• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଆଉ ମାତ୍ର ରାତିକ ଅପେକ୍ଷା, କିଛି ଘଣ୍ଟାର ପ୍ରତୀକ୍ଷା । କାଲି ସକାଳର ସୂର୍ଯ୍ୟ କେବଳ ଅଯୋଧ୍ୟା ନଗରୀ ନୁହେଁ, ସାରା ଭାରତବର୍ଷ ପାଇଁ ହେବ ନୂଆ ଯୁଗର ଆରମ୍ଭ । ଅଗଣିତ ରାମଭକ୍ତଙ୍କ ପାଇଁ ଆସିବ ଜୀବନର ସବୁଠୁ ଶୁଭ ମହୂର୍ତ୍ତ । ପରିସମାପ୍ତି ଘଟିବ ୫ଶହ ବର୍ଷ ଅପେକ୍ଷାରେ । ଆସନ୍ତାକାଲି ମଧ୍ୟାହ୍ନରେ ଅଯୋଧ୍ୟାର ଭବ୍ୟ ତଥା ଦିବ୍ୟ ରାମମନ୍ଦିରର ଉଦଘାଟନ ହେବ ଏବଂ ଏହାର ଗର୍ଭଗୃହରେ ହେବ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା । ଏଥିପାଇଁ ମାତ୍ର ୮୪ ସେକେଣ୍ଡର ଅଭିଜିତ ମୁହୂର୍ତ୍ତ ଥିବା ବେଳେ, ଅନୁଷ୍ଠାନର ମୁଖ୍ୟ ଯଜମାନ ବନିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ସରିବ କାଳ କାଳର ପ୍ରତୀକ୍ଷା... ସାକାର ହେବ କୋଟି କୋଟି ଆଖିର ସ୍ୱପ୍ନ । ୫ ଶହ ବର୍ଷର ତ୍ୟାଗ, ସଂଘର୍ଷ ଓ ବଳିଦାନର ପଡ଼ିବ ପୂର୍ଣ୍ଣାହୂତି । ରାତି ପାହିଲେ ଉପନୀତ ହେବ ଶତାବ୍ଦୀ ଶତାବ୍ଦୀର ସେଇ ବହୁ ଆକାଂକ୍ଷିତ ତିଥି... ଐତିହାସିକ ଦିବସ । ପୌଷ ଶୁଳ୍କ ଦ୍ୱାଦଶୀ, ଜାନୁଆରୀ ୨୨ ତାରିଖ, ସୋମବାର । ଆସନ୍ତାକାଲି ଅଯୋଧ୍ୟା ରାମମନ୍ଦିରର ଉଦଘାଟନ ସହ, ଏହାର ଗର୍ଭଗୃହରେ ହେବ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା । ଅର୍ଥାତ୍ କୃଷ୍ଣଶିଳା ନିର୍ମିତ ବିଗ୍ରହର ହେବ ଜୀବନ୍ୟାସ ।

ତ୍ରେତୟା ଯୁଗରେ ଯେଉଁ ସ୍ଥାନରେ ପ୍ରଭୁ ଶ୍ରୀରାମଚନ୍ଦ୍ର କୌଶଲ୍ୟାଙ୍କ କୋଳମଣ୍ଡନ କରିଥିଲେ, ୫ ଶତାବ୍ଦୀ ପରେ ପୁଣି ସେହି ସ୍ଥାନରେ ପୂଜା ପାଇବେ ରାମଲାଲା । ଆସନ୍ତାକାଲି ଅପରାହ୍ଣ ୧୨ଟା ୧୫ରୁ ୧୨ଟା ୪୫ ଯାଏଁ, ଅର୍ଥାତ୍ ୩୦ ମିନିଟ୍ ରହିଛି ମାହେନ୍ଦ୍ର ବେଳା । ଆଉ ମାତ୍ର ୮୪ ସେକେଣ୍ଡ ରହିବ ଅଭିଜିତ ମୁହୂର୍ତ୍ତ । ତେଣୁ ଏହି ଦୁର୍ଲଭ ମୁହୂର୍ତ୍ତ ଅର୍ଥାତ ୧୨ଟା ୨୯ ମିନିଟ୍ ୮ ସେକେଣ୍ଡରୁ ୧୨ଟା ୩୦ ମିନିଟ୍ ୩୨ ସେକେଣ୍ଡ ଭିତରେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା କରାଯିବ ।

ଗତ ୫ ଦିନ ଧରି ୧୨୧ ଆଚାର୍ଯ୍ୟଙ୍କ ଦ୍ୱାରା ବିଶେଷ ଅନୁଷ୍ଠାନ ଚାଲିଥିବା ବେଳେ, ଆସନ୍ତାକାଲି ତାହା ସମ୍ପୂର୍ଣ୍ଣ ହେବ । ଅଯୋଧ୍ୟା ରାମମନ୍ଦିର ସ୍ୱପ୍ନ ସତ ହେବା ଯେତିକି ଐତିହାସିକ, ସେତିକି ଅବିସ୍ମରଣୀୟ ହେବାକୁ ଯାଉଛି ଆସନ୍ତାକାଲିର ପ୍ରାଣ ପ୍ରତିଷ୍ଠା ସମାରୋହ । ହୁଏତ ଏଭଳି ଭବ୍ୟ ଉତ୍ସବର କେବେ ସାକ୍ଷୀ ବନିନଥିବ ଭାରତବର୍ଷ । ଦିନ ୧୦ଟାରେ ଅନୁଷ୍ଠିତ ହେବ ଅତି ସ୍ୱତନ୍ତ୍ର ମଙ୍ଗଳ ଧ୍ୱନି କାର୍ଯ୍ୟକ୍ରମ । ଓଡ଼ିଶାର ମର୍ଦ୍ଦଳ ସମେତ ଦେଶର ବିଭିନ୍ନ ରାଜ୍ୟରୁ ଆସିଥିବା ପ୍ରାୟ ୫୦ ପ୍ରକାର ପାରଂପରିକ ବାଦ୍ୟ ଧ୍ୱନିରେ ଗୁଞ୍ଜରିତ ହେବ ଅଯୋଧ୍ୟାନଗରୀ ।

