Advertisment

Career Astrology Insights: ରାଶି ଅନୁସାରେ ଜାଣନ୍ତୁ, ଆପଣଙ୍କ ପାଇଁ କେଉଁ କ୍ୟାରିୟର ସର୍ବୋତ୍ତମ ହେବ ?

ଜ୍ୟୋତିଷ ଶାସ୍ତ୍ର ଏବଂ ବ୍ୟକ୍ତିର ରାଶି ଆଧାରରେ ବ୍ୟକ୍ତିତ୍ୱ ଓ ବୃତ୍ତିଗତ ଜୀବନ ପ୍ରଭାବିତ ହୁଏ। ଆପଣଙ୍କ ରାଶି ଅନୁସାରେ କେଉଁ କ୍ୟାରିୟର୍ ଆପଣଙ୍କୁ ଜୀବନରେ ଅଧିକ ସଫଳତା ଦେବ, ଜାଣନ୍ତୁ ।

ଅଦ୍ୟତନ ହୋଇଛି
Astrology

Astrology

Advertisment

ଜ୍ୟୋତିଷ ଶାସ୍ତ୍ର ଅନୁସାରେ କୌଣସି ବ୍ୟକ୍ତିର ରାଶି କେବଳ ତାଙ୍କର ସ୍ୱଭାବ, ଚିନ୍ତାଧାରା ଓ ଆଚରଣକୁ ପ୍ରତିଫଳିତ କରେ ନାହିଁ, ବରଂ ସେମାନଙ୍କ ବୃତ୍ତିଗତ ଜୀବନର ଦିଗକୁ ମଧ୍ୟ ପ୍ରଭାବିତ କରେ । ପ୍ରତ୍ୟେକ ରାଶିର ନିଜସ୍ୱ ଅନନ୍ୟ ଶକ୍ତି, ଗୁଣ ଏବଂ ପ୍ରାକୃତିକ ପ୍ରବୃତ୍ତି ଥାଏ, ଯାହା ବ୍ୟକ୍ତିଙ୍କୁ ନିର୍ଦ୍ଦିଷ୍ଟ କ୍ଷେତ୍ର ପାଇଁ ଅଧିକ ଉପଯୁକ୍ତ କରିଥାଏ। ପ୍ରତ୍ୟେକ ରାଶି ପାଇଁ ସର୍ବୋତ୍ତମ କ୍ୟାରିଅର ବିକଳ୍ପ ଗୁଡ଼ିକ ଉପରେ ଏହି ମାର୍ଗଦର୍ଶିକା ସଭିଙ୍କ ପାଇଁ ଉପଯୋଗୀ ହେବ, ଯେଉଁମାନେ ଜନ୍ମ ସମୟର ଜ୍ୟୋତିଷୀୟ ସ୍ଥିତି ଆଧାରରେ ନିଜର ବ୍ୟକ୍ତିତ୍ୱ ଅନୁରୂପ କ୍ୟାରିୟର ଖୋଜୁଛନ୍ତି ।

Advertisment

ମେଷ:

ମେଷ ରାଶିର ଲଗ୍ନ ସୂତ୍ରରେ ଜନ୍ମିତ ବ୍ୟକ୍ତିମାନେ ଶାରୀରିକ ଭାବରେ ସୁସ୍ଥ, ବୁଦ୍ଧିମାନ ଏବଂ ବହୁତ ଉର୍ଜାବାନ ହୋଇଥାନ୍ତି । ଏହାସହ ଏହି ରାଶିର ବ୍ୟକ୍ତିମାନେ ଚତୁର, ବୁଦ୍ଧି, କୌଶଳୀ, ରାଜନୀତିଜ୍ଞ , କୁଟନୀତିଜ୍ଞ, ତର୍କବୀର, ଜନପ୍ରିୟ । ଜୀବନରେ କୌଣସି ପ୍ରକାର ସମସ୍ୟା ଆସିଲେ ନଡରି ଏହାକୁ ଦୃଢତାର ସହ ସାମ୍ନା କରିଥାନ୍ତି । ଏମାନେ ଯେଉଁ କାମ କରିବାକୁ ଚାହାଁନ୍ତି ନିଜ ଅନୁସାରେ କରିବାକୁ ଠିକ୍ ବୋଲି ଭାବନ୍ତି । ଏଣିକି ତାଙ୍କର ଏହି କାମକୁ ଦୁନିଆ ପସନ୍ଦ କରୁ ବା ନ କରୁ ତାହା ସେମାନଙ୍କ ଉପରେ କୌଣସି ପ୍ରଭାବ ପକାଇ ନଥାଏ। ନିଜ ପସନ୍ଦର କାମ କରିବାକୁ କେବେ ପଛଘୁଞ୍ଚା ଦିଅନ୍ତି ନାହିଁ।

କ୍ୟାରିୟର : ଏମାନଙ୍କ ପାଇଁ କ୍ରୀଡ଼ା, ସେନା, ପୋଲିସ, ପ୍ରତିରକ୍ଷା କ୍ଷେତ୍ର କିମ୍ବା ଅଗ୍ନିଶମ ବିଭାଗରେ ଭଲ ସୁଯୋଗ ମିଳିପାରେ । ଯଦି ସେମାନେ ଚେଷ୍ଟା କରନ୍ତି, ତେବେ ଏହି ରାଶିର ଲୋକମାନେ ବିଜ୍ଞାପନ କ୍ଷେତ୍ରରେ ମଧ୍ୟ ଭଲ ସୁଯୋଗ ପାଇପାରିବେ।

