/odishatv-khabar/media/post_attachments/uploadimage/library/16_9/16_9_0/Warning_1749743133.jpg)
Warning
ଅହମଦାବାଦରେ ବିମାନ ଦୁର୍ଘଟଣାର ବର୍ଷକ ପୂର୍ବରୁ ସତର୍କ କରାଇ ଦେଇଥିଲେ ଇଞ୍ଜିନିୟର୍ । କହିଥିଲେ, ବୋଇଂ ୭୮ ଡ୍ରିମଲାଇନରରେ ନିର୍ମାଣରେ ରହିଛି ତ୍ରୁଟି । ଏହି ବିମାନର ତିଆରି ବେଳେ ସର୍ଟକଟରେ ଗୋଟିଏ ଗୋଟିଏ ପାର୍ଟ ଯୋଡାଯାଉଛି । ଆସେମ୍ୱଲି ପାଇଁ ଏହା ବିପଦଜନକ ଅଭ୍ୟାସ ବୋଲି କହିଥିଲେ । ଏବେ ବୋଇଂ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ପରେ ଇଞ୍ଜିନିୟରଙ୍କ ଏହି ସତର୍କ ସୂଚନାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଅହମଦାବାଦ ଦୁର୍ଘଟଣାର କାରଣ ତଦନ୍ତ ପରେ ଜଣାପଡିବ ।
୨୦୨୪ରେ ବୋଇଂ ଇଞ୍ଜିନିୟର୍ ସାମ୍ ସାଲେହପୁର ହ୍ୱିସିଲ୍ ବ୍ଲୋୟର୍ ସାଜିଥିଲେ । ବୋଇଂ ବିମାନକୁ ନେଇ ଉଠାଇଥିଲେ ଗୁରୁତର ପ୍ରଶ୍ନ । ସେ କହିଥିଲେ ଆମେରିକାରେ ତିଆରି ହେଉଥିବା ଏହି ବିମାନକୁ ତିଆରି କଲାବେଳେ ଠିକ୍ ଭାବେ କାର୍ଯ୍ୟଶୈଳୀ ପାଳନ କରାଯାଉନାହିଁ । ସମୟକ୍ରମେ ଏହା ବିଫଳତାରେ ପରିଣତ ହେବ ବୋଲି ସେ ସତର୍କ କରାଇଦେଇଥିଲେ । ତାଙ୍କର ଏହି ଅଭିଯୋଗ ପରେ ଆମେରିକାର ଫେଡେରାଲ୍ ଏଭିଏସନ୍ ଆଡମିନିଷ୍ଟ୍ରେସନ ପକ୍ଷରୁ ତଦନ୍ତ କରାଯାଉଛି ।
ଅଧିକ ପଢ଼ନ୍ତୁ: ବିମାନ ଦୁର୍ଘଟଣାରେ ଜୀବନ ଗଲା, ପରିବାରର ସ୍ୱପ୍ନ ବି ଧୂଳିସାତ ହୋଇଗଲା
ଏହି ଅଭିଯୋଗର ଠିକ୍ ବର୍ଷକ ପରେ ଅହମଦାବାଦରେ ଘଟିଛି ଭୟଙ୍କର ବିମାନ ଦୁର୍ଘଟଣା । ଅହମଦାବାଦରୁ ଇଂଲଣ୍ଡ ଅଭିମୁଖେ ଯାଉଥିବା ବୋଇଂ ବିମାନ ଉଡାଣ ଭରିବାର ମାତ୍ର ୫ ମିନିଟ୍ ଭିତରେ ଦୁର୍ଘଟଣାଗ୍ରସ୍ତ ହୋଇଛି। DGCA ଏବେ ଏହି ବିମାନ ଦୁର୍ଘଟଣାର ତଦନ୍ତ କରୁଛି । ଇଞ୍ଜିନିୟର୍ ସାମ୍ ସାଲେହପୁର ଉଠାଇଥିବା ଅଭିଯୋଗ ସହ ଏହାର ସଂପର୍କ ଥିବାର କିଛି ସ୍ପଷ୍ଟ ହୋଇନାହିଁ । ତେବେ ତାଙ୍କ ଅଭିଯୋଗକୁ ଅଧିକ ବଳଶାଳୀ କରିଛି ଏହି ଦୁର୍ଘଟଣା । ନିର୍ମାଣକାରୀ କଂପାନୀ ଏହି ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିଛି । ଏୟାର ଇଣ୍ଡିଆକୁ ସବୁ ପ୍ରକାର ସହାୟତା ପ୍ରଦାନ କରିବ ବୋଲି କହିଛି ।
ଇଞ୍ଜିନିୟର ଜଣକ କହିଥିଲେ , ଏହାର ନିର୍ମାଣ ଶୈଳୀରେ ତ୍ରୁଟି ରହିଛି । ଏହି ବିମାନ ହଜାରେ ଟ୍ରିପ କଲା ପରେ ମଝି ଆକାଶରେ ଖରାପ ହୋଇଯାଇପାରେ । କର୍ମଚାରୀମାନେ ଏହି ବିମାନର ବିଭିନ୍ନ ଅଂଶକୁ ଯୋଡିବା ବେଳେ ଗୋଟିଏ ଜାଗାରୁ ଆଉ ଗୋଟିଏ ଜାଗାକୁ ଡେଉଁଛନ୍ତି । ବିମାନ ଉପରେ ଡେଇଁଲେ ନଟ୍ ବୋଲ୍ଟ ଫିଟିଂ ସ୍ଥାୟୀ ଭାବେ ହୋଇପାରିନଥାଏ । ବୋଇଂ କଂପାନୀ ପକ୍ଷରୁ କୁହାଯାଇଥିଲା ଯେ, ଏହି ବିମାନଗୁଡିକ ନିରାପଦ ଓ ସେଭଳି କୌଣସି ଆଶଙ୍କା ନାହିଁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)