• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ପାଖେଇ ଆସିଲା ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାର ଦିବ୍ୟ ମୁହୂର୍ତ୍ତ । ଆସନ୍ତାକାଲି ୫ଶହ ବର୍ଷ ଅପେକ୍ଷାର ହେବ ଅନ୍ତ । ଅଯୋଧ୍ୟା ଶ୍ରୀରାମ ମନ୍ଦିର ପରିସରରେ ହଜାରେ ଆଠ ଯଜ୍ଞ କୁଣ୍ଡରେ ଚାଲିଛି ବେଦ ଓ ପାରାୟଣ ପାଠ । ଏପଟେ ଦିବ୍ୟ ରୂପ ନେଉଛି ଶ୍ରୀରାମଙ୍କ ଭବ୍ୟ ମନ୍ଦିର । ଫୁଲ ଓ ଆଲୋକମାଳାରେ ଝଲସୁଛି ରାମ ଜନ୍ମଭୂମି ।

ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ୫୪ଟି ଦେଶ ଶହେ ପ୍ରତିନିଧିଙ୍କୁ ପଠାଇବାକୁ ସ୍ପଷ୍ଟ କରିସାରିଛନ୍ତି । ରାମ ନଗରୀକୁ ଛୁଟିଲାଣି ଲକ୍ଷାଧିକ ଶ୍ରଦ୍ଧାଳୁ ଓ ସାଧୁସନ୍ଥଙ୍କ ସୁଅ । ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଖେଇ ଆସିବା ସହ ଉଜ୍ଜଳ ଆଲୋକରେ ଉଦ୍ଭାସିତ ହେଉଛି ଶ୍ରୀରାମ ମନ୍ଦିର । ରାତିରେ ଆଲୋକମାଳାରେ ସଜ୍ଜିତ ମନ୍ଦିର ଅତି କମନୀୟ ଦେଖାଉଛି ।

ସୁଗନ୍ଧ ପୁଷ୍ପରେ ପ୍ରସ୍ଫୁଟିତ ନବନିର୍ମିତ ମନ୍ଦିରର ସୌନ୍ଦର୍ଯ୍ୟ ଆକର୍ଷଣୀୟ, ଅବର୍ଣ୍ଣନୀୟ । ସତେ କି ସ୍ୱର୍ଗପୁରୀ ପାଲଟିଛି ଶ୍ରୀରାମ ଜନ୍ମଭୂମି । ଗଗନ .. ପବନ, ଚାରି ଦିଗ ରାମ ମୟ । ରାମ ନାମରେ କମ୍ପୁଛି ଅଯୋଧ୍ୟା । ଆସନ୍ତାକାଲି ହେବ ପ୍ରାଣ ପ୍ରତିଷ୍ଠା । ୫ଶହ ବର୍ଷ ଅପେକ୍ଷାର ଅନ୍ତ ଘଟାଇ ନିଜ ଆସ୍ଥାନରେ ବିରାଜିବେ ରାମଲାଲା । ସେହି ମୁହୂର୍ତ୍ତକୁ ଥରେ ଭାବିଦେଲେ ହଜିଯାଉଛି ନିଦ, ଉଡିଯାଉଛି ଭୋକ ଶୋଷ ।

ଭବ୍ୟ ମନ୍ଦିରର ରାତିରେ କେମିତି ଝଟକୁଛି ତାହାର କିଛି ଚିତ୍ର ସୋସିଆଲ ମିଡିଆରେ ସେୟାର କରିଛି ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ । କେବଳ ଆଲୋକ ମାଳା କାହିଁକି ଟନ ଟନ ଫୁଲରେ ମନ୍ଦିରକୁ ସଜାଇ ଦିଆଯାଇଛି । ଆଲୋକ ସାଙ୍ଗକୁ ଫୁଲରେ ସାଜସଜ୍ଜା ଦିବ୍ୟ ମନ୍ଦିରକୁ ଆହୁରି ଭବ୍ୟ କରିଛି ।

ଆସନ୍ତାକାଲି ସେହି ଦିବ୍ୟ ମୁହୂର୍ତ୍ତ । ଅଯୋଧ୍ୟାରେ ରାମଲାଲାଙ୍କର ହେବ ପ୍ରାଣ ପ୍ରତିଷ୍ଠା । ଏହି ଉତ୍ସବ ଭାରତ ଇତିହାସରେ ଏକ ଅଭୁଲା ମୁହୂର୍ତ୍ତ ହୋଇ ସବୁଦିନ ପାଇଁ ରହିବ । କାଲି ଦିନ ୧୨ଟା ୧୫ ମିନିଟରୁ ୧୨ଟା ୪୫ ମିନିଟ ଭିତରେ ପ୍ରାଣ ପ୍ରତିଷ୍ଠା ପାଇଁ  ରହିଛି ଶୁଭ ମୁହୂର୍ତ୍ତ । ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାରେ ମୁଖ୍ୟ ଯଜମାନ ହେବେ ।

