/odishatv-khabar/media/post_attachments/uploadimage/library/16_9/16_9_0/IMAGE_1739253642.jpg)
କମିବ ଆତ୍ୟାବଶ୍ୟକ ସାମଗ୍ରୀ ଦର !
ବଜେଟ୍ ୨୦୨୫-୨୬ । ମୋଦି ସରକାରଙ୍କ ତୃତୀୟ ପାଳିର ଏହା ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍ । କ୍ରମାଗତ ଅଷ୍ଟମ ଥର ପାଇଁ ଲୋକସଭାରେ ବଜେଟ୍ ଉପସ୍ଥାପନା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ବଜେଟ୍କୁ ଲୋକଙ୍କ ବଜେଟ୍ କହିଛନ୍ତି। ଏହି ବଜେଟ୍ରେ ଏହା ୧୪୦ କୋଟି ଭାରତୀୟଙ୍କ ଆକାଂକ୍ଷାର ବଜେଟ। ଏହି ବଜେଟ୍ରେ ପ୍ରତିଟି ଭାରତୀୟଙ୍କର ସ୍ବପ୍ନ ପୂରଣ ହେବ। ଅଧିକ ଲାଭ ପାଇଁ ବୃହତ୍ ବ୍ୟବସାୟୀଙ୍କୁ କଟକଣା ଭିତରକୁ ଆଣିବା ଆକଶ୍ୟବ। ଅତ୍ୟାବଶ୍ୟକ ସାମଗ୍ରୀ ଆଇନ୍ ୧୯୫୫ ଏବଂ ପ୍ରତିଯୋଗିତା ଆଇନ୍ ୨୦୦୨ ଅନୁସାରେ ଏମାନଙ୍କୁ ନିୟନ୍ତ୍ରଣ ପାଇଁ ରାଜ୍ୟଗୁଡ଼ିକୁ ଅନୁରୋଧ କରିବା ଆବଶ୍ୟକ। କୋଟିପତି ଓ ପୁଞ୍ଜିନିବେଶକାରୀଙ୍କ ବ୍ୟବସାୟ ଧୀମା କରିଦେବା ଆବଶ୍ୟକ। ଏହା ହେଲେ ସାଧାରଣ ମେହନତୀ ମଣିଷଟି ପୂର୍ବାପେକ୍ଷା ଭଲରେ ଜୀଇଁପାରିବ।
କମିଲା ରେପୋ ରେଟ୍
ବଜେଟ୍ ଉପସ୍ଥାପନର ସିଧାସଳଖ ପ୍ରଭାବ ବେତନଭୋଗୀଙ୍କ ଉପରେ ପଡ଼ିଛି। ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରାଙ୍କ ଅଧ୍ୟକ୍ଷତାରେ ଗଠିତ ମୁଦ୍ରାନୀତି କମିଟି ରେପୋ ହାରରେ ୦.୨୫ ପ୍ରତିଶତ ହ୍ରାସ ହୋଇଛି। ଏହାଦ୍ବାରା ରେପୋ ହାର ୬.୨୫ ପ୍ରତିଶତକୁ ଖସିଆସିଛି। ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ କରିବା ପାଇଁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ(ଆରବିଆଇ) ଉଭୟ ରେପୋ ରେଟ୍ ବା ଋଣ ଦେବା ହାର(ରିଜର୍ଭ ବ୍ୟାଙ୍କ ଯେଉଁ ସୁଧହାରରେ ବ୍ୟାଙ୍କଗୁଡ଼ିକୁ ସ୍ୱଳ୍ପକାଳୀନ ଋଣ ଦିଏ) ଓ ରିଭର୍ସ ରେପୋ ରେଟ୍ (ବ୍ୟାଙ୍କଗୁଡ଼ିକ ଯେଉଁ ଋଣ ରିଜର୍ଭ ବ୍ୟାଙ୍କକୁ ଦିଅନ୍ତି) ୨୫ ବେସିକ୍ ପଏଣ୍ଟ ହ୍ରାସ କରିବା ପାଇଁ ଚିନ୍ତା କରିଥିଲେ ମଧ୍ୟ କରିପାରିନାହିଁ। କେବଳ ରେପୋ ହାର କମାଇଛି। ଆଗାମୀ ଦିନରେ ଏହାର ସକାରାତ୍ମକ ପ୍ରଭାବ ଦେଶର ଅର୍ଥନୈତିକ ଅଭିବୃଦ୍ଧି ଉପରେ ପଡ଼ିବ। ତେବେ ବିଶ୍ବ ଅର୍ଥନୀତିରେ ଅନିଶ୍ଚିତତା ଏବଂ ଆମେରିକାର ନୂଆ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କାନାଡା, ମେକ୍ସିକୋ ଓ ଚୀନ ଉପରେ ଆମଦାନୀ ଶୁଳ୍କ ବୃଦ୍ଧି କରିବା ପରେ ବିଶ୍ବରେ ଶୁଳ୍କ ଲଢ଼େଇ ବଢ଼ିବା ଓ ବାଣିଜ୍ୟ ସଂକୁଚିତ ଆରମ୍ଭ ହେବା ନେଇ ଆଶଙ୍କା ରହିଛି।
ଚଳିତ ବର୍ଷରୁ ମିଳିବ ୧୨ ଲକ୍ଷ ଆୟରେ ‘ନୋ ଟାକ୍ସ’ ସୁବିଧା
ଫେବୃଆରୀ ପହିଲାରେ ୨୦୨୫ରେ ଉପସ୍ଥାପିତ ବଜେଟରେ ଏକ ନୂତନ ଆୟକର ସ୍ଲାବ୍ ଘୋଷଣା କରିଛନ୍ତି। ଯେଉଁଥିରେ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବାର୍ଷିକ ଆୟ ଉପରେ କୌଣସି ଟିକସ ପଡ଼ିବ ନାହିଁ। ନୂତନ ଟିକସ ବ୍ୟବସ୍ଥା ୨୦୨୫-୨୬ ଆର୍ଥିକ ବର୍ଷରୁ କାର୍ଯ୍ୟକାରୀ ହେବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି। ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ନୂତନ ଟିକସ ସ୍ଲାବ୍ ଚଳିତ ବର୍ଷ ଅର୍ଥାତ୍ ୧ ଏପ୍ରିଲ୍ ୨୦୨୫ରୁ କାର୍ଯ୍ୟକାରୀ ହେବ। ସାଧାରଣ ଲୋକମାନେ ୨୦୨୫-୨୬ ଆର୍ଥିକ ବର୍ଷରେ ଏହି ସ୍ଲାବର ଲାଭ ଉଠାଇ ପାରିବେ। ସବୁଠାରୁ ବଡ଼ କଥା ହେଉଛି ଏଥିପାଇଁ ନୂତନ ଟିକସ ଆଇନ କାର୍ଯ୍ୟକାରୀ କରିବାର ଆବଶ୍ୟକତା ନାହିଁ। ଏହି ନୂତନ ସ୍ଲାବ ଅନୁଯାୟୀ, ଯେଉଁମାନଙ୍କର ଆୟ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ, ସେମାନଙ୍କୁ କୌଣସି ଆୟକର ଦେବାକୁ ପଡ଼ିବ ନାହିଁ। ଏହା ବ୍ୟତୀତ, ଯଦି ଜଣେ ବ୍ୟକ୍ତିଙ୍କ ଆୟ ୧୨ ଲକ୍ଷ ଟଙ୍କାରୁ ଅଧିକ ହୁଏ, ତେବେ ତାଙ୍କୁ ନିର୍ଦ୍ଧାରିତ ସ୍ଲାବ ଅନୁଯାୟୀ ଟିକସ ଦେବାକୁ ପଡ଼ିବ।
କମିବ ଅତ୍ୟାବଶ୍ୟକ ସାମଗ୍ରୀ ଦର !
