• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଯଦି ଆପଣ ବ୍ୟବସାୟ ଆରମ୍ଭ କରିବାକୁ ଯୋଜନା କରୁଛନ୍ତି କିନ୍ତୁ କିଛି ଉପାୟ ପାଉ ନାହାନ୍ତି ତେବେ ଏହି ଖବରଟିକୁ ସମ୍ପୂର୍ଣ୍ଣ ରୁପେ ପଢ଼ନ୍ତୁ । ଆମେ ଆପଣଙ୍କୁ ଏମିତି ଏକ ବ୍ୟବସାୟ କହିବୁ ଯେଉଁଥିରେ ନିବେଶ କମ୍ ଲାଭ ଅଧିକ । ଅଳ୍ପ ନିବେଶରେ ବି ଆପଣ ଆରମ୍ଭ କରିପାରିବେ ବ୍ୟବସାୟ ।

ଏକ କାର୍ଟନ୍ ବକ୍ସ ବ୍ୟବସାୟ ଆରମ୍ଭ କରି ଆପଣ ନିଜର ସ୍ୱପ୍ନକୁ ପୂରା କରିପାରିବେ । ଗତ କିଛି ବର୍ଷ ମଧ୍ୟରେ, ସମଗ୍ର ଦେଶରେ ଅନଲାଇନ୍ ସପିଙ୍ଗର ଧାରା ବୃଦ୍ଧି ପାଇଛି । ଛୋଟ ଛୋଟ ଜିନିଷର ଅନ୍ଲାଇନ୍ ବିତରଣ ହେତୁ ଦେଶରେ କାର୍ଟୁନ୍‌ର ବ୍ୟବହାର ମଧ୍ୟ ଯଥେଷ୍ଟ ବୃଦ୍ଧି ପାଇଛି । କାର୍ଟୁନ୍‌ର ଚାହିଦା ବୃଦ୍ଧି ହେତୁ ଏହି ବ୍ୟବସାୟ ସହିତ ଜଡିତ ଲୋକମାନେ ମଧ୍ୟ ଖୁବ୍‌ ଲାଭବାନ୍‌ ହେଉଛନ୍ତି । ଏପରି ପରିସ୍ଥିତିରେ, ଏହି ବ୍ୟବସାୟ ଆପଣଙ୍କ ପାଇଁ ଲାଭଦାୟକ ପ୍ରମାଣିତ ହୋଇପାରେ ।

ମାର୍କେଟ୍‌ରେ କାର୍ଟୁନ୍‌ର ଖୁବ୍‌ ଡିମାଣ୍ଡ

ବଜାରରେ କାର୍ଟୁନ୍ ପ୍ୟାକେଜିଂର ଚାହିଦା ଯେଉଁଭଳି ଭାବେ ଦ୍ରୁତ ଗତିରେ ବଢ଼ି ଚାଲିଛି, ତାକୁ ଦେଖି କହିହେବ ଯେ ଏହି ବ୍ୟବସାୟରେ କ୍ଷତି ହେବାର ସମ୍ଭାବନା ଖୁବ୍ କମ୍ । ଯଦି ଆପଣ କଠିନ ପରିଶ୍ରମ, ଉତ୍ସର୍ଗୀକୃତ ମନୋଭାବ ସହିତ ଭଲ ମାର୍କେଟିଂ କୌଶଳ ଆପଣାଇ ବ୍ୟବସାୟ ଆରମ୍ଭ କରନ୍ତି, ତେବେ କ୍ଷତିର ସମ୍ଭାବନା ରହିବ ନାହିଁ କହିଲେ ଚଳେ । ଏହି ବ୍ୟବସାୟ ଆପଣଙ୍କ ପାଇଁ ଖୁବ୍‌ ଲାଭଦାୟକ ସାବ୍ୟସ୍ତ ହୋଇପାରେ । ଯଦି ଦେଖାଯାଏ, ଛୋଟ ଛୋଟ ଇଲେକ୍ଟ୍ରୋନିକ୍ ଆଇଟମ୍, ଉପହାର, ମୋବାଇଲ୍, ଟିଭି, ଜୋତା କିମ୍ବା ଅନ୍ୟ ଯେକୌଣସି ଉତ୍ପାଦ ହେଉ, ମୁଖ୍ୟତଃ କାର୍ଟୁନ୍‌ ବାକ୍ସଗୁଡ଼ିକରେ ହିଁ ପ୍ୟାକେଜିଂ କରାଯାଏ ।

