• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଅନ୍ତରୀଣ ବଜେଟରେ ଅପରିବର୍ତ୍ତିତ ରହିଲା ଟିକସ ହାର । ଆଗାମୀ ଆର୍ଥିକ ବର୍ଷ ପାଇଁ ବ୍ୟକ୍ତିଗତ କରଦାତାଙ୍କୁ କୌଣସି ରିହାତି ଦେଇନି ନିର୍ମଳାଙ୍କ ବଜେଟ୍ । ଏହାସତ୍ତ୍ୱେ ସଚ୍ଚୋଟ କରଦାତାଙ୍କୁ ପ୍ରୋତ୍ସାହିତ କରିବାକୁ ଯାଇ ପ୍ରାୟ କୋଟିଏ କରଦାତାଙ୍କ ପାଇଁ ଟ୍ୟାକ୍ସ ସମ୍ବନ୍ଧିତ ବଡ଼ ରିହାତି ଘୋଷଣା କରିଛନ୍ତି ସୀତାରମଣ ।

ନିର୍ବାଚନୀ ବର୍ଷର ଅନ୍ତରୀଣ ବଜେଟରେ ଟିକସରେ ହାତ ମାରିଲେନି ଅର୍ଥମନ୍ତ୍ରୀ, ଅପରିବର୍ତ୍ତିତ ରହିଲା ସବୁ ପ୍ରକାର ଟିକସ । ନା ଆୟକରଦାତାଙ୍କୁ ରିହାତି ମିଳିଲା, ନା ପରୋକ୍ଷ ଟିକସରେ ପରିବର୍ତ୍ତନ ହେଲା । ବଜେଟ୍ ଉପସ୍ଥାପନ ବେଳେ ଅର୍ଥମନ୍ତ୍ରୀ କହିଛନ୍ତି ଯେ ଏ ଉଭୟ କ୍ଷେତ୍ର ସହ ଆମଦାନୀ ଶୁଳ୍କରେ ବି କୌଣସି ପରିବର୍ତ୍ତନ ପାଇଁ ପ୍ରସ୍ତାବ ଦିଆଯାଇନାହିଁ ।

ଏହାସତ୍ତ୍ୱେ ପାଖାପାଖି କୋଟିଏ କରଦାତାଙ୍କୁ ଟ୍ୟାକ୍ସ ସମ୍ବନ୍ଧିତ ବଡ଼ ରିହାତି ବିଷୟ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ । ୨୦୦୯-୧୦ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ଯେଉଁ ଟିକସଦାତାଙ୍କର ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଓ ୨୦୧୦-୧୧ରୁ ୨୦୧୪-୧୫ ମଧ୍ୟରେ ୧୦ ହଜାର ଟଙ୍କାର ବିବାଦୀୟ ଟିକସ ବକେୟା ରହିଥିଲା, ତାକୁ ସଂପୂର୍ଣ୍ଣ ପ୍ରତ୍ୟାହାର ପାଇଁ ନିଷ୍ପତ୍ତି ନିଆଯାଇଛି ।

ପୁରୁଣା ବିବାଦର ସମାଧାନ ଦିଗରେ ସରକାରଙ୍କ ଏଇ ପଦକ୍ଷେପ ଟିକସଦାତା ସେବାରେ ସୁଧାର ଆଣିବା ସହ ସଚ୍ଚୋଟ କରଦାତାଙ୍କୁ ପ୍ରୋତ୍ସାହିତ କରିବ ବୋଲି କହିଛନ୍ତି ସୀତାରମଣ । ବଜେଟ୍ ଅଭିଭାଷଣରେ ଅର୍ଥମନ୍ତ୍ରୀ ମାଗଣା ବିଜୁଳି ଓ ରୁଫ୍ ଟପ୍ ସୋଲାର ଏନର୍ଜି ଉପରେ ଗୁରୁତ୍ୱ ଦେଇଛନ୍ତି ।

କହିଛନ୍ତି, କୋଟିଏ ଘରେ ରୁଫ୍ ଟପ୍ ସୌରପ୍ରକଳ୍ପ ଜରିଆରେ ପ୍ରତିମାସରେ ୩ ଶହ ୟୁନିଟ୍ ମାଗଣା ବିଜୁଳି ଯୋଗାଇ ଦିଆଯିବ । ଏହାସହ ସଂପୃକ୍ତ ପରିବାର ବିତରଣ କମ୍ପାନିକୁ ବଳକା ବିଜୁଳି ବିକି ବାର୍ଷିକ ପ୍ରାୟ ୧୫ରୁ ୧୮ ହଜାର ଟଙ୍କା ଲାଭ କରିପାରିବେ ଏବଂ ଏହାଦ୍ୱାରା ନିଯୁକ୍ତିର ସୁଯୋଗ ବି ସୃଷ୍ଟି ହେବ ବୋଲି ସୀତାରମଣ କହିଛନ୍ତି ।

