Advertisment

ଅଯୋଧ୍ୟାରୁ ଓଡ଼ିଶା, ଗେରୁଆମୟ ସାରା ଓଡ଼ିଶା; ସମସ୍ତଙ୍କ ମୁହଁରେ ‘ଜୟ ଶ୍ରୀରାମ’

ଆଜି ଧନ୍ୟ ହୋଇଗଲା ଜୀବନ। ଦିବ୍ୟ ଦର୍ଶନରେ ପୁରି ଉଠୁଛି ମନ ଆଉ ପ୍ରାଣ। ଆଜି କେହି ରୋକିପାରିବେନି ଏହି ଖୁସିର ଲୁହକୁ। ଆଜି କେହି ଅଟକାଇ ପାରିବେନି ଏହି ଭାବ ଆଉ ଆବେଗକୁ।

author-image
Manoranjan Behera
Ayodhya Ram Mandir

Ayodhya Ram Mandir

ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ପ୍ରାଣ ପ୍ରତିଷ୍ଠାକୁ ନେଇ ଉତ୍ସବମୁଖର ଅଯୋଧ୍ୟାରୁ ଓଡ଼ିଶା ଯାଏଁ। ଦୃଶ୍ୟ ସବୁ ଦେଖିଲେ ଲାଗୁଛି, ୫ ଶହ ବର୍ଷ ପରେ ଧରାଧାମକୁ ବାହୁଡ଼ି ଆସିଛନ୍ତି ପୁରୁଷୋତ୍ତମ। ଯେଉଁ ମନ୍ଦିର ପାଇଁ ୯୦ ଦଶକରେ ଯେଭଳି ସଂଘର୍ଷ ଆଉ ସଂଗ୍ରାମ କରିବାକୁ ପଡ଼ିଥିଲା, ଆଜି ପ୍ରାଣ ପ୍ରତିଷ୍ଠାକୁ ଦେଖି ଭାବବିହ୍ୱଳ ଓଡ଼ିଆ ଭକ୍ତପ୍ରାଣ ଏବଂ କରସେବକ।

Advertisment

ଆଜି ଧନ୍ୟ ହୋଇଗଲା ଜୀବନ। ଦିବ୍ୟ ଦର୍ଶନରେ ପୁରି ଉଠୁଛି ମନ ଆଉ ପ୍ରାଣ। ଆଜି କେହି ରୋକିପାରିବେନି ଏହି ଖୁସିର ଲୁହକୁ। ଆଜି କେହି ଅଟକାଇ ପାରିବେନି ଏହି ଭାବ ଆଉ ଆବେଗକୁ। ସନାତନ ସଂସ୍କୃତିର ରକ୍ଷା ପାଇଁ ଯେଉଁ ଅଯୋଧ୍ୟାକୁ ଯାଇ ନିର୍ଯାତନାର ପାହାର ସହିବାକୁ ପଡ଼ିଥିଲା ୯୦ ଦଶକରେ, ଆଜି ତାହା ସାର୍ଥକ ହୋଇଛି। ବୟସର ଅପରାହ୍ନରେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠାର ଦୃଶ୍ୟକୁ ଟିଭିରେ ଦେଖି ଲୁହ ଛଳଛଳ ନୀଳଗିରିର କରସେବକ ସନାତନ ନନ୍ଦ।

ଅଯୋଧ୍ୟା ସିନା ଯାଇ ହେଲାନି, କିନ୍ତୁ ଓଡ଼ିଶା ମାଟିରୁ ଜୁହାର ହେଇ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠାର ସେହି ଦିବ୍ୟ ମୁହୁର୍ତ୍ତକୁ ଦର୍ଶନ କରି ଭାବବିହ୍ୱଳ ଓଡ଼ିଆ ପ୍ରାଣ। ଭୁବନେଶ୍ୱର ରାମମନ୍ଦିର ପରିସରରେ କୁନି କୁନି ପିଲାଙ୍କ ମଧ୍ୟରୁ କିଏ ରାମ ବନିଛନ୍ତି ତ ଆଉ କିଏ ଅନୁମାନ ବେଶ ଧାରଣ କରିଥିଲେ। ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଯଜ୍ଞ ଆହୁତି ପ୍ରଦାନ କରାଯାଇଥିଲା। ତା’ସହ ବାଇକ୍ ଶୋଭାଯାତ୍ରା କରାଯାଇଥିଲା ସହରରେ।

