Sikkim Tragedy
ସିକ୍କିମ୍ ଟ୍ରାଜେଡିରେ ସରୁନି ଜୀବନ ଖୋଜା। ଟୁରିଷ୍ଟ ଗାଡ଼ି ତୀସ୍ତା ନଦୀକୁ ଖସିବା ଘଟଣାରେ ୨ ଓଡ଼ିଆଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିବା ବେଳେ, ଗୋଟିଏ ମୃତଦେହ ମିଳିଥିବା ସୂଚନା ମିଳିଛି। ହେଲେ ଏବେ ବି ନିଖୋଜ ଅଛନ୍ତି ଯାଜପୁର ବିଜେପି ନେତ୍ରୀ ଇତିଶ୍ରୀଙ୍କ ସମେତ ପରିବାରର ୪ ସଦସ୍ୟ। ସେପଟେ ଏହି ଘଟଣାରେ ସିକ୍କିମ୍ ସିଏମ୍ଙ୍କ ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ତେବେ କେମିତି ଗତରାତିରେ ହଜାରେ ଫୁଟ୍ ତଳକୁ ଖସିଥିଲା ଟୁରିଷ୍ଟ ଗାଡ଼ି ଏବଂ କିଭଳି ବିବଦସଂକୁଳ ସ୍ଥିତିରେ ଚାଲିଛି ରେସ୍କ୍ୟୁ ଅପରେସନ୍ ।
ଉତ୍ତର ସିକ୍କିମର ଅଙ୍କାବଙ୍କା ଘାଟି ରାସ୍ତା...ରାତିର ଅନ୍ଧାରରେ ଆଗେଇ ଚାଲିଥିଲା ଓଡ଼ିଆ ପର୍ଯ୍ୟଟକଙ୍କ ଗାଡ଼ି...ଅଚାନକ ସାମ୍ନାରେ ଆସିଲା ତୀଖ ବୁଲାଣି...କେହି କିଛି ବୁଝିବା ଆଗରୁ...ଭାରସାମ୍ୟ ହରାଇ ପ୍ରାୟ ହଜାରେ ଫୁଟ୍ ତଳକୁ, ତୀସ୍ତା ନଦୀରେ ଖସି ପଡ଼ିଲା ଗାଡ଼ି...। ହଜାରେ ଫୁଟ୍ ତଳକୁ ଅର୍ଥାତ୍ ପ୍ରାୟ ଶହେ ମହଲା ଉଚ୍ଚରୁ ଖସି ଚେପା ହୋଇଯାଇଛି ପର୍ଯ୍ୟଟକଙ୍କ ଗାଡ଼ି। ଏଭଳି ଅବସ୍ଥା ଯେ, କେଉଁ ଗାଡ଼ି ଚିହ୍ନିବା ମୁସ୍କିଲ। ଏପଟେ ଥମିବାର ନାଁ ଧରୁନି ତୀସ୍ତା ନଦୀର ପ୍ରଖର ସୁଅ। ଘଟଣାସ୍ଥଳକୁ କ୍ରେନ୍ କିମ୍ବା ଅନ୍ୟ ରେସ୍କ୍ୟୁ ମେସିନ୍ ଯିବା ଅସମ୍ଭବ ହୋଇଥିବାରୁ, ଉଦ୍ଧାରକାରୀମାନେ ଅତି ବିପଜ୍ଜନକ ଭାବେ ଦଉଡ଼ି ବାନ୍ଧି ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ହାତରେ ଟାଣି ବାହାର କରୁଛନ୍ତି।
ଅଧିକ ପଢ଼ନ୍ତୁ: ରାକ୍ଷସ ପୁଅର ନାରକୀୟ କାଣ୍ଡ, ନିଶା ଖାଇବାକୁ ଟଙ୍କା ନ ମିଳିବାରୁ...
