Advertisment

ମୋଦି 3.0ର ୯ ସୂତ୍ରୀ ପ୍ରଥମ ବଜେଟ୍, ମଧ୍ୟବିତ୍ତ ଓ ଯୁବବର୍ଗଙ୍କୁ ଅଧିକ ଗୁରୁତ୍ୱ

ନିଯୁକ୍ତି ଓ ଦକ୍ଷତା ବିକାଶ ପାଇଁ ପିଏମଙ୍କ ୨ ଲକ୍ଷ କୋଟିର ପ୍ୟାକେଜ୍ । ବିହାର-ଆନ୍ଧ୍ର ଉପରେ ଯୋଜନା ବର୍ଷାକୁ ନେଇ ତେଜିଲା ରାଜନୀତି ।

author-image
Satyendu Shekher Mishra
Budget

Budget

ବିକଶିତ ଭାରତ ଲକ୍ଷ୍ୟରେ ୯-ସୂତ୍ରୀ ବଜେଟ୍। ନିର୍ମଳାଙ୍କ ଫୋକସରେ ୯ଟି କ୍ଷେତ୍ର। କୃଷି, ନିଯୁକ୍ତି, ମାନବ ସମ୍ବଳ, ନିର୍ମାଣ କ୍ଷେତ୍ର, ନଗର ଉନ୍ନୟନ, ଶକ୍ତି, ଭିତ୍ତିଭୂମି, ନବସୃଜନ ଓ ନୂଆ ପୀଢ଼ି ସଂସ୍କାର। ଦେଶର ୪ କୋଟିରୁ ଅଧିକ ଯୁବବର୍ଗଙ୍କ ନିଯୁକ୍ତି, ଦକ୍ଷତା ବିକାଶ ଓ ଅନ୍ୟ ସୁଯୋଗ ସୃଷ୍ଟି ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ୟାକେଜ ଅନ୍ତର୍ଗତ ୫ଟି ଯୋଜନା ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ୫ ବର୍ଷ ଭିତରେ ଏଥିପାଇଁ ୨ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ ।

Advertisment

ନିଯୁକ୍ତି ଓ ଦକ୍ଷତା ବିକାଶ ପାଇଁ ବଡ଼ ଘୋଷଣା କରିଛନ୍ତି ନିର୍ମଳା। EPFOରେ ଯୋଡ଼ି ହୋଇଥିବା ନୂଆ ଚାକିରିଆଙ୍କୁ ସରକାର ଦେବେ ଗୋଟିଏ ମାସର ବେତନ। ଡିବିଟି ମାଧ୍ୟମରେ ୧୫ ହଜାର ଟଙ୍କା ପର୍ଯ୍ୟନ୍ତ ୩ଟି କିସ୍ତିରେ ମିଳିବ। ମାସିକ ୧ ଲକ୍ଷ ଟଙ୍କା ଦରମା ଏହାର ଯୋଗ୍ୟତା ସୀମା ଥିବା ବେଳେ, ଏହାଦ୍ବାରା ୨ କୋଟି ୧୦ ଲକ୍ଷ ଯୁବକଯୁବତୀ ଲାଭ ପାଇବେ । 

ସେହିପରି ୧ କୋଟି ଯୁବକଯୁବତୀଙ୍କ ପାଇଁ ଇଣ୍ଟର୍ଣ୍ଣସିପ୍ ସ୍କିମ୍ ଘୋଷଣା କରାଯାଇଛି। ୫ଶହଟି ଟପ୍ କଂପାନୀରେ ୧୨ ମାସର ଇଣ୍ଟର୍ଣ୍ଣସିପ୍ ବେଳେ ଏକକାଳୀନ ୬ହଜାର ଟଙ୍କା ବାଦ୍ ମାସିକ ୫ହଜାର ଟଙ୍କା ଭତ୍ତା ଦିଆଯିବ। ୨୦ ଲକ୍ଷ ଯୁବକଯୁବତୀଙ୍କ ଦକ୍ଷତା ବିକାଶ ପାଇଁ ୧ହଜାର ITI ର ଉନ୍ନତିକରଣ ହେବ । ଏଥିସହ ଏଜୁକେସନ ଲୋନ୍ ୧୦ ଲକ୍ଷ ଟଙ୍କାକୁ ଏବଂ ମଡେଲ୍ ସ୍କିଲ ଲୋନ୍ ସାଢ଼େ ୭ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯିବ ବୋଲି ବଜେଟ୍ ପ୍ରାବଧାନ କରାଯାଇଛି। MSMEକୁ ପ୍ରୋତ୍ସାହନ ପାଇଁ ମୁଦ୍ରା ଯୋଜନାରେ ଋଣ ସୁବିଧା ୧୦ ଲକ୍ଷରୁ ୨୦ ଲକ୍ଷକୁ ବଢ଼ାଯିବ। ଏଥିସହ ନାବାଳକ ଓ ନାବାଳିକାଙ୍କ ପାଇଁ NPS ବାତ୍ସଲ୍ୟ ଆରମ୍ଭ ହେବ ବୋଲି ଘୋଷଣା ହୋଇଛି ।

