• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବାଲେଶ୍ୱର ଜିଲ୍ଲା ବାହନଗାରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା ପାଇଁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବଡ଼ ଘୋଷଣା କରିଛନ୍ତି । ଦୁର୍ଘଟଣାର କାରଣ ଖୋଜିବା ପାଇଁ ରେଲୱେ ବୋର୍ଡ ପକ୍ଷରୁ ସିବିଆଇ ତଦନ୍ତ ପାଇଁ ସୁପାରିସ କରାଯାଇଛି । କେଉଁ ପରିସ୍ଥିତିରେ ଏହି ଘଟଣା ଘଟିଲା ଓ କେଉଁମାନେ ଦାୟୀ ତାହାର ପୁଙ୍ଖାନୁପୁଙ୍ଖ ତଦନ୍ତ ହେବ ବୋଲି ରବିବାର ସନ୍ଧ୍ୟାରେ କହିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ।

ସେହିପରି ଟ୍ରେନ୍‌ ଦୁର୍ଘଟଣା ପରେ ବାଲେଶ୍ୱର, ଭଦ୍ରକ, ସୋରର ବନ୍ଧୁଙ୍କ ସମେତ ରେଳବାଇ ଓ ଜିଲ୍ଲା ପ୍ରଶାସନ ମିଶି ଉଦ୍ଧାର କାର୍ଯ୍ୟ କରିଥିବା ସେ କହିଛନ୍ତି । ରେସ୍କ୍ୟୁ ସହିତ ମରାମତି କାମ ମଧ୍ୟ ସମାନ୍ତରାଳ ଭାବରେ ଚାଲିଛି । ୪୦ ଘଣ୍ଟାରୁ ଅଧିକ ସମୟ ଧରି ଅକ୍ଲାନ୍ତ ପରିଶ୍ରମ ପରେ ବାଲେଶ୍ୱର ବାହାନଗାରେ ଗୋଟିଏ ରୁଟ୍ ମରାମତି ସଂପୂର୍ଣ୍ଣ ହୋଇଛି ।  ଡାଉନ୍ ମେନ୍ ଲାଇନ୍ ପୁରା ଫିଟ୍ ହୋଇଥିବା ରେଳମନ୍ତ୍ରୀ ଅଶ୍ୱିନୀ ସୂଚନା ଦେଇଛନ୍ତି । ଏହି ରୁଟରେ ଏବେ ଟ୍ରେନ୍ ଚଳାଚଳ କରିପାରିବ ।

ତେବେ ବାହାନଗା ଦେଇ ଟ୍ରେନ୍ ଚଳାଚଳପାଇଁ ବୁଧବାର ଯାଏ ଅପେକ୍ଷା କରିବାକୁ ପଡ଼ିପାରେ । ଦୁର୍ଘଟଣାସ୍ଥଳରେ ପୁନରୁଦ୍ଧାର କାମ ତଦାରଖ କରିବା ପରେ ସଂପୂର୍ଣ୍ଣ ଭାବେ ଟ୍ରେନ୍ ଚଳାଚଳ ପାଇଁ ଆହୁରି ୩ ଦିନ କାମ ଲାଗିପାରେ । ବୁଧବାର ସୁଦ୍ଧା ଟ୍ରେନ ଚଳାଚଳ ସ୍ୱାଭାବିକ ହେବ ବୋଲି ସେ କହିଛନ୍ତି ।