• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆମ୍ବାସଡର୍ କାର୍ । ୭୦-୮୦ ଦଶକରେ କାର୍ କହିଲେ ଆମ୍ବାସଡରର ହିଁ ଥିଲା ଦବଦବା । କାଶ୍ମୀରଠୁ କନ୍ୟାକୁମାରୀ ସବୁ ଭାରତୀୟଙ୍କ ପ୍ରଥମ ପସନ୍ଦ । ତେବେ ୯୦ ଦଶକ ଶେଷ ଆଡ଼କୁ ବିଭିନ୍ନ ରେଞ୍ଜର ନୂଆ ନୂଆ ଷ୍ଟାଇଲିସ୍ ଗାଡ଼ି ଭାରତୀୟ ବଜାରରେ ପ୍ରବେଶ କରିବା ପରେ, ସତ୍ତା ହରାଇଥିଲା ଆମ୍ବାସଡର୍ । ହେଲେ ବେଶ୍ କିଛି ବର୍ଷ ପରେ, ଏବେ ପୁଣି ଚର୍ଚ୍ଚା ଜୋର୍ ଧରିଛି ଯେ, ପୁଣି ଫେରୁଛି ଆମ୍ବାସଡର୍ । ତା ପୁଣି ନୂଆ ରୂପରେ ।

ନୂଆ ଆଶା ନେଇ, ନୂଆ ଅବତାରରେ ପୁଣି ଫେରୁଛି ରାସ୍ତାର ରାଜା । ଦିନେ ଭାରତୀୟ ସଡ଼କର ସୁଲ୍‌ତାନ ଭାବେ ପରିଚିତ ଥିବା ଆମ୍ବାସଡର୍ କାର୍, ଆସନ୍ତା ୨ ବର୍ଷ ଭିତରେ ପୁଣି ଭାରତୀୟ ବଜାରରେ ନୂଆ ରୂପରେ ପ୍ରବେଶ କରିବ ବୋଲି ସ୍ପଷ୍ଟ କରିଛି ହିନ୍ଦୁସ୍ତାନ ମୋଟର୍ସ । ଏନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ, ଲୋକଙ୍କ ମଧ୍ୟରେ ଚର୍ଚ୍ଚା ଆରମ୍ଭ ହୋଇଛି ।

ତାର ନୂଆ ଡିଜାଇନ୍ ମଧ୍ୟ ସାମ୍ନାକୁ ଆସିଛି । ନୂଆ ଡିଜାଇନ୍‌ର ଫଟୋକୁ ଟୁଇଟ୍ କରିଛନ୍ତି ବିଶିଷ୍ଟ ଶିଳ୍ପପତି ହର୍ଷ ଗୋଏଙ୍କା । ତେବେ କିଛି ଗଣମାଧ୍ୟମରେ ନୂଆ ଆମ୍ବାସଡରର ଲୁକ୍ ଭିନ୍ନ ହୋଇପାରେ ବୋଲି ମଧ୍ୟ କୁହାଯାଉଛି । ଲୁକ୍ ଯାହା ହେଉ ନା କାହିଁକି, ଏହା ଇଲେକ୍ଟ୍ରିକ୍ ଭେହିକିଲ୍ ବା ବିଦ୍ୟୁତ୍ ଚାଳିତ ଗାଡ଼ି ହେବ ବୋଲି କୁହାଯାଉଛି । ସି.କେ. ବିର୍ଲା ଗ୍ରୁପ୍‌ର ସହଯୋଗୀ କଂପାନୀ ହିନ୍ଦୁସ୍ତାନ ମୋଟର୍ସ କର୍ପୋରେସନ୍ ଅଫ୍ ଇଣ୍ଡିଆ, ନୂଆ ଇଞ୍ଜିନ୍ ଓ ନୂଆ ଡିଜାଇନ୍‌ ସହ ଆମ୍ବାସଡର୍ କାର୍‌କୁ ୨୦୨୪ରେ ଭାରତୀୟ ବଜାରରେ ପ୍ରବେଶ କରାଇବ ବୋଲି ଚର୍ଚ୍ଚା ହେଉଛି ।