ଭାରତରେ ଅନଲାଇନ୍ ସପିଂ ଯେତିକି ମାତ୍ରାରେ ବିସ୍ତାର ହେବାରେ ଲାଗିଛି, ସେହି ଅନୁସାରେ ଏହି କାର୍ଟୁନ୍‌ର ଚାହିଦା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ବିଭିନ୍ନ ସଂସ୍ଥାମାନେ କାର୍ଟୁନ୍‌ ତିଆରି କରୁଥିବା ଲୋକଙ୍କୁ ନିଜର ଆବଶ୍ୟକ ଅନୁଯାୟୀ ଅର୍ଡର ଦେଉଛନ୍ତି । ଆଉ ଅର୍ଡର ପାଇ ଠିକ୍‌ ସେହିଭଳି ବିଭିନ୍ନ ଆକୃତିର କାର୍ଟୁନ୍‌ ମଧ୍ୟ ପ୍ରସ୍ତୁତ ହେଉଛି । ଆଉ ବଜାରକୁ ଛଡ଼ାଯାଉଛି । 

ସର୍ଟ ଟର୍ମ କୋର୍ସ ମଧ୍ୟ ଉପଲବ୍ଧ

ଯେକୌଣସି ବି ବ୍ୟବସାୟ ଆରମ୍ଭ କରିବା ପୂର୍ବରୁ, ଏହାର ବଜାର ଅନୁସନ୍ଧାନ ଏବଂ ଏହାର ପ୍ରତ୍ୟେକ ବିବରଣୀ ବିଷୟରେ ଜାଣିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ତେଣୁ ଏହି କାର୍ଟୁନ୍ ବ୍ୟବସାୟ ଆରମ୍ଭ କରିବା ପୂର୍ବରୁ ମଧ୍ୟ ଏହା ସହିତ ଜଡିତ ସମସ୍ତ ସୂଚନା ଆପଣଙ୍କ ପାଖରେ ରହିଥିବା ଆବଶ୍ୟକ । ଏହାର ଉତ୍ପାଦଠାରୁ ମାର୍କେଟିଂ ପର୍ଯ୍ୟନ୍ତ ସମସ୍ତ ଦିଗ ଉପରେ ଆପଣଙ୍କର ସମ୍ପୂର୍ଣ୍ଣ ଜ୍ଞାନ ରହିବା ଜରୁରୀ । ଯାହାଫଳରେ ଆପଣଙ୍କ ବ୍ୟବସାୟ ସହଜରେ ଆଗକୁ ବଢ଼ିପାରିବ । ଏଥିପାଇଁ କିଛି ଅନୁଷ୍ଠାନ ରହିଛି, ଯେଉଁମାନେ ସ୍ୱଳ୍ପ ମିଆଦି ପାଠ୍ୟକ୍ରମ ପ୍ରଦାନ କରିଥାନ୍ତି । ୩-୬-୧୨ ମାସ ମଧ୍ୟରେ ଏହି କୋର୍ସ ଶେଷ ହୋଇଥାଏ । ଏହି ପାଠ୍ୟକ୍ରମଗୁଡିକ ବ୍ୟବସାୟର ପ୍ରତ୍ୟେକ ବିବରଣୀ ପ୍ରଦାନ କରିବାରେ ସହାୟକ ହୋଇପାରେ ।

ଫ୍ୟାକ୍ଟ୍ରି ଆରମ୍ଭ କରିବା ପୂର୍ବରୁ କ’ଣ କରିବାକୁ ହେବ

ଏକ କାର୍ଟୁନ୍ ବକ୍ସ ବ୍ୟବସାୟ ଆରମ୍ଭ କରିବାକୁ, ଆପଣଙ୍କୁ ପ୍ରାୟ ୫୫୦୦ ବର୍ଗଫୁଟ ସ୍ଥାନ ଆବଶ୍ୟକ ହେବ । ଯାହା ଉପରେ କାରଖାନା ଆରମ୍ଭ ହେବ । ଏହାକୁ ଆରମ୍ଭ କରିବା ପୂର୍ବରୁ, ଆପଣ MSME ପଞ୍ଜୀକରଣ କିମ୍ବା ଉଦ୍ୟୋଗ ଆଧାର ପଞ୍ଜିକରଣ କରିପାରିବେ । ଏହା କରିବା ଦ୍ୱାରା ଆପଣ ସରକାରଙ୍କ ଦ୍ୱାରା ଦିଆଯାଇଥିବା ସବ୍‌ସିଡି ମଧ୍ୟ ସହଜରେ ପାଇପାରିବେ । ଏଗୁଡିକ ବ୍ୟତୀତ, ଆପଣଙ୍କୁ କାରଖାନା ଲାଇସେନ୍ସ, ପ୍ରଦୂଷଣ ପ୍ରମାଣପତ୍ର ଏବଂ ଜିଏସ୍‌ଟି ପଞ୍ଜିକରଣ ଆବଶ୍ୟକ ହୋଇପାରେ ।

