• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ମହଙ୍ଗା ହୋଇପାରେ ୟୁପିଆଇ ଟ୍ରାଞ୍ଜାକ୍ସନ ? ୩ ହଜାରରୁ ଅଧିକ ଟ୍ରାଞ୍ଜାକ୍ସନ ଉପରେ ଲାଗିବ ମର୍ଚ୍ଚାଣ୍ଟ୍ ଫିସ୍ । ୟୁପିଆଇ ଟ୍ରାଞ୍ଜାକ୍ସନ କ୍ଷେତ୍ରରେ ହଠାତ ଏଭଳି ଏକ ବଡ଼ ଧରଣର ପରିବର୍ତ୍ତନ ହେବାକୁ ଯାଉଛି । ଭାରତରେ କୋଭିଡ ମହାମାରୀ ପରଠାରୁ ୟୁପିଆଇ ଟ୍ରାଞ୍ଜାକ୍ସନର ବ୍ୟବହାର ବଢି ବଢି ଚାଲିଛି । ଏହି କାରବାର ଏବେ ୬୦ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି । କିନ୍ତୁ ଜିରୋ ଏମଡିଆର ପଲିସି ଯୋଗୁଁ ଏହି ସେକ୍ଟରରେ ନିବେଶ କରିବା ପାଇଁ ଲୋକମାନେ ଆଗ୍ରହ ଦେଖାଉନାହାଁନ୍ତି ।

ଯଦି ଆପଣ ସପିଂ ହେଉ କି ପରିବାର ପାଇଁ କରୁଥିବା ଅଧିକାଂଶ ଖର୍ଚ୍ଚ ୟୁପିଆଇ ମାଧ୍ୟମରେ କରୁଛନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ ନିହାତି ଗୁରୁତ୍ବପୂର୍ଣ୍ଣ । ଏବେ ସରକାର ୟୁପିଆଇ ମାଧ୍ୟମରେ ୩ହଜାରରୁ ଅଧିକ ଟ୍ରାଞ୍ଜାକ୍ସନ ଉପରେ ମର୍ଚ୍ଚାଣ୍ଟ ଡିସକାଉଣ୍ଟ ରେଟ୍ (MDR)ଚାର୍ଜ ଲଗାଇବାକୁ ଯୋଜନା କରୁଛନ୍ତି । ସରକାର ଏହି ପଦକ୍ଷେପ ବ୍ୟାଙ୍କ ଓ ପେମେଣ୍ଟ ସର୍ଭିସ ପ୍ରୋଭାଇଡରଙ୍କୁ ଟେକ୍ନିକାଲ ଓ ଅପରେସନ ଖର୍ଚ୍ଚରେ ସାହାଯ୍ୟ କରିବାକୁ ନେଉଛନ୍ତି । ବ୍ୟାଙ୍କ ଓ ପେମେଣ୍ଟ ସର୍ଭିସ ପ୍ରୋଭାଇଡର ମାନେ କହୁଛନ୍ତି କି ଡିଜିଟାଲ ଟ୍ରାଞ୍ଜାକ୍ସନ ଦିନକୁ ଦିନ ବଢିବାରେ ଲାଗିଛି । ଦେଶ ଭିତରେ ୟୁପିଆଇର ୮୦ ପ୍ରତିଶତ ହେଉଛି ଡିଜିଟାଲ ରିଟେଲ ଟ୍ରାଞ୍ଜାକ୍ସନ । ୨୦୨୦ରୁ ଏବେ ଯାଏ ୟୁପିଆଇର ମର୍ଚ୍ଚାଣ୍ଟ ଟ୍ରାଞ୍ଜାକ୍ସନର ଆକାର ବଢିକି ୬୦ ଲକ୍ଷ କୋଟିରେ ପହଞ୍ଚିଛି । କିନ୍ତୁ ଜାନୁଆରୀ ୨୦୨୦ରେ ଲାଗୁ ହୋଇଥିବା ଏମଡିଆର ପଲିସି କାରଣରୁ ଏହି ସେକ୍ଟରରେ ନିବେଶ କମ ହେଉଛି । ତେବେ ବଡ଼ ଟ୍ରାଞ୍ଜାକ୍ସନରେ ସର୍ଭିସ ପ୍ରୋଭାଇଡରଙ୍କ ଲାଭ ପୂର୍ବ ଅପେକ୍ଷା ବଢିଛି ।

