ଆଉ ମାତ୍ର ଦିନ କେଇଟା ରହିଲା। ଆଗତ ହେବ ୨୦୨୫-୨୬ ଆର୍ଥିକବର୍ଷର ସାଧାରଣ ବଜେଟ୍ । ସାଧାରଣ ଜନତା ଠାରୁ ଆରମ୍ଭ କରି ସବୁବର୍ଗର ଲୋକେ ଅପେକ୍ଷା କରିଛନ୍ତି ଏଥର ବଜେଟ୍ ସେମାନଙ୍କୁ ସୁହାଇବ କି ନାହଁି। କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ବର୍ଗର ଲୋକଙ୍କ ଠାରୁ ମତାମତ ଲୋଡ଼ାଯାଇଛି। ବଜେଟ୍କୁ ଲୋକାଭିମୁଖୀ କରିବା ଉଦ୍ଦେଶ୍ୟରେ ରହିଛନ୍ତି ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାର। ଏଥର କୃଷି ବଜେଟ୍ରେ କୃଷକଙ୍କୁ ସୁହାଇଲା ପରି ଯୋଜନା ଅଣାଯାଇପାରେ ବୋଲି ଅର୍ଥନୈତିକ ବିଶେଷଜ୍ଞ ଆକଳନ କରିଛନ୍ତି। ରିପୋର୍ଟ ଅନୁସାରେ, ଆସନ୍ତା ଆର୍ଥିକବର୍ଷରେ ବଜେଟ୍ରେ କୃଷି କ୍ଷେତ୍ର ପାଇଁ ବ୍ୟୟବରାଦରେ ପ୍ରାୟ ୧୫% ବୃଦ୍ଧି ହେବାର ସମ୍ଭାବନା ରହିଛି ।
କୃଷି କ୍ଷେତ୍ରକୁ ୧,୭୩,୦୦୦ କୋଟି ଟଙ୍କା ମିଳିପାରେ । ଗ୍ରାମୀଣ ଲୋକଙ୍କର କିଭଳି ଆୟ ବଢ଼ିବ ଏବଂ କୃଷି କ୍ଷେତ୍ରରେ ସେମାନେ ସଶକ୍ତ ହେବେ, ସେଥିପାଇଁ କିଛି ବିଶେଷ ଘୋଷଣା କରିବାର ସମ୍ଭାବନା ରହିଛି। ଅତିରିକ୍ତ ପାଣ୍ଠି ମାଧ୍ୟମରେ ଉଚ୍ଚ ଅମଳକ୍ଷମ ବିହନ ବିକାଶ, ଭଣ୍ଡାର କ୍ଷମତା ବୃଦ୍ଧି, ମଜଭୁତ ଯୋଗାଣ ଭିତ୍ତିଭୂମି ଏବଂ ଡାଲିଜାତୀୟ ଶସ୍ୟ, ତୈଳବୀଜ, ପନିପରିବା ଓ ଦୁଗ୍ଧଜାତ ଉତ୍ପାଦଗୁଡ଼ିକର ଉତ୍ପାଦନ ବୃଦ୍ଧି ଲାଗି କାର୍ଯ୍ୟ କରାଯିବା ନେଇ ବିଶେଷ ଯୋଜନା ପ୍ରଣୟନ କରିବାର ସମ୍ଭାବନା ରହିଛି। ଦରଦାମ ନିୟନ୍ତ୍ରଣ ଲାଗି ସରକାର ପଦକ୍ଷେପ ଘୋଷଣା କରିପାରନ୍ତି ବୋଲି ଆଶା କରାଯାଉଛି।
୨୦୨୫-୨୬ ସାଧାରଣ ବଜେଟ୍ର ସବୁପ୍ରକାର ପ୍ରସ୍ତୁତି ସରିଯାଇଛି। ଏ ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଉପସ୍ଥିତିରେ ନର୍ଥ ବ୍ଲକ୍ରେ ହାଲୁଆ ଉତ୍ସବ ମଧ୍ୟ ସରିଯାଇଛି। ବଜେଟ୍ ପରମ୍ପରା ଅନୁସାରେ, ପ୍ରତିବର୍ଷ ବଜେଟ ପ୍ରସ୍ତୁତି କାର୍ଯ୍ୟରେ ଜଡ଼ିତ ଅଧିକାରୀଙ୍କ ‘ଲକ୍-ଇନ୍’ ପ୍ରକ୍ରିୟା ପୂର୍ବରୁ ଏହି ଉତ୍ସବର ଆୟୋଜନ କରାଯାଇଥାଏ । ସଂସଦରେ ବଜେଟ୍ ଉପସ୍ଥାପନର ୫ ଦିନ ପୂର୍ବରୁ ଏହି ଉତ୍ସବ ମନାଯାଇଥାଏ। ବଜେଟ୍ ଦସ୍ତାବିଜ୍ ଯେପରି ଲିକ୍ ନ ହୁଏ, ସେଥିପାଇଁ ଏହି ଲକ୍-ଇନ୍ ପିରିୟଡ୍ ବ୍ୟବସ୍ଥା ରହିଆସିଛି।
ବଦଳି ପାରେ ଆୟକର ନିୟମ !