Advertisment

ବୃଷ ରାଶି

ବୃଷ ରାଶିର ଶାସକ ଶୁକ୍ର ହେଉଛନ୍ତି ଧନ ଏବଂ ଭୌତିକ ସମୃଦ୍ଧିର କାରକ। ଏମାନେ ପରୋପକାରୀ, ସାହାସୀ, ବଳବାନ୍ ,ତେଜବନ୍ତ ହୋଇଥାଆନ୍ତି । ଏମାନେ ସର୍ବନାଶକାରୀ ଓ ଶତ୍ରୁହାରୀ ହୋଇଥାନ୍ତି । ଏହି ରାଶିର ଅଧିପତି ଶୁକ୍ର ମହାଗ୍ରହ ହୋଇଥିବାରୁ ଏମାନେ ମୋହିନୀ ଓ କଳା ବିଦ୍ୟାରେ ପରାକ୍ରମୀ ହୋଇ ସବଳ ଏବଂ ସହନଶୀଳ ଗୁଣରେ ପରିପୂର୍ଣ୍ଣ ହୋଇଥାନ୍ତି । ଈଶ୍ୱର ବିଶ୍ୱାସୀ, ଦାନଧର୍ମ, ଯଜ୍ଞ ଆଦିରେ ଏମାନଙ୍କର ଆଗ୍ରହ ଥାଏ । ଯେତେବେଳେ ଅସୁବିଧାରେ ପଡିଯାଆନ୍ତି , ସେତେବେଳେ ବିଚଳିତ ହୋଇଯାନ୍ତି । ଏମାନଙ୍କର ସରଳତା ଓ ଶାନ୍ତିପ୍ରିୟତା ଆଗରେ ସମାଲୋଚକ ମାନେ ହାରିଯିବେ । ଏମାନେ ସଙ୍ଗୀତପ୍ରିୟ ହୋଇଥାନ୍ତି । ବିଶ୍ୱାସ ଦୃଢ ନହେବା ଯାଏ, ଏମାନେ କାହାରିକୁ ବନ୍ଧୁ ବା ମିତ୍ର ଭାବରେ ଗ୍ରହଣ କରିନଥାନ୍ତି । ଥରେ କାହାରିକୁ ବନ୍ଧୁ ବା ମିତ୍ର ଭାବରେ ଗ୍ରହଣ କରି ନେଲେ ସେମାନଙ୍କୁ ପରିତ୍ୟାଗ କରିବା ଏମାନଙ୍କ ପକ୍ଷେ କଷ୍ଟକର ହୋଇଥାଏ ।

କ୍ୟାରିୟର : ବୃଷ ରାଶିର ଛାତ୍ରମାନେ ବିଜ୍ଞାପନ, ଗ୍ଲାମର ଜଗତ, ଚଳଚ୍ଚିତ୍ର ନିର୍ମାଣ, ନିର୍ଦ୍ଦେଶନା ଏବଂ ଅଭିନୟ ସହିତ ଲେଖା, ମାର୍କେଟିଂ ଇତ୍ୟାଦି କ୍ଷେତ୍ରରେ ସଫଳ ହୋଇପାରିବେ। ଆପଣ ଧଳା ସାମଗ୍ରୀ, ହୀରା ଶିଳ୍ପ, ବ୍ୟାଙ୍କିଂ, ସଙ୍ଗୀତ, ବିମାନ ଯାତ୍ରା ସମ୍ବନ୍ଧୀୟ କାର୍ଯ୍ୟ, ସେଲୁନ, ଔଷଧ ଇତ୍ୟାଦି ବ୍ୟବସାୟରେ ଭଲ ସଫଳତା ପାଇପାରିବେ।

Advertisment

ମିଥୁନ

ମିଥୁନ ରାଶିର ଲୋକମାନେ ବୁଦ୍ଧିମାନ, ବାର୍ତ୍ତାଳାପରେ ପାରଙ୍ଗମ, ଏବଂ ଜିଜ୍ଞାସୁ ହୋଇଥାନ୍ତି। ସେମାନେ ଯୋଗାଯୋଗ ଏବଂ ବହୁକାର୍ଯ୍ୟରେ ଉତ୍କର୍ଷ । ତୀକ୍ଷ୍ଣ ମନ ସହିତ ସେମାନଙ୍କର ଗତିଶୀଳତା ଯୋଗୁଁ ସର୍ବଦା ପରିବର୍ତ୍ତିତ ପରିବେଶରେ ଉନ୍ନତି ପାଆନ୍ତି। ହେଲେ ଏମାନେ ସର୍ବଦା ଆୟକୁ ନେଇ ଚିନ୍ତାଶୀଳ ରହିଥାଆନ୍ତି। ସେମାନେ ନିଜର ସମ୍ମାନକୁ ଭଲ ପାଆନ୍ତି। ମିଥୁନ ରାଶିର ସ୍ୱାମୀ ଗ୍ରହ ହେଉଛନ୍ତି ବୁଧ ଯିଏ ସେମାନଙ୍କୁ ଏହି ଗୁଣ ପ୍ରଦାନ କରନ୍ତି।

