• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

କାୟା ବଢ଼ାଉଛି କରୋନାର ଚତୁର୍ଥ ଲହର । ରାଜ୍ୟରେ ହୁ ହୁ ହୋଇ ବଢ଼ିଚାଲିଛି ସଂକ୍ରମଣ । ୧୦ ଦିନ ତଳେ ଶହେ ତଳେ ଥିବା ଦୈନିକ କୋଭିଡ୍ ସଂକ୍ରମଣ ଆଜି ୪ ଶହ ଡେଇଁଲାଣି । ଏମିତିକି ପିଲାଙ୍କଠାରେ ବଢ଼ୁଛି ଥଣ୍ଡା, କାଶ ଓ ଜ୍ୱର ଭଳି ଲକ୍ଷଣ । ଏହାକୁ ନେଇ ଚିନ୍ତା ପ୍ରକଟ କଲେଣି ସ୍ୱାସ୍ଥ୍ୟ ବିଶେଷଜ୍ଞ । ଏମିତିକି ସ୍ୱାସ୍ଥ୍ୟ ବିଭାଗ କହୁଛି, ବାହୁଡ଼ା ଓ ସୁନାବେଶ ପରର ୧୫ ଦିନ ଯାଏଁ କରୋନା ବଢ଼ିବ । ଏପଟେ କରୋନାକୁ ମାତ୍ ଦେବାକୁ ହର୍ ଘର ଦସ୍ତକ ଓ ସ୍କୁଲରେ କ୍ୟାମ୍ପ କରି ଟିକାକରଣ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରାଯାଇଛି ।

ରାଜ୍ୟରେ ମାଡ଼ିଚାଲିଛି ମହାମାରୀ କୋଭିଡ୍ । ସଂକ୍ରମଣରେ ବ୍ରେକ୍ ଲାଗୁନି । ୧୦ ଦିନ ଭିତରେ ପ୍ରାୟ ୬ ଗୁଣା ହେଲାଣି ଦୈନିକ ସଂକ୍ରମଣ । ଜୁନ୍ ୨୭ ତାରିଖରେ ରାଜ୍ୟର ଦୈନିକ ସଂକ୍ରମଣ ଥିଲା ୬୯ । ଆଉ ଆଜି ୪ ଶହ ପାର୍ କରିଛି ସଂକ୍ରମଣ । ଗତ ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ଏହି ପଜିଟିଭ୍ ରୋଗୀଙ୍କ ମଧ୍ୟରୁ କେବଳ ଖୋର୍ଦ୍ଧା ଓ କଟକରୁ ଅଛନ୍ତି ୬୪ ପ୍ରତିଶତ ।

ଖୋର୍ଦ୍ଧାରୁ ସର୍ବାଧିକ ୧୯୪ ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ କଟକରୁ ଚିହ୍ନଟ ହୋଇଛନ୍ତି ୬୪ ଜଣ । ଏ ସମ୍ପର୍କରେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, କିଛି ଦିନ ହେଲା ରାଜ୍ୟରେ କରୋନା ଗ୍ରାଫ୍ ବଢ଼ିଚାଲିଛି । ନିକଟରେ ରଥଯାତ୍ରା ବେଳେ ଅନେକ ଲୋକ ଏକାଠି ହୋଇଥିଲେ । ଆଗକୁ ବାହୁଡ଼ା ଓ ସୁନାବେଶ । ତେଣୁ ଏହା ପରବର୍ତ୍ତୀ ୧୦ରୁ ୧୫ ଦିନ ଯାଏଁ ସଂକ୍ରମଣ ବଢ଼ିବାର ଆଶଙ୍କା ରହିଛି । ତେଣୁ ମାସ ଶେଷ ଯାଏଁ ସମସ୍ତଙ୍କୁ ସତର୍କ ରହିବାକୁ ପଡ଼ିବ ।

 

ଆଶ୍ୱସ୍ତିର ବିଷୟ ଯେ, ଟିକାକରଣ ଆମ ପାଇଁ ଗେମଚେଞ୍ଜର ପାଲଟିଛି । ଏହାଯୋଗୁ କୋଭିଡ୍ ଭୟାବହତା କମିଛି । ଡାକ୍ତରଖାନାରେ ଭର୍ତ୍ତି ହେଉଥିବା ରୋଗୀଙ୍କ ସଂଖ୍ୟା ଢେର୍ କମ୍ । ଏବେ ରାଜ୍ୟରେ ଆକ୍ଟିଭ୍‌ କେସ୍ ସଂଖ୍ୟା ୧୯ଶହରୁ ଅଧିକ ଥିଲା ବେଳେ ମାତ୍ର ୧୯ ଜଣ ହସ୍ପିଟାଲରେ ଅଛନ୍ତି । ଏବେ ଦେଶର ଟ୍ରେଣ୍ଡ ଯାହା କହୁଛି, ଚତୁର୍ଥ ଲହରରେ ଦ୍ୱିତୀୟ ଓ ତୃତୀୟ ଲହର ଭଳି ହଠାତ୍ ସଂକ୍ରମଣ ବଢ଼ିବାର ଆଶଙ୍କା ନାହିଁ । ହେଲେ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା କଥା, ରାଜ୍ୟରେ ବଢ଼ୁଥିବା କୋଭିଡ୍ ସଂଖ୍ୟା ଆଗକୁ ଚିନ୍ତାଜନକ ହୋଇପାରେ । ଏଥିପାଇଁ ଲୋକମାନେ ସତର୍କ ରହିବା ଉଚିତ ଓ କୋଭିଡ୍ ନିୟମକୁ କଡ଼ାକଡ଼ି ପାଳନ କରନ୍ତୁ ।  