ଫ୍ୟାକ୍ଟ୍ରି ଆରମ୍ଭ ପାଇଁ ଏତିକି ଟଙ୍କା ଖର୍ଚ୍ଚ ହୋଇପାରେ

ନିଜ ଜମିରେ କାରଖାନା ଆରମ୍ଭ କରିବାକୁ ହେଲେ, ଆପଣଙ୍କୁ କାର୍ଟୁନ୍ ତିଆରି ପାଇଁ କଞ୍ଚାମାଲ ସହ ଏହାକୁ ପ୍ରସ୍ତୁତ କରୁଥିବା ମେସିନ୍ ପାଇଁ ଖର୍ଚ୍ଚ କରିବାକୁ ପଡିବ । ସାଧାରଣତଃ ଏହି କାମ ସହିତ ଜଡିତ ସେମି-ଅଟୋମେଟିକ୍ ମେସିନ୍ କିଣିବା ପାଇଁ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହୋଇପାରେ । ଅନ୍ୟପଟେ ସମ୍ପୂର୍ଣ୍ଣ-ସ୍ୱୟଂଚାଳିତ ମେସିନ୍ ପାଇଁ ଆପଣଙ୍କର ବଜେଟ୍ ବଢ଼ିପାରେ ।

କାର୍ଟୁନ୍‌ ତିଆରି କରିବା ପାଇଁ କଞ୍ଚାମାଲ ଭାବେ ମୁଖ୍ୟତଃ କ୍ରାଫ୍ଟ ପେପର ବ୍ୟବହାର ହୋଇଥାଏ । ଆପଣ ଯେତେ ଭଲ କ୍ୱାଲିଟି କ୍ରାଫ୍ଟ ପେପର ବ୍ୟବହାର କରିବେ ସେତେ ଭଲ କାର୍ଟୁନ୍‌ ଉତ୍ପାଦନ କରିପାରିବେ । ଏହା ବ୍ୟତୀତ ଆପଣଙ୍କୁ ହଳଦିଆ ଷ୍ଟ୍ରବୋର୍ଡ, ଗ୍ଲୁ ଏବଂ ସିଲେଇ ସୂତା ଆବଶ୍ୟକ ।

ମାସକୁ ୫-୮ ଲକ୍ଷ ରୋଜଗାର

କାର୍ଟନ୍ ବ୍ୟବସାୟ ଆରମ୍ଭ କରିବା ପାଇଁ ଯେଉଁ ସବୁ ଖର୍ଚ୍ଚ ହୋଇଥାଏ, ସେଥିମଧ୍ୟରୁ ସବୁଠାରୁ ବଡ଼ ଖର୍ଚ୍ଚ ହେଉଛି ଏହାକୁ ପ୍ରସ୍ତୁତ କରିବା ପାଇଁ ବ୍ୟବହୃତ ଭିନ୍ନ ଭିନ୍ନ ମେସିନ୍ । ଏଥିପାଇଁ ଆପଣଙ୍କୁ ସିଙ୍ଗଲ୍ ଫେସ୍ ପେପର କ୍ୟୁରେଗେସନ୍ ମେସିନ୍, ରିଲ୍ ଷ୍ଟାଣ୍ଡ ଲାଇଟ୍ ମଡେଲ୍ ସହିତ ବୋର୍ଡ କଟର, ସିଟ୍ ପେଷ୍ଟିଂ ମେସିନ୍, ସିଟ୍ ପ୍ରେସ୍ ମେସିନ୍, ଏକ୍ସେଣ୍ଟ୍ରିକ୍ ସ୍ଲଟ୍ ଭଳି ମେସିନ୍ ଆବଶ୍ୟକ । ଆପଣ ଯେକୌଣସି B2B ୱେବସାଇଟ୍‌ରୁ ସହଜରେ ଏହି ମେସିନ୍ କ୍ରୟ କରିପାରିବେ ।

ରୋଜଗାର ବିଷୟରେ କହିବାକୁ ଗଲେ, ଏହି ବ୍ୟବସାୟରେ ପ୍ରଫିଟ୍ ମାର୍ଜିନ ବହୁତ ଭଲ । ଅନ୍ୟପକ୍ଷରେ, ଚାହିଦାକୁ ଦେଖିଲେ ଏହା ମଧ୍ୟ ବୃଦ୍ଧି ହେବା ସୁନିଶ୍ଚିତ । ଯଦି ଆପଣ ଭଲ କ୍ଲାଏଣ୍ଟମାନଙ୍କ ସହିତ ଚୁକ୍ତି କରନ୍ତି, ତେବେ ଆପଣ ସହଜରେ ପ୍ରତି ମାସରେ ପାଞ୍ଚରୁ ଛଅ ଲକ୍ଷ ଟଙ୍କା ରୋଜଗାର କରିପାରିବେ ।