ଦୁର୍ଘଟଣା ନେଲା ମୁଣ୍ତ; ଗୋଟିଏ ପରିବାରର ୩ ମୃତ, ୨ ଗୁରୁତର

ବାହାଘର ଭୋଜି ଖାଇ ଫେରିବା ବେଳେ ସ୍କର୍ପିଓକୁ ଧକ୍କାଦେଲା ହାଇୱା । ଦୁର୍ଘଟଣାରେ ଗୋଟିଏ ପରିବାରର ୩ ମୃତ, ୨ ଗୁରୁତର ।

Accident

ବାହାଘର ଭୋଜି ଖାଇ ଫେରିବା ବେଳେ ସ୍କର୍ପିଓକୁ ଧକ୍କାଦେଲା ହାଇୱା । ଦୁର୍ଘଟଣାରେ ଗୋଟିଏ ପରିବାରର ୩ ମୃତ, ୨ ଗୁରୁତର । ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ସୂଚନା ଅନୁସାରେ, କେନ୍ଦୁଝରରୁ ଏକ ବାହାଘର ଭୋଜି ଖାଇ ସ୍କର୍ପିଓରେ ୭ ଜଣ କୋଇଡ଼ା ଫେରୁଥିବା ବେଳେ, ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି ।

କୋଇଡା ଥାନା ରେଙ୍ଗାଲବେଢ଼ା ଛକ ନିକଟରେ ସ୍କର୍ପିଓକୁ ହାଇୱା ଧକ୍କା ଦେବା ଫଳରେ ୨ ଶିଶୁ ପୁତ୍ର ଓ ଜଣେ ଯୁବତୀଙ୍କ ଜୀବନ ଯାଇଛି । ଅନ୍ୟ ୨ ଜଣ ଗୁରୁତରଙ୍କୁ ରାଉରକେଲା ସ୍ଥାନାନ୍ତର କରାଯାଇଛି । ମୃତାହତ ମାନେ ଗୋଟିଏ ପରିବାରର ବୋଲି ସୂଚନା ମିଳିଛି।

ଅଧିକ ପଢ଼ନ୍ତୁ: କ୍ଷୀର ଟ୍ୟାଙ୍କରକୁ ଧକ୍କା ଦେଇ ଗୁଣ୍ଡ ହୋଇଗଲା ବସ୍‌; ଘଟଣାସ୍ଥଳରେ ୧୮ ଯାତ୍ରୀ ମୃତ

ସେପଟେ ଗତ କିଛିଦିନ ତଳେ କୋଇଡ଼ାରେ ବାରମ୍ବାର ଦୁର୍ଘଟଣା ହେଉଥିବା ନେଇ ଓଟିଭିରେ ଖବର ପ୍ରକାଶ ପାଇଥିଲା । ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ଫୁ । ବାଇପାସ ବଦଳରେ ଟାଉନ ଭିତରେ ଚାଲିଛି ଭାରିଯାନ । ଫଳରେ ଦୁର୍ଘଟଣା ବଢ଼ିବା ସହ ମୁଣ୍ତ ନେଉଛି । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ମଧ୍ୟ ବାଇପାସ୍‌ରେ ଗଡ଼ିଲାନି ଭାରିଯାନ । ଫଳରେ କୋଇଡା ଟାଉନ ଭିତରେ ଭାରିଯାନ ଗଡ଼ିବା ଫଳରେ ବଢୁଛି ଦୁର୍ଘଟଣା ଆଉ ଗଡୁଛି ନିରୀହ ପଥଚାରୀଙ୍କ ମୁଣ୍ଡ ।