ସଂସଦର ଆଗତ ହେବାକୁ ଥିବା ବଜେଟ୍ରେ ସରକାର ଏକ ନୂତନ ଆୟକର ବିଲ୍ ଆଗତ କରିପାରନ୍ତି ବୋଲି ସମ୍ଭାବନା ସୃଷ୍ଟି ହୋଇଛି। ଏହା କରିବାର ସରକାରଙ୍କର ମୂଳ ଲକ୍ଷ୍ୟ ହେଉଛି ବର୍ତ୍ତମାନର ପ୍ରଚଳିତ ଆୟକର ଆଇନକୁ ସରଳ କରିବା। ବର୍ତ୍ତମାନର ଆୟକର ଆଇନ ଟିକେ ଜଟିଳ ଏବଂ ଏହାର ପୃଷ୍ଠା ଏତେ ଅଧିକ ଯେ ଏହାକୁ ପଢ଼ିବା ଏବଂ ବୁଝିବା ସମୟରେ ସାଧାରଣ ଲୋକେ ଚିନ୍ତାରେ ପଡ଼ନ୍ତି। ଜୁଲାଇ ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଛଅ ଦଶନ୍ଧି ପୁରୁଣା ଆୟକର ଆଇନ, ୧୯୬୧କୁ ଛଅ ମାସ ମଧ୍ୟରେ ଏକ ବ୍ୟାପକ ସମୀକ୍ଷା କରାଯାଇ ନିଷ୍ପତ୍ତି ନିଆଯିବ ବୋଲି ଘୋଷଣା କରିଥିଲେ।
ପ୍ରକାଶିତ ଏକ ରିପୋର୍ଟ ଅନୁସାରେ, ସଂସଦର ବଜେଟ ଅଧିବେଶନରେ ନୂତନ ଆୟକର ଆଇନ ଆଗତ ହେବାର ଯେଥେଷ୍ଟ ସମ୍ଭାବନା ରହିଛି। ସଂପ୍ରତି ଆଇନ ମନ୍ତ୍ରଣାଳୟ ଦ୍ୱାରା ଏହି ଡ୍ରାଫ୍ଟ ଆଇନ ଉପରେ ବିଚାର କରାଯାଉଛି । ଏହା ସଂସଦରେ ଆଗତ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ପୂର୍ବରୁ ଆୟକର ଆଇନ, ୧୯୬୧ର ବ୍ୟାପକ ସମୀକ୍ଷା ପାଇଁ ଅର୍ଥମନ୍ତ୍ରୀ ସୀତାରମଣଙ୍କ ବଜେଟ ଘୋଷଣା ପରେ ସିବିଡିଟି ସମୀକ୍ଷା ତଦାରଖ କରିବା ଏବଂ ଆଇନକୁ ସରଳ ଏବଂ ସ୍ପଷ୍ଟ ବୁଝିବା ପାଇଁ ଏକ ଆଭ୍ୟନ୍ତରୀଣ କମିଟି ଗଠନ କରିଥିଲା। ଏହା ବିବାଦ, ମକଦ୍ଦମା ହ୍ରାସ କରିବ ଏବଂ କରଦାତାଙ୍କୁ ଅଧିକ ଟିକସ ନିଶ୍ଚିତତା ପ୍ରଦାନ କରିବ। ଏହା ବ୍ୟତୀତ, ଆଇନର ବିଭିନ୍ନ ଦିଗ ସମୀକ୍ଷା କରିବାକୁ ୨୨ଟି ସ୍ୱତନ୍ତ୍ର ଉପ-କମିଟି ମଧ୍ୟ ଗଠନ କରାଯାଇଛି।
