• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଅଯୋଧ୍ୟାରେ ଆକାଶ ଛୁଆଁ ହେଲାଣି ହୋଟେଲ ବୁକିଂ । ଗୋଟିଏ ରାତି ପାଇଁ ରୁମ୍‌ ରେଣ୍ଟ ଦେବାକୁ ପଡ଼ିବ ଲକ୍ଷେ ଟଙ୍କା । ରାମମନ୍ଦିରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଏବେ ପୂରା ଅଯୋଧ୍ୟା ସଜେଇ ହୋଇଛି । ସତେଯେମିତି ହାତଠାରି ଡାକୁଛି ଲୋକଙ୍କୁ । ତେଣୁ ଏପରି ସମୟରେ ଭଲ ଦୁଇ ପଇସା ରୋଜଗାର ଆଶାରେ ରହିଛନ୍ତି ହୋଟେଲ ବ୍ୟବସାୟୀ ।

ବିଭିନ୍ନ ଟ୍ରାଭେଲ୍‌ ପୋର୍ଟାଲ ଗୁଡ଼ିକର ତଥ୍ୟ ଆପଣ ଜାଣିଲେ ନିଶ୍ଚୟ ଚକିତ ହେବେ । କାରଣ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସାମିଲ ହେବାକୁ ଇଚ୍ଛୁକ ଅଛନ୍ତି ଲକ୍ଷ ଲକ୍ଷ ଲୋକ । ଆଉ ଏଥିପାଇଁ ମୋଟା ଅଙ୍କର ଟଙ୍କା ଖର୍ଚ୍ଚ କରିବାକୁ ମଧ୍ୟ ସେମାନେ ପ୍ରସ୍ତୁତ । EaseMyTrip, SOTC, ଥୋମାସ୍ କୁକ୍ ଏବଂ ଅନ୍ୟାନ୍ୟ ଟ୍ରାଭେଲ୍ ପୋର୍ଟାଲ ଗୁଡିକର ତଥ୍ୟ ଏପରି କିଛି ଦର୍ଶାଇଛି ।

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ଲକ୍ଷ ଲକ୍ଷ ଭକ୍ତ ଏବଂ ପ୍ରାୟ ୭ ହଜାର ଅତିଥି ଅଯୋଧ୍ୟାକୁ ଆସିବେ । ଆଉ ସମସ୍ତେ ରହିବାକୁ ରହଣି ବ୍ୟବସ୍ଥାର ଆବଶ୍ୟକ ରହିଛି । ଏଥିପାଇଁ ସମସ୍ତ ହୋଟେଲରେ ରୁମ୍‌ ଭଡ଼ା ବହୁ ବୃଦ୍ଧି ପାଇଛି । ଅଯୋଧ୍ୟାର ଅନ୍ୟତମ ହୋଟେଲ ପାର୍କ ଇନ୍ ରେଡିସନ୍‌ର ସବୁଠାରୁ ବିଳାସପୂର୍ଣ୍ଣ କୋଠରିକୁ ମାତ୍ର ଗୋଟିଏ ଦିନ ପାଇଁ ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରଖାଯାଇଛି ।

ମେକ୍ ମାଇ ଟ୍ରିପ୍ ଏବଂ ବୁକିଂ ଡଟ୍ କମ୍ ପରି ଅନଲାଇନ୍ ଟ୍ରାଭେଲ୍ ଏଜେନ୍ସି ଇଭେଣ୍ଟ ପୂର୍ବରୁ ଅଯୋଧ୍ୟାଙ୍କ ଅଧିକାଂଶ ହୋଟେଲରେ ଆଉ ରୁମ୍‌ ଖାଲି ନାହିଁ ବୋଲି ଦର୍ଶାଇଛନ୍ତି । ଖାଲି ସେତିକି ନୁହେଁ ରୁମ୍‌ର ସାଧାରଣ ଭଡ଼ା ଠାରୁ ୫ ଗୁଣା ବୃଦ୍ଧି ହୋଇଥିବା କୁହାଯାଉଛି । ସିଗ୍ନେଟ୍ କଲେକ୍ସନ୍ ହୋଟେଲ ଅଧିକାଂଶ ରୁମ୍‌ ଗୁଡ଼ିକର ଦାମ୍‌ ୭୦ ହଜାର ୨୪୦ ଟଙ୍କା ରଖାଯାଇଛି । ଅହୁରି ଏପରି ଅନେକ ହୋଟେଲ ରୁମ୍‌ ରହିଛି ଯାହାର ପ୍ରତିଦିନ ଦାମ୍‌ ୪୦ ହଜାର ଟଙ୍କା ରଖାଯାଇଛି ।

ଖାଲି ହୋଟେଲ୍‌ ନୁହେଁ ବିମାନ ଖର୍ଚ୍ଚ ମଧ୍ୟ ବୃଦ୍ଧି ପାଇଛି । ଜାନୁଆରୀ ୨୨ ପାଇଁ ମୁମ୍ବାଇ ଓ ଦିଲ୍ଲୀରୁ ଅଯୋଧ୍ୟାକୁ ଆସିଲେ ଯାତ୍ରୀମାନଙ୍କୁ ୧୫ରୁ ୨୦ ହଜାର ଟଙ୍କା ଦେବାକୁ ପଡ଼ିବ । ଯାହା ପୂର୍ବରୁ ୩ରୁ ୫ ହଜାର ଟଙ୍କା ରହିଥିଲା ।