• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

୨୨ ତାରିଖ ପ୍ରାଣ ପ୍ରତିଷ୍ଠା ଉତ୍ସବ ପୂର୍ବରୁ ଅଭେଦ୍ୟ ଦୁର୍ଗରେ ପରିଣତ ହୋଇଛି ଅଯୋଧ୍ୟା । ଆଣ୍ଟି ଡ୍ରୋନ ପ୍ରଣାଳୀ, AI ସର୍ଭେଲାନ୍ସ କ୍ୟାମେରା ଓ ଟାୟାର କିଲର ବ୍ୟବସ୍ଥା ସାଙ୍ଗକୁ ମୁତୟନ ରହିବେ ବମ୍ ସ୍କ୍ୱାର୍ଡ । ରାଜ୍ୟ ପୋଲିସ ଓ ସିଆରଫିଏଫ ସହ ଏସଟିଏଫ୍, ଏଟିଏସ୍ ଓ ଏନଆଇଏ ଟିମ୍ ସୁରକ୍ଷା ଦାୟିତ୍ୱରେ ରହିବେ ।

ଭିଡ଼ ନିୟନ୍ତ୍ରଣ ଲାଗି ‘ଇଣ୍ଟେଲିଜେଣ୍ଟ ଟ୍ରାଫିକ୍ ମ୍ୟାନେଜମେଣ୍ଟ ସିଷ୍ଟମ ବ୍ୟବହାର କରାଯିବ । ମର୍ଯ୍ୟାଦା ପୁରୁଷୋତ୍ତମ ଭଗବାନ ରାମଚନ୍ଦ୍ରଙ୍କ ପ୍ରାଣ ପ୍ରତିଷ୍ଠାକୁ ମାତ୍ର ଆଉ ୧୧ ଦିନ । ପ୍ରାଣ ପ୍ରତିଷ୍ଠା ଉତ୍ସବରେ କର୍ତ୍ତା ହେବାକୁ ଥିବାରୁ ପ୍ରଧାନମନ୍ତ୍ରୀ ୧୧ ଦିନ ବ୍ୟାପୀ ସ୍ୱତନ୍ତ୍ର ପୂଜାପାଠ ବା ଅନୁଷ୍ଠାନ ଆରମ୍ଭ କରିଛନ୍ତି । ଏନେଇ ଏକ ଅଡିଓ ବାର୍ତ୍ତା ଜାରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏକ ଐତିହାସିକ ମୂହୂର୍ତ୍ତର ସାକ୍ଷୀ ହେବାକୁ ଯାଉଥିବାରୁ ମୁଁ ନିଜକୁ ଭାଗ୍ୟବାନ ମନେ କରୁଛି ।

ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଦେଶବାସୀଙ୍କ ପ୍ରତିନିଧିତ୍ୱ କରିବା ଲାଗି ଈଶ୍ୱର ମୋତେ ସୃଷ୍ଟି କରିଛନ୍ତି । ଏହାକୁ ଦୃଷ୍ଟିରେ ରଖି ମୁଁ ୧୧ ଦିନ ବ୍ୟାପୀ ସ୍ୱତନ୍ତ୍ର ଅନୁଷ୍ଠାନ ଆରମ୍ଭ କରୁଛି । ଏବେ ମୁଁ ବେଶ ଭାବବିହ୍ୱଳ ହୋଇପଡିଛି । ଏଭଳି ଅନୁଭବ ମୋ ଜୀବନରେ ପ୍ରଥମ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ଅନ୍ୟପଟେ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ କଡ଼ା ସୁରକ୍ଷାବଳୟରେ ରହିବ ଅଯୋଧ୍ୟା । ଏଠାକୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତି ଓ ଯାନବାହନ ଉପରେ କଡ଼ା ନଜର ରଖିବ ମାଳମାଳ AI ପରିଚାଳିତ ସର୍ଭେଲାନ୍ସ କ୍ୟାମେରା । ଅଯୋଦ୍ଧାରେ ଡ୍ରୋନ ଉଡାଣ ସଂପୂର୍ଣ୍ଣ ବନ୍ଦ ରହିବ ।

