• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ପାଖେଇ ଆସୁଛି ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାର ଦିବ୍ୟ ମୁହୂର୍ତ୍ତ । ୫ଶହ ବର୍ଷ ଅପେକ୍ଷାର ହେବ ଅନ୍ତ । ମଝିରେ ଆଉ ମାତ୍ର ଗୋଟିଏ ଦିନ । ଅଯୋଧ୍ୟା ଶ୍ରୀରାମ ମନ୍ଦିର ପରିସରରେ ହଜାରେ ଆଠ ଯଜ୍ଞ କୁଣ୍ଡରେ ଚାଲିଛି ବେଦ ଓ ପାରାୟଣ ପାଠ । ଏପଟେ ଦିବ୍ୟ ରୂପ ନେଉଛି ଶ୍ରୀରାମଙ୍କ ଭବ୍ୟ ମନ୍ଦିର । ଫୁଲ ଓ ଆକୋଲମାଳାରେ ଝଲସୁଛି ରାମ ଜନ୍ମଭୂମି । ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ୫୪ଟି ଦେଶ ଶହେ ପ୍ରତିନିଧିଙ୍କୁ ପଠାଇବାକୁ ସ୍ପଷ୍ଟ କରିସାରିଛନ୍ତି । ରାମ ନଗରୀକୁ ଛୁଟିଲାଣି ଲକ୍ଷାଧିକ ଶ୍ରଦ୍ଧାଳୁ ଓ ସାଧୁସନ୍ଥଙ୍କ ସୁଅ ।

ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଭବ୍ୟ ଶ୍ରୀରାମ ମନ୍ଦିରର ଦିବ୍ୟ ରୂପ । ସୁଗନ୍ଧ ପୁଷ୍ପରେ ପ୍ରସ୍ଫୁଟିତ ନବନିର୍ମିତ ମନ୍ଦିର । ଆକର୍ଷଣୀୟ, ଅବର୍ଣ୍ଣନୀୟ ସୌନ୍ଦର୍ଯ୍ୟ । ଯେମିତି ସ୍ୱର୍ଗପୁରୀ ପାଲଟିଛି ଶ୍ରୀରାମ ଜନ୍ମଭୂମି । ଗଗନ ପବନ, ଚାରି ଦିଗ ରାମ ମୟ । ରାମ ନାମରେ କମ୍ପୁଛି ଅଯୋଧ୍ୟା । ମଝିରେ ମାତ୍ର ଆଉ ଗୋଟିଏ ଦିନ । ୫ଶହ ବର୍ଷ ଅପେକ୍ଷାର ଅନ୍ତ ଘଟାଇ ନିଜ ଆସ୍ଥାନରେ ବିରାଜିବେ ରାମଲାଲା । ସେହି ମୁହୂର୍ତ୍ତକୁ ଥରେ ଭାବିଦେଲେ ହଜିଯାଉଛି ନିଦ, ଉଡିଯାଉଛି ଭୋକ ଶୋଷ ।

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ମନ୍ଦିର ପରିସରରେ ଚାଲିଛି ଅନୁଷ୍ଠାନ । ହଜାରେ ଆଠ କୁଣ୍ଡରେ ମହାଯଜ୍ଞ ସହ ମନ୍ତ୍ରମୁଗ୍ଧ କରୁଛି ବେଦ ଓ ରାମାୟଣ ପାଠ । ୩୩ କୋଟି ଦେବଦେବୀଙ୍କୁ କରାଯାଉଛି ଆବାହନ । ଅଗ୍ନିକୁ ନବକୁଣ୍ଡରେ ସ୍ଥାପନ ସହ ଜାରି ରହିଛି ଶ୍ରୀରାମ ମହାଯଜ୍ଞ । ୮୧ଟି କଳସର ଔଷଧୀୟ ଜଳରେ ସ୍ନାନ କରିବେ ରାମଲାଲା । ଏହାପରେ ପ୍ରସାଦ ଅଧିବାସନ, ପିଣ୍ଡିକା ଅଧିବାସନ, ପୁଷ୍ପାଧିବାସ, ସାୟଂକାଳୀକ ପୂଜନ ଏବଂ ଆଳତି ହେବ । ଭଗବାନଙ୍କ ଆଗମନ ପାଇଁ ଭାବପ୍ରବଣ ଭକ୍ତ । ପୃଥିବୀର କୋଣ ଅନୁକୋଣରୁ ରାମ ନଗରୀକୁ ଛୁଟି ଆସିଛନ୍ତି ଲକ୍ଷାଧିକ ସାଧୁସନ୍ଥ ଓ ଶ୍ରଦ୍ଧାଳୁ ।