କ୍ରମାଗତ ଅଷ୍ଟମ ଥର ବଜେଟ୍ ଉପସ୍ଥାପନ କରିବେ ନିର୍ମଳା ସୀତାରମଣ
ସଂସଦର ବଜେଟ୍ ଅଧିବେଶନ ଚଳିତମାସ ୩୧ରୁ ଆରମ୍ଭ ହେବ। ପ୍ରଥମ ପର୍ଯ୍ୟାୟ ଅଧିବେଶନ ଫେବ୍ରୁଆରି ୧୩ ତାରିଖ ଯାଏଁ ଚାଲିବ। ଫେବ୍ରୁଆରି ପହିଲାରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୫-୨୬ ଆର୍ଥିକବର୍ଷ ପାଇଁ ବଜେଟ୍ ଆଗତ କରିବେ। ଏହା ହେବ ନିର୍ମଳା ସୀତାରମଣଙ୍କ ଲଗାତାର ଅଷ୍ଟମ ବଜେଟ୍ ଉପସ୍ଥାପନ। ପ୍ରଥମ ଦିନ ସଂସଦର ମିଳିତ ଅଧିବେଶନକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି।
ଦେଶର କେତୋଟି ଚିର ସ୍ମରଣୀୟ ବଜେଟ୍
-୧୯୪୭-ସ୍ୱାଧୀନ ଭାରତର ପ୍ରଥମ ସାଧାରଣ ବଜେଟ୍ ତତ୍କାଳୀନ ଅର୍ଥମନ୍ତ୍ରୀ ଆର୍.କେ. ସନ୍ମୁଗମ୍ ଉପସ୍ଥାପନ କରିଥିଲେ। ଏହି ବଜେଟ୍ରେ ମୋଟ ବଜେଟ୍ ଅର୍ଥ ୧୯୭.୩୯ କୋଟି ଟଙ୍କାର ୪୬% ପ୍ରତିରକ୍ଷା ସେବା ଲାଗି ବ୍ୟୟବରାଦ କରାଯାଇଥିଲା।
-୧୯୬୮-ଏହି ବଜେଟ୍କୁ ମୋରାଜୀ ଦେଶାଇ ଆଗତ କରିଥିଲେ। ଏହାକୁ ଲୋକଙ୍କ ବଜେଟ୍ କୁହାଯାଇଥାଏ। ଏଥିରେ ସମସ୍ତ ଉତ୍ପାଦନକାରୀଙ୍କ ଲାଗି ନିଜସ୍ୱ ଆସେସ୍ମେଣ୍ଟ ବ୍ୟବସ୍ଥା ଆରମ୍ଭ କରାଯାଇଥିଲା।
-୧୯୯୧-ନରସିଂହ ରାଓ ସରକାରଙ୍କ ଅମଳରେ ତତ୍କାଳୀନ ଅର୍ଥମନ୍ତ୍ରୀ ମନମୋହନ ସିଂ ଆଗତ କରିଥିଲେ। ଏଥିରେ ଜଗତୀକରଣକୁ ଭାରତ ସ୍ୱାଗତ କରିଥିଲା। ଏହି ବଜେଟ୍ରେ ଆମଦାନୀ ଲାଇସେନ୍ସ ବ୍ୟବସ୍ଥାକୁ ଉଚ୍ଛେଦ କରାଯାଇ ରପ୍ତାନିକୁ ପ୍ରୋତ୍ସାହିତ କରାଯାଇଥିଲା।