Advertisment

କୃଷି କ୍ଷେତ୍ରରେ ଉତ୍ପାଦନ ବୃଦ୍ଧି ପାଇଁ ୧ ଲକ୍ଷ ୫୨ ହଜାର କୋଟିର ବଜେଟ୍ ପ୍ରାବଧାନ ରଖାଯାଇଛି। ସେଭିତରେ ଜୈବିକ ଚାଷ ପାଇଁ ୧ କୋଟି ଚାଷୀଙ୍କୁ ପ୍ରୋତ୍ସାହନ ମିଳିବା ନେଇ ଘୋଷଣା କରାଯାଇଛି। ଏହାବାଦ୍ ବଜାରକୁ ୩୨ଟି ଫସଲର ୧୦୯ଟି ଅଧିକ ଅମଳକ୍ଷମ ଓ ଜଳବାୟୁ ସହଣି ଶକ୍ତି ଥିବା ବିହନ ଛଡ଼ାଯିବ। ୧୦ ହଜାର ବାୟୋ-ଇନପୁଟ ରିସୋର୍ସ ସେଣ୍ଟର ପ୍ରତିଷ୍ଠା ହେବ।

ଅନ୍ୟ ଘୋଷଣା ଗୁଡ଼ିକ ମଧ୍ୟରେ ରହିଛି- ପିଏମ୍ ଆବାସ ଯୋଜନାରେ ଅଧିକ ୩ କୋଟି ଗୃହ ନିର୍ମାଣ, ୨୫ ହଜାର ଗାଁକୁ PMGSYରେ ପକ୍କା ସଡ଼କ, ୫ କୋଟି ଅଦିବାସୀଙ୍କ ବିକାଶ ପାଇଁ ୬୩ ହଜାର ଗାଁରେ ପ୍ରଧାନମନ୍ତ୍ରୀ ଜନଜାତୀୟ ଉନ୍ନତ ଗ୍ରାମ ଅଭିଯାନର ଶୁଭାରମ୍ଭ ଏବଂ ୫ ରାଜ୍ୟ ବିହାର, ଆସାମ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ସିକ୍କିମକୁ ସ୍ୱତନ୍ତ୍ର ବନ୍ୟା ନିୟନ୍ତ୍ରଣ ସହାୟତା।

ଆଜିବଜେଟରେ ଏନଡିଏ ସହଯୋଗୀ ନୀତିଶ ଓ ଚନ୍ଦ୍ରବାବୁଙ୍କ ରାଜ୍ୟ ବିହାର ଓ ଆନ୍ଧ୍ର ଉପରେ ଯୋଜନାର ବର୍ଷା ହୋଇଛି। ବିହାରରେ ସଡ଼କ ନିର୍ମାଣ ପାଇଁ ୨୬ ହଜାର କୋଟି ଟଙ୍କା ବ୍ୟବସ୍ଥା କରାଯିବା ସହ, ନୂଆ ଏୟାରପୋର୍ଟ ଓ ମେଡିକାଲ କଲେଜର ବିକାଶ ପାଇଁ ଅନୁଦାନ ମିଳିବ। ସେପଟେ ଆନ୍ଧ୍ରପ୍ରଦେଶର ରାଜଧାନୀ ଅମରାବତୀ ପାଇଁ ୧୫ ହଜାର କୋଟି ସହିତ ପୋଲାଭରମ ପ୍ରକଳ୍ପ ଶୀଘ୍ର ସାରିବା ପାଇଁ ଆବଶ୍ୟକ ଅନୁଦାନ ଦେବା ବିଷୟ ଘୋଷଣା ହୋଇଛି। ଯାହାକୁ ନେଇ ରାଜନୀତି ତେଜିଥିବା ବେଳେ, କେନ୍ଦ୍ରୀୟ ବଜେଟରେ ଓଡ଼ିଶାକୁ ଅବହେଳା ଅଭିଯୋଗ ଆଣି ରାଜ୍ୟସଭାରୁ ୱାକ୍ ଆଉଟ କରିଛନ୍ତି ସମସ୍ତ ବିଜେଡି ସାଂସଦ।

ବଜେଟରେ ଅନୁସନ୍ଧାନ ନ୍ୟାସନାଲ ରିସର୍ଚ୍ଚ ଫଣ୍ଡ କାର୍ଯ୍ୟକାରୀ କରାଯିବା ବିଷୟ ଘୋଷଣା କରାଯାଇଛି। ଏଥିସହ ଆଗାମୀ ୧୦ ବର୍ଷ ଭିତରେ ୫ ଗୁଣା ସ୍ପେଶ୍ ଇକୋନମି ବୃଦ୍ଧି ଲକ୍ଷ୍ୟରେ, ୧ହଜାର କୋଟି ଟଙ୍କାର ଭେଞ୍ଚର୍ କ୍ୟାପିଟାଲ ଫଣ୍ଡ୍ ପ୍ରତିଷ୍ଠା କରିବାକୁ ପ୍ରସ୍ତାବ ଦିଆଯାଇଛି।

Nirmala Sitharaman Budget Session Budget
Advertisment
Advertisment