• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ଅଯୋଧ୍ୟା ରାମମନ୍ଦିର ଗର୍ଭଗୃହକୁ ଓହ୍ଲାଇ ଆସିବେ ସୂର୍ଯ୍ୟ । ରାମ ନବମୀରେ କରିବେ ବାଲକ ରାମଙ୍କ ସୂର୍ଯ୍ୟ ତିଳକ । ସୂର୍ଯ୍ୟ କିରଣରେ ଦିପ୍ତୀମୟ ହେବ ରାମଲାଲାଙ୍କ ଲଲାଟ । ଅପେକ୍ଷା.. ଏପ୍ରିଲ ୧୭, ଦିନ ୧୨ଟାର ଦିବ୍ୟ ମୁହୂର୍ତ୍ତକୁ । ଦୀର୍ଘ ୫ ଶହ ବର୍ଷ ପରେ ମହାଆଡ଼ମ୍ବରରେ ପାଳିତ ହେବାକୁ ଯାଉଛି ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଜନ୍ମୋତ୍ସବ- ରାମ ନବମୀ । ୧୭ ତାରିଖ ଠିକ୍ ଦିନ ୧୨ଟାରେ ପ୍ରକଟ ହେବେ ରାମଲାଲା । ନବନିର୍ମିତ ମନ୍ଦିରରେ ପ୍ରଥମ ଥର ପାଇଁ ରାମନବମୀ ପାଳନ ହେବାକୁ ଯାଉଥିବା ବେଳେ; ଏହି ଦିବ୍ୟ ମୁହୂର୍ତ୍ତକୁ ଆହୁରି ଭବ୍ୟ କରିବ, ବାଲକ ରାମଙ୍କ ସୂର୍ଯ୍ୟାଭିଷେକ ବା ସୂର୍ଯ୍ୟ ତିଳକ । ସୂର୍ଯ୍ୟ କିରଣରେ ଝଲସି ଉଠିବ ଶ୍ରୀ ବିଗ୍ରହର ମସ୍ତକରେ ଶୋଭିତ ହୀରା ଓ ମାଣିକ୍ୟ ଖଚିତ ସ୍ୱର୍ଣ୍ଣ ତିଳକ । ପ୍ରାୟ ୫ ମିନିଟ ଯାଏଁ ରାମଲାଲାଙ୍କ ଲଲାଟରେ ୭୫ ମିଲିମିଟର ଆକାରର ଏକ ଗୋଲାକାର କିରଣ, ତିଳକ ଭାବେ ଶୋଭା ପାଇବ ।

ରାମନବମୀରେ ମନ୍ଦିର ଗର୍ଭଗୃହକୁ ଉଦ୍ଭାସିତ କରିବ ଆସ୍ଥା, କଳ୍ପନା ଓ ବିଜ୍ଞାନର ଅଭୂତପୂର୍ବ ସମ୍ମିଶ୍ରଣ । ଏଥିପାଇଁ ଗତକାଲି ରାମ ମନ୍ଦିରରେ ସୂର୍ଯ୍ୟ ତିଳକ ପ୍ରକ୍ରିୟାର ଟ୍ରାଏଲ୍ ବା ପୂର୍ବାଭ୍ୟାସ କରିଛନ୍ତି ସେଣ୍ଟ୍ରାଲ୍ ବିଲ୍ଡିଂ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ (CBRI) ରୁରକିର ବୈଜ୍ଞାନିକ ଦଳ । ବିଗ୍ରହକୁ ଚାଦର ଘୋଡ଼ାଇ ନିର୍ଭୁଲ୍ ମାପଚୁପ କରି ଯନ୍ତ୍ରପାତି ଖଞ୍ଜାଯାଇଛି। ତେବେ ଓଡ଼ିଶା ପାଇଁ ଗୌରବର କଥା ହେଉଛି, ଏହି ଜଟିଳ ପ୍ରକଳ୍ପର ମୁଖ୍ୟ ବିନ୍ଧାଣୀ ହେଉଛନ୍ତି ଜଣେ ଓଡ଼ିଆ ବୈଜ୍ଞାନିକ ଡକ୍ଟର ସରୋଜ ପାଣିଗ୍ରାହୀ । ସୂଚନା ଅନୁସାରେ, ଏହି ଅପ୍ଟି-ମେକାନିକାଲ୍ ସିଷ୍ଟମରେ ସୂର୍ଯ୍ୟାଲୋକକୁ ଗର୍ଭଗୃହ ଯାଏଁ ପଠାଇବାକୁ, ତୃତୀୟ ମହଲା ଉପରେ ଏକ ବଡ଼ ରିଫ୍ଲେକ୍ଟର ବକ୍ସ ଲାଗିଛି ।

