EV Vehicle : ଖୁସି ଖବର ଆଣିଲା ବଜେଟ୍ , ଏଥର ପୂରଣ ହେବ ଇଲେକ୍ଟ୍ରିକ ଗାଡ଼ି କିଣିବା ସ୍ବପ୍ନ

ଇଲେକ୍ଟ୍ରିକ ଗାଡି କିଣିବାକୁ ଚାହୁଁଥିଲେ ଆପଣଙ୍କ ପାଇଁ ଖୁସି ଖବର ଆଣିଛି ବଜେଟ ୨୦୨୫-୨୦୨୬।

ଖୁସି ଖବର ଆଣିଛି ବଜେଟ ୨୦୨୫-୨୦୨୬ ।

ସାଧାରଣ ବଜେଟ ଉପରେ ସମସ୍ତ ଦେଶବାସୀଙ୍କ ନଜର ରହିଛି । ବିଶେଷକରି ଏଥିରେ କେଉଁ ଜିନିଷ ଶସ୍ତା ହେବ ତାହା ଜାଣିବାକୁ ସମସ୍ତେ ଆଗ୍ରହୀ । କାର୍‌ କିମ୍ବା ବାଇକ୍ କିଣିବାକୁ ଚାହୁଁଥିବା ଲୋକଙ୍କ ପାଇଁ ଖୁସି ଖବର । ଶସ୍ତା ହେବ ଗାଡ଼ିର ଦାମ । ବିଶେଷକରି ଇଲେକ୍ଟ୍ରିକ ଗାଡି କିଣିବାକୁ ଚାହୁଁଥିଲେ ଆପଣଙ୍କ ପାଇଁ ଖୁସି ଖବର ଆଣିଛି ବଜେଟ ୨୦୨୫-୨୦୨୬। ଲିଥିୟମ୍ ବ୍ୟାଟେରୀ ଏବଂ ଏହା ସହ ସମ୍ବନ୍ଧିତ ଥିବା କ୍ଷେତ୍ରଗୁଡ଼ିକରେ ଉତ୍ପାଦନକୁ ବୃଦ୍ଧିକରିବା ପାଇଁ କେନ୍ଦ୍ର ବଜେଟ୍ ୨୦୨୫-୨୦୨୬ରେ ଗୁରୁତ୍ୱପୂର୍ଣ୍ଣ ଟିକସ ଛାଡ଼ ନେଇ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ସରକାର ଭାରତରେ ଉତ୍ପାଦନ ବୃଦ୍ଧି କରିବା ସହ ଆମଦାନୀକୁ ହ୍ରାସ କରିବା ପାଇଁ ଏଭଳି ଘୋଷଣା କରିଛନ୍ତି । ସରକାର ବୈଦ୍ୟୁତିକ ଯାନ (EV) କୁ ଶସ୍ତାକରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ।

କେନ୍ଦ୍ର ସରକାର କୋବାଲ୍ଟ, ଲିଥିୟମ୍-ଆୟନ୍ ବ୍ୟାଟେରୀ ସ୍କ୍ରାପ୍, ସୀସା, ଜିଙ୍କ୍ ଏବଂ ଅନ୍ୟାନ୍ୟ ୧୨ଟି ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ଭଳି ଅତ୍ୟାବଶ୍ୟକୀୟ ସାମଗ୍ରୀ ଉପରୁ ମୌଳିକ ସୀମା ଶୁଳ୍କ (Basic Customs Duty) ହଟାଇ ଦେଇଛନ୍ତି । ସରକାରଙ୍କ ଏହି ପଦକ୍ଷେପ ଦ୍ୱାରା ବୈଦ୍ୟୁତିକ ଯାନ (EV) ଏବଂ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଉତ୍ପାଦନ ପାଇଁ ଖର୍ଚ୍ଚ ହ୍ରାସ ପାଇବ ।