କୌଣସି ଅଜଣା ଡ୍ରୋନ ଦୃଷ୍ଟିଗୋଚର ହେଲେ ଆଣ୍ଟିଡ୍ରୋନ୍ ପ୍ରଣାଳୀ ଦ୍ୱାରା ଏହାକୁ ଖସାଇ ଦିଆଯିବ । କୌଣସି ସନ୍ଦିଗ୍ଧ ଗାଡ଼ି ନଜରକୁ ଆସିଲେ ଟାୟାର କିଲର୍ ବ୍ୟବସ୍ଥା ଦ୍ୱାରା ଏହାକୁ ତୁରନ୍ତ ଅଟକାଇ ଦିଆଯିବ । ଅର୍ଥାତ ଅଯୋଧ୍ୟାର ରକ୍ଷାକବଚ ସାଜିବେ ଏକରୁ ବଳି ଆରେକ ହାଇଟେକ୍ ବ୍ୟବସ୍ଥା ।

ରାଜ୍ୟ ପୋଲିସ ସହ ସିଆରଫିଏଫ, ଏସଟିଏଫ୍, ଏଟିଏସ୍ ଓ ଏନଆଇଏ ଟିମ୍ ସୁରକ୍ଷା ଦାୟିତ୍ୱରେ ରହିବେ । ୭ଟି ବଡ଼ ସୁରକ୍ଷା ଏଜେନ୍ସି ଅଯୋଧ୍ୟାର ଯାଞ୍ଚ ପ୍ରକ୍ରିୟାକୁ ଜୋରଦାର କରିଛନ୍ତି । ଏଠାକୁ ଯା’ଆସ କରୁଥିବା ଯାନବାହାନର ଚେକିଂ କରାଯାଉଛି । ଅଯୋଧ୍ୟାର ହୋଟେଲ, ଲଜ୍ ଗୁଡିକରେ ମଧ୍ୟ ସୁରକ୍ଷା ଏଜେନ୍ସି ଛାନଭିନ୍ କରୁଛନ୍ତି ।

ରାମ ମନ୍ଦିର ସୁରକ୍ଷା ପାଇଁ ସରଜୁ ନଦୀ କୂଳରେ ଅତ୍ୟାଧୁନିକ ସର୍ଭିଲାନ୍ସ ରୁମ୍ ନିର୍ମାଣ କରାଯାଇଛି । ନୂଆ କରି ଉଦଘାଟିତ ମହର୍ଷି ବାଲ୍ମିକୀ ଅନ୍ତର୍ଜାତୀୟ ବିମାନ ବନ୍ଦରର ସୁରକ୍ଷା ଦାୟିତ୍ୱ ନେଇଛି ସିଆଇଏସଏଫ୍ । ଯେକୌଣସି ଅଘଟଣର ମୁକାବିଲା ଲାଗି ଏନଡିଆରଏଫ୍ ଓ ଅଗ୍ନିଶନ ବାହିନୀ ବି ମୁତୟନ ରହିବେ ।

ପ୍ରାଣ ପ୍ରତିଷ୍ଠା ପୂର୍ବରୁ କେବଳ ଅଯୋଧ୍ୟା ନୁହେଁ ରାମ ହେବାରେ ଲାଗିଛି ପୁରା ଜଗତ । ବିଦେଶରେ ରହୁଥିବା ଭାରତୀୟ ଓ ରାମଭକ୍ତ ମହାଆଡମ୍ୱରରେ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଳନ ଲାଗି ବ୍ୟବସ୍ଥା କରିଛନ୍ତି । ଏନେଇ ଆମେରିକାରେ ଏକ କାର ରାଲିର ଆୟୋଜନ କରାଯାଇଛି ।

ଫ୍ରାନସ ରାଜଧାନୀ ପ୍ୟାରିସ ସମେତ ବିଶ୍ୱର ବିଭିନ୍ନ ସ୍ଥାନରେ ପ୍ରାଣ ପ୍ରତିଷ୍ଠା ଉତ୍ସବ ଲାଗି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ହେବ । ଅନ୍ୟପକ୍ଷରେ ବିଶ୍ୱର ଅନେକ ଦେଶରେ ରାମମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବର ସିଧା ପ୍ରସାରଣ କରାଯିବ ।