Corona
୩ ବର୍ଷ ତଳେ ସାରା ବିଶ୍ୱର ଜନଜୀବନକୁ ଦୋହଲାଇ ଦେଇଥିବା ମହାମାରୀ କରୋନା ଏବେ ଭାରତରେ ପୁଣି ଚିନ୍ତା ବଢ଼ାଇଲାଣି । କାରଣ କେରଳରେ ଚିହ୍ନଟ ହୋଇଛି କୋଭିଡ୍-୧୯ର ନୂଆ ସବ୍ ଭାରିଆଣ୍ଟ JN.1। ଏହାକୁ ନେଇ କେରଳ ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ଦେଖାଦେଇଛି ତତ୍ପରତା। ଇଣ୍ଡିଆନ୍ ସାର୍ସ କୋଭିଡ୍ ଜେନୋମିକ୍ସ କନସୋଟିୟମ୍-INSACOG ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, କେରଳରେ ଜାରି ରହିଥିବା ସର୍ଭେଲାନ୍ସରୁ ଜଣେ ରୋଗୀଙ୍କ ନମୂନାରୁ ଏହି ସବ୍ ଭାରିଆଣ୍ଟ JN.1 ଚିହ୍ନଟ ହୋଇଛି।
ଗତ ନଭେମ୍ବର ୧୮ ତାରିଖରେ ଥିରୁବନନ୍ତପୁରମ କାରାକୁଲମର ସଂପୃକ୍ତ ରୋଗୀଙ୍କ ଠାରୁ ନମୂନା ସଂଗ୍ରହ କରି RT-PCR ଟେଷ୍ଟ ପାଇଁ ପଠାଯାଇଥିଲା। ଆଉ ୮ ତାରିଖରେ ଏହା ପଜିଟିଭ୍ ଆସିବା ସହ ଏହା JN.1 ଭାରିଆଣ୍ଟ ବୋଲି ଚିହ୍ନଟ କରାଯାଇଛି। ତେବେ ସଂପୃକ୍ତ ରୋଗୀଙ୍କ ପାଖରେ ଇନଫ୍ଲୁଏନଜାର ସାମାନ୍ୟ ଲକ୍ଷଣ ଦେଖାଦେଇଥିବାବେଳେ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ବି ଆସିଛି। କିନ୍ତୁ ଗତ ସପ୍ତାହେ ହେଲା, କେରଳରେ କୋଭିଡ୍-୧୯ କେଶ୍ ଉପରମୁହାଁ ହେଉଥିବାରୁ ଏବେ ଚିନ୍ତା ବଢ଼ିଛି।
ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୧୨ ଜଣ ରୋଗୀ ଚିହ୍ନଟ ହୋଇଥିବାବେଳେ କେରଳରୁ ହିଁ ଚିହ୍ନଟ ରୋଗୀଙ୍କ ସଂଖ୍ୟା ୨୮୦ରେ ପହଞ୍ଚିଛି। ନୂଆ ଭାରିଆଣ୍ଟ ଚିହ୍ନଟ ହେବା ଏବଂ ରାଜ୍ୟବ୍ୟାପି କୋଭିଡ୍-୧୯ ସଂକ୍ରମଣ ଉପରମୁହାଁ ହେଉଥିବାରୁ ଏବେ ଚିନ୍ତା ବଢ଼ିଛି। ଏହାକୁ ଦୃଷ୍ଟିରେ ରଖି କେରଳରେ ଟେଷ୍ଟିଂ ଏବଂ ସର୍ଭେଲାନ୍ସକୁ ବଢ଼ାଇ ଦିଆଯାଇଛି।
ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ଆବଶ୍ୟକୀୟ ପଦକ୍ଷେପ ନେବା ସହ ଡାକ୍ତରଖାନା ଗୁଡ଼ିକୁ ପ୍ରସ୍ତୁତ ରଖାଯାଇଛି। କନ୍ନୁରରେ ସ୍ଥାନୀୟ ବିଧାୟକ ମଧ୍ୟ ସ୍ବାସ୍ଥ୍ୟ ଅଧିକାରୀଙ୍କ ସହ ଆଲୋଚନା କରି ଆବଶ୍ୟକ ପଦକ୍ଷେପ ନେବାକୁ କହିଛନ୍ତି। ଏହି ଭାରିଆଣ୍ଟ ପ୍ରଥମେ ଲକ୍ସମବର୍ଗ ଓ ପରେ ପରେ ବ୍ରିଟେନ୍, ଫ୍ରାନ୍ସ ଏବଂ ଆମେରିକାରେ ଚିହ୍ନଟ ହୋଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Corona_1702779870.jpg)