ଫୁଲ ସାଜସଜ୍ଜା.. କେବଳ ମନ୍ଦିର କାହିଁକି ଫୁଲରେ ସଜେଇ ହୋଇଛି ସମଗ୍ର ଅଯୋଧ୍ୟା ନଗରୀ । ସାହି, ଗଳି ଓ ପ୍ରତି ଛକରେ ଫୁଲରେ ମହକ । ଚାରିଆଡେ ଫୁଲର ବାସ୍ନା ଆଉ ଶ୍ରୀରାମ ଭକ୍ତି । ରାମ ନଗରୀକୁ ଫୁଲମୟ କରିବାକୁ ସାରା ଦେଶରୁ ଆସିଛି ୧୧ ଟନ୍ ଫୁଲ । ଆଗାମୀ ୨ ଦିନରେ ମନ୍ଦିରରେ ଲାଗିବ ଆହୁରି ୧୫ ହଜାର ଫୁଲ ।

ଏପଟେ ରାମଲାଲାଙ୍କ ପ୍ରତି ଉପହାରର ସୁଅ ଛୁଟିବାରେ ଲାଗିଛି । ଦରଭଙ୍ଗାର ରାଜ ପରିବାର ରାମଲାଲାଙ୍କ ପାଇଁ ଆଣିଛି ସୁନାର ମୁକୁଟ । ଧନୁ, ତୀର ଓ ପାଦୁକା ବି ଆସିଛି । ସେହିପରି ତାଲା ନିର୍ମାଣ ପାଇଁ ପ୍ରସିଦ୍ଧ ଆଲିଗଡରୁ ଆସିଛି ଦୁନିଆର ସବୁଠୁ ବଡ଼ ତାଲା । ୧୦ ଫୁଟ୍ ଲମ୍ବ ଓ ୬ ଫୁଟ ଓସାରର ଏହି ତାଲାର ଓଜନ ପ୍ରାୟ ୪ଶହ କେଜି । ଚାବିର ଓଜନ ୩୦ କେଜି ହେବ । ଏହାକୁ ତିଆରି କରିବାକୁ ଲାଗିଛି ୬ ମାସରୁ ଅଧିକ ସମୟ ।

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ବିଶ୍ୱର ୫୪ଟି ଦେଶ, ସେମାନଙ୍କ ପ୍ରାୟ ୧୦୦ ଜଣ ପ୍ରତିନିଧି ପଠାଇବେ ବୋଲି ସ୍ପଷ୍ଟ କରିସାରିଛନ୍ତି । ସମାଜର ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷଙ୍କୁ ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ନିମନ୍ତ୍ରଣ କରାଯାଇଛି ।

ଅଯୋଧ୍ୟାରୁ କ୍ୟାମେରାପର୍ସନ ପ୍ରଭାତ ସିହ୍ନା ଓ ଗୋପାଳ ବର୍ମାଙ୍କ ସହ ସୁନନ୍ଦନ ମିଶ୍ର ଓ ଶିବାନନ୍ଦ ରାଉତଙ୍କ ରିପୋର୍ଟ ଓଟିଭି..