• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sonali Ojha

ଆଜି ସିଇଓ ଭାବରେ କମ୍ପାନୀ ଚଳାଉଛନ୍ତି, ଦିନେ ପରିସ୍ଥିତି ଏମିତି ଥିଲା ଡେଲିଭରି ବୟ ଭାବରେ ଘରକୁ ଘର ବୁଲି ଡେଲିଭରି କରିବାକୁ ପଡ଼ୁଥିଲା । ପରିସ୍ଥିତି ବଦଳାଇ ଦେଇଥିଲା ଜୀବନର ଗତିପଥ । ଗତ ଦଶନ୍ଧିରେ ଭାରତରେ ଷ୍ଟାର୍ଟଅପ୍ ବିଜ୍‌ନେସ୍‌ ଦ୍ରୁତ ଗତିରେ ବୃଦ୍ଧି ପାଇଛି । ଏହି ଅବଧି ମଧ୍ୟରେ ଦେଶରେ ଅନେକ ନୂଆ ଯୁବ ଉଦ୍ୟୋଗୀ ସାମ୍ନାକୁ ଆସୁଛନ୍ତି । ବିଶେଷ କଥା ହେଉଛି ଏଭଳି ଯୁବ ବ୍ୟବସାୟୀଙ୍କ ସଫଳତାର କାହାଣୀ ଲକ୍ଷ ଲକ୍ଷ ଯୁବକଙ୍କୁ ପ୍ରେରଣା ଯୋଗାଉଛି । କିନ୍ତୁ ଆଜି ଆମେ ଆପଣଙ୍କୁ ଜଣେ ଉଦ୍ୟୋଗୀ ବିଷୟରେ କହିବାକୁ ଯାଉଛୁ ଯିଏ ବହୁତ ଖରାପ ଦିନ ଦେଖିଛନ୍ତି । ଯେତେବେଳେ ତାଙ୍କ ପରିବାର ଦେବାଳିଆ ହୋଇଗଲା, ସେତେବେଳେ ସେ ଡ଼େଲିଭରି ବଏ ଭାବରେ ମଧ୍ୟ କାମ କରିଛନ୍ତି ।

ଆମେ ଫିଣ୍ଟେକ୍ କମ୍ପାନୀ କ୍ରେଡ୍ ( CRED ) ଆପ୍‌ର ପ୍ରତିଷ୍ଠାତା କୁନାଲ ଶାହାଙ୍କ ବିଷୟରେ କହୁଛୁ । କମ୍ପାନୀର ସିଇଓ କୁନାଲ ଶାହା ତାଙ୍କ ପରିବାର ଦେବାଳିଆ ହେବା ପରେ ଏକ ଡେଲିଭରି ଏଜେଣ୍ଟ ଏବଂ ଡାଟା ଏଣ୍ଟ୍ରି ଅପରେଟର ଭାବରେ କାମ ମଧ୍ୟ କରିଥିଲେ । 

କେଉଁ କଲେଜରେ ପାଠ ପଢୁଥିଲେ କୁନାଲ ଶାହା ? 