ସଂସଦରେ ବଜେଟ ଉପସ୍ଥାପନବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନଣ କହିଛନ୍ତି, ଆମର ଅର୍ଥନୀତି ସମସ୍ତ ପ୍ରମୁଖ ଅର୍ଥନୀତି ମଧ୍ୟରେ ସବୁଠାରୁ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି। ଗତ ୧୦ ବର୍ଷ ଧରି ଆମର ବିକାଶ ଟ୍ରାକ ରେକର୍ଡ ବିଶ୍ୱରେ ଦୃଷ୍ଟି ଆକର୍ଷଣ କରିଛି। ଏହି ବଜେଟରେ ୧୦ଟି ଦିଗ ପ୍ରତି ବିଶେଷ ଧ୍ୟାନ ଦିଆଯାଇଛି। ଚାଷୀ, ଗରିବ, ଯୁବକକୁ ବିଶେଷ ଗୁରୁତ୍ବ ଦିଆଯାଇଛି। ଡାଲି କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ପାଇଁ, ଜଳବାୟୁ ଅନୁସାରେ ବିହନ ବିକଶିତ କରିବା ଏବଂ ଉତ୍ପାଦିତ ଦ୍ରବ୍ୟର ସଂରକ୍ଷଣ ଉପରେ ଧ୍ୟାନ ଦେବା ପାଇଁ ଏକ ପଦକ୍ଷେପ ନିଆଯାଇଛି। ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ କମାଇବା ପାଇଁ ବିଶେଷ ଯୋଜନା ପ୍ରସ୍ତୁତ କରାଯାଇଛି। ପନିପରିବା ଏବଂ ଫଳର ଉତ୍ପାଦନ ବୃଦ୍ଧି, ସେମାନଙ୍କର ପ୍ରଭାବଶାଳୀ ଯୋଗାଣ, ସେମାନଙ୍କର ପ୍ରକ୍ରିୟାକରଣ ଏବଂ କୃଷକମାନଙ୍କ ପାଇଁ ଲାଭକୁ ପ୍ରୋତ୍ସାହିତ କରିବା ପାଇଁ ଏକ ବ୍ୟାପକ କାର୍ଯ୍ୟକ୍ରମ ଆରମ୍ଭ କରିବେ। ଏହି କାର୍ଯ୍ୟକ୍ରମ ଦେଶର ସମସ୍ତ ରାଜ୍ୟଗୁଡ଼ିକରେ ମଧ୍ୟ କାର୍ଯ୍ୟକାରୀ କରାଯିବ।
ଫାଇଦାରେ ସରକାରୀ କର୍ମଚାରୀ
ଚଳିତ ବଜେଟ୍ରେ ସରକାରୀ କର୍ମଚାରୀଙ୍କର ପାଇଁ ବିଶେଷ ଘୋଷଣା କରାଯାଇଛି। ଅର୍ଥମନ୍ତ୍ରୀ ଭାରତ ଏବଂ ବିଦେଶରେ ସରକାରୀ କର୍ମଚାରୀଙ୍କୁ ତାଲିମ ଦେବା ଏବଂ ଭିତ୍ତିଭୂମି ସମ୍ବନ୍ଧୀୟ ଆବଶ୍ୟକୀୟ ତାଲିମ ପାଇଁ କାର୍ମିକ ମନ୍ତ୍ରଣାଳୟକୁ ୩୩୪କୋଟି ଟଙ୍କାରୁ ଅଧିକ ଆବଣ୍ଟନ କରିଛନ୍ତି। ପ୍ରଶାସନିକ ସଂସ୍କାର ପାଇଁ ୧୦୦ କୋଟି ଟଙ୍କା ରଖାଯାଇଛି। ଏହି ବ୍ୟବସ୍ଥା ସରକାରୀ କାର୍ଯ୍ୟାଳୟଗୁଡ଼ିକର ଆଧୁନିକୀକରଣ ଏବଂ ପ୍ରଶାସନିକ ସଂସ୍କାର ସହିତ ଜଡିତ ପାଇଲଟ ପ୍ରକଳ୍ପ ପାଇଁ, ଯେଉଁଥିରେ ଇ-ଗଭର୍ଣ୍ଣାନ୍ସକୁ ପ୍ରୋତ୍ସାହନ, ସୁଶାସନକୁ ପ୍ରୋତ୍ସାହନ ଏବଂ ଜନସାଧାରଣଙ୍କ ଅଭିଯୋଗର ସମାଧାନ ପାଇଁ ବ୍ୟାପକ ବ୍ୟବସ୍ଥା ଅନ୍ତର୍ଭୁକ୍ତ।
