• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ହାତରେ ଆଉ ମାତ୍ର କେଇଟା ଦିନ । ଅଯୋଧ୍ୟାରେ ରାମଲାଲାଙ୍କ ହେବ ପ୍ରାଣ ପ୍ରତିଷ୍ଠା । ପ୍ରଭୁ ଶ୍ରୀରାମଙ୍କ ଆଗମନ ପାଇଁ ଚଳଚଞ୍ଚଳ ଅଯୋଧ୍ୟା । ଆଉ ଉତ୍ସବମୁଖର ସାରା ଦେଶ । ଏହାରି ଭିତରେ ପ୍ରଭୁ ଶ୍ରୀରାମଙ୍କ ପାଇଁ ଅନେକ ଉପହାର ଭକ୍ତମାନେ ଦେଉଥିବା ନଜରକୁ ଆସିଲାଣି । ସେ ରାମ ସେତୁର ଶାଢ଼ି ହେଉ କି ରାମ ମନ୍ଦିରରେ ଲାଗିବାକୁ ଥିବା ଘଣ୍ଟା । ଏମିତି ଅନେକ କିଛି ଉପହାର ପ୍ରଭୁ ଶ୍ରୀରାମଙ୍କ ମନ୍ଦିରକୁ ଆସୁଛି । ଆଉ ବର୍ତ୍ତମାନ ପୁଣି ଚର୍ଚ୍ଚାର ପରିଧୀକୁ ଆସିଛି ମନ୍ଦିରରେ ଲାଗିବାକୁ ଥିବା ଏକ ବିରାଟକାୟ ଘଣ୍ଟି । ଯାହାକି ଜଣେ ଭକ୍ତ ପ୍ରଭୁଙ୍କ ପାଇଁ ଉପହାର ଦେଇଛନ୍ତି ।

ଶ୍ରୀରାମ ମନ୍ଦିରକୁ ଉପହାରରେ ଦିଆଯାଇଥିବା ଘଣ୍ଟିର ଓଜନ ରହିଛି ୨ ହଜାର ୪ଶହ କେଜି । ଏହି ଘଣ୍ଟି ଅଷ୍ଟଧାତୁରେ ତିଆରି ହୋଇଛି । ଯାହାର ଦାମ୍‌ ରହିଛି ୨୫ ଲକ୍ଷ ଟଙ୍କା । ଟ୍ରେନ୍‌ ଯୋଗେ ଏହି ଘଣ୍ଟି ଅଯୋଧ୍ୟାରେ ପହଞ୍ଚିଛି । ମଙ୍ଗଳବାର ଦିନ ଜିଲ୍ଲାର ସବ୍‌ ଡିଭିଜନ୍‌ରେ ଏହାକୁ ପ୍ରଦର୍ଶିତ କରାଯିବା ପରେ ରାମ ମନ୍ଦିରରେ ଏହି ଉପହାର ପହଞ୍ଚିଛି ।

ଅଧିକ ପଢ଼ନ୍ତୁ: କେଉଁଠୁ ଆରମ୍ଭ ହେଲା ସୂର୍ଯ୍ୟବଂଶ; ଜାଣନ୍ତୁ ପ୍ରଭୁ ରାମଙ୍କ ପୂରା ବଂଶ

ଏଟା ଜିଲ୍ଲାର ଜଳେସର ସହରରୁ ଏହି ଘଣ୍ଟି ଅଯୋଧ୍ୟାକୁ ଆସିଛି । ଏହି ବିରାଟକାୟ ଘଣ୍ଟିର ନିର୍ମାଣ ପାଇଁ ପ୍ରାୟ ୩୦ ଜଣ ଶ୍ରମିକ ନିୟୋଜିତ ଥିଲେ । ଘଣ୍ଟିକୁ ତିଆରି କରିବା ଲାଗି ସୁନା, ରୂପା, ତମ୍ବା, ଜିଙ୍କ, ସୀସା, ଟିଣ, ଲୁହା, ଏବଂ ମର୍କୁରି ବ୍ୟବହାର କରାଯାଇଛି । ଯାହାକି ଅଷ୍ଟ ଧାତୁ ବୋଲି କୁହାଯାଏ । ଏହି ବିରାଟକାୟ ଘଣ୍ଟିକୁ ଦେଶର ବୃହତ୍ତମ ଘଣ୍ଟି ବୋଲି କୁହାଯାଉଛି ।

ଅଷ୍ଟଧାତୁ ବ୍ୟବସାୟୀ ଆଦିତ୍ୟ ମିତ୍ତଲ ଏହି ଘଣ୍ଟିକୁ ନେଇ ନିଜର ମତ ରଖିଛନ୍ତି । ସେ କହିଛନ୍ତି ଜଲେସର ନଗର ପଞ୍ଚାୟତର ପୂର୍ବତନ ଅଧ୍ୟକ୍ଷ ବିକାଶ ମିତ୍ତଲ ଏହି ଘଣ୍ଟିକୁ ରାମମନ୍ଦିରକୁ ଉପହାର ଦେବା ପାଇଁ ନିର୍ମାଣ କରିଥିଲେ । ଯାହାକି ଖୁବ୍‌ଶୀଘ୍ର ରାମ ମନ୍ଦିରରେ ଲାଗିବାକୁ ଯାଉଛି ।

ସେପଟେ ପ୍ରଭୁ ଶ୍ରୀରାମଙ୍କ ପାଇଁ ମଥୁରାରୁ ଯାଇଛି ବିଭିନ୍ନ ଉପହାର । ମଥୁରା ବାଙ୍କବିହାରୀଙ୍କ ତରଫରୁ ଏହି ଉପହାର ସବୁ ପଠାଯାଇଛି । ଏଥିରେ ରହିଛି ରୂପାର ଏକ ବଂଶୀ, ଏକ ଶଙ୍ଖ ଓ ନାନା ଅଳଙ୍କାର । ଉପହାର ଦିଆଯାଇଥିବା ଶଙ୍ଖ ରାମ ମନ୍ଦିରରେ ପୂଜା ସମୟରେ ବଜାଯିବ । ରାମ ମନ୍ଦିର ପ୍ରତିଷ୍ଠାର ମାହେନ୍ଦ୍ର ବେଳା ପାଖେଇ ଆଣିଲାଣି। ଚଳିତ ମାସ ୨୨ ତାରିଖରେ ନିଜର ଆସ୍ଥାନରେ ବିରାଜିବେ ବାଳୁତ ରାମ । ଏଥିପାଇଁ ସବୁ କାମ ଜୋରସୋରରେ ଚାଲିଛି । ସବୁ କାମ ପ୍ରାୟତଃ ସରି ଆସିଲାଣି ।

ଅଧିକ ପଢ଼ନ୍ତୁ: ପ୍ରଭୁ ରାମଙ୍କର ଥିଲେ ଜଣେ ବଡ଼ ଭଉଣୀ; ଜାଣନ୍ତୁ, ରାମାୟଣରେ କାହିଁକି ନାହିଁ ବିଶେଷ ବର୍ଣ୍ଣନା