AP Quarry Blast
କିଏ ବାପାକୁ ହରାଇଛି ତ କିଏ ଭେଣ୍ଡା ପୁଅକୁ ଆଉ କିଏ ସ୍ବାମୀକୁ ହରାଇ ବିଧବା ହୋଇଛି। ଆନ୍ଧ୍ରପ୍ରଦେଶ ବାଲିକୁରଭା କ୍ବାରୀରେ ପଥର ବ୍ଲାଷ୍ଟିଙ୍ଗ ଘଟଣାରେ ଗଞ୍ଜାମ ଓ ଗଜପତି ଜିଲ୍ଲାର ୬ ଜଣ ଶ୍ରମିକଙ୍କ ମୃତଦେହ ଜନ୍ମମାଟିରେ ପହଞ୍ଚିବା ପରେ ସବୁଠି ଶୋକାକୁଳ ପରିବେଶ। କାନ୍ଦ ବୋବାଳିରେ ଗାଁ ଫାଟି ପଡୁଥିବା ବେଳେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ସରକାର। ଏଥିସହ ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି ମନ୍ତ୍ରୀ।
ଗାଁରେ କାନ୍ଦ ବୋବାଳି, ପୁରା ଅଞ୍ଚଳ ସ୍ତବ୍ଧ। ସବୁଠି ଶୋକାକୂଳ ପରିବେଶ। ଘର ଆଗରେ ବନ୍ଧା ଚାଲିିଛି କୋକେଇ। ହାଣ୍ଡି ନିଆଁ ବି ପ୍ରସ୍ତୁତ। ଅପେକ୍ଷା ରହିଛି କେତେବେଳେ ଆସିବ ଗାଁ ପୁଅର ମୃତଦେହ। ସମସ୍ତେ କାନ୍ଧ ଦେବେ ଆଉ ଶେଷ ବିଦାୟ ଜଣାଇବେ। ପୁଅର ମୃତ୍ୟୁ ଖବର ଶୁଣିବା ପରଠୁ ପେଟକୁ ଦାନା ଯାଉନି। ଛାତି ପିଟି କାନ୍ଦୁଛି ମା। ଘରର ଭେଣ୍ଡା ପୁଅ ଯେତେବେଳେ କାମକୁ ଯାଇ ଜୀବନ ହରାଉଛି କାହାର ବା ଧୈର୍ଯ୍ୟ ରହିବ। ହସ୍ପିଟାଲରୁ ପୁଅର ମୃତଦେହ ଆସିବା ପରେ ଘରକୁ ଟେକି ଟେକି ଆଣୁୁଛନ୍ତି ସମ୍ପର୍କୀୟ। ଅଗଣାରେ ରଖି ମୁଣ୍ଡ ପିଟି କାନ୍ଦୁଛନ୍ତି। ଗଞ୍ଜାମ ଦିଗପହଣ୍ଡି ଅଞ୍ଚଳର ବାଙ୍ଗରଡ଼ା ଗାଁର ଘଟଣା । ଆନ୍ଧ୍ରପ୍ରଦେଶ ବାଲିକୁରଭା ପଥର ଖାଦାନ ବିସ୍ଫୋରଣରେ କିଏ ନିଜର ବାପାକୁ ହରାଇଛି ତ କିଏ ରୋଜଗାରିଆ ପୁଅକୁ ହରାଇଛି। ପୁରା ଗାଁ ହତବାକ୍, ନୀରବ। କାହା ପାଟିରୁ କଥା ବାହାରୁନି।
ମୃତକ ସମସ୍ତେ ପଥର ଖାଦାନରେ କାମ କରୁଥିଲେ। କାମ ଥିଲା ବ୍ଲାଷ୍ଟିଂ କରି ବଡ ବଡ ପଥର ଫଟାଇବା। ଏ ବାବଦରେ ଦିନକୁ ହଜାରେରୁ ୧୫ ଶହ ଟଙ୍କା ପାଉଥିଲେ। ହେଲେ ରବିବାର ଯେମିତି ଏମାନଙ୍କ ପାଇଁ ଥିଲା କାଳ ଆଉ ଅଶୁଭ। ହଠାତ ଏକ ବଡ଼ ପଥର ଖସି ପଡ଼ିବାରୁ ସମସ୍ତେ ଚାପି ହୋଇଗଲେ। ଘଟଣାସ୍ଥଳରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮ ଜଣ ଆହତ ହୋଇ ବିଭିନ୍ନ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ମୃତକ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକର ଚଷା ନିମଖଣ୍ଡି, ବାଙ୍ଗରଡ଼ା, ଧରାକୋଟ ଏବଂ ଗଜପତି ଜିଲ୍ଲା ମୋହନା ଅଞ୍ଚଳର ହୋଇଥିବା ଜଣାପଡ଼ିଛି। ଅଘଟଣ ନେଇ ପ୍ରଥମେ କର୍ତ୍ତୃପକ୍ଷ ପରିବାର ଲୋକଙ୍କୁ ଜଣାଇବା ପରେ ସମସ୍ତଙ୍କୁ ଉଦ୍ଧାର ପାଇଁ ଉଦ୍ୟମ କରିଥିଲେ ରାଜ୍ୟ ସରକାର। ବଡ଼ କଥା ହେଉଛି ଏ ଅଞ୍ଚଳରୁ ଅଧିକାଂଶ ଯୁବକ ପଥର ଖାଦାନରେ କାମ କରିବାକୁ ବାହାର ରାଜ୍ୟକୁ ଯାଇଥାଆନ୍ତି। ପରିବାର ଲୋକଙ୍କ କହିବାର କଥା, ସେଠାରେ କିଛି ସୁରକ୍ଷା ବ୍ୟବସ୍ଥା ନାହିଁ। ଯାହାଫଳରେ ସାମାନ୍ୟ ଦୁର୍ଘଟଣା ହେଲେ ଯୁବକଙ୍କ ଜୀବନ ଯାଉଛି। ତେବେ ପୁରା ଘଟଣା ବଖାଣିଛନ୍ତି ସେଦିନ କାମକୁ ନଯାଇ ନିଶ୍ଚିନ୍ତ ମୃତ୍ୟୁରୁ ବଞ୍ଚି ଯାଇଥିବା ଜଣେ ଶ୍ରମିକ।
ସେପଟେ ଅଘଟଣ ଘଟିବା ପରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ତିନି ଜଣିଆ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲା। ମୃତଦେହ ଘରକୁ ପଠାଇବା ସହିତ ଆହତଙ୍କ ଚିକିତ୍ସା ବ୍ୟବସ୍ଥା କରିଥିଲା ଟିମ। ତେବେ ସମସ୍ତ ଶ୍ରମିକ ପଞ୍ଜିକରଣ କରି ଯାଇଥିଲେ ନା କୌଣସି ଦଲାଲଙ୍କ ଜରିଆରେ ଆନ୍ଧ୍ରକୁ କାମ କରିବାକୁ ଯାଇଥିଲେ, ସେ ନେଇ ତଦନ୍ତ କରାଯିବ ବୋଲି କହିଛନ୍ତି ଶ୍ରମ ବିଭାଗ ଡିଭିଜନାଲ କମିଶନର। ସେପଟେ ଗାଁରେ ମୃତଦେହ ପହଞ୍ଚିବା ପରେ ରାଜ୍ୟ ସରକାରଙ୍କ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଓ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମନ୍ତ୍ରୀ ମୃତ ପରିବାରକୁ ଭେଟି ସମବେଦନା ଜଣାଛନ୍ତି। ତେଣେ ଶ୍ରମ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ କହିଛନ୍ତି, ଯେଉଁ କାମ ପାଇଁ ଶ୍ରମିକ ବାହାରକୁ ଯାଉଛନ୍ତି, ଓଡ଼ିଶାରେ ସମାନ କାମ ଅଛି ନା ନାହିଁ ତାହାର ମ୍ୟାପିଂ ନ୍ୟାସନାଲ ଲେବର ଇନଷ୍ଟିଚ୍ୟୁଟ କରୁଛି।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଘଷଣା କରିଛନ୍ତି। ଏଥିସହ କିଭଳି ଘଟଣା ଘଟିଲା ସେ ନେଇ ତଦନ୍ତ କରିବା ପାଇଁ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1754323183.jpg)