ଏହି ଦିନ ସକାଳ ଓ ଅପରାହ୍ନରେ ଭକ୍ତ ପାଇଁ ମନ୍ଦିରରେ ଦର୍ଶନ ବ୍ୟବସ୍ଥା କରାଯାଇଛି । ତେବେ ଆସନ୍ତାକାଲି ପାଇଁ ଯେଉଁମାନେ ନିମନ୍ତ୍ରିତ ଅତିଥି ଅଯୋଧ୍ୟା ଯାଉଛନ୍ତି ସେମାନଙ୍କ ପାଇଁ ପ୍ରବେଶ ପଥରେ QR କୋଡ ସ୍କାନ ବ୍ୟବସ୍ଥା କରାଯାଇଛି । କେବଳ ନିମନ୍ତ୍ରଣ ପତ୍ର ଥିଲେ ଜଣେ ଭବ୍ୟ ଉତ୍ସବକୁ ପ୍ରବେଶ କରିପାରିବ ନାହିଁ । ହଜାର ହଜାର ଅତିଥି ଆସୁଥିବାରୁ ଚିହ୍ନଟ କରିବା ଓ ଅଘଟଣ ଆଶଙ୍କାକୁ ଏଡ଼ାଇବା ପାଇଁ ସୁରକ୍ଷା ଦୃଷ୍ଟିରୁ ଏଭଳି ପଦକ୍ଷେପ ନେଇଛି ଶ୍ରୀ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ।

ସେହିପରି ମନ୍ଦିରରେ ହୋଇଥିବା ପଥରର ନିଖୁଣ କାରୁକାର୍ଯ୍ୟ ସାଜସଜ୍ଜା ପରେ ଆହୁରି ଜୀବନ୍ତ ହୋଇଛି । ସେପଟେ ଅଯୋଧ୍ୟାକୁ ଛୁଟିଛି ଭକ୍ତଙ୍କ ସୁଅ । ପୂରା ଅଯୋଧ୍ୟା ରାମ ମୟ ହୋଇଥିବା ବେଳେ ଜୟ ଶ୍ରୀରାମ ଧ୍ୱନୀରେ ପ୍ରକମ୍ପିତ ହେଉଛି ପୁରା ଅଞ୍ଚଳ । ଅନ୍ୟପଟେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ମନ୍ଦିର ପରିସରରେ ଚାଲିଛି ଅନୁଷ୍ଠାନ ।

ହଜାରେ ଆଠ କୁଣ୍ଡରେ ମହାଯଜ୍ଞ ସହ ମନ୍ତ୍ରମୁଗ୍ଧ କରୁଛି ବେଦ ଓ ରାମାୟଣ ପାଠ । ୩୩ କୋଟି ଦେବଦେବୀଙ୍କୁ କରାଯାଉଛି ଆବାହନ । ଅଗ୍ନିକୁ ନବକୁଣ୍ଡରେ ସ୍ଥାପନ ସହ ଜାରି ରହିଛି ଶ୍ରୀରାମ ମହାଯଜ୍ଞ । ଭଗବାନଙ୍କ ଆଗମନ ପାଇଁ ଭାବପ୍ରବଣ ଭକ୍ତ । ପୃଥିବୀର କୋଣ ଅନୁକୋଣରୁ ରାମ ନଗରୀକୁ ଛୁଟି ଆସିଛନ୍ତି ଲକ୍ଷାଧିକ ସାଧୁସନ୍ଥ ଓ ଶ୍ରଦ୍ଧାଳୁ ।

ଫୁଲରେ ସଜେଇ ହୋଇଛି ସମଗ୍ର ଅଯୋଧ୍ୟା ନଗରୀ । ସାହି, ଗଳି ଓ ପ୍ରତି ଛକରେ ଫୁଲରେ ମହକ । ଚାରିଆଡେ ଫୁଲର ବାସ୍ନା ଆଉ ଶ୍ରୀରାମ ଭକ୍ତି । ରାମ ନଗରୀକୁ ଫୁଲମୟ କରିବାକୁ ସାରା ଦେଶରୁ ଆସିଛି ୧୧ ଟନ୍ ଫୁଲ । ଆଗାମୀ ଦିନରେ ମନ୍ଦିରରେ ଲାଗିବ ଆହୁରି ୧୫ ହଜାର ଫୁଲ ।

ଏପଟେ ରାମଲାଲାଙ୍କ ପ୍ରତି ଉପହାରର ସୁଅ ଛୁଟିବାରେ ଲାଗିଛି । ଦରଭଙ୍ଗାର ରାଜ ପରିବାର ରାମଲାଲାଙ୍କ ପାଇଁ ଆଣିଛି ସୁନାର ମୁକୁଟ । ଧନୁ, ତୀର ଓ ପାଦୁକା ବି ଆସିଛି । ସେହିପରି ତାଲା ନିର୍ମାଣ ପାଇଁ ପ୍ରସିଦ୍ଧ ଆଲିଗଡରୁ ଆସିଛି ଦୁନିଆର ସବୁଠୁ ବଡ଼ ତାଲା । ୧୦ ଫୁଟ୍ ଲମ୍ବ ଓ ୬ ଫୁଟ ଓସାରର ଏହି ତାଲାର ଓଜନ ପ୍ରାୟ ୪ଶହ କେଜି । ଚାବିର ଓଜନ ୩୦ କେଜି ହେବ । ଏହାକୁ ତିଆରି କରିବାକୁ ଲାଗିଛି ୬ ମାସରୁ ଅଧିକ ସମୟ ।