ଏହା ସହ ବୈଦ୍ୟୁତିକ ଯାନ(EV)ର ବ୍ୟାଟେରୀ ଉତ୍ପାଦନରେ ବ୍ୟବହୃତ ୩୫ଟି ଅତିରିକ୍ତ ସାମଗ୍ରୀ ଏବଂ ମୋବାଇଲ୍ ଫୋନ୍ ବ୍ୟାଟେରୀ ଉତ୍ପାଦନରେ ବ୍ୟବହୃତ ୨୮ଟି ସାମଗ୍ରୀକୁ ମଧ୍ୟ ଶୁଳ୍କମୁକ୍ତ କରାଯାଇଛି । ଏହାଦ୍ୱରା କମ୍ପାନୀଗୁଡ଼ିକ ଅତିରିକ୍ତ ଟିକସ ନ ଦେଇ ବ୍ୟାଟେରୀ ଉତ୍ପାଦନ ପାଇଁ ଆବଶ୍ୟକ ଯନ୍ତ୍ରପାତି ଏବଂ ଉପକରଣ ଆମଦାନୀ କରିପାରିବେ । ଫଳରେ ଭାରତରେ ବ୍ୟାଟେରୀ ଉତ୍ପାଦନ ବୃଦ୍ଧିହେବ ଏବଂ ବ୍ୟାଟେରୀ ଆମଦାନୀ ହ୍ରାସପାଇବ। ଏହାଦ୍ୱାରା ଟାଟା, ଓଲା ଇଲେକ୍ଟ୍ରିକ୍ ଏବଂ ରିଲାଏନ୍ସ ଭଳି ଭାରତୀୟ କମ୍ପାନୀଗୁଡ଼ିକୁ ଉତ୍ସାହିତ ହେବେ ।

ଆଶା କରାଯାଉଛି ଯେ ଏହି ପଦକ୍ଷେପ ବୈଦ୍ୟୁତିକ ଯାନ ଉତ୍ପାଦନକୁ ପ୍ରୋତ୍ସାହିତ କରିବ । ଏହା ଉତ୍ପାଦନ ଖର୍ଚ୍ଚ ମଧ୍ୟ ହ୍ରାସ କରିବା ସହ ଘରୋଇ ଉତ୍ପାଦନକୁ ପ୍ରୋତ୍ସାହିତ କରିବ । ବ୍ୟାଟେରୀ ଶସ୍ତାହେବା ଫଳରେ ବୈଦ୍ୟୁତିକ ଯାନଗୁଡ଼ିକ ଅଧିକ ସୁଲଭ ହେବ । ଏହାଦ୍ୱାରା ଚୀନ୍ ଏବଂ ଅନ୍ୟାନ୍ୟ ଦେଶ ଉପରେ ନିର୍ଭରଶୀଳତା ମଧ୍ୟ ହ୍ରାସ ପାଇବ ।

ଇ.ଭି. ଉତ୍ପାଦନ କେନ୍ଦ୍ରହେବ ଭାରତ :

ଭାରତ EV ଉତ୍ପାଦନ ପାଇଁ ଏକ ଅନୁକୂଳ ପରିବେଶ ସୃଷ୍ଟିକରିବା ଦ୍ୱାରା ବିଶ୍ୱସ୍ତରୀୟ ନିର୍ମାତାମାନେ ମଧ୍ୟ ଭାରତରେ EV ଉତ୍ପାଦନ କରିବାପାଇଁ ପ୍ରୋତ୍ସାହିତ ହେବେ । ଏହାଦ୍ୱାରା ଭାରତରେ ଉତ୍ପାଦନ ହେଉଥିବା ଇଭି ସାରା ବିଶ୍ୱରେ ବିକ୍ରି ହୋଇପାରିବ । ସୁଜୁକି, ହ୍ୟୁଣ୍ଡାଇ ଏବଂ ବଜାଜ ଭଳି କମ୍ପାନୀ ପୂର୍ବରୁ ଭାରତରେ ଗାଡି ପ୍ରସ୍ତୁତକରି ସାରା ବିଶ୍ୱରେ ବିକ୍ରୟ କରୁଥିଲେ । ଏହାଦ୍ୱାରା ଅନ୍ୟ ବିଶ୍ୱ ସ୍ତରୀୟ କମ୍ପାନୀ ମଧ୍ୟ ଭାରତକୁ ଆସିବା ପାଇଁ ଆଗ୍ରହ ପ୍ରକାଶ କରିବେ ।

ଅଧିକ ପଢ଼ନ୍ତୁ: Union Budget 2025: ବଜେଟ୍‌ ୨୦୨୫, ବିହାରକୁ ବଡ଼ ଭେଟି