-୧୯୯୭-ସେ ସମୟର ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ୍ ଏହି ବଜେଟ୍କୁ ଉପସ୍ଥାପନ କରିଥିଲେ। ଏଥିରେ ଦେଶରେ ଆର୍ଥିକ ସଂସ୍କାର ନିମନ୍ତେ ଏକ ରୋଡ୍ ମ୍ୟାପ୍ ପ୍ରସ୍ତୁତ କରାଯାଇଥିଲା। ଏଥିମଧ୍ୟରେ କର ହାରରେ ହ୍ରାସ ଘଟାଇବା, କମ୍ପାନୀ ଟିକସ ଉପରୁ ସରଚାର୍ଜ ହଟାଇବା, କଳା ଟଙ୍କା ରୋକିବାକୁ ଯୋଜନା ଆରମ୍ଭ କରିବା ପ୍ରମୁଖ ସାମିଲ ଥିଲା।
-୨୦୦୦- ଏହାକୁ ସହସ୍ରାଦ୍ଧୀ ବଜେଟ୍ କୁହାଯାଏ। ଏହି ବଜେଟ୍କୁ ତତ୍କାଳୀନ ଅର୍ଥ ମନ୍ତ୍ରୀ ଯଶବନ୍ତ ସିହ୍ନା ଉପସ୍ଥାପନ କରିଥିଲେ। ଏଥିରେ ସଫ୍ଟୱେର ରପ୍ତାନି ବ୍ୟବସ୍ଥା ଆରମ୍ଭ କରାଯାଇଥିଲା। ବଜେଟ୍ରେ ଭାରତକୁ ସଫ୍ଟୱେର କ୍ଷେତ୍ରରେ ଏକ ଆଇଟି ହବ୍ରେ ପରିଣତ କରିବାକୁ ଲକ୍ଷ୍ୟ ରଖାଯାଇଥିଲା। ଅବଶ୍ୟ ପରବର୍ତ୍ତୀ ସମୟରେ ସରକାର ଏଥିରେ କେତେକାଂଶ ସଫଳ ହୋଇଥିଲେ।
-୨୦୦୫- ସେ ସମୟର ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ୍ଙ୍କ ଦ୍ୱାରା ଆଗତ କରାଯାଇଥିବା ଏହି ବଜେଟ୍କୁ ଆମ୍ ଆଦ୍ମୀଙ୍କ ବଜେଟ୍ ଆଖ୍ୟା ଦିଆଯାଇଥିଲା। ଏଥିରେ କମ୍ପାନୀ ଏବଂ ସୀମା ଟିକସରେ ହ୍ରାସ ଘଟାଯିବା ସହ ଏମ୍ଜିଏନ୍ଆର୍ଇଜିଏ ଓ ଆର୍ଟିଆଇର ଶୁଭାରମ୍ଭ କରାଯାଇଥିଲା।
-୨୦୧୮- ସେ ସମୟର ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲୀଙ୍କ ବଜେଟ୍ ବେଶ୍ ନିଆରା ଥିଲା କାରଣ ନୂଆ ଟିକସ ସଂସ୍କାର ବ୍ୟବସ୍ଥା ଜିଏସ୍ଟି ଲାଗୁ କରାଯିବା ପରେ ଏହା ଥିଲା ଦେଶର ପ୍ରଥମ ବଜେଟ୍। ଲୋକଙ୍କ ଭରସାକୁ ଜିତିବାକୁ ଏହି ବଜେଟ୍ ଉପସ୍ଥାପନ କରାଯାଇଥିଲା ବୋଲି ବିଷେଷଜ୍ଞଙ୍କ ମତ।
ସର୍ବାଧିକ ବଜେଟ୍ ଆଗତ କରିଥିବା ଦେଶର ୬ ଅର୍ଥମନ୍ତ୍ରୀ
