ମାର୍ଚ୍ଚରେ ଆସିପାରେ କରୋନାର ଚତୁର୍ଥ ଲହର ! ସ୍ୱତନ୍ତ୍ର ସଚିବ କହିଲେ . .

କରୋନା ବଢ଼ିଲେ ଆମେ ପ୍ରସ୍ତୁତ: ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ସଚିବ

corona virus

କରୋନାର ଆଉ ଏକ ଲହର ଆସିପାରେ । ରାଜ୍ୟ ତଥା ଦେଶରେ ମାର୍ଚ୍ଚ ଦ୍ୱିତୀୟ କିମ୍ବା ୩ୟ ସପ୍ତାହରେ ଆସିପାରେ ଚତୁର୍ଥ ଲହର । ଆଜି କିଛି ଏଭଳି ଆକଳନ କରିଛନ୍ତି ସ୍ୱାସ୍ଥ୍ୟ ବିଭାଗ ସ୍ୱତନ୍ତ୍ର ସଚିବ ଡାକ୍ତର ଅଜିତ ମହାନ୍ତି । ଚୀନରେ ଏବେ କରୋନା ତାଣ୍ଡବ ରଚିଥିବା ବେଳେ ପିକରେ ପହଞ୍ଚିନି ।

ଜାନୁଆରୀ ଦ୍ୱିତୀୟ ସପ୍ତାହରେ ସେଠି ପିକରେ ପହଞ୍ଚିପାରେ ମହାମାରୀ । ଏହାକୁ ଅନୁଧ୍ୟାନ କଲେ ଜଣାପଡ଼ୁଛି ଭାରତରେ ବି କରୋନାର ଚତୁର୍ଥ ଲହର ଆସିପାରେ । ହେଲେ ଏହାର ମୁକାବିଲା କରିବାକୁ ପ୍ରସ୍ତୁତ ରହିଛି ଭାରତ ।

ରାଜ୍ୟରେ ବି କରୋନାର ମୁକାବିଲା ପାଇଁ ସମସ୍ତ ପ୍ରସ୍ତୁତି ହୋଇଛି । ୪୦ ପ୍ରତିଶତ ଲୋକ ବୁଷ୍ଟର ଡୋଜ୍ ନେଇ ସାରିଛନ୍ତି । ବିଶେଷ ଭାବେ ବିଦେଶ ଫେରନ୍ତାଙ୍କ ଉପରେ ନଜର ରଖାଯାଇଛି । ଚୀନ, ଜାପାନ ସମେତ କରୋନା ସଂକ୍ରମିତ ରାଷ୍ଟ୍ରରୁ ଆସୁଥିବା ଲୋକଙ୍କ ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ ରହିଛି ।

ଅଧିକ ପଢ଼ନ୍ତୁ: କୋଭିଡ୍ କୋପରେ କମ୍ପୁଛି ଚୀନ୍ : ହାତ ଟେକିଦେଲେ ଜିନପିଙ୍ଗ୍‌ ସରକାର

ପଜିଟିଭ୍ ଆସିଲେ ସଂପୃକ୍ତ ବ୍ୟକ୍ତିଙ୍କୁ କ୍ୱାରେଣ୍ଟିନରେ ରଖିବାକୁ ବ୍ୟବସ୍ଥା ହୋଇଛି । ରାଜ୍ୟରେ ୯୦ ପ୍ରତିଶତ ଲୋକ ଡବଲ ଡୋଜ୍ ଟିକା ନେଇଛନ୍ତି । ସେହିପରି ୪୦% ବୁଷ୍ଟର ଡୋଜ୍ ନେଇଛନ୍ତି । ଏବେ ହକି ବିଶ୍ୱକପ୍ ଥିବାରୁ ଖେଳାଳି ଓ ଦର୍ଶକ ଓଡ଼ିଶା ଆସିବେ । ଖେଳାଳି ଓ ଦର୍ଶକ ଆସିବାକୁ ଥିବାରୁ ଅଧିକ ଧ୍ୟାନ ଦିଆଯିବ । ଝାରସୁଗୁଡ଼ା, ଖୋର୍ଦ୍ଧା, କଟକରେ ଅଧିକ ଜନସମାଗମ ହେବ । ତେଣୁ ଏସବୁ ଜିଲ୍ଲାରେ କଡ଼ାକଡ଼ି ହେବ ନିୟମ ।