ଘାଟିରେ ଭୟଙ୍କର ଦୁର୍ଘଟଣା । ମୁହାଁମୁହିଁ ଧକ୍କା ହେଲା କାର୍ ଓ ବାଇକ । ଘଟଣାସ୍ଥଳରେ ଚାଲିଗଲା ୩ ବାଇକ୍ ଆରୋହୀଙ୍କ ଜୀବନ । ଗତକାଲି ରାତିରେ କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ଥାନା ଅନ୍ତର୍ଗତ ଶ୍ରୀକଲା ଘାଟିରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ମୃତକମାନେ ହେଉଛନ୍ତି ତରବାଡ଼ି ଗାଁର ଶୁଭମ ନାୟକ, ଗାରଡ଼ିଙ୍ଗିଆ ଗାଁର ଶଙ୍କର ପ୍ରଧାନ ଓ ଶ୍ରୀହରି ପ୍ରଧାନ ।
ଅଧିକ ପଢ଼ନ୍ତୁ: ରାଜଧାନୀରେ ଭୟାବହ ଅଗ୍ନିକାଣ୍ଡ; ଜଳୁଛି ମିକ୍ସଚର ଫ୍ୟାକ୍ଟ୍ରି
ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଘଟଣାସ୍ଥଳରେ ହିଁ ବାଇକରେ ଥିବା ୩ ଜଣଯାକ ପ୍ରାଣ ହରାଇଥିଲେ । ସେମାନଙ୍କ ଶରୀର ଖଣ୍ଡ ବିଖଣ୍ଡିତ ହୋଇଯାଇଥିଲା । ସ୍ଥାନୀୟ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ମୃତଦେହ ଉଦ୍ଧାର କରିଛନ୍ତି । ଏହି ଯୁବକମାନେ ଗୋଟିଏ ବାଇକରେ ଜି.ଉଦୟଗିରି ଅଭିମୁଖେ ଫେରିବା ସମୟରେ ଘାଟିରେ ବିପରୀତ ଦିଗରୁ ଆସୁଥିବା କାର୍ ସହ ମୁହାଁମୁହିଁ ଧକ୍କା ହୋଇଥିଲେ ।
ଏଥିରେ ଦୁଇ ଜଣ ଯୁବକ ଦୂରକୁ ଛିଟିକି ପଡିଥିବାବେଳେ ଆଉ ଜଣେ କାର୍ ତଳେ ଚାପି ହୋଇଯାଇଥିଲେ । ଦୁର୍ଘଟଣାରେ କାର ଭିତରେ ଥିବା ଦୁଇ ଜଣ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।