• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sonali Ojha

ଆସନ୍ତାକାଲି ସଂସଦରେ ଉପସ୍ଥାପିତ ହେବ କାମଚଳା ବଜେଟ୍। ଆଗକୁ ନିର୍ବାଚନ ଆସୁଥିବାରୁ ଏବେଠୁ ବଜେଟ ଉପରେ ସାଧାରଣ ଲୋକଙ୍କଠୁ ଆରମ୍ଭ କରି ଅର୍ଥନୀତିଜ୍ଞଙ୍କର ନଜର ରହିଛି । କିନ୍ତୁ ବଜେଟ ବିଷୟରେ ଏପରି କିଛି ରୋଚକ କଥା ଅଛି ଯାହା ଆପଣ ଜାଣି ନଥିବେ । ତେବେ ଏହି ରୋଚକ ତଥ୍ୟକୁ ସମସ୍ତେ ଜାଣିବା ଉଚିତ।

୧. ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ହେଉଛନ୍ତି ପ୍ରଥମ ମହିଳା ଯିଏକି ୧୯୭୦-୭୧ମସିହାରେ ଭାରତର କେନ୍ଦ୍ରୀୟ ବଜେଟ୍ ଉପସ୍ଥାପନ କରିଥିଲେ। ତତ୍କାଳୀନ ଅର୍ଥମନ୍ତ୍ରୀ ମୋରାଜୀ ଦେଶାଇଙ୍କ ଇସ୍ତଫା ପରେ ଏହି ଦାୟିତ୍ୱ ଗ୍ରହଣ କରିଥିଲେ। ଇନ୍ଦିରା ଗାନ୍ଧୀ ମଧ୍ୟ ଭାରତର ପ୍ରଥମ ମହିଳା ଅର୍ଥମନ୍ତ୍ରୀ ଥିଲେ। ମାତ୍ର ଖୁବ କମଦିନ ପାଇଁ ସେ ଏହି ପଦବୀରେ ରହିଥିଲେ।

ଅଧିକ ପଢ଼ନ୍ତୁ: ବଦଳିବ ନିୟମ, ବଜେଟ ପୂର୍ବରୁ ଏହି ୬ଟି ପରିବର୍ତ୍ତନ

୨. ନିର୍ମଳା ସୀତାରମଣ ହେଉଛନ୍ତି ଭାରତର ପ୍ରଥମ ପୂର୍ଣ୍ଣକାଳୀନ ମହିଳା ଅର୍ଥମନ୍ତ୍ରୀ। ବଜେଟ ଉପସ୍ଥାପନ କରିବାରେ ନିର୍ମଳା ସୀତାରମଣ ହେଉଛନ୍ତି ଦ୍ବିତୀୟ ମହିଳା ଅର୍ଥମନ୍ତ୍ରୀ ।

୩. ଇଷ୍ଟ ଇଣ୍ଡିଆ କମ୍ପାନୀର ଅର୍ଥନୀତିଜ୍ଞ ଜେମ୍ସ ୱିଲସନଙ୍କ ଦ୍ୱାରା ୭ଏପ୍ରିଲ ୧୮୬୦ରେ ପ୍ରଥମ ଭାରତୀୟ ବଜେଟ୍ ଉପସ୍ଥାପିତ ହୋଇଥିଲା।

୪. ନଭେମ୍ବର ୨୬ ୧୯୪୭ରେ ଆର.କେ ଶାନମୁଖମ୍ ଚେଟି ସ୍ୱାଧୀନ ଭାରତର ପ୍ରଥମ ବଜେଟ୍ ଉପସ୍ଥାପନ କରିଥିଲେ।

୫. ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୦ରେ ଦୀର୍ଘତମ ବଜେଟ୍ ଭାଷଣ ପାଇଁ ରେକର୍ଡ ଧରିଛନ୍ତି, ଯାହାକି ୨ଘଣ୍ଟା ୪୨ମିନିଟ୍ ଧରି ଚାଲିଥିଲା ।

୬. ମନମୋହନ ସିଂହ ୧୯୯୧-୯୨ରେ ଯେଉଁ ବଜେଟ୍ ଉପସ୍ଥାପନ କରିଥିଲେ ସେଥିରେ ମୋଟ ୧୮ହଜାର ୬୫୦ଟି ଶବ୍ଦ ଥିଲା।

