Advertisment

ଆୟକର ଦାଖଲର ଡେଡଲାଇନ୍ ଆଜି ରାତି ୧୨ଟା, ନହେଲେ ଲାଗିବ ଲେଟ୍ ଫି’

ହୋଇପାରେ ଜେଲ ଦଣ୍ଡ । ରିଟର୍ଣ୍ଣ ଦାଖଲ ଯାଞ୍ଚ ଲାଗି AI ସହାୟତା ନେଇଛି ଆଇଟି ବିଭାଗ ।

author-image
Prangyan Parimita
ଅଦ୍ୟତନ ହୋଇଛି
Income Tax Return,

Income Tax Return,

ଆପଣ ଦାଖଲ କରିଛନ୍ତି ତ’ ଆୟକର ରିଟର୍ଣ୍ଣ? ଯଦି କରିନାହାନ୍ତି, ତୁରନ୍ତ ଆଜି ହିଁ ରିଟର୍ଣ୍ଣ ଦାଖଲ କରନ୍ତୁ । ନଚେତ ବଢ଼ିପାରେ ଆୟକର ଅଡ଼ୁଆ। କାରଣ, ୨୦୨୨-୨୩ ଆର୍ଥିକ ବର୍ଷ ଅର୍ଥାତ୍ ୨୦୨୩-୨୪ ଆସେସମେଣ୍ଟ ବର୍ଷ ଲାଗି ଆଜି ଆୟକର ରିଟର୍ଣ୍ଣ ଦାଖଲର ଶେଷଦିନ। ରାତି ୧୨ଟା ଯାଏଁ ରିଟର୍ଣ୍ଣ ଫାଇଲ୍ କରିପାରିବେ। କାରଣ ଏବର୍ଷ ଆଉ ରିଟର୍ଣ୍ଣ ଫାଇଲିଂ ଅବଧି ବଢ଼ାଯିବନି ବୋଲି ପୂର୍ବରୁ ସ୍ପଷ୍ଟ କରିସାରିଛନ୍ତି ସରକାର।

Advertisment

ଅନ୍ୟପକ୍ଷରେ ଆୟକର ବିଭାଗ ସୂଚନା ଅନୁସାରେ, ଏବର୍ଷ ରିଟର୍ଣ୍ଣ ଫାଇଲିଂ ନୂଆ ରେକର୍ଡ ହାସଲ କରିଛି। ଜୁଲାଇ ୩୦ ତାରିଖ ସୁଦ୍ଧା ୬ କୋଟି ୧୩ ଲକ୍ଷ ଆୟକରଦାତା ରିଟର୍ଣ୍ଣ ଦାଖଲ କରିଛନ୍ତି। ଏହାପରେ ଆଜି ଅପରାହ୍ନ ୪ଟା ସୁଦ୍ଧା ଦାଖଲ ହୋଇଛି ଆଉ ୨୬ ଲକ୍ଷ ୭୪ ହଜାର ରିଟର୍ଣ୍ଣ। ଏମିତିକି ଆଜି ଦିନ ୩ଟାରୁ ୪ଟା ମଧ୍ୟରେ କେବଳ ଘଣ୍ଟାଏ ଭିତରେ ୩ ଲକ୍ଷ ୮୪ ହଜାର ରିଟର୍ଣ୍ଣ ଦାଖଲ ହୋଇଛି। ଏବେ ପ୍ରଶ୍ନ, ଯଦି ନିର୍ଦ୍ଧାରିତ ସମୟ ଭିତରେ ରିଟର୍ଣ୍ଣ ଫାଇଲ ନକରିବେ, କ’ଣ ହେବ ? ଆୟକର ବିଶେଷଜ୍ଞଙ୍କ ମତରେ, ଜୁଲାଇ ୩୧ ଡେଡଲାଇନ୍ ପରେ ବି ଡିସେମ୍ବ ୩୧ ଯାଏଁ ରିଟର୍ଣ୍ଣ ଫାଇଲ୍ କରିପାରିବେ କରଦାତା।

