• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଲିକ ହେଲା ରାମଲାଲାଙ୍କ ଫଟୋ । ଗତକାଲି ଭାଇରାଲ ହୋଇଥିଲା ପ୍ରଭୁ ଶ୍ରୀରାମଙ୍କ ମୁଖ ମଣ୍ତଳର ଫଟୋ । ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଫଟୋ କେମିତି ଅନଲାଇନରେ ଆସିଲା .. ଏହାକୁ ନେଇ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ଖେଳି ଯାଇଛି । ଅନ୍ୟପଟେ ଫଟୋ ଭାଇରାଲ ପରେ ଅସନ୍ତୋଷ ଝାଡ଼ିଛନ୍ତି ମୁଖ୍ୟ ପୂଜକ ।

ଜାନୁଆରୀ ୨୨ ରେ ହେବ ପ୍ରାଣ ପ୍ରତିଷ୍ଠା । ଏଣୁ ସେହି ଦିନ ହିଁ ପ୍ରଭୁଙ୍କ ଦିବ୍ୟ ମୁଖ ମଣ୍ତଳର ଦର୍ଶନ ମିଳିବା କଥା । କିନ୍ତୁ ଏହା ପୂର୍ବରୁ ହିଁ ଇଣ୍ଟରନେଟରେ ଭାଇରାଲ ହୋଇଯାଇଛି । ଏନେଇ ରାମ ମନ୍ଦିର ମୁଖ୍ୟ ପୁରୋହିତ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।

ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ କହିଛନ୍ତି, ନୂଆ ମୂର୍ତ୍ତି ସ୍ଥାପନ ଜାଗାରେ ହିଁ ପ୍ରାଣ ପ୍ରତିଷ୍ଠାର ରୀତିନୀତି ଚାଲିଛି । ମୂର୍ତ୍ତିର ଶରୀର ବର୍ତ୍ତମାନ ପର୍ଯ୍ୟନ୍ତ କପଡ଼ାରେ ଆଚ୍ଛାଦିତ ଅଛି । କିନ୍ତୁ ଗତକାଲି ମୂର୍ତ୍ତିର ପୂର୍ଣ୍ଣ ଅବୟବ ଭାଇରାଲ ହୋଇଯାଇଛି । ଏହା କଦାପି ଠିକ ନୁହେଁ ।

ପ୍ରାଣ ପ୍ରତିଷ୍ଠା ପୂର୍ବରୁ ନୟନ ଦୃଶ୍ୟମାନ ହୋଇପାରିବ ନାହିଁ । ତେବେ ପ୍ରଭୁଙ୍କର ପୁରା ମୂର୍ତ୍ତିର ରୂପକୁ କିଏ ଭାଇରାଲ କରିଛି, ସେନେଇ ତଦନ୍ତ କରିବାକୁ ଦାବି କରିଛନ୍ତି ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ । ଅନ୍ୟପଟେ ପ୍ରାଣ ପ୍ରତିଷ୍ଠା ସମାରୋହ ପୂର୍ବରୁ ଫଟୋ ଲିକକୁ ନେଇ ଅଧିକାରୀଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଛି । ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ରାମ ଲାଲାଙ୍କ ଫଟୋ ଲିକ୍ କରିଥିବା ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ।

ତେବେ ସୂଚନା ଅନୁସାରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ରାମଲାଲାଙ୍କ ଫଟୋ, ମନ୍ଦିର ନିର୍ମାଣ କାର୍ଯ୍ୟରେ ନିୟୋଜିତ ଅଧିକାରୀଙ୍କ ଦ୍ୱାରା କରାଯାଇଛି ବୋଲି ଆଶଙ୍କା ପ୍ରକାଶ ପାଉଛି । ରାମଲାଲାଙ୍କ ଫଟୋ ଭାଇରାଲ କରିଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଟ୍ରଷ୍ଟ ଦାବି କରିଛି ।

କର୍ଣ୍ଣାଟକର କଳା ପଥରରେ ଖୋଦିତ ରାମଲାଲାଙ୍କ ମୂର୍ତ୍ତିର ଫଟୋ ଗତକାଲି ସୋସିଆଲ ମିଡିଆରେ ଭାଇରାଲ ହୋଇ ଯାଇଛି । ଫଟୋରେ ରାମଙ୍କର ବାଳୁତ ରୂପ ଥିବା ମୂର୍ତ୍ତି ଦେଖାଯାଉଛି । ସ୍ଥପତି ଅରୁଣ ଯୋଗୀରାଜଙ୍କ ଦ୍ୱାରା ଖୋଦିତ ହୋଇଛି ଏହି ୫୧ ଇଞ୍ଚର ପ୍ରତିମା ।

ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାନୁଆରୀ ୨୨ରେ ପ୍ରାଣ ପ୍ରତିଷ୍ଠା କରିବା ପରେ ଜାନୁଆରୀ 23 ରୁ ରାମ ମନ୍ଦିର ସର୍ବସାଧାରଣଙ୍କ ପାଇଁ ଖୋଲାଯିବ ବୋଲି ଆଶା କରାଯାଉଛି ।