ପୁଣି କରୋନା କଲାଣି ଉତ୍ପାତ ! କୋଭିସିଲ୍ଡ ଦ୍ୱିତୀୟ ଡୋଜ୍ ପାଇଁ ଅବଧି ହ୍ରାସ କରିବାକୁ ସୁପାରିସ

ଇସ୍ରାଏଲରେ ଦୁଇ କିଶୋର ବୟସ୍କ ଯାତ୍ରୀଙ୍କ ଠାରେ ଏହି ନୂଆ ଭ୍ୟାରିଆଣ୍ଟ ଠାବ ହେବା ପରେ ବଢିଛି ଚିନ୍ତା । କୋଭିଡର ଏହି ନୂଆ ଭ୍ୟାରିଆଣ୍ଟରେ ଓମିକ୍ରନର ଦୁଇଟି ସବ୍ ଭ୍ୟାରିଆଣ୍ଟ BA.1 ଏବଂ BA.2 ରହିଛି ।

COVISHIELD

କୋଭିସିଲ୍ଡ ଦ୍ୱିତୀୟ ଡୋଜ୍ ପାଇଁ ଅବଧି ହ୍ରାସ କରିବାକୁ ସୁପାରିସ । ଅବଧି ହ୍ରାସ କରିବାକୁ ସୁପାରିସ୍ କଲା NTAGI । ପ୍ରଥମ ଡୋଜ୍‌ରୁ ୮ରୁ ୧୬ ସପ୍ତାହ ପରେ ୨ୟ ଡୋଜ୍ ନେବାକୁ ଅନୁମତି ପାଇଁ ସୁପାରିସ୍ । ବର୍ତ୍ତମାନ ପ୍ରଥମ ଡୋଜ୍‌ର ୧୨ରୁ ୧୬ ସପ୍ତାହ ପରେ ୨ୟ ଡୋଜ୍ ଦିଆଯାଉଛି । ତେବେ ଏହି ଅବଧିକୁ ହୟାସ କରିବା ପାଇଁ ଏନ୍‌ଟିଏଜିଆଇ ପକ୍ଷରୁ କୁହାଯାଇଛି ।

ସେପଟେ କରୋନାର ପ୍ରକୋପ ପୁଣି ବଢ଼ୁଥିବା ଦେଖାଯାଇଛି । ଇସ୍ରାଏଲରେ ଠାବ ହୋଇଛି କରୋନା ଭୂତାଣୁର ନୂଆ ଭ୍ୟାରିଆଣ୍ଟ । ଚିନ୍ତାର ବିଷୟ ହେଉଛି, ଏହା କୌଣସି ସମ୍ପୂର୍ଣ୍ଣ ନୂଆ ଭ୍ୟାରିଆଣ୍ଟ୍ ନୁହେଁ ବରଂ ଓମିକ୍ରନର ୨ଟି ସବ୍-ଭ୍ୟାରିଆଣ୍ଟର ସମ୍ମେଳନ । ଏଭଳି ଭ୍ୟାରିଆଣ୍ଟର ଏଯାଏଁ ନାମକରଣ ହୋଇନି । ଏଥିସହ ତାହା ଇସ୍ରାଏଲରେ ଉତ୍ପତ୍ତି ହୋଇଛି, ନା ଆଉ କେଉଁଠୁ ଇସ୍ରାଏଲ୍ ଭିତରକୁ ଆସିଛି, ତାହା ବି ସ୍ପଷ୍ଟ ହୋଇନି ।

ଇସ୍ରାଏଲରେ ଦୁଇ କିଶୋର ବୟସ୍କ ଯାତ୍ରୀଙ୍କ ଠାରେ ଏହି ନୂଆ ଭ୍ୟାରିଆଣ୍ଟ ଠାବ ହେବା ପରେ ବଢିଛି ଚିନ୍ତା । କୋଭିଡର ଏହି ନୂଆ ଭ୍ୟାରିଆଣ୍ଟରେ ଓମିକ୍ରନର ଦୁଇଟି ସବ୍ ଭ୍ୟାରିଆଣ୍ଟ BA.1 ଏବଂ BA.2 ରହିଛି । ତେବେ କୋଭିଡର ନୂଆ ଭ୍ୟାରିଆଣ୍ଟ ଯାହା ଦୁଇ ପ୍ରକାର ଭ୍ୟାରିଆଣ୍ଟକୁ ଏକାଠି କରେ, ତାହା ପୂର୍ବରୁ ଡେଲ୍ଟାକ୍ରନରେ ଦେଖିବାକୁ ମିଳିଥିଲା । ଡେଲ୍ଟାକ୍ରନରେ କୋଭିଡର ଡେଲ୍ଟା ଭ୍ୟାରିଆଣ୍ଟ ଏବଂ ଓମିକ୍ରନ୍ ମିଶି ରହିଥିଲା ।

ତେବେ ଇସ୍ରାଏଲରେ ଠାବ ନୂଆ ଭ୍ୟାରିଆଣ୍ଟରେ କେବଳ ଓମିକ୍ରନ୍ ଭ୍ୟାରିଆଣ୍ଟର ୨ଟି ସବଭାରିଆଣ୍ଟ ରହିଥିବା କୁହାଯାଉଛି । ଏଥିରେ ଆକ୍ରାନ୍ତଙ୍କୁ କୌଣସି ସ୍ୱତନ୍ତ୍ର ଚିକିତ୍ସାର ଆବଶ୍ୟକ ପଡ଼ିନଥିବା ଇସ୍ରାଏଲ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ସେମାନଙ୍କ ଠାରେ ସାମାନ୍ୟ ଜ୍ୱର ସହ ମୁଣ୍ଡ ବିନ୍ଧା ଏବଂ ମାଂସପେଶୀରେ ପୀଡ଼ା ଅନୁଭବ ହେଉଛି । ତେବେ ନୂଆ ଭ୍ୟାରିଆଣ୍ଟକୁ ନେଇ ଭୟଭୀତ ହେବାର ଆବଶ୍ୟକ ନଥିବା ଇସ୍ରାଏଲର ପାଣ୍ଡେମିକ୍ ରେସ୍‌ପନ୍ସ ମୁଖ୍ୟ ସଲମାନ ଜାରକା କହିଛନ୍ତି ।

ଇସ୍ରାଏଲ୍ ଭିତରେ ନା ଅନ୍ୟ କେଉଁ ଦେଶରେ ହୋଇଛି ଏହି ନୂଆ ଭ୍ୟାରିଆଣ୍ଟର ଉତ୍ପତ୍ତି ? ସଂକ୍ରମିତ ଯାତ୍ରୀମାନେ ଇସ୍ରାଏଲ୍ ଭିତରେ ସଂକ୍ରମିତ ହୋଇଛନ୍ତି ନା ବାହାରୁ ସଂକ୍ରମିତ ହୋଇ ଆସିଛନ୍ତି ? ଏସବୁ ପ୍ରଶ୍ନର ଏଯାଏଁ କୌଣସି ସ୍ପଷ୍ଟ ଉତ୍ତର ଦେଇପାରିନି ଇସ୍ରାଏଲ୍ ।