୭. ୧୯୭୭ ମସିହାରେ ଅର୍ଥମନ୍ତ୍ରୀ ହିରୁଭାଇ ମୁଲଜୀଭାଇ ପଟେଲ କେବଳ ୮୦୦ଟି ଶବ୍ଦରେ ସବୁଠାରୁ କମ୍ ସମୟରେ ବଜେଟ୍ ଭାଷଣ ଦେଇଥିଲେ ।

୮. ମୋରାଜୀ ଦେଶାଇ ସର୍ବାଧିକ ସଂଖ୍ୟକ ବଜେଟ୍ ଉପସ୍ଥାପନ କରିବାର ରେକର୍ଡ କରିଛନ୍ତି। ୧୯୬୨-୬୯ମଧ୍ୟରେ ମୋଟ ୧୦ଟି ବଜେଟ ଉପସ୍ଥାପନ କରିଥିଲେ। ସେଥିମଧ୍ୟରୁ ୮ଟି ପୂର୍ଣ୍ଣ ବଜେଟ୍ ଏବଂ ଦୁଇଟି ମଧ୍ୟବର୍ତ୍ତୀକାଳୀନ ବଜେଟ୍ ଥିଲା।

୯. ୧୯୯୯ରେ ଅର୍ଥମନ୍ତ୍ରୀ ଯଶବନ୍ତ ସିହ୍ନା ବଜେଟ୍ ଉପସ୍ଥାପନ କରିବାର ସମୟ ପରିବର୍ତ୍ତନ କରିଥିଲେ। ସେ ପୂର୍ବାହ୍ନ ୧୧ଟାରେ ବଜେଟ ଉପସ୍ଥାପନ କରିବା ପରମ୍ପରା ଆରମ୍ଭ କରିଥିଲେ । ପୂର୍ବରୁ ଅପରାହ୍ନ ୫ଟାରେ ବଜେଟ ଉପସ୍ଥାପନ କରାଯାଉଥିଲା।

୧୦. ୨୦୧୭ଫେବୃଆରୀରେ ଅରୁଣ ଜେଟଲୀ ବଜେଟ୍ ଉପସ୍ଥାପନା ତାରିଖକୁ ଫେବୃଆରୀ ୧କୁ ପରିବର୍ତ୍ତିତ କରିଛନ୍ତି।

୧୧. ୧୯୫୫ ମସିହା ଯାଏ ଇଂରାଜୀ ଭାଷାରେ ବଜେଟ ଉପସ୍ଥାପନ କରାଯାଉଥିଲା। ଏହା ପରେ ସରକାର ଇଂରାଜୀ ଏବଂ ହିନ୍ଦୀ ଭାଷାରେ ବଜେଟ ଉପସ୍ଥାପନ କରିବପାଇଁ ନିଷ୍ପତ୍ତି ନେଇଥିଲେ ।

୧୨. ଇଂରେଜମାନେ ୧୯୨୪ ମସିହାରେ ବଜେଟ ସହ ରେଳ ବଜେଟ ଆଣିବା ଆରମ୍ଭ କରିଥିଲେ । ରେଳ ବଜେଟ ଏବଂ କେନ୍ଦ୍ରୀୟ ବଜେଟକୁ ୨୦୧୬ ଯାଏ ଅଲଗା ଅଲଗା ଉପସ୍ଥାପନ କରାଯାଇଥିଲା । ପୃଥକ ଭାବେ ଉପସ୍ଥାପିତ ହେଉଥିବା ରେଳ ବଜେଟ ୨୦୧୭ରେ କେନ୍ଦ୍ରୀୟ ବଜେଟରେ ମିଶ୍ରଣ କରାଯାଇଥିଲା।

ତେବେ ସ୍ବାଧୀନତା ପରଠୁ ଆଜି ଯାଏ ମୋଟ ୭୫ ଥର ବଜେଟ ଉପସ୍ଥାପନ କରାଯାଇ ସାରିଛି । ଏହା ସହ ୧୪ଟି ଅନ୍ତରୀଣ ବଜେଟ, ୪ଟି ସ୍ବତନ୍ତ୍ର ବଜେଟ ବା ମିନି ବଜେଟ ଉପସ୍ଥାପିତ ହୋଇସାରିଛି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁ, ଇନ୍ଦିରା ଗାନ୍ଧୀ ଏବଂ ରାଜୀବ ଗାନ୍ଧୀ ପ୍ରଧାନମନ୍ତ୍ରୀ ଭାବେ ବଜେଟ ଉପସ୍ଥାପନ କରିଥିଲେ ।