାଉତ୍ ।

ସେ ଆହୁରି କହିଛନ୍ତି ଓମିକ୍ରନ ଅଧିକ ସଂକ୍ରାମକ । କିନ୍ତୁ ଫୁସଫୁସରେ ପହଞ୍ଚିଲା ବେଳକୁ ଦୁର୍ବଳ ହୋଇଯାଉଛି । ଫୁସଫୁସରେ ପହଞ୍ଚିଲା ବେଳକୁ ଦୁର୍ବଳ ହୋଇପଡୁଥିବାରୁ କ୍ଷତି କରିପାରୁନି ଓମିକ୍ରନ୍‌ । କିନ୍ତୁ ଯିଏ ଦୂରାରୋଗ୍ୟ ବ୍ୟାଧିରେ ପୀଡ଼ିତ, ସେମାନଙ୍କୁ ଓମିକ୍ରନ କ୍ଷତି ଘଟାଇବ । ତେଣୁ ଏଥିପାଇଁ ଆମକୁ ସତର୍କ ରହିବା ବି ଜରୁରୀ ।

ତେବେ ଡେଲଟା ତୁଳନାରେ ଓମିକ୍ରନରେ କ୍ଷତି ପରିମାଣ କମ୍ ହୋଇପାରେ । ଯେଉଁମାନେ ଟିକା ନେଉଛନ୍ତି, ତାଙ୍କ ଉପରେ ଓମିକ୍ରନ୍ ପ୍ରଭାବ କମ୍ ପଡୁଛି । ଶୀଘ୍ର ବ୍ୟାପୁଥିବାରୁ ଶୀଘ୍ର ଦୁର୍ବଳ ହୋଇପାରେ ଓମିକ୍ରନ୍ ଭ୍ୟାରିଆଣ୍ଟ । ମାର୍ଚ୍ଚ ଶେଷ ବେଳକୁ ଓମିକ୍ରନ୍ ସଂକ୍ରମଣ ତଳମୁହାଁ ହେବ ବୋଲି ଆଶା କରାଯାଉଛି ।