ଦେଶକୁ ଅଧିକ ବିଦେଶୀ ପୁଞ୍ଜି ଆଣିବା ଲାଗି ପ୍ରତ୍ୟକ୍ଷ ବୈଦେଶିକ ପୁଞ୍ଜିନିବେଶ (ଏଫ୍ଡିଆଇ) ନୀତିକୁ ଆହୁରି କୋହଳ କରିବା ଉପରେ କେନ୍ଦ୍ର ସରକାର ବିଚାରବିମର୍ଶ କରୁଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥାପନ କରିଥିବା ୨୦୨୫-୨୬ ବଜେଟ୍ରେ ବୀମାରେ ଏଫ୍ଡିଆଇ ସୀମାକୁ ୭୪ ପ୍ରତିଶତରୁ ବଢ଼ାଇ ୧୦୦ ପ୍ରତିଶତ କରିଛନ୍ତି। ଏହା ସମସ୍ତଙ୍କୁ ସୁହାଇବ ବୋଲି ବଜାର ବିଶେଷଜ୍ଞ ମତ ରଖିଛନ୍ତି। ଏନେଇ ସରକାରଙ୍କ ପକ୍ଷରୁ ବିଭିନ୍ନ ସମୟରେ ବୈଠକ କରାଯାଇଛି।
ଦେଶକୁ କିଭଳି ଅଧିକ ବିଦେଶୀ ପୁଞ୍ଜି ଆସିପାରିବ, ସେ ନେଇ ଶିଳ୍ପ ଓ ଆଭ୍ୟନ୍ତରୀଣ ବ୍ୟବସାୟ ପ୍ରସାର ବିଭାଗ (ଡିପିଆଇଆଇଟି) ପକ୍ଷରୁ ବିଭିନ୍ନ ବିଭାଗ, ନିୟାମକ ସଂସ୍ଥା, ଶିଳ୍ପ ସଂସ୍ଥା, ଉପଦେଷ୍ଟା ଓ ଆଇନ ସଂସ୍ଥା, ପେନ୍ସନ୍ ପାଣ୍ଠି, ପ୍ରାଇଭେଟ୍ ଇକ୍ବିଟି ଓ ଭେଞ୍ଚର କ୍ୟାପିଟାଲ୍ମାନଙ୍କ ସହ ଆଲୋଚନା କରାଯାଇଥିବା ସୂଚନା ମିଳିଛି। ଏଫ୍ଡିଆଇକୁ ନେଇ ରହିଥିବା କେତେକ ସମସ୍ୟାର ସମାଧାନ ଲାଗି ବୈଠକରେ ସୁଚିନ୍ତିତ ପରାମର୍ଶ ମିଳିଛି। କିଛି ଚୂଡ଼ାନ୍ତ ନିଷ୍ପତ୍ତି ହୋଇନାହିଁ। କିନ୍ତୁ ନିୟମକୁ ଆହୁରି କୋହଳ କରିବା ଉପରେ ବିଚାର କରାଯାଉଛି।
Also Read
ଅଂଶୀଦାରଙ୍କ ସହ ବିଚାରବିମର୍ଶ ପରେ ନିଷ୍ପତ୍ତି !
