• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଆମାଜନରେ ମିଳୁଛି ରାମଙ୍କ ପ୍ରସାଦ । ରାମ ମନ୍ଦିରର ପ୍ରସାଦ ନାଁରେ ମିଳୁଛି ମିଠା । ଏପରି ଅଭିଯୋଗ ଆସିବା ପରେ ଇ-କମର୍ସ କମ୍ପାନୀ ଏହି ପ୍ରସାଦ ବିକ୍ରି ଉପରେ କଟକଣା ଲଗାଇଛି । ଆଉ ମାତ୍ର ଗୋଟାଏ ଦିନ ପରେ ରାମ ମନ୍ଦିରରେ ହେବ ପ୍ରାଣ ପ୍ରତିଷ୍ଠା ସମାରୋହ ।

ଏନେଇ ରାମଙ୍କ ନାଁରେ ଅନଲାଇନରେ ଗୁଡ଼ାଏ ଫର୍ଜି ୱେବସାଇଟ ଖୋଲିଛି । ଆଉ ଏହି ସବୁ ୱେବସାଇଟଗୁଡ଼ିକ ରାମଲାଲାଙ୍କ ପ୍ରସାଦ ବିକ୍ରି କରୁଥିବା ମଧ୍ୟ ଦେଖିବାକୁ ମିଳୁଛି । ଫଳରେ ଭକ୍ତମାନେ ଏବି ସବୁ ସାଇଟରୁ ଅର୍ଡର କରି ଠକେଇର ଶିକାର ହେଉଛନ୍ତି ।

ଏନେଇ ଗତ କିଛିଦିନ ତଳେ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ସ୍ପଷ୍ଟୀକରଣ ମଧ୍ୟ ଦିଆଯାଇଥିଲା । ମନ୍ଦିର ତରଫରୁ ଜାରି ହୋଇଥିବା ବିବୃତ୍ତିରେ କୁହାଯାଇଥିଲା କି, ମନ୍ଦିର ପ୍ରଶାସନ ପକ୍ଷରୁ ଅନଲାଇନ ପ୍ରସାଦ ବାଣ୍ଟିବାର ଦାୟିତ୍ୱ କାହାକୁ ଦିଆଯାଇନାହିଁ । ଏପରି ସ୍ଥଳେ ଆମାଜନରେ କିପରି ପ୍ରସାଦ ମିଳୁଛି ତାହା ଉପରେ ପ୍ରଶ୍ନ ଉଠିଛି ।

ଅନ୍ୟପଟେ କେନ୍ଦ୍ରୀୟ ଉପଭୋକ୍ତା ସୁରକ୍ଷା ପ୍ରାଧିକରଣ (ସିସିପିଏ) ର ନୋଟିସ ପରେ ଏପରି ବିକ୍ରେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି ଆମାଜନ । ଏହି ଇ-କମର୍ସ କମ୍ପାନୀ ପ୍ରସାଦ ବିକ୍ରି ବିକଳ୍ପକୁ ବନ୍ଦ କରିଦେବା ସହ ବିକ୍ରେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବ ବୋଲି କହିଛି ।

କନଫେଡେରେସନ୍ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ (CAIT) ଙ୍କ ଅଭିଯୋଗ ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଇଥିଲା । ଏଥିରେ ଦର୍ଶାଯାଇଥିଲା ଯେ, ରାମ ମନ୍ଦିର ପ୍ରସାଦ ନାମରେ ମିଠା ଇ-କମର୍ସରେ ବିକ୍ରି କରାଯାଉଛି । ଅନ୍ୟପଟେ ସିସିପିଏ କହିଛି ଯେ, ଆମାଜନରେ ବିକ୍ରୟ ପାଇଁ ବିଭିନ୍ନ ଖାଦ୍ୟ ସାମଗ୍ରୀ ଓ ମିଠା ଉପଲବ୍ଧ ଥିବା ଅଧିକାରୀମାନେ ଲକ୍ଷ୍ୟ କରିଛନ୍ତି ।

କିନ୍ତୁ ରାମଙ୍କ ନାମରେ ବିକ୍ରି ହେଉଥିବା ମିଠା ଗ୍ରାହକଙ୍କୁ ବିଭ୍ରାନ୍ତ କରୁଛନ୍ତି । ମିଠା ନାମରେ ଘିଅ ଲଡୁ, ଖୁଆ ଲଡୁ, ପେଡ଼ା ଆଦିକୁ ପ୍ରସାଦ କହି ବିକ୍ରି କରାଯାଉଥିଲା । ଏହି ବିକ୍ରେତାଙ୍କ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛି କମ୍ପାନୀ ।