Advertisment

ନୂଆ ଆୟକର ବ୍ୟବସ୍ଥାରେ ସଂଶୋଧନ, ୫୦ ହଜାରରୁ ୭୫ ହଜାରକୁ ବଢ଼ିଲା ଷ୍ଟାଣ୍ଡାର୍ଡ ଡିଡକ୍ସନ୍

ସୀମା ଶୁଳ୍କ ହ୍ରାସ ପରେ ଶସ୍ତା ସୁନା, ରୁପା, ପ୍ଲାଟିନମ୍, ମୋବାଇଲ ଫୋନ୍ ।

author-image
Satyendu Shekher Mishra
Budget

Budget

ପୁରୁଣା ଅପରିବର୍ତ୍ତିତ, ନୂଆରେ ପରିବର୍ତ୍ତନ । ନ୍ୟୁ ଇନକମ୍ ଟ୍ୟାକ୍ସ ରେଜିମ ପ୍ରତି ଅଧିକରୁ ଅଧିକ ଆୟକରଦାତାଙ୍କୁ ଆକୃଷ୍ଟ କରିବାକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ତାଙ୍କ ବଜେଟ୍ ଭାଷଣରେ ବଡ଼ ଘୋଷଣା କରିଛନ୍ତି। ଅର୍ଥମନ୍ତ୍ରୀ ନୂଆ ଆୟକର ବ୍ୟବସ୍ଥାକୁ ଆପଣାଉଥିବା ବ୍ୟକ୍ତିଙ୍କ ପାଇଁ ଷ୍ଟାଣ୍ଡାର୍ଡ ଡିଡକ୍ସନକୁ ୫୦ ହଜାରରୁ ୭୫ ହଜାର ଟଙ୍କାକୁ ବଢ଼ାଇଛନ୍ତି। ତେବେ ପୁରୁଣା ଆୟକର ବ୍ୟବସ୍ଥା ଅର୍ଥାତ୍ ଓଲ୍ଡ ଇନକମ୍ ଟ୍ୟାକ୍ସ ରେଜିମରେ ଏହା ୫୦ ହଜାର ଟଙ୍କାରେ ଅପରିବର୍ତ୍ତିତ ରହିଛି। ସେହିପରି ପେନସନ୍ ଭୋଗୀ ଆୟକରଦାତାଙ୍କ ପାଇଁ ବି ନୂଆ ବ୍ୟବସ୍ଥାରେ ରିହାତିକୁ ୧୫ ହଜାରରୁ ୨୫ ହଜାର ଟଙ୍କାକୁ ବଢ଼ାଯାଇଛି।

Advertisment

ଏବେ ନଜର ପକାନ୍ତୁ ନ୍ୟୁ ଟ୍ୟାକ୍ସ ରେଜିମରେ ଅନ୍ତର୍ଭୁକ୍ତ ହୋଇଥିବା ଆୟକର ସ୍ଲାବ୍ ଉପରେ। ଏଥିରେ ୩ ଲକ୍ଷ ପର୍ଯ୍ୟନ୍ତ ଆୟକାରୀଙ୍କ ପାଇଁ ଆୟକର ଶୂନ୍ୟ ରହିଛି। ସେହିପରି ୩ ଲକ୍ଷରୁ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ପାଇଁ ଆୟକରକୁ ୫ ପ୍ରତିଶତରେ ସୀମିତ ରଖାଯାଇଥିଲା ବେଳେ ୭ ଲକ୍ଷରୁ ୧୦ ଲକ୍ଷ ପାଇଁ ୧୦ ପ୍ରତିଶତ, ୧୦ ଲକ୍ଷରୁ ୧୨ ଲକ୍ଷ ପାଇଁ ୧୫ ପ୍ରତିଶତ, ୧୨ ଲକ୍ଷରୁ ୧୫ ଲକ୍ଷ ପାଇଁ ୨୦ ପ୍ରତିଶତ ଓ ୧୫ ଲକ୍ଷରୁ ଅଧିକ ଆୟ ପାଇଁ ଆୟକରକୁ ୩୦ ପ୍ରତିଶତ
ରଖାଯାଇଛି ।