ଇ-କମର୍ସ କ୍ଷେତ୍ରରେ କେବଳ ରପ୍ତାନି ପାଇଁ ଅନ୍ଲାଇନ୍ କାରବାରର ଇନ୍ଭେଣ୍ଟୋରି ମଡେଲ୍ରେ ଏଫ୍ଡିଆଇ ଅନୁମତି ଦେବା, ହିତାଧିକାରୀ ମାଲିକାନା ସଂଜ୍ଞାର ପ୍ରେସ୍ ନୋଟ୍ ୩ କୋହଳ କରିବା ଏବଂ ଏକକ ବ୍ରାଣ୍ଡ୍ର ଖୁଚୁରା କାରବାରରେ ନିୟମ କୋହଳ କରିବା ନେଇ ବୈଠକରେ ଆଲୋଚନା ହୋଇଥିଲା। କେତେକ କ୍ଷେତ୍ରରେ ଏଫଡ଼ିଆଇ ବିନିଯୋଗ ନେଇ କଟକଣା କରାଯାଇଛି। ସେ ନେଇ ସରକାର ମଧ୍ୟ ବିଚାର ବିମର୍ଷ କରୁଛନ୍ତି। ଅନେକ କ୍ଷେତ୍ର ରହିଛି, ଯେଉଁଥିରେ ବିଦେଶୀ ପୁଞ୍ଜି ଲାଗି ରହିଥିବା ପ୍ରତିବନ୍ଧକ ଦୂର କରିବା ଆବଶ୍ୟକତା ରହିଛି ବୋଲି ସରକାର ମଧ୍ୟ ଚିନ୍ତା କରୁଛନ୍ତି।
ମାଲିକାନା ସମ୍ପର୍କିତ ପ୍ରେସ୍ ନୋଟ୍ରେ ଭାରତ ସହ ଯେଉଁ ଦେଶଗୁଡ଼ିକର ସୀମା ରେଖା ଯୋଡ଼ିହୋଇ ରହିଛି, ସେହି ଦେଶଗୁଡ଼ିକରୁ ଆସୁଥିବା ନିବେଶ ପ୍ରସ୍ତାବ ପାଇଁ ସରକାରୀ ଅନୁମୋଦନ ବାଧ୍ୟତାମୂଳକ କରାଯାଇଛି। ଚୀନ୍କୁ ନଜରରେ ରଖିବା ଲାଗି ନିଆଯାଇଥିବା ଏହି ପଦକ୍ଷେପ ଅନ୍ୟ ଦେଶଗୁଡ଼ିକରୁ ଆସୁଥିବା ନିବେଶ ପାଇଁ ପ୍ରତିବନ୍ଧକ ସାଜିଥିବା କୁହାଯାଉଛି।
୨୦୦୦ ଏପ୍ରିଲ୍ରୁ ୨୦୨୪ ସେପ୍ଟେମ୍ବର ମଧ୍ୟରେ ଦେଶକୁ ୧ ଲକ୍ଷ କୋଟି ଡଲାରରୁ ଅଧିକ ଏଫ୍ଡିଆଇ ଆସିଛି। କମ୍ପ୍ୟୁଟର ସଫ୍ଟୱେର, ହାର୍ଡୱେର୍, ଟେଲିଯୋଗାଯୋଗ, ଟ୍ରେଡିଂ, ନିର୍ମାଣ, ଅଟୋମୋବାଇଲ୍, ରସାୟନ ଓ ଫାର୍ମାସ୍ୟୁଟିକାଲ୍ କ୍ଷେତ୍ର ଅଧିକ ବିଦେଶୀ ନିବେଶ ଆକୃଷ୍ଟ କରିଛନ୍ତି। ଚଳିତ ଆର୍ଥିକ ବର୍ଷର ଏପ୍ରିଲ୍ରୁ ସେପ୍ଟେମ୍ବର ମଧ୍ୟରେ ଦେଶକୁ ୨୯୭୯ କୋଟି ଡଲାରର ଏଫ୍ଡିଆଇ ଆସିଛି ଯାହା ପୂର୍ବବର୍ଷର ସେହି ସମୟ ତୁଳନାରେ ୪୫ ପ୍ରତିଶତ ଅଧିକ।
ଯୁଦ୍ଧ ପାଇଁ ଦୋହଲୁଛି ପୁଞ୍ଜି ବଜାର