ଖଣି ବହୁଳ ବ୍ଲକ ସୁନ୍ଦରଗଡ ଜିଲ୍ଲାର କୋଇଡା ଟାଉନ ରାସ୍ତା କିଛି ବର୍ଷ ହେବ ଦୁର୍ଘଟଣାର ହବ୍ ପାଲଟିଛି । କୋଇଡା ଖଣି ସେକ୍ଟରରେ ରହିଛି ୨୫ ରୁ ଉର୍ଦ୍ଧ୍ୱ ଲୌହ ଖଣି । ଖଣି ପରିବହନ ପାଇଁ ରାଜ୍ୟ ଏବଂ ରାଜ୍ୟ ବାହାରର ହଜାର ହଜାର ସଂଖ୍ୟାରେ ଭାରିଯାନ କୋଇଡା ମୁହାଁ ହୋଇଥାନ୍ତି । ଟାଉନ ଭିତରେ ଅହରହ ଭାରୀଯାନ ଚାଲିବା ଫଳରେ ଦୁର୍ଘଟଣା ବଢ଼ୁଛି ।

ଏହାକୁ ଆଖି ଆଗରେ ରଖି ଜିଲ୍ଲା ପ୍ରଶାସନ ୨୦୨୦ ମାର୍ଚ୍ଚରେ ଆରମ୍ଭ କରିଥିଲା କୋଇଡା ବାଇପାସ୍ ରାସ୍ତା । ମାତ୍ର ୮ କିଲୋମିଟର ବାଇପାସ୍ ରାସ୍ତା ନିର୍ମାଣ ପାଇଁ ଡିଏମ୍ଏଫ ଫଣ୍ଡରୁ ମଞ୍ଜୁରୀ ହୋଇଥିଲା ୬୯ କୋଟି ଟଙ୍କା । ୨୦୨୩ ମସିହା ଅଗଷ୍ଟ ମାସରେ ପୂର୍ତ୍ତ ବିଭାଗ ଏହି ରାସ୍ତା ନିର୍ମାଣ କାର୍ଯ୍ୟକୁ ଶେଷ କରି ଗାଡି ଚଳାଚଳ ପାଇଁ ଗ୍ରୀନ ସିଗନାଲ ଦେଇଥିଲା ।

ଅଧିକ ପଢ଼ନ୍ତୁ: ଭୁଶୁଡିଲା ୫ମହଲା କୋଠା; ମାଟିତଳେ ଚାପି ହୋଇ ୭ମୃତ

ତେବେ ସେହି ରାସ୍ତା ଭାରିଯାନ ଚଳାଚଳ ପାଇଁ ପ୍ରସ୍ତୁତ ଥିବା ସତ୍ତ୍ୱେ ଲୌହ ଖଣି ବୋଝେଇ ଗାଡି ଗୁଡିକ ବାଇପାସ୍‌ରେ ଯିବା ବଦଳରେ ଟାଉନ ଭିତରେ ଯିବା ଆସିବା କରୁଛନ୍ତି । ଫଳରେ କୋଇଡା ଟାଉନ ଭିତରେ ଅଘୋଷିତ ଜାମ୍ ସାଙ୍ଗକୁ ଦିନକୁ ଦିନ ଦୁର୍ଘଟଣା ବଢ଼ିବାରେ ଲାଗିଛି । ସ୍କୁଲ, କଲେଜ ତଥା ଘରୋଇ ବସ ଗୁଡିକ ଫସି ରହୁଛନ୍ତି ।

ଅନ୍ୟପଟେ ଆଞ୍ଚଳିକ ପରିବହନ କାର୍ଯ୍ୟଳୟ ତରଫରୁ ଭାରିଯାନ ଚଳାଚଳ ପାଇଁ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦେବା ସତ୍ତ୍ୱେ ତାହା ଆଜି ଯାଏ କାର୍ଯ୍ୟକାରୀ ହୋଇ ପାରିଲା ନାହିଁ । ଏପଟେ ଟ୍ରାନ୍ସପୋର୍ଟ ସଂସ୍ଥାର ସମସ୍ତ କାର୍ଯ୍ୟାଳୟ ଓ ପେଟ୍ରୋଲ ପମ୍ପ ଗୁଡିକ ଟାଉନ ଭିତରେ ଥିବାରୁ ଭାରିଯାନ ଗୁଡିକ କୋଇଡା ଟାଉନ ମୁହାଁ ହେଉଛନ୍ତି । ଫଳରେ ସାଧାରଣରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି । ତେବେ ଘଟଣା ସମ୍ପର୍କରେ ଉପଜିଲ୍ଲାପାଳ କହିଛନ୍ତି ଏନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।