Advertisment

ମରଣଯନ୍ତା ଜାତୀୟ ରାଜପଥ, NHରେ ବଢୁଥିବା ଦୁର୍ଘଟଣାକୁ ନେଇ ଉଦବେଗ

ଗତକାଲି ରାତିରେ ରାଜଧାନୀର ଜୟଦେବ ବିହାର ନିକଟରେ ଡ୍ୟୁଟି ସାରି ଫେରୁଥିବା ଜଣେ ଟ୍ରାଫିକ କନଷ୍ଟେବଲଙ୍କ ବାଇକକୁ ଏକ ଭାରିଯାନ ଧକ୍କା ଦେବାରୁ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇଛି।

ଅଦ୍ୟତନ ହୋଇଛି
Road Accident

Road Accident

Advertisment

ଜୀବନ ନେଉଛି ଜାତୀୟ ରାଜପଥ । ଗତକାଲି ରାତିରେ ରାଜଧାନୀର ଜୟଦେବ ବିହାର ନିକଟରେ ଡ୍ୟୁଟି ସାରି ଫେରୁଥିବା ଜଣେ ଟ୍ରାଫିକ କନଷ୍ଟେବଲଙ୍କ ବାଇକକୁ ଏକ ଭାରିଯାନ ଧକ୍କା ଦେବାରୁ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇଛି। ଆଜି ଶବ ବ୍ୟବଚ୍ଛେଦ ପରେ ଗାର୍ଡ ଅଫ୍ ଅନର ଦିଆଯାଇ ମୃତଦେହକୁ ତାଙ୍କ ଗାଁ ମାଲକାନଗିରିକୁ ପଠାଯାଇଛି । ତେବେ ସହର ମଧ୍ୟରେ ଏନଏଚରେ ପ୍ରତିଦିନ ବଢି ଚାଲିଥିବା ଦୁର୍ଘଟଣାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ରାଜଧାନୀ ବାସିନ୍ଦା ।

Advertisment

ଶନିବାର ରାତି ପ୍ରାୟ ୧୦ଟା । ଜୟଦେବ ବିହାର, ଏନ୍ ଏଚ୍- ୧୬ । ରାମ ମନ୍ଦିର ଛକରେ ଡ୍ୟୁଟି ସାରି ବାଇକରେ ଖଣ୍ଡଗିରି ଘରକୁ ଫେରୁଥିଲେ ଟ୍ରାଫିକ କନଷ୍ଟେବଲ ମଧୁସୂଦନ କିର୍ସାନୀ । ଝିପ୍ ଝିପ ବର୍ଷା ଭିତରେ ମଧୁସୂଦନଙ୍କ ବାଇକ୍ ଓଭରବ୍ରିଜରୁ ନୟାପଲ୍ଲୀ ଆଡକୁ ଯିବା ବେଳେ ହଠାତ୍ କଳିଙ୍ଗ ଷ୍ଟାଡିୟମ ୯ ନମ୍ବର ଗେଟ୍ ପାଖରେ ଧକ୍କା ଦେଇଥିଲା ଏକ ଅଜଣା ଗାଡି । ତଳେ ପଡିଯାଇଥିଲେ ମଧୁ । ଭାରିଯାନଟି ତାଙ୍କ ମୁଣ୍ଡ ଉପରେ ଚଢିଯାଇଥିଲା। ଘଟଣାସ୍ଥଳରେ ହିଁ ଆଖି ବୁଜିଦେଇଥିଲେ ୪୨ ବର୍ଷୀୟ ଟ୍ରାଫିକ କନଷ୍ଟେବଲ ମଧୁସୂଦନ କିର୍ସାନୀ ।