ଏବେ ବହୁ ସ୍କୁଲପିଲା ଥଣ୍ଡା, କାଶ ଓ ଜ୍ୱରରେ ପଡ଼ୁଥିବାରୁ ଅଭିଭାବକଙ୍କ ଚିନ୍ତା ବଢ଼ିଛି । ସ୍ୱାସ୍ଥ୍ୟ ବିଭାଗର ସଫେଇ, ସାଧାରଣତଃ  ମୌସୁମୀ ଋତୁରେ ଭାଇରାଲ୍ ଫ୍ଲୁ କାରଣରୁ ଏଭଳି ଲକ୍ଷଣ ଦେଖାଦେଇଥାଏ । ଏଭଳି ଲକ୍ଷଣ ଦେଖାଦେଲେ, ପିଲାଙ୍କୁ ସ୍କୁଲକୁ ନ ଛାଡ଼ିବାକୁ ଅଭିଭାବକଙ୍କୁ ପରାମର୍ଶ ଦିଆଯାଇଛି । ଏମିତିକି ପିଲାଙ୍କୁ ମଧ୍ୟ କୋଭିଡ୍ ହେବାର ଆଶଙ୍କା ଥିବାରୁ  କୋଭିଡ୍ ପରୀକ୍ଷା କରାଇବା ସହ ଡାକ୍ତରଙ୍କ ପରାମର୍ଶ ନେବାକୁ କୁହାଯାଇଛି ।

ଏବେ ରାଜ୍ୟରେ ଜୋରସୋରରେ ଆଗେଇ ଚାଲିଛି ଟିକାକରଣ କାର୍ଯ୍ୟ । ପରିବାର କଲ୍ୟାଣ ନିର୍ଦ୍ଦେଶକଙ୍କ ସୂଚନାନୁଯାୟୀ, ବର୍ତ୍ତମାନ ସୁଦ୍ଧା ରାଜ୍ୟର ୯୬ ପ୍ରତିଶତ ଲୋକ ପ୍ରଥମ ଡୋଜ୍ ଟିକା ନେଇସାରିଛନ୍ତି । କିନ୍ତୁ ୨୭ ଲକ୍ଷରୁ ଅଧିକ ଲୋକ ଦ୍ୱିତୀୟ ଡୋଜ୍ ଅବଧି ହୋଇଥିବା ସତ୍ତ୍ୱେ ଟିକା ନେଇନାହାନ୍ତି । ଏମିତିକି ୬୦ ବର୍ଷରୁ ଊର୍ଦ୍ଧ୍ୱ ବୟସ ବର୍ଗରେ ମାତ୍ର ୨୦ ପ୍ରତିଶତ ପ୍ରିକସନାରୀ ଡୋଜ ନେଇଛନ୍ତି, ଯାହାକି ସରକାରଙ୍କ ଚିନ୍ତା ବଢ଼ାଇଛି । ଏଥିପାଇଁ ହର୍ ଘର୍ ଦସ୍ତକ କାର୍ଯ୍ୟକ୍ରମ ଜରିଆରେ ଫ୍ରଣ୍ଟଲାଇନ୍ ୱାର୍କରମାନେ ଘର ଘର ବୁଲି ଲୋକଙ୍କ ଟିକାକରଣ କରାଉଛନ୍ତି । ଏମିତିକି ସ୍କୁଲରେ କ୍ୟାମ୍ପ କରି ପିଲାଙ୍କ ଟିକାକରଣ କରାଯାଉଥିବା କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ କୁମାର ପାଣିଗ୍ରାହୀ ।

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଆକଳନ ଅନୁଯାୟୀ, ରାଜ୍ୟରେ ଯେଉଁ ହାରରେ କରୋନା ଗ୍ରାଫ୍ ଉପରମୁହାଁ ହେଉଛି, ଆଗାମୀ ୧୫ ଦିନ ସବୁଠୁ ଗୁରୁତ୍ୱପୂର୍ଣ୍ଣ ରହିଛି । ଯଦି ଏବେଠୁ ଲୋକମାନେ ସତର୍କ ନ ରହିବେ, ବର୍ତ୍ତମାନ ଥିବା ୪୦୦ ଦୈନିକ ସଂକ୍ରମଣ ଯେ ଖୁବ୍‌ଶୀଘ୍ର ୪ ହଜାର ନ ଛୁଇଁବ, ଏ ଆଶଙ୍କାକୁ ଏଡ଼ାଯାଇ ନପାରେ ।

ରିପୋର୍ଟର- କପିଳେନ୍ଦ୍ର ପ୍ରଧାନ