୨୦୧୪ ଯାଏଁ ପ୍ରଚଳିତ ଥିବା ଡିଜେଲ୍ ଚାଳିତ ଆମ୍ବାସଡର୍ କୋଲକାତାର ଉତ୍ତରପାଡ଼ାରେ ତିଆରି ହେଉଥିବା ବେଳେ, ଏହି ନୂଆ ଭର୍ସନ୍ ହିନ୍ଦୁସ୍ତାନ ମୋଟର୍ସର ଚେନ୍ନାଇ ସ୍ଥିତ କାରଖାନାରେ ତିଆରି ହେବ । ଏହି ଆମ୍ବାସଡରକୁ ନୂଆ ଆମ୍ବି ମଧ୍ୟ କୁହାଯାଉଛି । ଏହି ଇଭିର ନିର୍ମାଣ ପାଇଁ ହିନ୍ଦୁସ୍ତାନ ମୋଟର୍ସ ଫ୍ରାନ୍ସର କାର୍ ନିର୍ମାତା କଂପାନୀ ପଜୋ ସହିତ ଚୁକ୍ତି କରିଛି । ଏଥିସହ କଂପାନୀ ବିଦ୍ୟୁତ୍ ଚାଳିତ ୨ ଚକିଆ ଯାନ ବା ଇ-ସ୍କୁଟର୍ ମଧ୍ୟ ଉତ୍ପାଦନ କରିବାକୁ ଯୋଜନା ରଖିଛି ।

କାହାପାଇଁ ଲକ୍‌ଜୁରି ଓ ଷ୍ଟାଟସ୍ ସିମ୍ବଲ୍‌ ତ ଆଉ କାହା ପାଇଁ ଜୀବିକା ନିର୍ବାହର ପନ୍ଥା । ନେତାମନ୍ତ୍ରୀ ସରକାରୀ ବାବୁଙ୍କଠୁ ଆରମ୍ଭ କରି ଟାକ୍ସି ଡ୍ରାଇଭରଙ୍କ ପର୍ଯ୍ୟନ୍ତ । ୭୦-୮୦ ଦଶକରେ ସମସ୍ତଙ୍କ ପ୍ରଥମ ପସନ୍ଦ ଥିଲା ଆମ୍ବାସଡର୍ । କାହା କାର୍ ଉପରେ ନାଲିବତି ଲାଗୁଥିଲା, ତ ଆଉ କାହା କାର୍‌ରେ ଖଞ୍ଜା ହେଉଥିଲା ମିଟର୍ । ଅନେକଙ୍କ ପାଇଁ ତ ପରିବାରର ସଦସ୍ୟଠୁ ବି କିଛି କମ୍ ନଥିଲା ଏହି କାର୍ ।

ଡିଜାଇନ୍ ଥିଲା ବ୍ରିଟିଶ୍, ହେଲେ ପରିଚୟ ଥିଲା ଭାରତୀୟ ସଡ଼କର ରାଜା ବା କିଙ୍ଗ୍ ଅଫ୍ ଇଣ୍ଡିଆନ୍ ରୋଡ୍‌ସ । ଇଂଲଣ୍ଡ ସ୍ଥିତ ମୋରିସ୍ ମୋଟର୍ସ କଂପାନୀ ନିର୍ମିତ ମୋରିସ୍ ଅକ୍ସଫୋର୍ଡ ସିରିଜ-ଥ୍ରୀ ମଡେଲ୍ ଆଧାରରେ ଡିଜାଇନ୍ ହୋଇଥିଲା ହିନ୍ଦୁସ୍ତାନ ଆମ୍ବାସଡର୍ । ଖାଲି ନିର୍ମାଣରେ ମଜ୍‌ଭୁତି ଓ ଆରାମଦାୟକ ଡିଜାଇନ୍ ନୁହେଁ, ପ୍ରଥମ ମେଡ୍-ଇନ୍-ଇଣ୍ଡିଆ କାର୍, ଭାରତର ପ୍ରଥମ ଡିଜେଲ୍ କାର୍, ଭାରତରେ ସବୁଠୁ ଅଧିକ ବର୍ଷ ଧରି ଉତ୍ପାଦିତ କାର୍ ।