କ୍ୟାରିୟର : ରାଶିର କର୍ତ୍ତା ବୁଧ ହେଉଛନ୍ତି ବୌଦ୍ଧିକ କ୍ଷମତାର କାରକ। ମିଥୁନ ରାଶିର ଛାତ୍ରମାନେ ସାମ୍ବାଦିକତା, ସେୟାର ବଜାର, ସାମଗ୍ରୀ, ସୁନା-ରୂପା ବ୍ୟବସାୟ, ଆଇନ, ବିକ୍ରୟ, ଜୀବନ ବୀମା ଇତ୍ୟାଦି କ୍ଷେତ୍ରରେ ଭଲ ପ୍ରଦର୍ଶନ କରିପାରିବେ। ସେମାନେ ବହୁତ ଭଲ ବୈଷୟିକ ବିଶ୍ଳେଷକ, ଅର୍ଥନୀତିଜ୍ଞ ହୋଇପାରିବେ।

ଅଧିକ ପଢ଼ନ୍ତୁ: ଆଜି କେମିତି କଟିବ ଆପଣଙ୍କ ଦିନ ? ଜାଣନ୍ତୁ ରାଶିଫଳ..

କର୍କଟ

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, କର୍କଟ ରାଶିର ଲୋକମାନେ ବହୁତ ପରିଶ୍ରମୀ ପ୍ରକୃତିର ହୋଇଥାଆନ୍ତି। ସେମାନେ କେବଳ କଠିନ ପରିଶ୍ରମ କରି ଜୀବନରେ ଅନେକ କିଛି ହାସଲ କରନ୍ତି । ଏହି ରାଶିର ଲୋକମାନେ ଖୁବଶୀଘ୍ର ସଫଳତା ପାଆନ୍ତି, କେବେବି ଅର୍ଥର ଅଭାବ ରୁହେ ନାହିଁ। କଠିନ ପରିଶ୍ରମ କରି ଅଧିକ ଅର୍ଥ ରୋଜଗାର କରିବାକୁ ସର୍ବଦା ଚେଷ୍ଟା କରନ୍ତି । ଖାସ୍ କରି ଏହି ରାଶିର ଲୋକେ ନିଜ ଲୋକଙ୍କ ପାଇଁ ଟଙ୍କା ପାଣିପରି ଖର୍ଚ୍ଚ କରିବାକୁ ପସନ୍ଦ କରନ୍ତି। ବିଳାସମୟ ଜୀବନ ଜିଇଁବା ପାଇଁ ଏମାନେ ସମସ୍ତ ଅର୍ଥକୁ ବାଜିରେ ଲଗାଇ ଦିଅନ୍ତି। କର୍କଟ ରାଶିର ବ୍ୟକ୍ତି ବିଶେଷ ଭାବୁକ ସ୍ୱଭାବର ହୋଇଥାନ୍ତି । ଏମାନଙ୍କୁ କେହି ଥରେ ପସନ୍ଦ ଆସିଗଲେ, ଏମାନେ ତା ପାଇଁ ପାଗଳ ହୋଇଯାନ୍ତି । ଏମାନେ ଅଧିକାଂଶ ସମୟରେ ନିଜ ପ୍ରେମ ସମ୍ପର୍କରେ ଅର୍ଥାତ ଯିଏ ତାଙ୍କୁ ଭଲ ଲାଗିଥାଏ ତା ଭାବନାରେ ବୁଡ଼ି ରହନ୍ତି । ଏମାନେ ଯାହାକୁ ବି ହେଲେ ମନେଇ ପାରନ୍ତି । ନିଜ ପ୍ରେମିକ/ପ୍ରେମିକା ସହ ଏମାନେ ଅତ୍ୟଧିକ ଭାବନାତ୍ମକ ଭାବେ ଜଡିତ ଥାଆନ୍ତି । ପ୍ରେମ ସମ୍ପର୍କ ଏମାନଙ୍କ ପାଇଁ ବହୁତ ମହତ୍ୱ ରଖେ ।

କ୍ୟାରିୟର : କର୍କଟ ରାଶିର ଅଧିପତି ଚନ୍ଦ୍ର। ଚନ୍ଦ୍ର ହେଉଛନ୍ତି ମାନବ ମନର କର୍ତ୍ତା। ଏହା ସଙ୍ଗୀତ, କଳା, ହସ୍ତଶିଳ୍ପ, କାରିଗରୀ, ଲେଖା, ନିର୍ଦ୍ଦେଶନା, ଅଭିନୟ, ନାଟକ, ଗାୟନ ଏବଂ ସୃଜନଶୀଳ କାର୍ଯ୍ୟ ପ୍ରତି ଆକର୍ଷିତ କରି ସଫଳତା ପ୍ରଦାନ କରେ। କର୍କଟ ରାଶିର ଛାତ୍ରଛାତ୍ରୀମାନେ ସୂଚନା ଅଧିକାରୀ, ରିସେପ୍ସନିଷ୍ଟ, ଲେଖକ, ଲାଇବ୍ରେରିଆନ୍, ପୋଷାକ ଡିଜାଇନର୍, ଡ୍ରେସ୍ ଡିଜାଇନର୍, ଟ୍ୟୁଟର, ପରାମର୍ଶଦାତା, ଟ୍ରାଭେଲ୍ ଏଜେଣ୍ଟ, କ୍ୟାରିଅର୍ ପରାମର୍ଶଦାତା, ଆମଦାନୀକାରୀ-ରପ୍ତାନିକାରୀ, ପ୍ରକାଶକ, କବି, ସାମ୍ବାଦିକତା ଇତ୍ୟାଦି କ୍ଷେତ୍ରରେ ସଫଳତା ପାଆନ୍ତି।

ସିଂହ

ଏହି ରାଶି ଜାତ ବ୍ୟକ୍ତିମାନେ ସିଂହ ସଦୃଶ୍ ପରାକ୍ରମୀ, ସାହସୀ, ଉଗ୍ର, କ୍ରୋଧୀ । ବିଦେଶ ଭ୍ରମଣ କରିବାକୁ ବହୁତ ଆଗ୍ରହ ଥାଏ । ଏମାନେ ବିଦ୍ୱାନ , ଶାନ୍ତିପ୍ରିୟ, ଆଦର୍ଶବାଦୀ, ପରୋପକାରୀ, ସ୍ଥିରବୁଦ୍ଧି, ଚତୁର, ବୁଦ୍ଧିମାନ ଅଟନ୍ତି । କାର୍ଯ୍ୟବ୍ୟସ୍ତତା, ଗୁରୁ ଭୋଜନ ଓ ଖାଦ୍ୟପେୟର ଅନିୟମିତତା, ଓ ବିଶ୍ରାମ ହୀନତା ଯୋଗୁଁ ଏମାନେ ଅସୁସ୍ଥ ହୋଇପଡନ୍ତି । ବାୟୁ ଜନିତ ରୋଗ , ଉଦର ଜନିତ ରୋଗ, ରକ୍ତ ଚାପ, ଦନ୍ତ ରୋଗ, ପକ୍ଷାଘାତ, ହୃଦ ରୋଗ ପ୍ରତି ସତର୍କ ରହିବା ଆବଶ୍ୟକ । ଏମାନେ ଯାହା ସହ ବନ୍ଧୁତା ସୃଷ୍ଟି କରିଥାନ୍ତି ଦୀର୍ଘ ସମୟ ପାଇଁ ତା ସହ ବନ୍ଧୁତ୍ୱରେ ବାନ୍ଧି ହୋଇ ରହିଥାନ୍ତି । ବନ୍ଧୁମାନଙ୍କ ନିମନ୍ତେ ଅନେକ ତ୍ୟାଗ କରିଥାନ୍ତି । ବେଳେବେଳେ ବନ୍ଧୁ ମାନଙ୍କ କଥାକୁ ଅନ୍ଧଭଳି ବିଶ୍ୱାସ କରି ଅସୁବିଧାରେ ପଡିଥାନ୍ତି ।

କ୍ୟାରିୟର : ସୈନ୍ୟ ବାହିନୀ, ସମ୍ବାଦ ବିଭାଗ , ବିଚାର ବିଭାଗ, କଳାକାର, ଡାକ୍ତର, ରାଜନୈତିକ, ନ୍ୟାୟାଳୟ, ଜଙ୍ଗଲ ବିଭାଗ, ଧର୍ମସ୍ଥାନ, ଧର୍ମ ପ୍ରଚାରକ ଆଦି କର୍ମ କରି ନିଜର ଗୁଜୁରାଣ ମେଣ୍ଟାଇ ଥାନ୍ତି । ରତ୍ନପଥର ବ୍ୟବସାୟ, ସ୍ୱର୍ଣ୍ଣ ବ୍ୟବସାୟ, ପ୍ରସାଧନ ସାମଗ୍ରୀ, ପଟ୍ଟଚିତ୍ର, ଆଦି ବ୍ୟବସାୟରୁ ମଧ୍ୟ ଲାଭବାନ୍ ହୋଇଥାନ୍ତି ।