ବଜେଟରେ ପୂର୍ବାଞ୍ଚଳର ବିକାଶ ଉପରେ ଯଥେଷ୍ଟ ଧ୍ୟାନ ଦିଆଯାଇଥିବା ଅର୍ଥମନ୍ତ୍ରୀ କହିଛନ୍ତି । ଭାରତର ଅଭିବୃଦ୍ଧିରେ ସମଗ୍ର ପୂର୍ବାଞ୍ଚଳ ଓ ଏହାର ନାଗରିକଙ୍କ ପ୍ରମୁଖ ଯୋଗଦାନକୁ ଦୃଷ୍ଟିରେ ରଖି ବ୍ୟାପକ ବିକାଶମୂଳକ କାର୍ଯ୍ୟକ୍ରମ ହାତକୁ ନିଆଯିବାର ସୂଚନା ଦିଆଯାଇଛି । ସେହିପରି ଭିତ୍ତିଭୂମି ବାବଦ ପୁଞ୍ଜି ନିବେଶ ପାଇଁ ଚଳିତବର୍ଷ ରାଜ୍ୟଗୁଡ଼ିକୁ ୧.୩ ଲକ୍ଷ କୋଟି ଟଙ୍କାର ୫୦ ବର୍ଷିଆ ସୁଧମୁକ୍ତ ଋଣ ଯୋଗାଇ ଦିଆଯିବ ।

ସେଥିରୁ ବିକଶିତ ଭାରତ ସ୍ୱପ୍ନ ପୂରଣ ଲାଗି ରାଜ୍ୟମାନଙ୍କୁ ୭୫ ହଜାର କୋଟି ଟଙ୍କା ପ୍ରଦାନ କରାଯିବ । ସେହିପରି ଘରୋଇ ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ଲାକ୍ଷାଦୀପ ସମେତ ବିଭିନ୍ନ ଦୀପପୁଞ୍ଜ ଯାଏଁ ବନ୍ଦର ସଂଯୋଗୀକରଣ, ପର୍ଯ୍ୟଟନ ଭିତ୍ତିଭୂମି ଓ ଆନୁସଙ୍ଗିକ ସୁବିଧା ଲାଗି ବ୍ୟାପକ ବ୍ୟବସ୍ଥା କରାଯିବ ବୋଲି ଅର୍ଥମନ୍ତ୍ରୀ ସୂଚନା ଦେଇଛନ୍ତି ।

ନିଜ ୫୭ ମିନିଟ୍ ର ବଜେଟ୍ ଭାଷଣରେ ସରକାରଙ୍କ ନଜରରେ ଜିଡିପିକୁ ଜି ଫର ‘ଗଭର୍ଣ୍ଣାନ୍ସ’, ଡି ଫର ‘ଡେଭଲପମେଣ୍ଟ’, ପି ଫର ‘ପରଫର୍ ମାନ୍ସ’ ଓ ‘ଟ୍ରାନ୍ସଫର୍ମ’ ବୋଲି ବିବେଚନା କରାଯାଇ ତାକୁ ଗୁରୁତ୍ୱ ଦିଆଯାଉଥିବା କହିଥିଲେ ସୀତାରମଣ । ଏଥିସହ ଆସନ୍ତା ଜୁଲାଇରେ ପୂର୍ଣ୍ଣାଙ୍ଗ ବଜେଟ୍ ଆଣିବୁ ବୋଲି ଦମ୍ଭୋକ୍ତି ବି କରିଛନ୍ତି ।

ନିଜର ଷଷ୍ଠତମ ଓ ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ଶେଷ ବଜେଟ୍ ଉପସ୍ଥାପନ ପୂର୍ବରୁ ନିଜ ଟିମ୍ ସହ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଥିଲେ । ଏହି ଅବସରରେ ଅର୍ଥମନ୍ତ୍ରୀଙ୍କୁ ମିଠା ଦହି ଖୁଆଇ ଶୁଭେଚ୍ଛା ଜଣାଇଥିଲେ ରାଷ୍ଟ୍ରପତି ।