ବିଗତ ତିନି ବର୍ଷରେ ବିଶ୍ବରେ କିଛି ରାଷ୍ଟ୍ରରେ କ୍ରମାଗତ ଯୁଦ୍ଧ ଲାଗି ରହିଛି। ତେଣୁ ଏହା ମଧ୍ୟ ଲୋକଙ୍କ ପାଇଁ ପ୍ରତିକୂଳ ବାତାବରଣ ସୃଷ୍ଟି କରିବ। ଯୁଦ୍ଧ ପରି ପ୍ରତିକୂଳ ପରିସ୍ଥିତି ଦୀର୍ଘ ମିଆଦୀ ନିବେଶକଙ୍କ ପାଇଁ ଲାଭ କରିବାର ସୁଯୋଗ ହୋଇପାରେ । ୧୯୯୦ରେ କୁଏତ ଉପରେ ଇରାନ ଆକ୍ରମଣ କରିଥିଲା । ଏହି ସମୟରେ ବଜାରରେ ଦ୍ରୁତ ହ୍ରାସ ଦେଖିବାକୁ ମିଳିଥିଲା । ଅଶୋଧିତ ତୈଳର ମୂଲ୍ୟ ଦ୍ୱିଗୁଣା ହୋଇଥିଲା । ତେବେ ଚାରି ମାସ ଭିତରେ ସେୟାର ମାର୍କେଟ୍ ନିଜର ପୁରୁଣା ସ୍ତରକୁ ଫେରି ଆସିଥିଲା । ୧୯୯୯ ମଧ୍ୟ ଭାଗରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ କାରଗିଲ ଯୁଦ୍ଧ ସମୟରେ ବଜାରରେ ବଡ଼ ହ୍ରାସ ଘଟିଥିଲା । ତେବେ ଯୁଦ୍ଧ ଅଧିକ ଦିନ ଚାଲିବନି ବୋଲି ସ୍ପଷ୍ଟ ହେବା ପରେ ବଜାର ପୁଣି ଜୋରଦାର ରିକଭରି କରିଥିଲା । ଗତ କିଛି ଦିନ ଧରି ପଶ୍ଚିମ ଏସିଆରେ ଭୂ-ରାଜନୈତିକ ଉତ୍ତେଜନା ବଢିବା ଯୋଗୁଁ ଭାରତ ସମେତ ଗ୍ଲୋବାଲ ମାର୍କେଟ୍ ଉପରେ ଚାପ ବଢିଛି । ରୁଷ- ୟୁକ୍ରେନ୍ ଯୁଦ୍ଧ ପ୍ରାୟ ୩ ବର୍ଷ ହେଲା ଜାରି ରହିଛି।
ବିପଦରେ ଚୀନ୍ ଅର୍ଥନୀତି, ଘାରିଛି ମାନ୍ଦାବସ୍ଥା
ବିଶ୍ୱର ଦ୍ୱିତୀୟ ବୃହତ୍ ଅର୍ଥବ୍ୟବସ୍ଥା ଚୀନ୍ର ଅର୍ଥନୀତି ଏବେ ଭୁଶୁଡ଼ିବାରେ ଲାଗିଛି। ଦେଶରେ ୨୦୦୮ ଭଳି ମାନ୍ଦାବସ୍ଥା ଲକ୍ଷଣ ଦେଖିବାକୁ ମିଳିଲାଣି । ଆଗକୁ ଚୀନ୍ରେ ଭୟଙ୍କର ମାନ୍ଦାବସ୍ଥା ଦେଖାଦେବ ବୋଲି ବଜାର ବିଶେଷଜ୍ଞ ଆକଳନ କରିଛନ୍ତି। ଯଦି ଏପରି ସମସ୍ୟା ସୃଷ୍ଟି ହୁଏ, ତେବେ ଏହାର ପ୍ରଭାବ ସମଗ୍ର ବିଶ୍ୱ ଅର୍ଥବ୍ୟବସ୍ଥା ଉପରେ ପଡ଼ିବ। ମିଳିଥିବା ତଥ୍ୟ ଅନୁସାରେ, ଚୀନ୍ର ରିୟଲ ଇଷ୍ଟେଟ୍ ସୂଚକାଙ୍କ ଦୁଇ ବର୍ଷରେ ୮୨% ସଂକୁଚିତ ହୋଇଛି ।
ଦେଶରେ ୧୯୯୯ ପରେ ସବୁଠୁ ଲମ୍ବା ଅବସ୍ଫୀତି ଚାଲିଛି । ବେକାରି ହାର ସର୍ବୋଚ୍ଚ ସୀମାକୁ ଛୁଇଁଛି। ବିଶ୍ୱ ବଜାରଗୁଡ଼ିକରେ ଚୀନ୍ର ମାଳ ମାଳ ଉତ୍ପାଦ । ଆମେରିକା ଏବଂ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକର କେତେକ କମ୍ପାନି ଚୀନ୍ରେ ଭଲ ବ୍ୟବସାୟ କରୁଛନ୍ତି । ଏସବୁ ସତ୍ତ୍ବେ ବି ଚୀନର ଅର୍ଥନୈତିକ ଅବସ୍ଥା ଏବେ ଭଲ ନାହିଁ ବୋଲି ସୂଚନା ମିଳିଛି।