କନ୍ୟା

କନ୍ୟା ହିନ୍ଦୁ ଜ୍ୟୋତିଷଶାସ୍ତ୍ରର ଷଷ୍ଠତମ ରାଶି । ବୁଧ ଗ୍ରହ ଦ୍ୱାରା ପରିଚାଳିତ କନ୍ୟା ରାଶିର ବ୍ୟକ୍ତି ବିଶ୍ଳେଷଣାତ୍ମକ ଓ ଯୋଜନାବଦ୍ଧ। ଏମାନେ ଆର୍ଥିକ ଯୋଜନା ଓ ବ୍ୟବସ୍ଥାପନାରେ ପାରଙ୍ଗମ। ପ୍ରଯୁକ୍ତି, ହିସାବ ନିକାଶ, ପରାମର୍ଶ ଓ ସେବା କ୍ଷେତ୍ରରେ ଏମାନେ ଉଚ୍ଚସ୍ତରୀୟ ସଫଳତା ହାସଲ କରନ୍ତି। ଏମାନଙ୍କର ସଂଗଠନ କ୍ଷମତା ଓ ସୂକ୍ଷ୍ମ ଦୃଷ୍ଟିକୋଣ ଅର୍ଥ ପରିଚାଳନାରେ ସହାୟକ ହୋଇଥାଏ। ବୁଧ ସେମାନଙ୍କୁ ନମ୍ରତାର ପ୍ରକୃତି ଦେଇଥାଏ । ଏହି ରାଶିର ଲୋକମାନଙ୍କୁ ବୁଦ୍ଧିମାନ ବୋଲି ବିବେଚନା କରାଯାଏ । ସେମାନଙ୍କର କଥାବାର୍ତ୍ତା ଶୈଳୀ ଅତ୍ୟନ୍ତ ପ୍ରଭାବଶାଳୀ । ସେମାନେ ସଠିକତା, ଗଠନ ଏବଂ ତାର୍କିକ ଚିନ୍ତାଧାରାର ଆବଶ୍ୟକୀୟ ଭୂମିକାରେ ଉତ୍କର୍ଷତା ହାସଲ କରନ୍ତି। କନ୍ୟା ରାଶିର ଲୋକମାନେ ଖୋଲା ହୃଦୟର ହୋଇଥାନ୍ତି । ଏମାନେ ଅନ୍ୟମାନଙ୍କୁ ସାହାଯ୍ୟ କରିବାକୁ ସର୍ବଦା ପ୍ରସ୍ତୁତ ।

କ୍ୟାରିୟର : ବୁଧ ଏହି ରାଶିର କର୍ତ୍ତା, ତେଣୁ ଏହି ରାଶି ସହିତ ଜଡିତ ଛାତ୍ରମାନେ ପ୍ରକାଶନ, ଲେଖା, ସମ୍ପାଦନା, ଶିକ୍ଷା ଇତ୍ୟାଦି କ୍ଷେତ୍ରରେ ସଫଳତା ପାଆନ୍ତି। ଏହି ରାଶିର ଛାତ୍ରମାନେ ସିଏ, ଆର୍ଟିକିଲ୍ ଆନାଲିଷ୍ଟ, କ୍ଲର୍କ, ନିବେଶ ପରିଚାଳକ, ଖୁଚୁରା ଦୋକାନ, ଜେନେରାଲ ଷ୍ଟୋର, ଚର୍ମ ଯତ୍ନ, ଆକାଉଣ୍ଟସ୍, ଏକଜିକ୍ୟୁଟିଭ୍, ବୁକ୍ ବାଇଣ୍ଡର୍, ବ୍ୟାଙ୍କ କର୍ମଚାରୀ, ଇଭେଣ୍ଟ ଅର୍ଗାନାଇଜର, ବିକ୍ରୟକାରୀ, ଆକାଉଣ୍ଟାଣ୍ଟ, ଇତ୍ୟାଦି କ୍ଷେତ୍ରରେ କାମ କରିପାରିବେ।

ତୁଳା

ତୁଳା ରାଶିର ବ୍ୟକ୍ତିଙ୍କ ବ୍ୟକ୍ତିତ୍ବ ଆକର୍ଷକ ହୋଇଥାଏ । ତୁଳା ରାଶିର ଲୋକମାନେ ସନ୍ତୁଳନ, ସମନ୍ୱୟ ଏବଂ ସୌନ୍ଦର୍ଯ୍ୟର ପ୍ରତୀକ। ସେମାନେ ନ୍ୟାୟ ସହିତ କାମ କରିବାକୁ ଉପଭୋଗ କରନ୍ତି। ସେମାନେ ସହଯୋଗୀ ପରିବେଶରେ ଭଲ କାମ କରନ୍ତି । ଏମାନେ ଭଲ କୁଟନୀତିଜ୍ଞ ହୋଇଥାନ୍ତି । ସବୁବେଳେ ଦାମୀ ଓ ଭଲ କ୍ବାଲିଟିର ଜିନିଷ ବ୍ୟବହାର କରିବାକୁ ପସନ୍ଦ କରନ୍ତି । ଯୁକ୍ତିତର୍କ କଲାବେଳେ ଟିକିଏ ପଛରେ ପଡ଼ିଯାଆନ୍ତି । ହେଲେ ପ୍ରେମ ଓ ରୋମାନ୍ସ କ୍ଷେତ୍ରରେ ଏମାନେ ଖୁବ୍ ସକ୍ରିୟ ଥାଆନ୍ତି ।

କ୍ୟାରିୟର : ତୁଳା ରାଶିର ଅଧିପତି ଶୁକ୍ରଙ୍କ ସହ ଜଡିତ ଛାତ୍ରମାନେ ହୋଟେଲ ପରିଚାଳକ, ମିଡିଆ ପ୍ଲାନର, ସର୍ଜନ, ଇଣ୍ଟେରିୟର ଡିଜାଇନର , ଫଟୋଗ୍ରାଫରଭାବରେ କାମ କରିପାରିବେ। ସେମାନେ ଆଙ୍କର, ସୌନ୍ଦର୍ଯ୍ୟ ବିଶେଷଜ୍ଞ, ଦର୍ଜୀ, ପର୍ଯ୍ୟଟନ ପରିଚାଳକ, ଓକିଲ, ରସାୟନ ବିଶେଷଜ୍ଞ, ତରଳ ବିକ୍ରେତା, ବୈଦ୍ୟୁତିକ ଇଞ୍ଜିନିୟର, ପରିବହନ, ନୌସେନା, ଚିତ୍ରକର, ସଂଗୀତଜ୍ଞ, ଗାୟକ, ଅଭିନେତା, ମୂର୍ତ୍ତିକାର ଇତ୍ୟାଦି ଭାବରେ କାର୍ଯ୍ୟ କରନ୍ତି।