ହେଲେ ଏଥିପାଇଁ ଗଣିବାକୁ ପଡ଼ିବ ୫ ହଜାର ଟଙ୍କାର ଲେଟ୍ ଫି’। କିନ୍ତୁ ଯେଉଁ କରଦାତାଙ୍କ ବାର୍ଷିକ ଆୟ ୫ ଲକ୍ଷ ଟଙ୍କାରୁ କମ୍, ସେମାନଙ୍କ ଲାଗି ଲେଟ୍ ଫି’ ୧ ହଜାର ଟଙ୍କା ରହିବ। ତେବେ ଛାଡ଼ ସୀମା ତଳେ ଥିବା କରଦାତାଙ୍କ ଲାଗି ଲାଗିବନି ଲେଟ୍ ଫି’। ସେହିପରି ରିଟର୍ଣ୍ଣ ଦାଖଲରେ ବିଳମ୍ବ ହେଲେ, କରଯୋଗ୍ୟ ଆୟ ଉପରେ ଆୟକର ବିଭାଗ ମାସିକ ୧% ହାରରେ ସୁଧ ଲଗାଇପାରିବ। ଖାଲି ସେତିକି ନୁହେଁ, ଆୟକର ରିଟର୍ଣ୍ଣ ଦାଖଲରେ ବିଫଳତା ଲାଗି କରଦାତାଙ୍କୁ ୬ ମାସରୁ ୭ ବର୍ଷ ଯାଏଁ ଜେଲ ଦଣ୍ଡ ଭୋଗିବାକୁ ପଡ଼ିପାରେ।

Advertisment

ରିଟର୍ଣ୍ଣ ବେଳେ ଭୁଲ୍ ତଥ୍ୟ ଦାଖଲ କରୁଥିବା ଆୟକରଦାତା ସାବଧାନ ! କାରଣ ଚଳିତ ବର୍ଷରୁ ଆୟକର ରିଟର୍ଣ୍ଣ ଯାଞ୍ଚରେ ସାମିଲ ହେବ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ- AI । ଏହି AI ସଫ୍ଟୱେର କରଦାତାଙ୍କ ପାନ୍ ଓ ଆଧାର କାର୍ଡ ସହ ଜଡ଼ିତ ସମସ୍ତ ବ୍ୟାଙ୍କ ଓ ଆର୍ଥିକ କାରବାର ସମ୍ବନ୍ଧୀୟ ତଥ୍ୟ ଏକତ୍ରିତ କରିବ। ଏହା ଡେବିଟ କାର୍ଡ, କ୍ରେଡିଟ କାର୍ଡ, ଭିସା, ପାସପୋର୍ଟ ସହ ଜଡ଼ିତ ତଥ୍ୟକୁ ଆନାଲିସିସ୍ କରି କରଦାତାଙ୍କ ଟ୍ରାଭେଲ ତଥ୍ୟ ଯାଞ୍ଚ କରିବ।

ଏମିତିକି କରଦାତା କିଣିଥିବା ନୂଆ ଗାଡ଼ି ସମ୍ପର୍କିତ ତଥ୍ୟ ବି ସଂଗ୍ରହ କରିବ AI । ଆୟକରଦାତା ରିଟର୍ଣ୍ଣରେ ଦାଖଲ କରିଥିବା ତଥ୍ୟ ସହ ସଂଗୃହୀତ ତଥ୍ୟକୁ ମ୍ୟାଚ୍ କରାଇବ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ। ଫଳରେ ଭୁଲ୍ ତଥ୍ୟ ପ୍ରଦାନ କରୁଥିବା ଆୟକରଦାତାଙ୍କୁ ସହଜରେ ଠାବ କରାଯାଇପାରିବ।

Income Tax Return
Advertisment
Advertisment