/odishatv-khabar/media/post_attachments/uploadimage/library/16_9/16_9_0/IMAGE_1679239381.jpg)
Gold Price Hike
ଆକାଶଛୁଆଁ ସୁନା ଦର । ୧୦ ଦିନରେ ୫ ହଜାର ଟଙ୍କା ବଢ଼ି, ୨୨ କାରେଟ୍ ସୁନାଦର ୫୫ ହଜାର ୪୦୦ ଟଙ୍କାର ସର୍ବକାଳୀନ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି । ସୁନାର ଏଭଳି ଦରବୃଦ୍ଧି ଲାଗି ଆମେରିକା ଓ ୟୁରୋପରେ ବ୍ୟାଙ୍କିଙ୍ଗ୍ ସଙ୍କଟକୁ ଦାୟୀ କରିଛନ୍ତି ବିଶେଷଜ୍ଞ । ଏ ଦରବୃଦ୍ଧି ଜାରି ରହିଲେ ଖୁବ୍ଶୀଘ୍ର ସୁନା ମୂଲ୍ୟ ୭୦ ହଜାର ଛୁଇଁବ ବୋଲି ଆଶଙ୍କା କଲେଣି ବ୍ୟବସାୟୀ।
ଉପରମୁହାଁ ସୁନା ଦର । ୧୦ ଦିନରେ ମହଙ୍ଗା ହେଲାଣି ୫ ହଜାର । ଛୁଇଁଛି ସର୍ବକାଳୀନ ରେକର୍ଡ । ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ୍ ସୁନା ଦାମ ଆଜି ୧୦ ଗ୍ରାମ୍ ପିଛା ୫୫ ହଜାର ୪୦୦ ଟଙ୍କାରେ ପହଞ୍ଚିଛି । ମାର୍ଚ୍ଚ ୯ରେ ଏହା ୫୦ ହଜାର ୫୦୦ ଟଙ୍କା ଥିଲା । କେବଳ ଗତ ସପ୍ତାହକରେ ସୁନା ମୂଲ୍ୟ ୪ ହଜାର ଟଙ୍କା ବଢ଼ିଛି ।
ସେହିପରି ୨୪ କ୍ୟାରେଟ୍ ସୁନା ଦାମ୍ ଭୁବନେଶ୍ୱରରେ ସପ୍ତାହକ ଭିତରେ ୫୭ ହଜାର ୬୨୦ ଟଙ୍କାରୁ ବୃଦ୍ଧି ପାଇ ଆଜି ୬୧ ହଜାର ୪୦୦ ଟଙ୍କାରେ ପହଞ୍ଚିଛି । ସୁନାର ଏମିତି ଉଚ୍ଚା ଦର ଦେଖି ଚିନ୍ତାରେ ଗ୍ରାହକ। ଏମିତିକି ବିବାହ ଉତ୍ସବରେ ବନ୍ଧୁ ପ୍ରିୟଜନଙ୍କୁ ଉପହାର ଦେବାକୁ ଅଥବା ନିଜ ପାଇଁ ସୁନା ଗହଣା କିଣିବାକୁ ଇଚ୍ଛା ଥିଲେ ବି ପଛଘୁଞ୍ଚା ଦେଲେଣି ଲୋକେ ।
ସୁନାର ଏଭଳି ଦରବୃଦ୍ଧି ପାଇଁ ବିଶ୍ୱ ବଜାରରେ ବ୍ୟାଙ୍କିଙ୍ଗ୍ ସଙ୍କଟକୁ ଦାୟୀ କରିଛନ୍ତି ବିଶେଷଜ୍ଞ । କହିଛନ୍ତି, ଆମେରିକାରୁ ଆରମ୍ଭ ହୋଇ ୟୁରୋପରେ ପହଞ୍ଚିଥିବା ବ୍ୟାଙ୍କିଙ୍ଗ୍ ସଙ୍କଟ ଯୋଗୁ ବ୍ୟାଙ୍କ ଷ୍ଟକ୍ ଉପରୁ ଭରସା ତୁଟାଇ ସାରିଲେଣି ନିବେଶକ । ସେମାନେ ବ୍ୟାଙ୍କ ଷ୍ଟକ୍ରୁ ପୁଞ୍ଜି ପ୍ରତ୍ୟାହାର କରି ଓ ନିରାପଦ ଭାବୁଥିବା ସୁନାରେ ପୁଞ୍ଜିନିବେଶ କରୁଛନ୍ତି । ବିଶ୍ୱ ବଜାରରେ ବ୍ୟାଙ୍କିଙ୍ଗ୍ କ୍ରାଇସିସ୍ରେ ସୁଧାର ନ ଆସିବା ଯାଏଁ ସୁନା ଦର ଏମିତି ବଢ଼ିଚାଲିବ ବୋଲି ବିଶେଷଜ୍ଞ ଆକଳନ କରୁଛନ୍ତି। ଏପଟେ ସୁନା ବ୍ୟବସାୟୀ ଆଶଙ୍କା କଲେଣି, ସୁନା ଦର ଯେଉଁଭଳି ବଢ଼ିଚାଲିଛି, ଖୁବ୍ଶୀଘ୍ର ଏହା ୭୦ ହଜାର ଛୁଇଁପାରେ।
ଖାଲି ସୁନା ନୁହେଁ, ଗତ ସପ୍ତାହକ ମଧ୍ୟରେ ରୁପା ଦର କିଲୋଗ୍ରାମ ପିଛା ୫ ହଜାର ଟଙ୍କା ବଢ଼ିଯାଇଛି । ମାର୍ଚ୍ଚ ୧୨ରେ ରୁପା କିଲୋ ୬୫ ହଜାର ଟଙ୍କାରେ ବିକ୍ରି ହେଉଥିବା ବେଳେ ଆଜି ଏହା ୭୦ ହଜାର ଟଙ୍କାରେ ପହଞ୍ଚିଛି ।
(ରିପୋର୍ଟ- ଭୁବନେଶ୍ୱରରୁ କପିଳେନ୍ଦ୍ର ପ୍ରଧାନ)
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)