ବିଛା

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ବିଛା ରାଶିର ଲୋକମାନେ ସବୁବେଳେ ଉଚ୍ଚାଭିଳାଷୀ ଅଟନ୍ତି । ଏମାନେ ତାଙ୍କ ଜୀବନରେ ସବୁକିଛି ହାସଲ କରିବାକୁ ଚାହାଁନ୍ତି । ସେଥିପାଇଁ ସେମାନେ କଠିନ ପରିଶ୍ରମ କରନ୍ତି। ଏହି ରାଶିର ଲୋକମାନଙ୍କ ପ୍ରକୃତି ଜିଦଖୋର ଅଟେ। ତେଣୁ ଯାହା କରିବାକୁ ଏମାନେ ମନସ୍ଥ କରନ୍ତି, ତାହା ହିଁ କରନ୍ତି। ଖାସ୍ କରି, ଏହି ରାଶର ବ୍ୟକ୍ତିମାନେ ନିଜ ପରିବାର ପାଇଁ ସବୁବେଳେ ନିଜକୁ ଉତ୍ସର୍ଗ କରି ଥାଆନ୍ତି। ଧନୀ ରାଶିର ତାଲିକାରେ ଏହି ରାଶିର ଲୋକଙ୍କ ନାଁ ପ୍ରଥମରେ ହିଁ ଆସେ। ଏହାସହ ଏହି ରାଶିର ଲୋକମାନେ ବହୁତ ଚତୁର। ବୁଦ୍ଧି ଏବଂ ଚତୁରତା ଯୋଗୁ ଏହି ରାଶିର ଲୋକମାନେ ଶୀଘ୍ର ସଫଳତା ହାସଲ କରିପାରନ୍ତି। ଏମାନେ ଗଣିତ ଏବଂ ବିଜ୍ଞାନରେ ଭଲ କାମ କରିଥାନ୍ତି। ଅନ୍ୟର ଜାଲରେ ସହଜରେ ଏମାନେ ପଡ଼ନ୍ତି ନାହିଁ।

କ୍ୟାରିୟର : ବିଛା ରାଶିର ଅଧିପତି ମଙ୍ଗଳ, ଏହି ରାଶିର ଛାତ୍ରମାନେ ସାମରିକ ଅଧିକାରୀ, ସମ୍ପତ୍ତି ବ୍ୟବସାୟୀ, ଗୁଇନ୍ଦା, ସର୍ଜନ, ମେଡିକାଲ ଦୋକାନ ମାଲିକ, ପୋଲିସ ଅଧିକାରୀ, ବୃତ୍ତିଗତ ଖେଳାଳି, ସ୍ୱାସ୍ଥ୍ୟ କର୍ମୀ, ସୁରକ୍ଷା ସେବା ଇତ୍ୟାଦି ଭାବରେ କାର୍ଯ୍ୟ କରନ୍ତି। ସେମାନେ ସେମାନଙ୍କ କ୍ୟାରିୟରରେ ନିର୍ଭୀକ।

ଧନୁ

ଏହି ରାଶିର ଲୋକଙ୍କୁ ସହଜରେ କେହି ବୋକା ବନାଇ ପାରନ୍ତି ନାହିଁ। ଏମାନେ ଶିକ୍ଷା, ଲେଖା ଏବଂ ଅନୁସନ୍ଧାନ କ୍ଷେତ୍ରରେ ଭଲ କାମ କରିଥାନ୍ତି। ନିଜର ବୁଦ୍ଧି ଏବଂ ବିବେକ ଦ୍ୱାରା ଏମାନେ ସମ୍ମାନ ଲାଭ କରିଥାନ୍ତି। ଧନୁ ରାଶିର ବ୍ୟକ୍ତି ଜ୍ଞାନୀ ହୋଇଥାନ୍ତି । ଏମାନେ ସଚ୍ଚୋଟ, ବିଶ୍ବାସୀ ଓ ବୁଝିଲା ସୁଝିଲା ହୋଇଥାନ୍ତି । ହେଲେ ଏହାସହିତ ଏମାନଙ୍କୁ ଅଧିକ ରାଗ ଆସିଥାଏ । ଆକ୍ରମଣାତ୍ମକ ବି ହୋଇଥାନ୍ତି । ବୃତ୍ତିଗତ କ୍ଷେତ୍ର କଥା ଯଦି କହିବା, ଏହି ରାଶିର ଲୋକେ ଭଲ ଅଧ୍ୟାପକ ଓ ଦାର୍ଶନିକ ହୋଇଥାନ୍ତି ।

