• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ସ୍ଥପତି ଅରୁଣ ଯୋଗୀରାଜ .. ରାତାରାତି ପ୍ରସିଦ୍ଧି ପାଇଥିଲେ .. ଯେବେ ତାଙ୍କ ନିର୍ମିତ ମୂର୍ତ୍ତି ରାମ ମନ୍ଦିରରେ ସ୍ଥାନ ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିଲା । କିନ୍ତୁ ଏ ପ୍ରସିଦ୍ଧି ପଛରେ ଯେ ତାଙ୍କୁ କେତେ ଯେ କଷ୍ଟ ସହିବାକୁ ପଡ଼ିଛି, ତାହା ବର୍ତ୍ତମାନ ସାମ୍ନାକୁ ଆସିଛି । କୁହାଯାଏ, କିଛି ପାଇବାକୁ ହେଲେ ବହୁତ କିଛି ହରାଇବାକୁ ପଡ଼ିଥାଏ । ଆଉ ଇୟେ ତ ପ୍ରଭୁ ଶ୍ରୀରାମଙ୍କର ମୂର୍ତ୍ତି ନିର୍ମାଣର କଥା .. ଭକ୍ତ ହୋଇ ପ୍ରଭୁଙ୍କ ସ୍ଥୂଳ ନିର୍ମାଣ କେତେ ଯେ କଷ୍ଟ, ତାହା କେବଳ ଭକ୍ତ ହିଁ କହିପାରେ ।

ଅରୁଣ ଯୋଗୀରାଜ ଯେତେବେଳେ ପ୍ରଭୁଙ୍କର ମୂର୍ତ୍ତି ନିର୍ମାଣ ଆରମ୍ଭ କରିଥିଲେ, ସେତେବେଳେ ସେ ନିଜର ଆଖିରେ କଷ୍ଟ ଅନୁଭବ କରିଥିଲେ । ପ୍ରଭୁଙ୍କର ମୂର୍ତ୍ତିକୁ ସୁନ୍ଦର ଭାବେ ଗଢ଼ି ତୋଳିବା ପାଇଁ ସେ ଅନେକ ରାତି ଧରି ନିର୍ବିଗ୍ନ ଭାବେ ତନ୍ନପ୍ରାୟ ହୋଇ କାମ କରୁଥିଲେ । ସାମାନ୍ୟ ଆଖିରେ ଯନ୍ତ୍ରଣା ତାଙ୍କୁ ପ୍ରଭୁଙ୍କ ମୂର୍ତ୍ତି ନିର୍ମାଣ କରିବାରୁ ଅଟକାଇ ପାରିନଥିଲା । ନିର୍ବିକାର ହୋଇ ସେ ଶ୍ରୀରାମଙ୍କର ମୂର୍ତ୍ତି ନିର୍ମାଣ କାର୍ଯ୍ୟରେ ଲାଗିଥିଲେ ।

ଆଉ ଏହି ପରିଶ୍ରମ ସେବେ ସଫଳ ହେଲା, ଯେବେ ଅରୁଣଙ୍କ ନିର୍ମିତ ମୂର୍ତ୍ତି, ମନ୍ଦିରରେ ସ୍ଥାନ ପାଇବାକୁ ଯୋଗ୍ୟ ବିବେଚିତ ହେଲା । ନିଜର ସଫଳ କାରୁକାର୍ଯ୍ୟ ଭିତରେ ଶ୍ରୀରାମଙ୍କୁ ଦେଖିବାକୁ ପାଇବା ନିଶ୍ଚିତ ଭାବେ ବିରାଟ ବଡ଼ ସୌଭାଗ୍ୟର କଥା । ଦିନ ଦିନ ଧରି, ଶରୀରରେ ଯନ୍ତ୍ରଣା ସତ୍ତ୍ୱେ ସେ କାର୍ଯ୍ୟ କରି ଚାଲିଥିଲେ । ଏନେଇ ଗତକାଲି ତାଙ୍କ ପରିବାର ପକ୍ଷରୁ କୁହାଯାଇଛି ।

ଅରୁଣଙ୍କ ତପସ୍ୟା ସଫଳ ହୋଇଛି । ତାଙ୍କ ନିର୍ମିତ ମୂର୍ତ୍ତି ରାମ ମନ୍ଦିରରେ ସ୍ଥାନ ପାଇବାରୁ ଯୋଗ୍ୟ ବିବେଚିତ ହୋଇଛି । ଏନେଇ ପୁରା ପରିବାରର ଖୁସି କହିଲେ ନସରେ । ଯୋଗୀରାଜଙ୍କ ପତ୍ନୀ ‘ବିଜେତା’ କହିଛନ୍ତି ଯେ, ତାଙ୍କର ଏ ସଫଳତାରେ ସେ ଅତ୍ୟନ୍ତ ଖୁସି । ମୂର୍ତ୍ତି ଗଢ଼ିବା ସମୟରେ ସେ କିପରି ନିଜର ଆଖିରେ ଆଘାତ ପାଇଥିଲେ ସେ ବିଷୟରେ ମଧ୍ୟ କହିଥିଲେ ।

