• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ସଂପୂର୍ଣ୍ଣ ଶୃଙ୍ଗାର ପରେ ସାମ୍ନାକୁ ଆସିଲା ପ୍ରଭୁ ଶ୍ରୀରାମଙ୍କ ଦିବ୍ୟ ମୂର୍ତ୍ତିର ଫଟୋ । ଫୁଲ ଓ ଅଳଙ୍କାରରେ ଆଭୂଷିତ ହୋଇଛନ୍ତି ରାମଲାଲା । ଅଙ୍ଗବସ୍ତ୍ର ଓ ନାନା ଅଳଙ୍କାରରେ ସୁସଜ୍ଜିତ ହୋଇଛନ୍ତି ଶ୍ରୀରାମ । ମସ୍ତକରେ ମୁକୁଟ, ଗଳାରେ ମାଳି, ହାର ଓ ବେକରେ ଫୁଲମାଳ ସହ ଝଟକୁଛନ୍ତି ରାମଲାଲା ।

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାକୁ ମଝିରେ ଆଉ ମାତ୍ର ଦିନଟିଏ ଥିବା ବେଳେ ରାମ ଲାଲାଙ୍କ ମୂର୍ତ୍ତିକୁ ସୁସଜ୍ଜିତ କରାଯାଉଛି । ଗତକାଲି ପ୍ରଥମ କରି ରାମଲାଲାଙ୍କ ଦିବ୍ୟ ମୂର୍ତ୍ତି ଲୋକଲୋଚନକୁ ଆସିଥିଲା । ଆଉ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ହିଁ ଶ୍ରୀରାମଙ୍କ ଏହି ଦିବ୍ୟ ମୂର୍ତ୍ତି ଦେଖି ଭାବବିହ୍ୱଳ ହୋଇଯାଇଥିଲେ ଶ୍ରଦ୍ଧାଳୁ । ଏବେ ରାମଲାଲାଙ୍କୁ ଶୃଙ୍ଗାର କରାଯାଇଥିବା ବେଳେ ତାଙ୍କ ମୁହଁରେ ଏକ ହଳଦିଆ କପଡ଼ା ବନ୍ଧାଯାଇଛି । ଆସନ୍ତା ୨୨ରେ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଏହି କପଡ଼ା ଖୋଲାଯିବ । ପ୍ରାଣ ପ୍ରତିଷ୍ଠା ଉତ୍ସବ ପୂର୍ବରୁ ଧାର୍ମିକ ରୀତିନୀତି ମଧ୍ୟ ମନ୍ଦିର ପରିସରରେ ଆଗେଇ ଚାଲିଛି ।

ଗତକାଲି ଔଷଧାଧିବାସ, କେଶରାଧିବାସ, ଘୃତାଧିବାସ ଓ ଧ୍ୟାନାଧିବାସ ନୀତି ହୋଇଥିବା ବେଳେ, ଆଜି ଶର୍କରାଧିବାସ, ଫଳାଧିବାସ ଓ ପୁଷ୍ପାଧିବାସ ହେବ । ଆସନ୍ତାକାଲି ମଧ୍ୟାଧିବାସ ଓ ଶଯ୍ୟାଧିବାସ ରହିଛି । ଏହାପରେ ୨୨ ତାରିଖରେ ହେବ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା । ପ୍ରାଣ ପ୍ରତିଷ୍ଠା ଉତ୍ସବ ଲାଗି ମନ୍ଦିରକୁ ଆକର୍ଷଣୀୟ ଭାବେ ସଜ୍ଜା ଯାଉଛି । ଫୁଲ ଏବଂ ଲାଇଟରେ ମନ୍ଦିରକୁ ସୁନ୍ଦର ଭାବେ ସଜାଯାଉଛି । ଏହାର କିଛି ଦୃଶ୍ୟ ସାମ୍ନାକୁ ଆସିଛି ।

ଫୁଲରେ ଫୁଲରେ ସଜେଇ ହୋଇଛି ନବନିର୍ମିତ ମନ୍ଦିର । ଅପେକ୍ଷା କରିଛି ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାକୁ । ବିଭିନ୍ନ ରଙ୍ଗର ତଥା ବିପୁଳ ପରିମାଣର ଫୁଲରେ ହୋଇଛି ମନ୍ଦିରର ସାଜସଜ୍ଜା । କେବଳ ମନ୍ଦିର କାହିଁକି ପୁରା ଅଯୋଧ୍ୟା ନଗରୀକୁ ଫୁଲରେ ସଜାଯାଉଛି । ଏଥିଲାଗି ୧୧ଶହ ଟନ୍ ଫୁଲ ଆସିଛି । ସେପଟେ ଅରନିରୁ ଉତ୍ପନ୍ନ ଅଗ୍ନିକୁ ନବକୁଣ୍ଡରେ ସ୍ଥାପନ କରାଯିବା ସହିତ ହୋମଯଜ୍ଞ ବି ଚାଲିଛି । ବେଦ ଓ ରାମାୟାଣ ପାଠ ହେବା ସହିତ ପୂଜାର୍ଚ୍ଚନା ଓ ଆଳତୀ କରାଯାଉଛି ।

ଆଜି ନିତ୍ୟ ପୂଜନ, ହୋମ, ପାରାୟଣ ଆଦି କାର୍ଯ୍ୟ ସମ୍ପନ୍ନ ହେବ । ସକାଳେ ଶର୍କରାଧିବାସ ଓ ଫଳାଧିବାସ ପରେ ୮୧ଟି କଳସରେ ବିଭିନ୍ନ ଔଷଧୀୟ ଜଳରେ ସ୍ନାନ କରିବେ ରାମଲାଲା । ଏହାପରେ ପ୍ରାସାଦ ଅଧିବାସନ, ପିଣ୍ଡିକା ଅଧିବାସନ, ପୁଷ୍ପାଧିବାସ, ସାୟଂକାଳୀକ ପୂଜନ ଏବଂ ଆଳତି ହେବ । ଏନେଇ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ପକ୍ଷରୁ ସୂଚନା ଦିଆଯାଇଛି ।