କ୍ୟାରିୟର : ଧନୁ ରାଶିର ଶାସକ ବୃହସ୍ପତି ଅଟନ୍ତି। ଧନୁ ରାଶିର ଛାତ୍ରମାନେ ସାହିତ୍ୟିକ ଅନୁଷ୍ଠାନର ଅଧିକାରୀ, ଧାର୍ମିକ ନେତା, ୱେବପେଜ୍ ଡିଜାଇନର୍, ସଂଗଠନ ପରିଚାଳକ, ସ୍ଥପତି, ବ୍ୟବସାୟୀ, ସମ୍ପାଦକ, ରାଜନେତା, କମ୍ପ୍ୟୁଟର ପ୍ରୋଗ୍ରାମର୍, ଓକିଲ, ପ୍ରଫେସର, ବିଚାରପତି, ହୋଟେଲ ପରିଚାଳକ, ପ୍ରଶାସକ ଇତ୍ୟାଦି ହୋଇପାରିବେ। ଏହା ବ୍ୟତୀତ ଏମାନେ ନଗର ନିର୍ମାଣ ବିଭାଗ, ଠିକାଦାର ଏବଂ ବୈଦେଶିକ ବାଣିଜ୍ୟ ସହିତ ଜଡିତ କାର୍ଯ୍ୟରେ ଅନ୍ୟମାନଙ୍କ ତୁଳନାରେ ଅଧିକ ସଫଳତା ହାସଲ କରନ୍ତି।

ମକର

ଏହି ରାଶିର ବ୍ୟକ୍ତି ବିଶେଷ ନିଜ ରୋଜଗାର ଅନ୍ୟ ପାଇଁ ଖର୍ଚ୍ଚ କରନ୍ତି । ଏମାନେ ଆବଶ୍ୟକ ହେଲେ ହିଁ ମହଙ୍ଗା ଜିନିଷ କିଣି ଥାଆନ୍ତି । ଅଯଥାରେ ଟଙ୍କା ଖର୍ଚ୍ଚ କରନ୍ତି ନାହିଁ । ଟଙ୍କା ସଞ୍ଚୟ କରିବାକୁ ପସନ୍ଦ କରନ୍ତି । ଏମାନଙ୍କ ଆର୍ଥିକ ସ୍ଥିତି ମଜଭୁତ ହେବା ସହ ଧନ ମାମଲାରେ ଖୁବ୍ ଭାଗ୍ୟଶାଳୀ ହୋଇଥାଆନ୍ତି । ଏହି ରାଶିର ଲୋକେ ବହୁତ ପରିଶ୍ରମୀ ହୋଇଥାନ୍ତି । ମକର ରାଶିର ସ୍ୱାମୀ ଶନି ଗ୍ରହ ହୋଇଥିବାରୁ ଏମାନେ ମଧ୍ୟ ଶନିଙ୍କ ପରି ପରିଶ୍ରମୀ ଓ ନ୍ୟାୟବାନ ହୋଇଥାନ୍ତି । ଏହି ରାଶିର ଲୋକଙ୍କ ଉପରେ ଶନିଙ୍କ ପ୍ରଭାବ ଦେଖିବାକୁ ମିଳିଥାଏ । ଏମାନେ କଠୋର ପରିଶ୍ରମ କରିବାକୁ ପଛାଇ ନଥାନ୍ତି । ଏହି ଲୋକେ ପରିଶ୍ରମ ଦ୍ୱାରା ସଫଳତା ପାଇଥାନ୍ତି ।

କ୍ୟାରିୟର : ମକର ରାଶିରେ ଜନ୍ମିତ ଛାତ୍ରମାନେ ହାର୍ଡୱେର ଇଞ୍ଜିନିୟର, ଟେକ୍ନିସିଆନ୍, ବୈଜ୍ଞାନିକ, ଗବେଷକ, ବିଦେଶୀ ଭାଷା ଅନୁବାଦକ, ଫଟୋଗ୍ରାଫି, କମ୍ପ୍ୟୁଟର ପ୍ରୋଗ୍ରାମର, ଘରୋଇ ଗୁଇନ୍ଦା, ଲ୍ୟାବ୍ ଟେକ୍ନିସିଆନ୍, ଇସ୍ପାତ କାରଖାନା ମାଲିକ, ଉତ୍ପାଦନ ପରିଚାଳନା ଇତ୍ୟାଦି ଭାବରେ କାର୍ଯ୍ୟ କରିପାରିବେ। ଏହା ବ୍ୟତୀତ ସାର୍ବଜନୀନ କ୍ଲବ୍, ପ୍ରତିଷ୍ଠାନ, ଖଣି, ରାସାୟନିକ ପଦାର୍ଥ, ଚମଡା ସମ୍ବନ୍ଧୀୟ ବ୍ୟବସାୟରେ ଏମାନଙ୍କର ବିଶେଷ ଅଗ୍ରଗତି ହୋଇଥାଏ ।