ପତ୍ନୀଙ୍କ କହିବା ହିସାବରେ, ଯେତେବେଳେ ଯୋଗୀରାଜ ମୂର୍ତ୍ତି ଗଢ଼ିବା ଆରମ୍ଭ କଲେ, ସେତେବେଳେ ଏକ ନିର୍ଦ୍ଦିଷ୍ଟ ପ୍ରକାର ପଥରର ଆବଶ୍ୟକତା ପଡ଼ିଲା । ମହୀଶୁରରେ ସେ ପଥର ଉପଲବ୍ଧ ଥିଲା । ପ୍ରବଳ କଠିନ ଥିବା ସେ ପଥରଗୁଡ଼ିକୁ ଭାଙ୍ଗିବା ସମୟରେ ସେଥିରୁ କିଛି ଅରୁଣଙ୍କ ଆଖିରେ ପଡ଼ି ଯାଇଥିଲା । ପରେ ଏହାକୁ ବାହାର କରିବାକୁ ଅପରେସନ କରିବାକୁ ପଡ଼ିଥିଲା ବୋଲି ଅରୁଣଙ୍କ ପତ୍ନୀ କହିଥିଲେ ।

ଏପରି ଯନ୍ତ୍ରଣା ସମୟରେ ମଧ୍ୟ ସେ ପ୍ରଭୁଙ୍କ ମୂର୍ତ୍ତି ନିର୍ମାଣ କାମ ଅଟକାଇ ନଥିଲେ । ଯାହାର ଫଳ ସ୍ୱରୂପ ତାଙ୍କ ନିର୍ମିତ ମୂର୍ତ୍ତ ବର୍ତ୍ତମାନ ପୂଜା ପାଇବାକୁ ଯୋଗ୍ୟ ବିବେଚିତ ହୋଇଛି । ଅରୁଣଙ୍କର ନିଖୁଣ ମୂର୍ତ୍ତି ସମସ୍ତଙ୍କୁ ପ୍ରଭାବିତ କରିଥିଲା । ସେ ଆହୁରି ମଧ୍ୟ କହିଛନ୍ତି ଯେ, ମୂର୍ତ୍ତି ନିର୍ମାଣ ସମୟରେ ସେ ରାତି ରାତି ଧରି ଅନିଦ୍ରା ରହିଥିଲେ । ନିଜର ପରିବାରକୁ ମଧ୍ୟ ସମୟ ଦେଇନଥିଲେ । ପତିପତ୍ନୀଙ୍କ ମଧ୍ୟରେ କଥାବାର୍ତ୍ତା ପ୍ରାୟ ବନ୍ଦ ହୋଇ ଯାଇଥିଲା । ଦିନ ରାତି ଏକ କରି ସେ ନିର୍ବିଗ୍ନ ଚିତ୍ତରେ କେବଳ ମୂର୍ତ୍ତି ନିର୍ମାଣ କାର୍ଯ୍ୟରେ ଲାଗିଥିଲେ ।

ଅନ୍ୟପଟେ ଯୋଗୀରାଜଙ୍କ ଭାଇ ସୂର୍ଯ୍ୟପ୍ରକାଶ କହିଛନ୍ତି ଯେ, ଏହା ପରିବାର ପାଇଁ ସ୍ମରଣୀୟ । ଯୋଗୀରାଜ ଇତିହାସ ସୃଷ୍ଟି କରିଛନ୍ତି ଏବଂ ସେ ଏହା ପାଇବାକୁ ହକଦାର । ତାଙ୍କର କଠିନ ପରିଶ୍ରମ ଏବଂ ନିଷ୍ଠା ହିଁ ତାଙ୍କୁ ଏପରି ଉଚ୍ଚସ୍ତରକୁ ନେଇ ଯାଇଛି । ଯୋଗୀରାଜ ପୂର୍ବରୁ କେଦାରନାଥରେ ରଖାଯାଇଥିବା ଆଦି ଶଙ୍କରାଚାର୍ଯ୍ୟଙ୍କ ମୂର୍ତ୍ତି ଓ ଦିଲ୍ଲୀର ଇଣ୍ଡିଆ ଗେଟ୍ ନିକଟରେ ସ୍ଥାପିତ ସୁଭାଷ ଚନ୍ଦ୍ର ବୋଷଙ୍କ ମୂର୍ତ୍ତି ନିର୍ମାଣ କରିଥିଲେ ।