ପ୍ରତି ସେକେଣ୍ଡରେ ପୃଥିବୀର ଚଳନ ଅନୁସାରେ ଦର୍ପଣ ଓ ଲେନ୍ସର ଦିଗ ବଦଳାଇବାକୁ ୧୯ଟି ଗିୟର ଲାଗିଛି । ଏହା ବିନା ବିଜୁଳିରେ କାମ କରିପାରିବ । ସେଠାରୁ ସୂର୍ଯ୍ୟ କିରଣ ପିତ୍ତଳ ଅଥବା ଅଷ୍ଟଧାତୁ ପାଇପ ଭିତରେ ୨ଟି ଦର୍ପଣ ଓ ୩ଟି ଲେନ୍ସ ଦେଇ ଗର୍ଭଗୃହ ଯାଏଁ ଆସିବ । ମଧ୍ୟାହ୍ନ ଆକାଶରେ ସୂର୍ଯ୍ୟ ଯେତେବେଳେ ଠିକ୍ ମୁଣ୍ଡ ଉପରେ ଥିବେ, ସେତେବେଳେ ଦିବ୍ୟ ଆଭା ପ୍ରତିଫଳିତ ହେବ ବାଲକ ରାମଙ୍କ ଲଲାଟ ମଧ୍ୟସ୍ଥଳରେ । ଏହି ଅଲୌକିକ ଦୃଶ୍ୟ ପୂରା ଅଯୋଧ୍ୟା ନଗରୀରେ ଶହେ ଏଲଇଡି ସ୍କ୍ରିନ ଦ୍ୱାରା ପ୍ରଦର୍ଶିତ ହେବ ।

ସେପଟେ ଆଜି ସରଜୁ ନଦୀରେ ପବିତ୍ର ବୁଡ଼ ପକାଇ, ଚୈତ୍ର ନବରାତ୍ରୀର ଅୟମାରମ୍ଭ କରିଛନ୍ତି ଶ୍ରଦ୍ଧାଳୁ । ଆଗାମୀ ୯ ଦିନ ଯାଏଁ ରାମ ମନ୍ଦିରରେ ପାଳନ ହେବ ସ୍ୱତନ୍ତ୍ର ରୀତିନୀତି । ୯ ଦିନରେ ୯ଟି ରଙ୍ଗର ଦିବ୍ୟ ବସ୍ତ୍ର ପରିଧାନ କରିବେ ପ୍ରଭୁ । ପ୍ରାଣ ପ୍ରତିଷ୍ଠା ପରେ ଆଜି ପ୍ରଥମ ଥର ପାଇଁ ବାଳକ ରାମଙ୍କ ବସ୍ତ୍ର ଶୈଳୀ ବଦଳାଯାଇଛି । ଆଜି ପ୍ରଥମ ଦିନରେ ମୟୂର ଓ ଅନ୍ୟ ବୈଷ୍ଣବ ଚିହ୍ନ ଗୁଡ଼ିକୁ ରଙ୍ଗୀନ ରେଶମ ଓ ଜରିରେ ବୁଣାଯାଇଛି ।

  • Reported by:
  • NIRANJAN REDDY