ପ୍ରାଣ ପ୍ରତିଷ୍ଠା ସମାରୋହରେ ବିଭିନ୍ନ ପନ୍ଥ ଓ ପରଂପରାର ପ୍ରତିନିଧି ଓ ସାଧୁସନ୍ଥ ଏଥିରେ ଯୋଗ ଦେବେ । ତା’ ସହ ଭାରତ ଇତିହାସରେ ପ୍ରଥମ ଥର ପାଇଁ ଏଭଳି କାର୍ଯ୍ୟକ୍ରମରେ ଯୋଗଦେବେ ବିଭିନ୍ନ ରାଜ୍ୟ ଓ ଦ୍ୱୀପର ଆଦିବାସୀ ଜନଜାତି । ସୂଚନା ଅନୁସାରେ ପ୍ରାଣପ୍ରତିଷ୍ଠା ପରେ ଆଖିରୁ ପଟି ଖୋଲାଯାଇ ରାମଲାଲାଙ୍କୁ ସ୍ନାନ କରାଇ ତିଳକ ଲଗାଯିବ ।

ଏହାପରେ ବିଭିନ୍ନ ଆଭୁଷଣରେ ସଜେଇ ହେବେ ଅଯୋଧ୍ୟାର ରାମକୁମାର । ଏହାପରେ ଆଳତି ଓ ଭୋଗ ହେବ । ଲାଗିହେବ ଲକ୍ଷ୍ନୌରୁ ଆସିଥିବା ୫୬ ଭୋଗ । ରୂପା ଥାଳି ଓ ରୂପା ଗିନାରେ ସଜେଇ ହୋଇ ରହିବ ରସଗୋଲା, ଗୋଲାପଜାମୁ, ଇମର୍ତି ଓ ସ୍ୱତନ୍ତ୍ର ତୁଳସୀ ତିଆରି ମିଠା ସମେତ ୫୬ ପ୍ରକାର ପ୍ରସାଦ । ଏହାପରେ ଆରମ୍ଭ ହୋଇଯିବ ମହାଦର୍ଶନ ।

ପ୍ରଥମେ ଭିଭିଆଇପି, ଆମନ୍ତ୍ରିତ ଅତିଥି ଓ ସାଧୁସନ୍ଥମାନେ ରାମଲାଲାଙ୍କୁ ଦର୍ଶନ କରିବାର ସୌଭାଗ୍ୟ ଲାଭ କରିବେ । ତେବେ କେବଳ ରାମଲାଲାଙ୍କ ନବନିର୍ମିତ ବିଗ୍ରହ ନୁହେଁ, ୧୯୪୯ ମସିହା ଠାରୁ ଅସ୍ଥାୟୀ ମନ୍ଦିରରେ ପୂଜା ପାଉଥିବା ରାମଙ୍କ ବିଗ୍ରହ ମଧ୍ୟ ଗର୍ଭଗୃହରେ ସ୍ଥାପିତ ହେବ ।

ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ଅନୁଷ୍ଠାନର ମୁଖ୍ୟ ଯଜମାନ ଦାୟିତ୍ୱ ତୁଲାଇବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିପାଇଁ ସେ ସୁଖ ସ୍ୱାଚ୍ଛନ୍ଦ୍ୟ ତ୍ୟାଗ କରି ୧୧ ଦିନିଆ ସ୍ୱତନ୍ତ୍ର ଅନୁଷ୍ଠାନ ଓ ଦାନପୁଣ୍ୟ ଆଦି କରିଥିବା ବେଳେ, ଗତକାଲି ରାମେଶ୍ୱମରେ ୨୨ ତୀର୍ଥ ଜଳରେ ସ୍ନାନ କରିଛନ୍ତି । ଏହାପରେ ଆଜି ରାମାୟଣ ସହ ଜଡ଼ିତ ଏକ ଗୁରୁତ୍ୱପୂର୍ଣ୍ଣ ପୌରାଣିକ ସ୍ଥଳରେ ପହଞ୍ଚିଛନ୍ତି ମୋଦି । ଇଏ ତାମିଲନାଡ଼ୁ ଧନୁଷକୋଡ଼ିର ଅରିଚଲ୍ ମୁନାଇ ପଏଣ୍ଟ । ବିଶ୍ୱାସ ରହିଛି, ଏଇ ଠାରୁ ହିଁ ଲଙ୍କାକୁ ସେତୁବନ୍ଧ ନିର୍ମାଣ ଆରମ୍ଭ କରିଥିଲେ ପ୍ରଭୁ ଶ୍ରୀରାମଚନ୍ଦ୍ର । ଭାରତୀୟ ମୂଳ ଭୂଖଣ୍ଡର ଏହି ଶେଷ ପ୍ରାନ୍ତରେ ପହଞ୍ଚି, ରାମସେତୁକୁ ପୁଷ୍ପାଞ୍ଜଳି ଓ ସୂର୍ଯ୍ୟଙ୍କୁ ପବିତ୍ର ଜଳ ଅର୍ପଣ କରିଛନ୍ତି ।