Advertisment

ସିନ୍ଥିରୁ ସିନ୍ଦୂର ପୋଛିଦେଲା କରମଣ୍ଡଳ, ଦିନ ୪ଟା ପରେ ପାଳିଥାଆନ୍ତେ ବିବାହ ବାର୍ଷିକୀ

କାନ୍ଥରୁ ଶୁଭ ବିବାହର ରଙ୍ଗ ଲିଭିନି ହେଲେ ସିନ୍ଥିରୁ ସିନ୍ଦୂର ଲିଭି ଯାଇଛି... ମାତ୍ର ଦିନ ୪ଟା ପରେ ସ୍ୱାମୀଙ୍କ ସହ ମିଶି ପ୍ରଥମ ବିବାହ ବାର୍ଷିକୀ ପାଳିଥାଆନ୍ତେ, ହେଲେ ଦଇବ ସହିଲାନି..

undefined

Odisha Train Disaster

Advertisment

କରମଣ୍ଡଳର କଳା କାହାଣୀ ଖାଲି ଜୀବନ ନେଇନି। କାହା ସିନ୍ଥିରୁ ସିନ୍ଦୂର ପୋଛିଛି ତ କାହା କୋଳରୁ ଛୁଆକୁ ଛଡ଼ାଇ ନେଇଛି। କିଏ ବାପ ଛେଉଣ୍ଡ ହେଇଛି ତ ଆଉ କି ସର୍ବସ୍ୱ ହରାଇଛି। ବାହାନଗାର ବିଧ୍ୱସ୍ତ କାହାଣୀ ସର୍ବସ୍ୱାନ୍ତ କରିଦେଇଛି। ସମସ୍ତେ ଦାଣ୍ଡ ପିଣ୍ଡାରେ ମୁଣ୍ଡରେ ହାତ ଦେଇ ବସିଛନ୍ତି। କାହାରି ପାଟିରୁ କଥା ପଦିଏ ବି ବାହାରୁନି। ସତେ ଯେମିତି ସମସ୍ତେ ନିର୍ବାକ ପାଲିଟିଯାଇଛନ୍ତି। ସମସ୍ତଙ୍କ ସୁଖ ସିରି କିଏ ଛଡେଇ ନେଇଛି। ହଁ ଏଠି ସେମିତି ହିଁ ଘଟିଛି।

Advertisment

ଭଦ୍ରକ, ବାସୁଦେବପୁର, ଜଳେଶ୍ୱର, ନୀଳଗିରି... ସବୁଠି ସମାନ ଅବସ୍ଥା...। ଏଠି ସମସ୍ତେ ନିଜ ନିଜ ପ୍ରିୟ ପରିଜନକୁ ହରାଇ ଦୁଃଖରେ ଭାଙ୍ଗିପଡ଼ିଛନ୍ତି। ଶୁକ୍ରବାର ସନ୍ଧ୍ୟା ବାହାନଗାରେ ଘଟିଥିବା ଭୟଙ୍କର ରେଳ ଦୁର୍ଘଟଣାରେ ଏମାନଙ୍କ ପ୍ରିୟ ପରିଜନ ସବୁଦିନ ପାଇଁ ଏମାନଙ୍କୁ ଛାଡି ଚାଲିଯାଇଛନ୍ତି। ଦଶ ଦିନ ହେବ ବାହା ହୋଇଥିବା କୋଉ ଝିଅ ତା ବାପାକୁ ହରାଇଛି ତ ଆଉ କିଏ ବାହାଘରର ବର୍ଷେ ନପୁରୁଣୁ କୋଳରେ କଅଁଳା ଛୁଆକୁ ଧରି ସ୍ୱାମୀକୁ ଝୁରୁଛି।

ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ସୁଗୋ ଗାଁର ବୋହୂ ବିଜୟଲକ୍ଷ୍ମୀ ସାହୁ। କାନ୍ଥରୁ ଶୁଭ ବିବାହର ରଙ୍ଗ ଲିଭିନି ହେଲେ ସିନ୍ଥିରୁ ସିନ୍ଦୂର ଲିଭି ଯାଇଛି... ମାତ୍ର ଦିନ ୪ଟା ପରେ ସ୍ୱାମୀଙ୍କ ସହ ମିଶି ପ୍ରଥମ ବିବାହ ବାର୍ଷିକୀ ପାଳିଥାଆନ୍ତେ, ହେଲେ ଦଇବ ସହିଲାନି... ସ୍ୱାମୀ ଗୋବିନ୍ଦଙ୍କୁ ଛଡ଼ାଇନେଲା। ଇଏ ହେଉଛନ୍ତି ଗୋବିନ୍ଦଙ୍କ ସେହି ହତଭାଗା ବାପା ଯିଏ ଶବର ଭିଡ ଭିତରୁ କାନ୍ଦିକାନ୍ଦି ପୁଅକୁ ଖୋଜୁଥିଲେ।

Advertisment

ମାଆ କୋଳରେ ବସି କିଛି ବୁଝି ପାରୁ ନ ଥିବା କୁନି ପୁଅଟି ତା ବାପାକୁ ହରାଇଛି। ମାଆ ବାହୁନି ବାହୁନି କାନ୍ଦିଲା ବେଳକୁ କୁନି ପୁଅଟି ତା ଆଖିରୁ ଲୁହ ପୋଛି ଦେଉଛି। ସେ ଜାଣିନି ତା ବାପା କୁଆଡେ ଗଲେ, ମା କାହିଁକି କାନ୍ଦୁଛି। ହେଲେ ଏ ଝିଅର ମନ ବୋଲୋ ମାନୁନି।

ସେମିତି ବାଲେଶ୍ୱର ନୀଳଗିରି ବ୍ଲକ୍ ଅଯୋଧ୍ୟା ଗାଁର ଝିଅ ମୋନାଲିସା ମୁଖୀ। ଗତ ୧୦ ଦିନ ତଳେ ତାଙ୍କ ବାହାଘର ହୋଇଛି। ଧାର କରଜ କରି ବାପା କୁନା ମୁଖୀ ଝିଅର ବାହାଘର କରିଥିଲେ। ଟଙ୍କା ସୁଝିବେ ବୋଲି କରମଣ୍ଡଳ ଏକ୍ସପ୍ରେସରେ ଶୁକ୍ରବାର ଦିନ ଚେନ୍ନାଇ ବାହାରିଯାଇଥିଲେ। ଗଲା  ବେଳେ କେତେ କଥା କହିଯାଇଥିଲେ। ଘର ଛପର କରିଦେବେ, ଝିଅକୁ ବାକି ଥିବା ସବୁ ଜାନିଜୌତୁକ ଦେବେ... କୁନି ପୁଅ ପାଇଁ ଖେଳଣା କିଣିଦେବେ... ସେ କଥା ମନେ ପକାଇଲା ବେଳେ ଆଜି କେହି କୋହ ସମ୍ବରଣ କରି ପାରୁନାହାନ୍ତି।

Advertisment

ଆଉ ସେମିତି ଘରର ଶିକ୍ଷିତ ପୁଅକୁ ହରାଇ ସମସ୍ତେ ଆତ୍ମହରା। କିଏ କାନ୍ଦିକାନ୍ଦି ଗଡ଼ି ଯାଉଛି ତ ଆଉ କିଏ ଭେଣ୍ଡା ପୁଅର ପିଲାଦିନର ଫଟୋକୁ ଧରି ଭୋ ଭୋ ହୋଇ କାନ୍ଦୁଛି। ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ଖଗଡ଼ାପାଳ ଗାଁର ଦୃଶ୍ୟ। କରମଣ୍ଡଳ ରେଳ ଦୁର୍ଘଟଣାରେ ଗାଁର ଉଚ୍ଚଶିକ୍ଷିତ ପୁଅ ମୁକ୍ତିକାନ୍ତଙ୍କର ଅକାଳ ବିୟୋଗ ଖବର ସମସ୍ତଙ୍କୁ ହତବାକ କରିଦେଇଛି। ଖାଲି ଏଇ ପରିବାର ନୁହଁନ୍ତି, ଏମିତି ଆହୁରି ଅନେକ ପରିବାର ଅଛନ୍ତି, ଯେଉଁମାନେ ଆଜି ଯାଏଁ ତାଙ୍କ ହଜିଲା ମଣିଷର ଅତ୍ତାପତ୍ତା ପାଇ ନାହାନ୍ତି।

Train Accident
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