ଭେଟେରାନ୍ ଶିଳ୍ପପତି ସଞ୍ଜୀବ ବିଖଚନ୍ଦାନୀ, କ୍ରେଡର ପ୍ରତିଷ୍ଠାତା କୁନାଲ ଶାହାଙ୍କ ସଂଘର୍ଷର କାହାଣୀ ଲୋକଙ୍କ ସାମ୍ନାରେ ରଖିଛନ୍ତି । ଦିନେ କଫି ସପ୍‌ରେ ଉଭୟ ଭେଟିଥିଲେ । ଏହି ସମୟରେ ସଞ୍ଜୀବ ବିଖଚନ୍ଦାନୀ କୁନାଲ ଶାହାଙ୍କୁ ତାଙ୍କ ପାଠପଢା ଓ କାମ ବିଷୟରେ ପଚାରିଥିଲେ । ଏହି କଥାବାର୍ତ୍ତା ପରେ ସଞ୍ଜୀବ ବିଖଚନ୍ଦାନୀ ଟ୍ୱିଟ୍ କରି ଲେଖିଛନ୍ତି ଯେ କ୍ରେଡ୍ ( CRED ) ଆପ୍‌ର ପ୍ରତିଷ୍ଠାତା ତଥା ସିଇଓ କୁନାଲ ଶାହା ତାଙ୍କ ପରିବାର ଦେବାଳିଆ ହେବା ପରେ ଜଣେ ଡେଲିଭରି ଏଜେଣ୍ଟ ଏବଂ ଡାଟା ଏଣ୍ଟ୍ରି ଅପରେଟର ଭାବରେ କାମ କରିଥିଲେ । ଦେଶର ଅନେକ ଷ୍ଟାର୍ଟଅପ୍ ପ୍ରତିଷ୍ଠାତା ଆଇଆଇଟି ଓ ଆଇଆଇଏମ୍‌ରୁ ଆସିଛନ୍ତି, କିନ୍ତୁ କୁନାଲ ଶାହା ହେଉଛନ୍ତି ଜଣେ ଯୁବ ଉଦ୍ୟୋଗୀ ଯିଏକି ମୁମ୍ବାଇର ୱିଲସନ କଲେଜରୁ ସ୍ନାତକ ହାସଲ କରିଛନ୍ତି ଓ ନିଜର ପରିଶ୍ରମ ସହିତ ବ୍ୟବସାୟ ଜଗତରେ ନାମ ବଢାଇଛନ୍ତି ।

କେତେ ବର୍ଷ ବୟସରେ ଆତ୍ମନିର୍ଭରଶୀଳ ହୋଇଥିଲେ କୁନାଲ ଶାହା ? 

ଏହାପୂର୍ବରୁ କୁନାଲ ଶାହା ଅନେକ ସାକ୍ଷାତକାରରେ କହିଛନ୍ତି଼ ଯେ ତାଙ୍କ ପରିବାରର ଆର୍ଥିକ ଅବସ୍ଥା ଦୁର୍ବଳ ଥିବାରୁ ତାଙ୍କୁ ଅଳ୍ପ ବୟସରେ କାମ କରିବାକୁ ପଡିଥିଲା । ସେ ତାଙ୍କ ଘର ବାହାରେ ଏକ ସାଇବର କାଫେ ମଧ୍ୟ ଚଳାଉଥିଲେ । ମାତ୍ର ୧୬ ବର୍ଷ ବୟସରେ କୁନାଲ ଆର୍ଥିକ ଆତ୍ମନିର୍ଭରଶୀଳ ହୋଇଥିଲେ ।

ଆଜି ବି ତାଙ୍କ ଦରମା ମାତ୍ର ୧୫,୦୦୦ ଟଙ୍କା...

ସେ ଆହୁରି ମଧ୍ୟ କହିଛନ୍ତି ଯେ ତାଙ୍କୁ ମାସକୁ ୧୫,୦୦୦ ଟଙ୍କା ଦରମା ମିଳୁଛି । ତାଙ୍କୁ ମଧ୍ୟ ପଚରାଯାଇଥିଲା ଯେ କଣ ପାଇଁ ସେ ତାଙ୍କ କମ୍ପାନୀରେ ଏତେ କମ୍‌ ଦରମା ରଖିଲେ ? ଏହା ଉପରେ ସେ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀ ସେୟାର କରିଛନ୍ତି ଯେ ତାଙ୍କ ଫିଣ୍ଟେକ୍ କମ୍ପାନୀ ଲାଭଜନକ ନହେବା ପର୍ଯ୍ୟନ୍ତ ସେ ଅଧିକ ବେତନ ନେବା ଉଚିତ୍ ନୁହେଁ ବୋଲି କହିଛନ୍ତି । ଏକ ରିପୋର୍ଟ ଅନୁଯାୟୀ CREDର ମୂଲ୍ୟ ପ୍ରାୟ ୬.୪ ବିଲିୟନ ଡଲାର (୫୨୦୦ କୋଟିରୁ ଅଧିକ) ହେବ ବୋଲି ଆକଳନ କରାଯାଇଛି । ଅନ୍ୟଏକ ରିପୋର୍ଟ ଅନୁଯାୟୀ, କୁନାଲ ଶାହାଙ୍କ ଆନୁମାନିକ ସମ୍ପତ୍ତି ହେଉଛି ୧୫,୦୦୦ କୋଟି ଟଙ୍କା ।