Advertisment

ରାମମୟ ଜଗତ, ରାମମୟ ପରିବେଶ। ପ୍ରଭୁ ଶ୍ରୀରାମ, ଲକ୍ଷ୍ମଣଙ୍କ ସହ ମାତା ସୀତାଙ୍କ ବେଶଧାରଣ କରି ଭକ୍ତି ଆଉ ଭାବକୁ ପ୍ରକଟ କରିଛନ୍ତି ବ୍ରହ୍ମପୁରର ଶ୍ରଦ୍ଧାଳୁ। କିଏ ବାଣ୍ଟିଛନ୍ତି ଅନ୍ନପ୍ରସାଦ ତ ଆଉ କିଏ ବାଣ୍ଟିଛନ୍ତି ଲଡୁ। ଏଣେ ଝଟକୁଛି ସମ୍ବଲପୁର ମହାନଦୀ ଅଯୋଧ୍ୟା ସରୋବର। ଯେଉଁଠୁ ଜଳୁଛି ୧ ଲକ୍ଷ ୧୧ ଶହ ୧୧ଟି ଦୀପ, ବୟାନ କରୁଛି ବର୍ଷ ବର୍ଷର ତ୍ୟାଗ, ତପସ୍ୟା ଆଉ ସଂଘର୍ଷକୁ।

ସେହିପରି ରାଉରକେଲାରେ ବଡ ଦୀପ ସହ ପ୍ରାୟ ୧୨ ଫୁଟ ଉଚ୍ଚର ରାମଙ୍କ ପ୍ରତିମୂର୍ତ୍ତି ଧରି ପରିକ୍ରମା କରାଯାଇଥିଲା। ଆଉ ସନ୍ଧ୍ୟାରେ ହନୁମାନ ବାଟିକାରେ ଜଳିଥିଲା ଦୀପ। ଭଦ୍ରକ ବାସୁଦେବପୁରରେ ୭ ଫୁଟ ଉଚ୍ଚ ଓ ୧୫ ଫୁଟ୍ ଓସାରର ବିଶାଳ ଦୀପକୁ ପ୍ରଜ୍ୱଳିତ କରାଯାଇଥିଲା ୧୨ ହଜାର ଲିଟର ତେଲ ଏବଂ ଘିଅରେ। ଏପଟେ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଶୁଭମନାସୀ ସମୂହ ଦୀପଦାନ କରିଛନ୍ତି ଚୂନରା ସେବକ।

ରାଜନୈତିକ ଭେଦଭାବ ଭିତରେ ବି ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ଦେଖି ରାଜନେତା ବି ହୋଇଯାଇଥିଲେ ରାମମନସ୍କ। ଗର୍ଭଗୃହରେ ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ପ୍ରାଣ ପ୍ରତିଷ୍ଠା ଅନୁଷ୍ଠାନର ଚୁଡାନ୍ତକରଣର ଦୃଶ୍ୟକୁ ଟିଭିରେ ଦର୍ଶନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେହିପରି ସାଲେପୁର ଗୋପୀନାଥପୁର ବାଲୁଙ୍କେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଦଳୀୟ ନେତୃବର୍ଗଙ୍କ ସହ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠାର ସିଧାପ୍ରସାରଣ ଦେଖିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ତା ପୂର୍ବରୁ ଭୁବନେଶ୍ୱର ରାମମନ୍ଦିରରେ କେନ୍ଦ୍ରମନ୍ତ୍ରୀ ପୂଜାର୍ଚ୍ଚନା କରିଥିଲେ।

ସେହିପରି ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ମଧ୍ୟ ଶିଶୁଭବନ ଛକରୁ ରାମମନ୍ଦିର ପର୍ଯ୍ୟନ୍ତ ରାଲିରେ ବାହାରିଥିଲେ। ସେପଟେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ବୈଜୟନ୍ତ ପଣ୍ଡା କେନ୍ଦ୍ରାପଡ଼ା ମହାକାଳପଡ଼ା ମା’ ଦରିଆ ରାମଚଣ୍ଡି ପୀଠରେ ପୂଜାର୍ଚ୍ଚନା ସହ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାର ସିଧାପ୍ରସାରଣ ଦେଖିଥିଲେ। ତା’ ସହ ଖରନାଶି ଶିବ ମନ୍ଦିରକୁ ଯାଇ ଦର୍ଶନ ବି କରିଥିଲେ।

Ayodhya Ram Mandir Lord Ram
Advertisment
Advertisment