ଚୀନ୍ ଅର୍ଥନୀତିରେ ସବୁଠୁ ବଡ଼ ସମସ୍ୟା ରିୟଲ୍ ଇଷ୍ଟେଟ୍। ରିୟଲ ଇଷ୍ଟେଟ୍ କମ୍ପାନି ଏଭର୍ଗ୍ରାଣ୍ଡ୍ ସତ୍ତା ହରାଇଲା। ଫଳରେ ଗତ ଦୁଇ ବର୍ଷରେ ଦେଶର ରିୟଲ ଇଷ୍ଟେଟ୍ ସୂଚକାଙ୍କ ନିଗ୍ନମାଗୀ ହେଲା। ରିୟଲ ଇଷ୍ଟେଟ୍ ବୁଡ଼ିବା ଫଳରେ ବ୍ୟାଙ୍କିଙ୍ଗ୍ ଶିଳ୍ପ ଉପରେ ସିଧାସଳଖ ଏହାର ପ୍ରଭାବ ପଡ଼ିଲା। କାରଣ ଚୀନ୍ର ବ୍ୟାଙ୍କଗୁଡ଼ିକ ରିୟଲ ଇଷ୍ଟେଟ୍ ଶିଳ୍ପରେ ବଡ଼ ଆକାରରେ ନିବେଶ କରିଛନ୍ତି । ଏହିଭଳି ସ୍ଥିତି ଜାରି ରହିଲେ ଆଗାମୀ ଦିନରେ ସାଂଘାତିକ ସଙ୍କଟକୁ ସାମ୍ନା କରିବ ଚୀନ୍।
ଚୀନ୍ରେ ୧୯୯୯ ପରଠାରୁ ସବୁଠୁ ଲମ୍ବା ଅବସ୍ଫୀତି ଚାଲିଛି । ଏହା ଅର୍ଥନୀତି ପାଇଁ ଭଲ ସଂକେତ ନୁହେଁ ।
ଚୀନ୍ରେ ବେକାରି ହାର ବହୁ ଦଶନ୍ଧିର ଚରମ ସ୍ତରରେ ପହଞ୍ଚିଯାଇଛି । ରିୟଲ ଇଷ୍ଟେଟ୍ କ୍ଷେତ୍ର ଶିଥିଳ ପଡ଼ିଯିବାରୁ ନିର୍ମାଣ କାର୍ଯ୍ୟ ଠପ୍ ହୋଇଯାଇଛି । ଉପଭୋକ୍ତା ଚାହିଦା ଦୁର୍ବଳ। ଚୀନ୍ ପୁଞ୍ଜି ସଂଗ୍ରହ କରିବା ପାଇଁ ଆମେରିକାର ଟ୍ରେଜେରି ସିକ୍ୟୋରିଟିଜ୍ରେ ଏହାର ହୋଲ୍ଡିଂ କମ୍ କରୁଛି । ଏବେ ଏହାର ହୋଲ୍ଡିଂ ୭୮୦୦୦ କୋଟି ଡଲାର ଅଛି, ଯାହା ୧୫ ବର୍ଷ ମଧ୍ୟରେ ସବୁଠୁ କମ୍ । ଚୀନ୍ରୁ ଆମଦାନି ହେଉଥିବା ଅନେକ ସାମଗ୍ରୀ ଉପରେ ଆମେରିକା ଶୁଳ୍କ ବଢ଼ାଇଦେଇଛି, ଏହାର ସିଧାସଳଖ ପ୍ରଭାବ ଚୀନ୍ ଅର୍ଥନୀତି ଉପରେ ପଡ଼ିବ।
କରୋନା ସମୟରେ ଆସିଛି ୨୨ ବିଲିଅନ ଡଲାର ଏଫ୍ଡିଆଇ
କରୋନା ମହାମାରୀ ପାଇଁ ସାରା ବିଶ୍ବ ମାନ୍ଦାବସ୍ଥା ଦେଇ ଗତି କରୁଥିଲା। ଏଥିଯୋଗୁଁ ଭାରତରେ ମଧ୍ୟ ଦୀର୍ଘଦିନ ଧରି ଅର୍ଥନୈତିକ ସଙ୍କଟ ଲାଗି ରହିଥିଲା। ଏହାସତ୍ତ୍ବେ ଭାରତ ବିଦେଶୀ ନିବେଶକଙ୍କ ଏକ ପସନ୍ଦର ସ୍ଥାନ ହୋଇ ରହିଛି। ଦେଶକୁ ବିପୁଳ ପରିମାଣର ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ (ଏଫଡିଆଇ) ଆସିଛି। ମହାମାରୀ ସମୟରେ ଦେଶକୁ ୨୨ ବିଲିଅନ ଡଲାରର ଏଫଡିଆଇ ଆସିଥିବା ସରକାରୀ ରିପୋର୍ଟରୁ ଜଣାପଡ଼ିଛି। ବିଶ୍ବରେ କୋହଳ ଏଫଡିଆଇ ନୀତି ଆପଣାଇ ଥିବା ଦେଶମାନଙ୍କ ମଧ୍ୟରେ ଭାରତ ଅନ୍ୟତମ। ବିଶ୍ବ ନିବେଶ ରିପୋର୍ଟ ଅନୁଯାୟୀ, ୨୦୨୧ରେ ଭାରତକୁ ୪୫୦୦ କୋଟି ଡଲାରର ଏଫ୍ଡିଆଇ ଆସିଛି। ଯାହା ୨୦୨୦ରେ ଆସିଥିବା ୬୪୦୦ କୋଟି ଡଲାର ଏଫ୍ଡିଆଇ ତୁଳନାରେ କମ୍। ଏଫ୍ଡିଆଇ ରାଙ୍କିଙ୍ଗ୍ରେ ୩୬,୭୦୦ କୋଟି ଡଲାର ସହ ଆମେରିକା ଏକ ନମ୍ବରରେ ଥିବା ବେଳେ ୧୮,୧୦୦ କୋଟି ଡଲାର ସହ ଚୀନ୍ ଦ୍ବିତୀୟ ଓ ୧୪,୧୦୦ କୋଟି ଡଲାର ଏଫ୍ଡିଆଇ ସହ ହଂକଂ ତୃତୀୟ ସ୍ଥାନରେ ରହିଛି।
ସିଙ୍ଗାପୁରରୁ ଆସିଛି ସର୍ବାଧିକ ଏଫ୍ଡିଆଇ
ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ (ଏଫ୍ଡିଆଇ) ଆକୃଷ୍ଟ କ୍ଷେତ୍ରରେ ଭାରତର ପ୍ରଦର୍ଶନ ଭଲ ରହିଛି। ବାଣିଜ୍ୟ ମନ୍ତ୍ରାଳୟ ରିପୋର୍ଟ ଅନୁସାରେ, ଭାରତକୁ ସିଙ୍ଗାପୁରରୁ ସର୍ବାଧିକ ବା ୨୭.୦୧ ପ୍ରତିଶତ ଏଫ୍ଡିଆଇ ଆସିଛି। ଏହା ପଛକୁ ଯଥାକ୍ରମେ ଆମେରିକା (୧୭.୯୪ ପ୍ରତିଶତ), ମରିସସ୍ (୧୫.୯୮ ପ୍ରତିଶତ), ନେଦରଲାଣ୍ଡ (୭.୮୬ ପ୍ରତିଶତ) ଏବଂ ସ୍ବିଜରଲାଣ୍ଡ (୭.୩୧ ପ୍ରତିଶତ) ଯଥାକ୍ରମେ ଦ୍ବିତୀୟରୁ ପଞ୍ଚମ ସ୍ଥାନରେ ରହିଛନ୍ତି। ପୂର୍ବ ବର୍ଷ ତୁଳନାରେ ଅଧିକ ୭୬ ପ୍ରତିଶତ ଏଫ୍ଡିଆଇ ଭାରତକୁ ଏ କ୍ଷେତ୍ରରେ ଆସିଛି। କିନ୍ତୁ ଭାରତକୁ ସର୍ବାଧିକ ଏଫ୍ଡିଆଇ କମ୍ପ୍ୟୁଟର ସଫ୍ଟୱେର ଓ ହାର୍ଡୱେର କ୍ଷେତ୍ରକୁ (୨୪.୬୦ ପ୍ରତିଶତ) ଆସିଛି। ଏହା ପଛକୁ ସେବା କ୍ଷେତ୍ର (୧୨.୧୩ ପ୍ରତିଶତ) ଦ୍ବତୀୟ ଏବଂ ଅଟୋମୋବାଇଲ ଶିଳ୍ପ (୧୧.୮୯ ପ୍ରତିଶତ) ତୃତୀୟ ସ୍ଥାନରେ ରହିଛି।
Email id : serveforthenation@gmail.com