ଆଉ ଆଜି ସକାଳେ କାନ୍ଦ ବୋବାଳିରେ ଫାଟି ପଡିଥିଲା କ୍ୟାପିଟାଲ ହସପିଟାଲ ପରିସର। ମାଲକାନଗିରିରୁ ଆସି ପହଁଚିଥିଲେ ପୁରା ପରିବାର । ପତ୍ନୀ, ତିନି ପୁଅ, ବାପା, ଭାଇଙ୍କ ଉପସ୍ଥିତିରେ ମୃତଦେହର ବ୍ୟବଚ୍ଛେଦ କରାଯାଇ ହସ୍ତାନ୍ତର କରାଯାଇଥିଲା ପରିବାରକୁ । ପ୍ରଥମେ ଟ୍ରାଫିକ ଥାନା ଏବଂ ପରେ ମରଶରୀରକୁ ନିଆଯାଇଥିଲା ରିଜର୍ଭ ଅଫିସକୁ । ସାହସୀ ଓ କର୍ମଠ କନଷ୍ଟେବଲ ମଧୁସୂଦନଙ୍କୁ ଗାର୍ଡ ଅଫ୍ ଅନର ଦିଆଯିବା ପରେ ବରିଷ୍ଠ ଅଧିକାରୀ, ସହକର୍ମୀ ସମସ୍ତେ ଜଣାଇଥିଲେ ଶ୍ରଦ୍ଧାଂଜଳି । ପରେ ଜନ୍ମମାଟି ମାଲକାନଗିରିର ନନ୍ଦୀନିଗୁଡା ଅଭିମୁଖେ ନିଆଯାଇଛି ପାର୍ଥିବ ଶରୀରକୁ। ଯେଉଁଠି ମେଳାପି ଯୁବକ ମଧୁସୂଦନଙ୍କୁ ଅପେକ୍ଷା କରିଛି ଶୋକରେ ବୁଡିଥିବା ଗାଁ।

Advertisment

ଭୁବନେଶ୍ବର ସହର ଭିତର ଦେଇ ଯାଇଛି ଜାତୀୟ ରାଜପଥ-୧୬ । ଯେଉଁଠି ଟ୍ରକ୍, ଡମ୍ପରଠୁ ଆରମ୍ଭ କରି ଗଣ୍ଡା ଗଣ୍ଡା ଭାରିଯାନ ଦ୍ରୁତ ଗତିରେ ଯାଉଛି। ରାସ୍ତା ପାର ହେବାକୁ କେଉଁଠି ଫୁଟ୍ ଓଭର ବ୍ରିଜ୍ ନାହିଁ ତ କେଉଁଠି ଜଗିବାକୁ ଟ୍ରାଫିକ ପୋଲିସ ନାହାଁନ୍ତି । ଦୁର୍ଘଟଣା ଏତେ ବଢିଲାଣି ଯେ, ଲୋକେ ମୁଖ୍ୟ ରାସ୍ତାକୁ ବାହାରିବାକୁ ଭୟ କଲେଣି । NHAI, ପରିବହନ ବିଭାଗ ଓ ପୋଲିସ ମଧ୍ୟରେ ସମନ୍ବୟର ଅଭାବ, ଜିଲ୍ଲା ସ୍ତରୀୟ ମିଟିଂ ନହେବା ଏବଂ ଟ୍ରାଫିକ ପରିଚାଳନା ନେଇ ନିୟମିତ ସମୀକ୍ଷା କରାଯାଉନଥିବାରୁ ରାଜପଥରେ ଦୁର୍ଘଟଣା ବୃଦ୍ଧି ପାଉଥିବା କହିଛନ୍ତି ସଡକ ସୁରକ୍ଷା ବିଶେଷଜ୍ଞ।

NCRB ରିପୋର୍ଟ କହୁଛି, ୨୦୨୨ରେ ରାଜ୍ୟରେ ୧୧ ହଜାର ୬୬୩ଟି ଦୁର୍ଘଟଣା ଘଟିଛି । ଯେଉଁଥିରେ ୫ ହଜାର ୪୭୦ ଜଣ ପ୍ରାଣ ହରାଇଛନ୍ତି। ସେଥିମଧ୍ୟରୁ ଜାତୀୟ ରାଜପଥରେ ଘଟିଥିବା ଦୁର୍ଘଟଣା ସଂଖ୍ୟା ହେଉଛି ୪ ହଜାର ୩୧୭। ଏଥିରେ ୨ ହଜାର ୪୩ ଜଣଙ୍କ ମୃତ୍ୟୁ ହୋଇଛି।

Advertisment

Road Accident National Highway Traffic Police
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