ଓଡ଼ିଶାରୁ ସିକ୍କିମ ବୁଲିବାକୁ ଯାଇଥିଲେ ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ ସଂପାଦିକା ଇତିଶ୍ରୀ ଜେନାଙ୍କ ସମେତ ଯାଜପୁର ରୋଡ୍ ଉମାପଦାର ୧୧ ଜଣ ଲୋକ। ସମସ୍ତେ ଗୋଟିଏ ପରିବାରର। ଗତକାଲି ରାତି ପ୍ରାୟ ୮ଟା ବେଳେ ୨ଟି ଗାଡ଼ିରେ କିଛି ଅଣ ଓଡ଼ିଆ ପର୍ଯ୍ୟଟକଙ୍କ ସହ ସେମାନେ ଲାଚେନରୁ ଲାଚୁଙ୍ଗ ଫେରୁଥିଲେ। ପ୍ରତି ଗାଡ଼ିରେ ଥିଲେ ୧୦ ଜଣ ଲେଖାଏଁ ପର୍ଯ୍ୟଟକ ଓ ଜଣେ ଡ୍ରାଇଭର, ମୋଟ ୧୧ ଜଣ। ଆଗ ଗାଡ଼ିରେ ୫ ଜଣ ଓଡ଼ିଆ ଥିବା ବେଳେ, ବାକି ୬ ଜଣ ଓଡ଼ିଆ ଥିଲେ ପଛ ଗାଡ଼ିରେ। ତେବେ କିଛି ବାଟ ଯିବା ପରେ ପ୍ରଥମ ଗାଡ଼ିର ଲୋକେ, ଆର ଗାଡ଼ିଟି କାହିଁକି ଆସୁନି ବୋଲି ଦୀର୍ଘ ସମୟ ଅପେକ୍ଷା କରିବା ପରେ, ପୋଲିସକୁ ଖବର ଦେଇଥିଲେ। ଆଉ ତା ପରେ ସାମ୍ନାକୁ ଆସିଥିଲା ଏହି ମର୍ମନ୍ତୁଦ ଦୁର୍ଘଟଣା। ଚୁଙ୍ଗ୍ଥାଙ୍ଗ୍ ଓ ମୁନ୍ସିଥାଙ୍ଗ୍ ମଝିରେ ମଙ୍ଗନ୍ ଜିଲ୍ଲା ଚୁବୋମ୍ବୁ ନିକଟରେ ତୀସ୍ତା ନଦୀରେ ଖସିପଡ଼ିଥିଲା ଦ୍ବିତୀୟ ଗାଡ଼ିଟି ।
ତୁହାକୁ ତୁହା ବର୍ଷା, ରାତିର ଅନ୍ଧାର, ଦୁର୍ଗମ ସ୍ଥାନ। ଏସବୁ ପ୍ରତିକୂଳତା ଭିତରେ ଗତରାତିରୁ ରେସ୍କ୍ୟୁ ଅପରେସନ୍ ଆରମ୍ଭ କରିଥିଲେ ସେନା ଓ ଆଇଟିବିପି ଯବାନଙ୍କ ସହ ସ୍ଥାନୀୟ ପୋଲିସ, ପ୍ରଶାସନ ଓ ଅଗ୍ନିଶମ ବାହିନୀ। ପରେ ଏଥିରେ NDRF ଟିମ୍, ପ୍ରଶିକ୍ଷିତ ବୁଡ଼ାଳି ଓ ହାଇ-ଅଲଟିଚ୍ୟୁଡ୍ ରେସ୍କ୍ୟୁ ୟୁନିଟ୍ ବି ସାମିଲ ହୋଇଛି। ଦୁର୍ଘଟଣାଗ୍ରସ୍ତ ଗାଡ଼ିରେ ଡ୍ରାଇଭର ଓ ୬ ଓଡ଼ିଆଙ୍କୁ ମିଶାଇ ୧୧ ଜଣ ଥିବା ବେଳେ, ସକାଳ ୫ଟାରେ ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇଛନ୍ତି ଇତିଶ୍ରୀଙ୍କ ସାନପୁଅ ସାଇରାଜ୍ ଜେନା ଏବଂ ପୁତୁରା ସ୍ବୟଂ ସୁପ୍ରତିମ ନାୟକ। ସେମାନଙ୍କୁ ଗ୍ୟାଙ୍ଗଟକ୍ ହସ୍ପିଟାଲ ଆଇସିୟୁରେ ଭର୍ତ୍ତି କରାଯାଇଛି। ଗୋଟିଏ ମୃତଦେହ ଉଦ୍ଧାର ହୋଇଥିବା ମଧ୍ୟ ସୂଚନା ମିଳିଛି। ଅତି ବିପଦସଂକୁଳ ସ୍ଥିତିରେ ନଦୀଶଯ୍ୟାକୁ ଓହ୍ଲାଇ ଉଦ୍ଧାରକାର୍ଯ୍ୟ ଚାଲିଥିଲେ ବି, ୪ ଓଡ଼ିଆଙ୍କ ସମେତ ବାକି ୮ ଜଣଙ୍କ ପତ୍ତା ମିଳିନି। ଏବେବି ନିଖୋଜ ଅଛନ୍ତି ଇତିଶ୍ରୀ ଜେନା, ତାଙ୍କ ବଡ଼ ପୁଅ ସାହିଲ ଏବଂ ୨ ଓଡ଼ିଆ ଦଂପତି ଅଜିତ ନାୟକ ଓ ସୁନୀତା। ଏଭଳି ଦୁଃଖଦ ଖବର ପାଇବା ପରେ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଚିନ୍ତା ବ୍ୟକ୍ତ କରିବା ସହ, ସିକ୍କିମ୍ ସିଏମ୍ ପ୍ରେମ ସିଂ ତମାଙ୍ଗଙ୍କ ସହ ଫୋନ୍ ଯୋଗେ କଥା ହୋଇଛନ୍ତି। ଏଥିସହ ତାଙ୍କ ନିର୍ଦ୍ଦେଶ କ୍ରମେ, ସିକ୍କିମ ଯାଇଛନ୍ତି ଅତିରିକ୍ତ ପରିବହନ କମିଶନର ଦିପ୍ତୀରଞ୍ଜନ ପାତ୍ର ଓ ଯୁଗ୍ମ କମିଶନର୍ ବିକାଶ ଚୌଧୁରୀ। ସେପଟେ ଇତିଶ୍ରୀଙ୍କ ସଂପର୍କୀୟଙ୍କ ସହ ସ୍ଥାନୀୟ ବିଧାୟକ ଆକାଶ ଦାସ ନାୟକ ବି ଆଲୋଚନା କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1748621628.jpg)