କ୍ରମାଗତ ଅଷ୍ଟମ ଥର ବଜେଟ୍ ଉପସ୍ଥାପନ କରିବାକୁ ଯାଉଛନ୍ତି ବର୍ତ୍ତମାନ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲୀ କ୍ରମାଗତ ଭାବେ ୫ଥର ବଜେଟ୍ ଆଗତ କରିଥିଲେ। ପୂର୍ବରୁ କେବଳ ଅର୍ଥମନ୍ତ୍ରୀ ଭାବେ ମନମୋହନ ସିଂ, ଯଶବନ୍ତ ସିହ୍ନା, ପି. ଚିଦାମ୍ବରମ୍ ଏବଂ ମୋରାର୍ଜୀ ଦେଶାଇ କ୍ରମାଗତ ଭାବେ ୫ ବଜେଟ୍ ଉପସ୍ଥାପନ କରିଛନ୍ତି। ତେବେ ସର୍ବାଧିକ ସାଧାରଣ ବଜେଟ୍ ଉପସ୍ଥାପନ ରେକର୍ଡ ଶ୍ରୀ ଦେଶାଇଙ୍କ ନାମରେ ରହିଛି। ସେ ୯ ନିୟମିତ ବଜେଟ୍ ଏବଂ ୨ ଅନ୍ତରୀଣ ବଜେଟ୍ ଉପସ୍ଥାପନ କରିଛନ୍ତି। ଶ୍ରୀ ଚିଦାମ୍ବରାମ୍ ସର୍ବାଧିକ ୯ଟି ବଜେଟ୍ ଉପସ୍ଥାପନ କରିଛନ୍ତି। ଏଥିରୁ ୮ଟି ହେଉଛି ନିୟମିତ ବଜେଟ୍। ୨୦୦୪ରୁ ୨୦୦୮ ମଧ୍ୟରେ ଚିଦାମ୍ବରମ୍ ଉପା-୧ ସରକାର ଶାସନ କାଳରେ କ୍ରମାଗତ ଭାବେ ୫ଟି ବଜେଟ୍ ଆଗତ କରିଛନ୍ତି।
୨୦୦୯ରେ ଆଗତ କରାଯାଇଥିବା ଅନ୍ତରୀଣ ବଜେଟ୍କୁ ତତ୍କାଳୀନ ଅର୍ଥମନ୍ତ୍ରୀ ପ୍ରଣବ ମୁଖାର୍ଜୀ ଉପସ୍ଥାପନ କରିଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାର ବାଜପେୟୀଙ୍କ ସରକାରରେ ଅର୍ଥମନ୍ତ୍ରୀ ଭାବେ ଯଶବନ୍ତ ସିହ୍ନା ୧୯୯୮ରୁ ୨୦୦୦ ଯାଏ ବଜେଟ୍ ଆଗତ କରିଥିଲେ। ଏହି ସମୟରେ ବଜେଟ୍ ଉପସ୍ଥାପନ ସମୟ ଅପରାହ୍ଣ୍ନ ୫ଟାରୁ ଦିନ ୧୧ଟାକୁ ପରିବର୍ତ୍ତିତ ହୋଇଥିଲା। ୧୯୯୯ ଫେବୃୟାରୀ ୨୭ରେ ଅର୍ଥମନ୍ତ୍ରୀ ଭାବେ ଶ୍ରୀ ସିଂହ୍ନା ପୂର୍ବାହ୍ନରେ ବଜେଟ୍ ଉପସ୍ଥାପନ ଧାରା ଆରମ୍ଭ କରିଥିଲେ। ଶ୍ରୀ ସିହ୍ନା ଏବଂ ଶ୍ରୀ ସିଂ କ୍ରମାଗତ ଭାବେ ୫ ବଜେଟ୍ ସହ ଗୋଟିଏ ଅନ୍ତରୀଣ ବଜେଟ୍ ଉପସ୍ଥାପନ କରିଛନ୍ତି। ତେବେ ଏବେ କେବଳ ଖାଲି ଅପେକ୍ଷା। ସାଧାରଣ ଜନତାଙ୍କ ପାଇଁ ଏଥରର ବଜେଟ୍ କ’ଣ ନେଇ ଆସୁଛି।