• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଆସୁଛନ୍ତି ପ୍ରଭୁ ଶ୍ରୀରାମ । ପ୍ରାୟ ୫ ଶହ ବର୍ଷ ପରେ ନିଜ ଆସ୍ଥାନରେ ବିରାଜିବେ ରାମଲାଲା । ସୋମବାର ହେବ ପ୍ରାଣ ପ୍ରତିଷ୍ଠା । ମଝିରେ ରହିଲା ଆଉ ମାତ୍ର ଗୋଟିଏ ଦିନ । ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାକୁ ନେଇ ଭାବପ୍ରବଣ ଭକ୍ତଙ୍କ ଉତ୍ସାହ କାହିଁରେ କଣ । ଅଯୋଧ୍ୟାରେ ମଧ୍ୟ ପ୍ରସ୍ତୁତି ଏକ ପ୍ରକାର ଶେଷ ହୋଇଛି ।

ରାମଙ୍କ ଜନ୍ମଭୂମିକୁ ଏପରି ସଜେଇ ଦିଆଯାଇଛି ଯେ, ଲାଗୁଛି ଏହା ହିଁ ସ୍ୱର୍ଗପୁରୀ । ମନ୍ଦିରକୁ ଆକର୍ଷଣୀୟ ଫୁଲ ଏବଂ ଲାଇଟରେ ସୁନ୍ଦର ଭାବେ ସଜାଯାଉଛି । ଫୁଲରେ ଫୁଲରେ ସଜେଇ ହୋଇଛି ନବନିର୍ମିତ ମନ୍ଦିର । କେବଳ ମନ୍ଦିର କାହିଁକି ପୁରା ଅଯୋଧ୍ୟା ନଗରୀକୁ ଫୁଲରେ ସଜାଯାଉଛି ।

ଏଥିଲାଗି ୧୧ଶହ ଟନ୍ ଫୁଲ ଆସିଛି । ସେପଟେ ଅରନିରୁ ଉତ୍ପନ୍ନ ଅଗ୍ନିକୁ ନବକୁଣ୍ଡରେ ସ୍ଥାପନ କରାଯିବା ସହିତ ହୋମଯଜ୍ଞ ବି ଚାଲିଛି । ବେଦ ଓ ରାମାୟଣ ପାଠ ହେବା ସହିତ ପୂଜାର୍ଚ୍ଚନା ଓ ଆଳତୀ କରାଯାଉଛି । ଆଜି ନିତ୍ୟ ପୂଜନ, ହୋମ, ପାରାୟଣ ଆଦି କାର୍ଯ୍ୟ ସମ୍ପନ୍ନ ହେବ ।

ସକାଳେ ଶର୍କରାଧିବାସ ଓ ଫଳାଧିବାସ ପରେ ୮୧ଟି କଳସରେ ବିଭିନ୍ନ ଔଷଧୀୟ ଜଳରେ ସ୍ନାନ କରିବେ ରାମଲାଲା । ଏହାପରେ ପ୍ରସାଦ ଅଧିବାସନ, ପିଣ୍ଡିକା ଅଧିବାସନ, ପୁଷ୍ପାଧିବାସ, ସାୟଂକାଳୀନ ପୂଜନ ଏବଂ ଆଳତି ହେବ । ଏନେଇ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ଅନ୍ୟପଟେ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଅଯୋଧ୍ୟାରେ ପହଞ୍ଚିବାରେ ଲାଗିଛି ଉପହାର । ତାଲା ନିର୍ମାଣ ପାଇଁ ପ୍ରସିଦ୍ଧି ଲାଭ କରିଥିବା ଆଲିଗଡରୁ ପହଞ୍ଚିଛି ବିଶାଳକାୟ ତାଲା । ଏହି ତାଲାର ଓଜନ ୪୦୦ କେଜି, ଚାବିର ଓଜନ ପ୍ରାୟ ୩୦ କେଜି । ସେପଟେ ଜାନୁଆରୀ ୨୨ ରାମ ମନ୍ଦିର ପ୍ରତିଷ୍ଠାକୁ ପବିତ୍ର ଉତ୍ସବ ଭାବେ ପାଳିବାକୁ ଦେଶବାସୀଙ୍କୁ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ନିବେଦନ କରିଛନ୍ତି । ବୈଜୟନ୍ତ କହିଛନ୍ତି ବହୁ ତ୍ୟାଗ ଓ ସଂଘର୍ଷ ପରେ ରାମ ମନ୍ଦିର ନିର୍ମାଣ ହୋଇଛି । ଏହା ଭାରତୀୟଙ୍କ ପାଇଁ ଗର୍ବ । ତେଣୁ ସେଦିନ ନିଜ ଘରେ ୫ଟି ଦୀପ ଲଗାଇବା ସହ ଭଜନକୀର୍ତ୍ତନ ଓ ହନୁମାନ ଚାଳିଶା ପାଠ କରିବାକୁ ନିବେଦନ କରିଛନ୍ତି ବୈଜୟନ୍ତ ।

OTV is now on Whatsapp

Join and get latest news update delivered to you via whatsapp

Join Now