ଚାଷ ଓ ଚାଷୀଙ୍କୁ ପ୍ରାଧାନ୍ୟ
ଦେଶର ଚାଷୀକୁଳର କଲ୍ୟାଣକୁ ବଜେଟ୍ରେ ଧ୍ୟାନ ଦିଆଯାଇ ପ୍ରଧାନମନ୍ତ୍ରୀ ଧନ-ଧାନ୍ୟ କୃଷି ଯୋଜନା ଘୋଷଣା କରାଯାଇଛି। ରାଜ୍ୟଗୁଡ଼ିକର ସହଯୋଗରେ ଦେଶର ୧୦୦ ଜିଲାରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ। ବର୍ତ୍ତମାନ ଚାଲିଥିବା ଯୋଜନାକୁ ଏଥିରେ ମିଶାଇ ଦିଆଯିବା ସହିତ ସ୍ବତନ୍ତ୍ର ପଦକ୍ଷେପ ନିଆଯିବ। କୃଷି ବଜେଟ୍କୁ ୪ ପ୍ରତିଶତ ଅଧିକ ପାଣ୍ଠି ଦିଆଯାଇଛି। ଗତ ବଜେଟ୍ରେ ଏହା ୧ ଲକ୍ଷ ୩୨ ହଜାର କୋଟି ଟଙ୍କା ଥିବାବେଳେ ଚଳିତ ବଜେଟ୍ରେ ଏହାକୁ ୧ ଲକ୍ଷ ୩୭ ହଜାର କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ପ୍ରଧାନମନ୍ତ୍ରୀ ଧନ-ଧାନ୍ୟ କୃଷି ଯୋଜନା ଘୋଷଣା କରାଯାଇଥିଲେ ମଧ୍ୟ ଏଥିପାଇଁ ସ୍ବତନ୍ତ୍ର ଭାବେ କିଛି ଅର୍ଥ ଘୋଷଣା କରାଯାଇନାହିଁ।
ଡାଲି ମିସନ୍ ପାଇଁ ୧୦୦୦ କୋଟି, ପନିପରିବା ଏବଂ ଫଳ ମିସନ୍ ପାଇଁ ୫୦୦ କୋଟି, ମାଖନା ବୋର୍ଡ ପାଇଁ ୧୦୦ କୋଟି, ହାଇବ୍ରିଡ୍ ମଞ୍ଜି ମିସନ ପାଇଁ ୧୦୦ କୋଟି ଏବଂ କପା ପ୍ରଯୁକ୍ତି ମିସନ୍ ପାଇଁ ୫୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଚାଷ ପାଇଁ ଆବଶ୍ୟକ ପାଣ୍ଠି ଚାଷୀଙ୍କ ହାତରେ ପହଞ୍ଚାଇବା ଲାଗି କିଷାନ କ୍ରେଡିଟ୍ କାର୍ଡରେ ଋଣ ସୀମାକୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। କପା ଓ ମଞ୍ଜି ପାଇଁ ମିସନ୍ ଘୋଷଣା ହୋଇଛି।
ତେବେ ଶେଷରେ ଏତିକି କୁହାଯାଇପାରେ ଯେ, କୃଷିଜାତ ଉତ୍ପାଦନ ଉପରେ ସରକାର ଅଧିକ ଧ୍ୟାନ ଦେବାର ସମୟ ଆସିଛି। ଏହା ଦ୍ବାରା ଦେଶ ଦେଖୁଥିବା ବିକଶିତ ଭାରତର ସ୍ବପ୍ନ ପୂରା ହୋଇପାରିବ। ସେଥିପାଇଁ ଏବେି ସରକାରଙ୍କ ଆଶ୍ୱାସନାରେ ବଞ୍ଚିଛନ୍ତି ଦେଶର କୃଷକ ଓ ସାଧାରଣ ମେହନତୀ ମଣିଷ। ଅପେକ୍ଷାର ବି ଫଳ ମିଳେ ଏଇ ଭାବନାରେ ହିଁ ଜୀଇଁଛନ୍ତି ସେମାନେ।
Email id : : [email protected]
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)