ଏମିତି ଅନେକ ରେକର୍ଡ ରହିଛି ଆମ୍ବାସଡର୍ ନାଁରେ । ୧୯୫୮ରୁ ୨୦୧୪ । ଅର୍ଥାତ୍ ପ୍ରାୟ ୬ ଦଶନ୍ଧି ଧରି ଖାଲି ଭାରତୀୟ ସଡ଼କ ନୁହେଁ, ଭାରତୀୟଙ୍କ ମନରେ ବି ରାଜ୍ କରିଥିଲା ଏହି କିମ୍ବଦନ୍ତୀ କାର୍ । ନେତା ମନ୍ତ୍ରୀଙ୍କଠୁ ବ୍ୟୁରୋକ୍ରାଟ୍‌ଙ୍କ ଯାଏଁ, ସମସ୍ତଙ୍କୁ ଗନ୍ତବ୍ୟସ୍ଥଳରେ ପହଞ୍ଚାଉଥିଲା ଧଳା ଆମ୍ବାସଡର୍ । ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଭାରତରେ ପ୍ରଥମରୁ ଶେଷ ଯାଏଁ ଯେତେ ଆମ୍ବାସଡର୍ ଉତ୍ପାଦନ ହୋଇଛି, ତାର ୧୬ ପ୍ରତିଶତ ଭାରତ ସରକାର କିଣିଛନ୍ତି । ଭାରତୀୟଙ୍କ ଚାହିଦା ଓ ଆବଶ୍ୟକତାକୁ ଦେଖି ୧୯୫୮ରୁ ୨୦୧୪ ଭିତରେ ୭ଟି ପିଢ଼ିର ଆମ୍ବାସଡର୍ ବଜାରକୁ ଆସିଛି ।

ମାର୍କ-ଓ୍ୱାନ୍‌ରୁ ଫୋର୍, ନୋଭା, ଆଭିଗୋ ଏବଂ ବିଏସ୍-ଫୋର୍ ଇଞ୍ଜିନ୍‌ର ଏନ୍‌କୋର ମଡେଲ୍ । ୧୯୫୮ରେ ୧୪ ହଜାର ଟଙ୍କାରେ ଆସୁଥିବା ଆମ୍ବାସଡର୍ ୨୦୧୪ ବେଳକୁ ପହଞ୍ଚିଥିଲା ୫ ଲକ୍ଷ ୨୨ ହଜାର ଟଙ୍କାରେ । ତେବେ ମାରୁତି ଏଇଟ୍ ହଣ୍ଡରେଡ୍ ଭଳି କାର୍ ଆସିବା ପରେ, ଆମ୍ବାସଡର୍ ବିକ୍ରି କମିବାରେ ଲାଗିଲା । ୨୦୧୪ରେ ଏହାର ଉତ୍ପାଦନ ବନ୍ଦ ହୋଇଯାଇଥିବା ବେଳେ, ୨୦୧୭ରେ ଏହି ବ୍ରାଣ୍ଡକୁ ମାତ୍ର ୮୦ କୋଟି ଟଙ୍କାରେ ଫ୍ରାନ୍ସ କାର୍ ନିର୍ମାତା କଂପାନୀ ପଜୋକୁ ବିକ୍ରି କରିଦେଇଥିଲା ହିନ୍ଦୁସ୍ତାନ ମୋଟର୍ସ ।