କୁମ୍ଭ

ଏହି ରାଶିର ବ୍ୟକ୍ତିବିଶେଷ ଆତ୍ମଶୃଙ୍ଖଳା ପ୍ରତି ଅତ୍ୟଧିକ ଯତ୍ନବାନ । ସେମାନେ ଏକ ସୁସ୍ଥ ଜୀବନଶୈଳୀ ଅନୁସରଣ କରନ୍ତି ଯେପରି ସକାଳୁ ଉଠିବା, ସୁସ୍ଥ ଖାଦ୍ୟ ଖାଇବା ଏବଂ ନିୟମିତ ବ୍ୟାୟାମ କରିବା । ବ୍ୟକ୍ତିଗତ ଏବଂ ବୃତ୍ତିଗତ ଭାବରେ ସେମାନଙ୍କର ଦକ୍ଷତାକୁ ଉନ୍ନତ କରିବାକୁ ସେମାନେ ନିରନ୍ତର ଚେଷ୍ଟା କରନ୍ତି । କାର୍ଯ୍ୟରେ ସର୍ବୋତ୍ତମ ପ୍ରଦର୍ଶନ କରିବାକୁ ଚେଷ୍ଟା କରନ୍ତି । ଜୀବନରେ ଥିବା ଆହ୍ୱାନଗୁଡ଼ିକ ଆତ୍ମ ନିୟନ୍ତ୍ରଣ ସହିତ ଦୂର ହୁଏ ।

କ୍ୟାରିୟର : ଭଗବାନ ଶନିଦେବ କୁମ୍ଭ ରାଶିର ସ୍ୱାମୀ। କୁମ୍ଭ ରାଶିର ଛାତ୍ରମାନେ ଆଇନ, ବିଚାରପତି, ପ୍ରଶାସନ, କମ୍ପ୍ୟୁଟର ହାର୍ଡୱେୟାର, ସଫ୍ଟୱେର୍, ଆନିମେସନ୍, ଅଧ୍ୟୟନ, ଲେଖା, ରାଜନୈତିକ ପରିଚାଳନା, ଅର୍ଥନୀତିଜ୍ଞ, ମୋଟର ପାର୍ଟସ୍ ସମ୍ବନ୍ଧୀୟ କାର୍ଯ୍ୟ, ଆଧ୍ୟାତ୍ମିକ କାର୍ଯ୍ୟକଳାପ, ଏନଜିଓ ସମ୍ବନ୍ଧୀୟ କାର୍ଯ୍ୟ, ସମାଜ ସେବା ଇତ୍ୟାଦି କ୍ଷେତ୍ରରେ ସହଜରେ ସଫଳତା ପାଆନ୍ତି।

ମୀନ

ମୀନ ରାଶିର ବ୍ୟକ୍ତିମାନେ କଳ୍ପନାଶୀଳ, ସହାନୁଭୂତିଶୀଳ ଏବଂ କଳାତ୍ମକ ହୋଇଥାନ୍ତି। ସେମାନେ ଭାବନା ଏବଂ ସୃଜନଶୀଳତା ସହିତ ଗଭୀର ଭାବରେ ସମନ୍ୱୟ ରଖନ୍ତି, ଯାହା ସେମାନଙ୍କୁ ପ୍ରକାଶନ ଏବଂ ଆରୋଗ୍ୟକାରୀ ବୃତ୍ତି ପାଇଁ ଉପଯୁକ୍ତ କରିଥାଏ। ଏହା ବ୍ୟତୀତ ଏମାନଙ୍କ ସ୍ଵଭାବ ଅତ୍ୟନ୍ତ ରୋମାଣ୍ଟିକ ହୋଇଥାଏ । କିନ୍ତୁ ଏମାନେ ନିଜ ଭାବନାକୁ ଦେଖାନ୍ତି ନାହଁ, ମନ ଭିତରେ ଲୁଚାଇ ରଖନ୍ତି । ବଡ ଚତୁରତାର ସହ ଏମାନେ ନିଜ ପ୍ରେମର ଖୁଲାସା କରିଥାନ୍ତି ।

କ୍ୟାରିୟର : ମୀନ ରାଶିର କର୍ତ୍ତା ଗୁରୁ ହେଉଛନ୍ତି ଜ୍ଞାନ ଏବଂ ଶିକ୍ଷାର କର୍ତ୍ତା। ମୀନ ରାଶିର ଛାତ୍ରଛାତ୍ରୀମାନେ ଅଧ୍ୟୟନ, ଶିକ୍ଷାଦାନ, ସୁନା ବ୍ୟବସାୟ, ଆଧ୍ୟାତ୍ମିକତା, ରାଜନୀତି, ପରିଚାଳନା, ମୁଦ୍ରା କିଣାବିକା, ଔଷଧ, ଇଞ୍ଜିନିୟରିଂ, କୂଟନୈତିକ ପରାମର୍ଶଦାତା, ରାଷ୍ଟ୍ରଦୂତ ଇତ୍ୟାଦି କ୍ଷେତ୍ରରେ ସହଜରେ ସଫଳତା ହାସଲ କରିପାରିବେ।

ଅଧିକ ପଢ଼ନ୍ତୁ: ଘର ପାଖରେ ଲଗାଇ ଦିଅନ୍ତୁ ଏହି ୫ଟି ଗଛ; କଟିଯିବ ସବୁ ବାସ୍ତୁଦୋଷ

Astrological Prediction Astrology
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