କରୋନା କାଳରେ ଶିଶୁଙ୍କ ପାଇଁ ଭଲ ଖବର । ପିଲାଙ୍କ ପାଇଁ ଆସୁଛି ଶକ୍ତିଶାଳୀ କରୋନା କବଚ । ଦେଶରେ ୨ରୁ ୧୮ ବର୍ଷ ବୟସର ପିଲାଙ୍କ ପାଇଁ ଭାରତ ବାୟୋଟେକ୍ ପ୍ରସ୍ତୁତ କରିଥିବା କୋଭିଡ୍ ଭ୍ୟାକସିନ୍ କୋଭାକ୍ସିନ୍ର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେଇଛି ବିଶେଷଜ୍ଞ କମିଟି । ଭାରତ ବାୟୋଟେକ୍ ପକ୍ଷରୁ କ୍ଲିନିକାଲ ଟ୍ରାଏଲ ସମ୍ପର୍କିତ ସମସ୍ତ ତଥ୍ୟ ସେଣ୍ଟ୍ରାଲ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେସନ CDSCOକୁ ପ୍ରଦାନ କରାଯାଇଛି ।
୧ ହଜାରରୁ ଅଧିକ ପିଲାଙ୍କ ଉପରେ ଏହି ଟିକାର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ ସରିଛି । ବୟସ୍କଙ୍କ କ୍ଷେତ୍ରରେ କୋଭାକ୍ସିନ୍ ଯେତିକି ଫଳପ୍ରଦ ଥିଲା, ଶିଶୁଙ୍କ ଉପରେ ମଧ୍ୟ ତାହା ଅନୁରୁପ ହାରରେ ଫଳପ୍ରଦ ହେଉଥିବା ଦାବି କରିଛି କମ୍ପାନୀ । ଶିଶୁ ଓ କିଶୋରଙ୍କୁ ଏହି ଟିକାର ଦୁଇଟି ଡୋଜ ମଧ୍ୟରେ ୨୦ ଦିନ ବ୍ୟବଧାନ ରହିବ । ପିଲାଙ୍କଠାରେ ଏହି ଟିକା ପ୍ରୟୋଗ ନେଇ ଏବେ ଡ୍ରଗସ୍ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ ବା DCGIକୁ ସବଜେଟ୍ ଏକ୍ସପର୍ଟ କମିଟି ପ୍ରସ୍ତାବ ଦେଇଥିବା ବେଳେ DCGIର ଚୂଡାନ୍ତ ଅନୁମତିକୁ ଅପେକ୍ଷା କରାଯାଇଛି ।
Also Read
ଭାରତ ବାୟୋଟେକର କରୋନା କବଚ ଆସିଲେ ଏହା ବହୁବିଧ ରୋଗରେ ଆକ୍ରାନ୍ତ ଥିବା ପିଲାଙ୍କୁ ପ୍ରାଥମିକତା ଭିତ୍ତିରେ ଦିଆଯିବ ଏବଂ ପରେ ଅନ୍ୟମାନଙ୍କୁ ମିଳିବ ବୋଲି ପୂର୍ବରୁ ସୂଚନା ଦେଇଥିଲେ ଭାରତର ଟିକା ଟାସ୍କଫୋର୍ସର ମୁଖ୍ୟ ଡର ଏନ୍.କେ ଆରୋରା । ଏପଟେ ଯଦି କୋଭାକ୍ସିନ୍କୁ ଅନୁମତି ମିଳେ, ତେବେ ଜାଇଡସ କାଡିଲା ପରେ ଏହା ପିଲାଙ୍କ ପାଇଁ ଦ୍ୱିତୀୟ କୋରନା କବଚ ହେବ । ଏହା ପୂର୍ବରୁ ଗତ ଅଗଷ୍ଟରେ ଜାଇଡସ କାଡିଲା ୧୨ ବର୍ଷରୁ ଉର୍ଦ୍ଧ୍ୱ ବୟସର ପିଲାଙ୍କ ପାଇଁ ପ୍ରସ୍ତୁତ ଟିକାର ୩ ଡୋଜ୍ ଜାବ୍କୁ ଅନୁମତି ଦେଇଥିଲା । ଏ ଦୁଇଟି ଟିକା ବାଦ୍ ପିଲାଙ୍କ ପାଇଁ ତୃତୀୟ ସମ୍ଭାବ୍ୟ ଟିକା ଭାବେ ସେରମ୍ ଇନଷ୍ଟିଚ୍ୟୁଟର ନୋଭାଭାକ୍ସ ମଧ୍ୟ ରହିଛି । ଯାହାକୁ ୭ରୁ ୧୧ ବର୍ଷ ପିଲାଙ୍କ କ୍ଷେତ୍ରରେ ଟ୍ରାଏଲ ପାଇଁ ଗତ ମାସରେ ଅନୁମତି ଦେଇଛି DCGI । ତେବେ କୋଭାକ୍ସିନର ଜରୁରୀକାଳୀନ ବ୍ୟବହାର ପାଇଁ ଏଯାଏଁ WHOର ଅନୁମତି ମିଳିନି । WHO, ଟ୍ରାଏଲ ସମ୍ପର୍କୀତ ଅଧିକ ତଥ୍ୟ ଚାହିଁଥିବାରୁ ସଂସ୍ଥାର ଅନୁମତି ଲାଗି ଆଉ ଗୋଟିଏ ସପ୍ତାହ ଲାଗିବ ବୋଲି ଅନୁମାନ କରାଯାଉଛି ।
ବିଶ୍ୱ ମହାମାରୀ କରୋନା ବିରୋଧରେ ଲଢେଇ ପାଇଁ ସବୁଠୁ ବଡ଼ ଅସ୍ତ୍ର ହୋଇଛି ଟିକା । ଏପଟେ ଭାରତରେ ବିଶ୍ୱର ସର୍ବାଧିକ ସଂଖ୍ୟାରେ ଟିକାକରଣ ହୋଇଛି । ଏବେ ସୁଦ୍ଧା ୯୬ କୋଟିରୁ ଅଧିକ ଡୋଜ୍ ଟିକା ଦିଆଯାଇ ସାରିଛି । ଆଗକୁ ପିଲାଙ୍କ ଟିକା ଉପଲବ୍ଧ ହେଲେ ଟିକାକରଣ ପ୍ରକ୍ରିୟା ଆହୁରି ଦ୍ରୁତ ହୋଇପାରିବ ।