• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ପାଖେଇ ଆସିଲା ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାର ଦିବ୍ୟ ମୁହୂର୍ତ୍ତ । ଆସନ୍ତାକାଲି ୫ଶହ ବର୍ଷ ଅପେକ୍ଷାର ହେବ ଅନ୍ତ । ଅଯୋଧ୍ୟା ଶ୍ରୀରାମ ମନ୍ଦିର ପରିସରରେ ହଜାରେ ଆଠ ଯଜ୍ଞ କୁଣ୍ଡରେ ଚାଲିଛି ବେଦ ଓ ପାରାୟଣ ପାଠ । ଏପଟେ ଦିବ୍ୟ ରୂପ ନେଉଛି ଶ୍ରୀରାମଙ୍କ ଭବ୍ୟ ମନ୍ଦିର । ଫୁଲ ଓ ଆଲୋକମାଳାରେ ଝଲସୁଛି ରାମ ଜନ୍ମଭୂମି ।

ସୁଗନ୍ଧ ପୁଷ୍ପରେ ପ୍ରସ୍ଫୁଟିତ ନବନିର୍ମିତ ମନ୍ଦିରର ସୌନ୍ଦର୍ଯ୍ୟ ଆକର୍ଷଣୀୟ, ଅବର୍ଣ୍ଣନୀୟ । ସତେ କି ସ୍ୱର୍ଗପୁରୀ ପାଲଟିଛି ଶ୍ରୀରାମ ଜନ୍ମଭୂମି । ଗଗନ .. ପବନ, ଚାରି ଦିଗ ରାମ ମୟ । ରାମ ନାମରେ କମ୍ପୁଛି ଅଯୋଧ୍ୟା । ଆସନ୍ତାକାଲି ହେବ ପ୍ରାଣ ପ୍ରତିଷ୍ଠା । ୫ଶହ ବର୍ଷ ଅପେକ୍ଷାର ଅନ୍ତ ଘଟାଇ ନିଜ ଆସ୍ଥାନରେ ବିରାଜିବେ ରାମଲାଲା । ସେହି ମୁହୂର୍ତ୍ତକୁ ଥରେ ଭାବିଦେଲେ ହଜିଯାଉଛି ନିଦ, ଉଡିଯାଉଛି ଭୋକ ଶୋଷ ।

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ କେବଳ ଭାରତରେ ନୁହେଁ ବିଦେଶରେ ମଧ୍ୟ ଉତ୍ସାହ । ୱାଶିଂଟନରେ କାରଗୁଡିକୁ ଏପରି ସଜ୍ଜା ଯାଇଛି ସେଗୁଡିକ ରାମ ଲେଖାଯାଇଥିବା ଜଣାପଡୁଛି । ଏଥିସହ ସେଥିରେ ସୁନ୍ଦର ଲାଇଟ ଓ ସାଉଣ୍ଡ ସୋ କରାଯାଇଛି । ଏହାକୁ ଦେଖିବାକୁ ସେଠାରେ ଲୋକଙ୍କ ଭିଡ ଜମୁଛି ।

ଆସନ୍ତାକାଲି ସେହି ଦିବ୍ୟ ମୁହୂର୍ତ୍ତ । ଅଯୋଧ୍ୟାରେ ରାମଲାଲାଙ୍କର ହେବ ପ୍ରାଣ ପ୍ରତିଷ୍ଠା । ଏହି ଉତ୍ସବ ଭାରତ ଇତିହାସରେ ଏକ ଅଭୁଲା ମୁହୂର୍ତ୍ତ ହୋଇ ସବୁଦିନ ପାଇଁ ରହିବ । କାଲି ଦିନ ୧୨ଟା ୧୫ ମିନିଟରୁ ୧୨ଟା ୪୫ ମିନିଟ ଭିତରେ ପ୍ରାଣ ପ୍ରତିଷ୍ଠା ପାଇଁ ରହିଛି ଶୁଭ ମୁହୂର୍ତ୍ତ । ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାରେ ମୁଖ୍ୟ ଯଜମାନ ହେବେ ।

ଏହି ଦିନ ସକାଳ ଓ ଅପରାହ୍ନରେ ଭକ୍ତ ପାଇଁ ମନ୍ଦିରରେ ଦର୍ଶନ ବ୍ୟବସ୍ଥା କରାଯାଇଛି । ତେବେ ଆସନ୍ତାକାଲି ପାଇଁ ଯେଉଁମାନେ ନିମନ୍ତ୍ରିତ ଅତିଥି ଅଯୋଧ୍ୟା ଯାଉଛନ୍ତି ସେମାନଙ୍କ ପାଇଁ ପ୍ରବେଶ ପଥରେ QR କୋଡ ସ୍କାନ ବ୍ୟବସ୍ଥା କରାଯାଇଛି । କେବଳ ନିମନ୍ତ୍ରଣ ପତ୍ର ଥିଲେ ଜଣେ ଭବ୍ୟ ଉତ୍ସବକୁ ପ୍ରବେଶ କରିପାରିବ ନାହିଁ । ହଜାର ହଜାର ଅତିଥି ଆସୁଥିବାରୁ ଚିହ୍ନଟ କରିବା ଓ ଅଘଟଣ ଆଶଙ୍କାକୁ ଏଡ଼ାଇବା ପାଇଁ ସୁରକ୍ଷା ଦୃଷ୍ଟିରୁ ଏଭଳି ପଦକ୍ଷେପ ନେଇଛି ଶ୍ରୀ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ।

ସେହିପରି ମନ୍ଦିରରେ ହୋଇଥିବା ପଥରର ନିଖୁଣ କାରୁକାର୍ଯ୍ୟ ସାଜସଜ୍ଜା ପରେ ଆହୁରି ଜୀବନ୍ତ ହୋଇଛି । ସେପଟେ ଅଯୋଧ୍ୟାକୁ ଛୁଟିଛି ଭକ୍ତଙ୍କ ସୁଅ । ପୂରା ଅଯୋଧ୍ୟା ରାମ ମୟ ହୋଇଥିବା ବେଳେ ଜୟ ଶ୍ରୀରାମ ଧ୍ୱନୀରେ ପ୍ରକମ୍ପିତ ହେଉଛି ପୁରା ଅଞ୍ଚଳ । ଅନ୍ୟପଟେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ମନ୍ଦିର ପରିସରରେ ଚାଲିଛି ଅନୁଷ୍ଠାନ ।