ଅପରପକ୍ଷେ ଯେଉଁମାନେ ଏହି କର ବ୍ୟବସ୍ଥାକୁ ଆପଣାଇବେ ସେମାନେ ୧୭ ହଜାର ୫ ଶହ ଟଙ୍କାର ଫାଇଦାରେ ରହିବେ ବୋଲି ସୂଚନା ଦେଇଛନ୍ତି ଅର୍ଥମନ୍ତ୍ରୀ।

Advertisment

ଅର୍ଥମନ୍ତ୍ରୀ ପୁରୁଣା ଆୟକର ବ୍ୟବସ୍ଥାରେ ବିଲକୁଲ୍ ହାତ ମାରି ନଥିଲା ବେଳେ ଆୟକର ଅଧିନୟମ ୧୯୬୧ର ବ୍ୟାପକ ସମୀକ୍ଷାର ଘୋଷଣା କରିଛନ୍ତି। ଯଦ୍ୱାରା ଏହାକୁ ପଢ଼ିବା ଏବଂ ବୁଝିବା ସହଜ ହେବା ସହ ଅନିଶ୍ଚିତତା ଓ ସମ୍ଭାବ୍ୟ ଆଇନଗତ ସମସ୍ୟା ଦୂର ହେବ। ବିଗତ ବର୍ଷଗୁଡ଼ିକରେ ନିଆଯାଇଥିବା ପଦକ୍ଷେପ ଆଧାରରେ ବ୍ୟକ୍ତିଗତ ଇନକମ୍ ଟ୍ୟାକ୍ସ ବ୍ୟବସ୍ଥାର ସରଳୀକରଣ ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇଛନ୍ତି ଅର୍ଥମନ୍ତ୍ରୀ।

ଏଥିସହ ୨୦୨୩-୨୪ ଆର୍ଥିକ ବର୍ଷରେ ଦୁଇ ତୃତୀୟାଂଶ ଆୟକରଦାତା ନୂଆ ଟିକସ ବ୍ୟବସ୍ଥାକୁ ଆପଣାଇଥିବାର ସେ ସୂଚନା ଦେଇଛନ୍ତି। ସେହିପରି ଆଉ ଏକ ବଡ଼ ଘୋଷଣାରେ ନ୍ୟାସନାଲ୍ ପେନସନ୍ ସିଷ୍ଟମ- ଏନପିଏସରେ ନିଯୁକ୍ତିଦାତାଙ୍କ ଭାଗିଦାରୀକୁ ୧୦ ପ୍ରତିଶତରୁ ୧୪ ପ୍ରତିଶତକୁ ବଢ଼ାଇଛନ୍ତି। ଏହା ନ୍ୟୁ ରେଜିମ୍ ଅନ୍ତର୍ଗତ ଉଭୟ ସରକାରୀ ଓ ଘରୋଇ ଉଦ୍ୟୋଗ ପାଇଁ ଲାଗୁହେବ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ।

ବଜେଟ୍‌ରେ ଆୟକର ସ୍ଲାବରେ ବଡ଼ଧରଣର ପରିବର୍ତ୍ତନ ଘୋଷଣା ନୂଆ ଆୟକର ବ୍ୟବସ୍ଥାରେ ହେଲା ସଂଶୋଧନ ୫୦ ହଜାରରୁ ୭୫ ହଜାରକୁ ବଢ଼ିଲା ଷ୍ଟାଣ୍ଡାର୍ଡ ଡିଡକ୍ସନ୍ ସୀମା ଶୁଳ୍କ ହ୍ରାସ ପରେ ଶସ୍ତା ସୁନା, ରୁପା, ପ୍ଲାଟିନମ୍, ମୋବାଇଲ ଫୋନ୍ । 

Nirmala Sitharaman Budget Session Budget
Advertisment
Advertisment