ଏକ ରିପୋର୍ଟ ଅନୁସାରେ ଛୋଟ ଟ୍ରାଞ୍ଜାକ୍ସନ ଉପରେ କୌଣସି ପ୍ରକାର ଚାର୍ଜ ଲାଗିବନି । କିନ୍ତୁ ୩ହଜାରରୁ ଅଧିକ ଟ୍ରାଞ୍ଜାକ୍ସନ ଉପରେ ଏମଡିଆର ଫିସ୍ ଲାଗୁ ହୋଇପାରେ । ଏହି ଫିସ୍ ଟ୍ରାଞ୍ଜାକ୍ସନ ଆଧାରରେ ହେବ । ଅର୍ଥାତ ଆପଣ କେତେ ଟଙ୍କାର ଟ୍ରାଞ୍ଜାକ୍ସନ କରୁଛନ୍ତି ସେହି ହିସାବରେ ଏମଡିଆର ଫିସ୍ ଆଦାୟ କରାଯିବ । ପେମେଣ୍ଟସ କାଉନସିଲ ଅଫ ଇଣ୍ଡିଆ (PCI) ତରଫରୁ ବଡ ବ୍ୟବସାୟୀ (ଯେଉଁମାନଙ୍କର ଟର୍ଣ୍ଣ ଓଭର ଅଧିକ)ଙ୍କ ଉପରେ ୦.୩ % ଏମଡିଆର ଲାଗୁ ହେବ । ଏବେ କ୍ରେଡିଟ ଓ ଡେବିଟ କାର୍ଡ ଉପରେ ୦.୯ ପ୍ରତିଶତରୁ ୨ ପ୍ରତିଶତ ପର୍ଯ୍ୟନ୍ତ ଏମଡିଆର ରହିଛି । କିନ୍ତୁ ରୁପେ କାର୍ଡ ଏଥିରୁ ବାଦ ପଡିଛି ।

ଗତ ସପ୍ତାହରେ, ପିଏମଓ, ଅର୍ଥ ବ୍ୟାପାର ବିଭାଗ ଏବଂ ଆର୍ଥିକ ସେବା ବିଭାଗ ଏହି ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ। ବ୍ୟାଙ୍କ, ଫିନଟେକ୍ କମ୍ପାନୀ ଏବଂ ନ୍ୟାସନାଲ୍ ପେମେଣ୍ଟ୍ସ କର୍ପୋରେସନ୍ ଅଫ୍ ଇଣ୍ଡିଆ (NPCI) ସହିତ ଆଲୋଚନା ପରେ ଗୋଟିଏରୁ ଦୁଇ ମାସ ମଧ୍ୟରେ ଏ ବିଷୟରେ ନିଷ୍ପତ୍ତି ନିଆଯାଇପାରିବ। ଏହି ନୀତି ମାଧ୍ୟମରେ UPIକୁ ପ୍ରୋତ୍ସାହନ ଦେବା ସହ, ଦୀର୍ଘ ସମୟ ପାଇଁ ଡିଜିଟାଲ୍ ପେମେଣ୍ଟ୍ ସିଷ୍ଟମ୍ ଚଲାଇବା ଉପରେ ଧ୍ୟାନ ଦିଆଯିବ। ବ୍ୟାଙ୍କ ଏବଂ ସେବା ପ୍ରଦାନକାରୀମାନଙ୍କୁ ନିଜର ବୈଷୟିକ ଜ୍ଞାନ କୌଶଳର ଉନ୍ନତି ପାଇଁ ବି ସମ୍ବଳ ଯୋଗାଇ ଦିଆଯିବ। ଗ୍ରାହକମାନଙ୍କୁ ବଡ଼ କାରବାର ପାଇଁ ଅତିରିକ୍ତ ଶୁଳ୍କ ମଧ୍ୟ ଦେବାକୁ ପଡ଼ିପାରେ।