• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ମୁଣ୍ଡ ଉପରେ ସାଧାରଣ ନିର୍ବାଚନ । ଏଇ ବେଳାରେ ବିକଶିତ ଭାରତର ଲକ୍ଷ୍ୟ ନେଇ ଅନ୍ତରୀଣ ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତରମଣ । ଯେଉଁଥିରେ ଗରିବ, ମହିଳା, ଯୁବକ ଓ ଅନ୍ନଦାତା ବା ଚାଷୀକୁ ପ୍ରାଧାନ୍ୟ ଦେଇ ଆୟବ୍ୟୟ ଅଟକଳ କରିଛନ୍ତି ।

ମହିଳାଙ୍କୁ ପ୍ରାଧାନ୍ୟ ଦେଇ ଲକ୍ଷପତି ଦିଦି ଟାର୍ଗେଟ୍ ୩ କୋଟିକୁ ବଢ଼ା ଯାଇଥିବା ବେଳେ, ମଧ୍ୟବିତ୍ତଙ୍କ ପାଇଁ ନୂଆ ଘର ନିର୍ମାଣ ଯୋଜନା ଆସିବ ବୋଲି ଘୋଷଣା କରିଛନ୍ତି ସୀତାରମଣ । ତେଣେ ପ୍ରତିକ୍ରିୟାରେ ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ବଜେଟ୍ ୨୦୪୭ରେ ବିକଶିତ ଭାରତ ଲକ୍ଷ୍ୟକୁ ମଜଭୁତ୍ କରିବ ।

୨୦୪୭ ସୁଦ୍ଧା ବିକଶିତ ଭାରତର ଲକ୍ଷ୍ୟ- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏହି ସନ୍ଦେଶକୁ ଧରି ଆଜି ସଂସଦରେ ମଧ୍ୟବର୍ତ୍ତୀକାଳୀନ ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଯଦିଓ ନିର୍ମଳାଙ୍କ ବଜେଟ୍ ପେଡ଼ିରେ ସେଭଳି କୌଣସି ବଡ଼ ଘୋଷଣା ନଥିଲା, ତଥାପି ଗରିବ କଲ୍ୟାଣ ହିଁ ଦେଶର କଲ୍ୟାଣ ବୋଲି ଅଭିହିତ କରି କହିଥିଲେ । ସରକାରଙ୍କ ଫୋକସରେ ଗରିବ, ଯୁବକ, ଅନ୍ନଦାତା ଓ ମହିଳା ରହିଛନ୍ତି ।

୨୫ କୋଟି ଲୋକଙ୍କୁ ଗରିବୀରୁ ମୁକ୍ତି ଦିଆଯାଇଛି । ମୋଦି ସରକାରଙ୍କ ଲକ୍ଷପତି ଦିଦି ଟାର୍ଗେଟ୍ ୨ କୋଟିରୁ ବଢ଼ାଇ ୩ କୋଟି କରାଯାଇଛି । ଏହି ଯୋଜନାରେ SHG ସଦସ୍ୟାମାନେ ବର୍ଷକୁ ଯେଭଳି ଅତି କମରେ ୧ ଲକ୍ଷ ଟଙ୍କା ଆୟ କରିବେ ଲକ୍ଷ୍ୟ ରଖାଯାଇଛି । ସେହିପରି ସବୁ ଆଶା ଓ ଅଙ୍ଗନବାଡ଼ି କର୍ମୀଙ୍କୁ ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ କରାଯିବ ।

ତାସହିତ ୯ରୁ ୧୪ ବର୍ଷର ବାଳିକାଙ୍କୁ ସର୍ଭାଇକାଲ କ୍ୟାନସର ଟିକା ଦିଆଯିବ । ବଜେଟ୍ ଭାଷଣରେ ମଧ୍ୟବିତ୍ତଙ୍କ ପାଇଁ ନୂଆ ଘର ନିର୍ମାଣ ଯୋଜନା ସମ୍ପର୍କରେ ସୂଚନା ଦେଇଛନ୍ତି ସୀତାରମଣ । ଏହି ନୂଆ ଯୋଜନାରେ ଭଡ଼ାଟିଆ, ବସ୍ତି ବାସିନ୍ଦା ଓ ଗରିବ ଶ୍ରେଣୀଙ୍କ ପାଇଁ ଘର କ୍ରୟ କିମ୍ବା ନିର୍ମାଣ ପାଇଁ ବ୍ୟବସ୍ଥା ରହିବ । ସେହିପରି ପ୍ରଧାନମନ୍ତ୍ରୀ ଆବାସ- ଗ୍ରାମୀଣ ଯୋଜନାରେ ଆଗାମୀ ୫ ବର୍ଷରେ ଆଉ ୨ କୋଟି ପକ୍କା ଘର ଯୋଗାଇ ଦିଆଯିବ ।

ତାସହ ପିଏମ୍ କୃଷକ ସମ୍ମାନ ନିଧି ସ୍କିମରେ ୧୧. ୮ କୋଟି ଚାଷୀଙ୍କୁ ଲାଭ ମିଳୁଥିବା କହିଥିଲେ ଅର୍ଥମନ୍ତ୍ରୀ । ଜାତୀୟ ଶିକ୍ଷା ନୀତି ଜରିଆରେ ୭ଟି ଆଇଆଇଟି, ୧୬ଟି ଟ୍ରିପଲ ଆଇଟି, ୭ଟି ଆଇଆଇଏମ୍ ସହ ୧୩ଟି ଏମ୍ସ ଓ ୩୯୦ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯାଇଥିବା ସୂଚନା ଦେଇଛନ୍ତି ସୀତାରମଣ ।

ସେପଟେ ବଜେଟ ୨୦୨୪କୁ ଭବିଷ୍ୟତ ଦେଶ ନିର୍ମାଣର ବଜେଟ୍ ବୋଲି ଦର୍ଶାଇବା ସହ ୨୦୪୭ ରେ ବିକଶିତ ଭାରତ ଲକ୍ଷ୍ୟକୁ ମଜବୁତ କରିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ବଜେଟରେ ଭିତ୍ତିଭୂମି ବ୍ୟୟବରାଦ୧୧.୧ ପ୍ରତିଶତ ବଢ଼ାଇ, ୧୧ ଲକ୍ଷ ୧୧ ହଜାର ୧୧୧ କୋଟି ଟଙ୍କା ରଖାଯାଇଛି । ଯାହାକି ଜିଡିପିର ୩.୪ ପ୍ରତିଶତ ।

କାମଚଳା ବଜେଟରେ ଗବେଷଣା ଓ ଅଭିନବୀକରଣ ପାଇଁ ୧ ଲକ୍ଷ କୋଟିର ପାଣ୍ଠି ରଖାଯିବା ପାଇଁ ପ୍ରସ୍ତାବ ଦିଆଯାଇଛି । ଏହି ବଜେଟକୁ ଯୁବ ଭାରତର ଯୁବ ଆକାଂକ୍ଷାର ପ୍ରତିବିମ୍ବ ଭାବେ ଦର୍ଶାଇଛନ୍ତି ପ୍ରଧାନମନ୍ତ୍ରୀ ।